ETV Bharat / state

ଖୋର୍ଦ୍ଧାର ଦୁଇ ଯୋଦ୍ଧା କାର୍ତ୍ତିକ ଏବଂ ତପୁ: ନିଜେ ନିଶା ନର୍କରୁ ବଞ୍ଚିବା ପରେ ଅନ୍ୟମାନକୁ ବଞ୍ଚାଇବାକୁ ଯୋଗାଉଛନ୍ତି ସେବା

ଏକଦା ନିଶାଜାଲରେ ଛନ୍ଦି ହୋଇ ପରିବାର ଓ ସମାଜ ପାଇଁ ବୋଝ ପାଲଟିଥିବା ଖୋର୍ଦ୍ଧାର କାର୍ତ୍ତିକ ଖଟେଇ ଏବଂ ବେଗୁନିଆର ତପୁ ପଣ୍ଡା ଏବେ ଶତାଧିକ ନିଶାଗ୍ରସ୍ତଙ୍କ ଜୀବନରେ ଆଣିଛନ୍ତି ଆଶାର ଆଲୋକ।ରିପୋର୍ଟ-ଗୋବିନ୍ଦଚନ୍ଦ୍ର ପଣ୍ଡା

KHORDHA FIGHT AGAINST DRUGS
ଖୋର୍ଦ୍ଧାର ଦୁଇ ଯୋଦ୍ଧା କାର୍ତ୍ତିକ ଓ ପପୁ: ନିଜେ ନିଶା ନର୍କରୁ ବଞ୍ଚିଲେ, ଅନ୍ୟକୁ ବଞ୍ଚାଇବାକୁ ସେବା ଯୋଗାଇଲେ (ETV Bharat Odisha)
author img

By ETV Bharat Odisha Team

Published : July 3, 2026 at 2:51 PM IST

3 Min Read
Choose ETV Bharat

Khordha Drug Addiction Recovery Story, ଖୋର୍ଦ୍ଧା: ଦିନେ ନିଶାର ବଶବର୍ତ୍ତୀ ହୋଇ ପରିବାରର ହସଖୁସି ଛଡ଼ାଇ ନେଇଥିଲେ । ଆଜି ନିଶାମୁକ୍ତ ବାର୍ତ୍ତା ଦେଇ ଅନ୍ୟମାନଙ୍କ ପରିବାର ସଜାଡୁଛନ୍ତି ଖୋର୍ଦ୍ଧା ଜିଲ୍ଲାର ଦୁଇ ଜଣ ଯୁବକ । ବର୍ତ୍ତମାନ ଓଡ଼ିଶାରେ ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନ ଏକ ଚିନ୍ତାଜନକ ସାମାଜିକ ସମସ୍ୟା ଭାବେ ଉଭା ହୋଇଥିବା ବେଳେ, ଏହି ଦୁଇ ଯୁବକଙ୍କ ଅଭିନବ ପ୍ରୟାସ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି । ନିଜେ ଅନ୍ଧକାରରୁ ଆଲୋକକୁ ଫେରି ଆସି ସେମାନେ ଏବେ ଅନ୍ୟମାନଙ୍କ ଜୀବନରେ ନୂଆ ସକାଳ ଆଣିବାରେ ବ୍ୟସ୍ତ । ସେମାନଙ୍କ ଉଦ୍ୟମ କେବଳ ଶତାଧିକ ନିଶାଗ୍ରସ୍ତଙ୍କ ଜୀବନକୁ ବଦଳାଇଛି ତାହା ନୁହେଁ, ବରଂ ନିଶାମୁକ୍ତ ସମାଜ ଗଠନ ଦିଗରେ ଏକ ସକରାତ୍ମକ ବାର୍ତ୍ତା ମଧ୍ୟ ଦେଇଛି।

ନିଶା ବିରୋଧରେ ନୂଆ ଲଢ଼େଇ:

ଏକଦା ନିଶା ସେବନ କରି ପରିବାର ଓ ସମାଜ ପାଇଁ ବୋଝ ପାଲଟିଥିବା ଖୋର୍ଦ୍ଧାର କାର୍ତ୍ତିକ ଖଟେଇ ଏବଂ ବେଗୁନିଆର ତପୁ ପଣ୍ଡା, ଆଜିର ଦିନରେ ଶତାଧିକ ନିଶାଗ୍ରସ୍ତଙ୍କ ଜୀବନରେ ଆଶାର ଆଲୋକ ସଞ୍ଚାର କରିଛନ୍ତି । ନିଜ ଜୀବନର କଠିନ ଅନୁଭବକୁ ସମାଜ ସେବାରେ ପରିବର୍ତ୍ତିତ କରି, ଆଜି ନିଶାମୁକ୍ତ ସମାଜ ଗଠନରେ ନିୟୋଜିତ ଅଛନ୍ତି ।

ଖୋର୍ଦ୍ଧାର କାର୍ତ୍ତିକ ଖଟେଇ ଏବଂ ବେଗୁନିଆର ତପୁ ପଣ୍ଡା ଏବେ ଶତାଧିକ ନିଶାଗ୍ରସ୍ତଙ୍କ ଜୀବନରେ ଆଣିଛନ୍ତି ଆଶାର ଆଲୋକ (ETV Bharat Odisha)

କାର୍ତ୍ତିକ ଖଟେଇ କୁହନ୍ତି ‘‘ପାଠ ପଢ଼ୁଥିବା ସମୟରେ ମୁଁ କୁସଙ୍ଗରେ ପଡ଼ି ନିଶା ମାୟାଜାଲରେ ପଶି ଯାଇଥିଲି । ଟିକିଏ ମଜା ପାଇଁ ମୁଁ ସଜା ପାଇଥିଲି । ମୁଁ ଏବଂ ମୋ ପରିବାର ସମାଜରେ ଅପଦସ୍ତ ହୋଇଥିଲେ । ମୁଁ ନିଜେ ନିଶାର ଭୟାବହତା ଜାଣିବା ପରେ ନିଜକୁ ଆୟତ୍ତ କଲି ଏବଂ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇ ସୁସ୍ଥ ହେବା ପରେ ସମାଜକୁ ଫେରିଲି । ମୋ ଭଳି ଯେଉଁମାନେ ନିଶା ଖାଇ ନିଜକୁ ଏବଂ ନିଜ ପରିବାରକୁ ସମସ୍ୟା ଭିତରକୁ ନେଉଛନ୍ତି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ ବୋଲି ଶପଥ ନେଲି । "

ଖୋର୍ଦ୍ଧା ସାମନ୍ତରାପୁର ଅଞ୍ଚଳର କାର୍ତ୍ତିକ ଖଟେଇ(40) । ସେ ଗତ ପାଞ୍ଚ ଛଅ ବର୍ଷ ହେଲା ସଂପୂର୍ଣ୍ଣ ନିଶାମୁକ୍ତ ହେବା ପରେ ଗତ ତିନି ତଳେ 'ଉଦୟ ନିଶା ନିବାରଣ କେନ୍ଦ୍ର' ନାମରେ ଏକ ସଂସ୍ଥା ଖୋଲି ନିଶା ନିର୍ବାରଣ କ୍ଷେତ୍ରରେ କାମ କରି ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ କେନ୍ଦ୍ରରେ 300ରୁ ଅଧିକ ଲୋକ ଚିକିତ୍ସିତ ହୋଇ ସାରିଥିବା ବେଳେ, 30 ଜଣ ସଂପୂର୍ଣ୍ଣ ନିଶାମୁକ୍ତ ହୋଇଥିବା ଦାବି କରିଛନ୍ତି କାର୍ତ୍ତିକ।

ସେହିପରି ବେଗୁନିଆର ତପୁ ପଣ୍ଡା ହେଉଛନ୍ତି ଆଉ ଜଣେ ଯୁବକ, ଯିଏ ନିଜେ ନିଶାମୁକ୍ତ ହେବା ପରେ ଏବେ ନିଶା ନିବାରଣ ଦିଗରେ କାମ କରୁଛନ୍ତି । ନିଜେ ଚେଞ୍ଜ ହେବା ପରେ ଗତ ବର୍ଷେ ହେଲା 'ଚେଞ୍ଜ ଲାଇଫ ନିଶା ନିବାରଣ କେନ୍ଦ୍ର' ଗଢ଼ିଛନ୍ତି ତପୁ । ଏହି କେନ୍ଦ୍ରରେ ନିଶାସକ୍ତ ଯୁବକମାନଙ୍କୁ ଚିକିତ୍ସା ସହିତ ମାନସିକ ପରାମର୍ଶ ଦିଆଯାଉଛି । ତପୁଙ୍କ ନିଶା ନିବାରଣ କେନ୍ଦ୍ରରୁ ପ୍ରାୟ 90 ଜଣ ଚିକିତ୍ସିତ ହୋଇ ଫେରିଲେଣି । ସେମାନଙ୍କ ମଧ୍ୟରୁ 17 ଜଣ ସମ୍ପୂର୍ଣ୍ଣ ନିଶାମୁକ୍ତ ହୋଇଥିବା ତପୁ କହିଛନ୍ତି ।

ନିଶା ସେବନରୁ ନିଶା ନିବାରଣ ଯାତ୍ରାକୁ ନେଇ 30 ବର୍ଷୀୟ ତପୁ ପଣ୍ଡା କହିଛନ୍ତି ‘‘ମୁଁ ଏତେ ନିଶା ଖାଉଥିଲି ଯେ ପରିବାର ମୋତେ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ହିଁ ମୁଁ ଜୀବନର ମୂଲ୍ୟ ଅନୁଭବ କଲି । ନିଶା କେବଳ ମୋ ଉପରେ ନୁହେଁ, ବରଂ ସମାଜ ଓ ମୋ ପରିବାର ଉପରେ ସାଂଘାତିକ ପ୍ରଭାବ ପକାଉଥିଲା । ମୋ ଭଳି ଅନ୍ୟ କାହାର ପରିବାର ଯେପରି ଛାରଖାର ନ ହେଉ ସେଥିପାଇଁ ପ୍ରତିଜ୍ଞା କଲି । " ଚେଞ୍ଜ ଲାଇଫ ନିଶା ନିବାରଣ କେନ୍ଦ୍ର ଜରିଆରେ, ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ତପୁ ପଣ୍ଡା।

ଅନୁତାପରୁ ଅନୁପ୍ରେରଣା: ତପୁଙ୍କ ବାପା

ତପୁଙ୍କ ପରିବର୍ତ୍ତନ ଏବଂ ପ୍ରୟାସକୁ ସ୍ବାଗତ କରିଛନ୍ତି ତାଙ୍କ ବାପା ମାଧବ ଚନ୍ଦ୍ର ପଣ୍ଡା । ଶିକ୍ଷକ ଥିବା ମାଧବ ଚନ୍ଦ୍ର ପଣ୍ଡା କୁହନ୍ତି ‘‘ ତପୁ ଦୀର୍ଘ 9 ବର୍ଷ କାଳ ନିଶା ଖାଇ ଆମ ଉପରେ ଅତ୍ୟାଚାର କରିଛି, ଖରାପ ବ୍ୟବହାର ପ୍ରଦର୍ଶନ କରିଛି । ଭଗବାନଙ୍କ ଆଶୀର୍ବାଦ ବଳରେ ସେ ଆଜି ବାଟକୁ ଆସିଛି । ଯେପରି ନିଜେ ନିଶା ମୁକ୍ତ ହୋଇ ପରିବାର ଦାୟିତ୍ୱ ନେଇଛି ସେମିତି ଅନ୍ୟ ପରିବାରର ପିଲାଙ୍କୁ ନିଶାମୁକ୍ତ କରିବା ପାଇଁ ଦାୟିତ୍ୱ ନେଇଛି । " ତପୁ ଏବେ ଦସ୍ୟୁ ରତ୍ନାକରରୁ ବାଲ୍ମିକୀ ପାଲଟିଛି ବୋଲି କହିଛନ୍ତି ବାପା ମାଧବ ଚନ୍ଦ୍ର ।

ତପୁଙ୍କ ନିଶା ନିବାରଣ କେନ୍ଦ୍ରରେ ରହି ସମ୍ପୂର୍ଣ୍ଣ ନିଶାମୁକ୍ତ ହୋଇଥିବା ଅନୁଗୁଳ ଅଞ୍ଚଳର ସଞ୍ଜୟ କୁମାର ରାଉତରାୟ କହିଛନ୍ତି ‘‘ ମୁଁ ଗତବର୍ଷ ଅଗଷ୍ଟ 2025 ରୁ ଅତ୍ୟଧିକ ମଦ୍ୟପାନ କାରଣରୁ ପରିବାର ସଦସ୍ୟଙ୍କ ଦ୍ୱାରା ଏଠାରେ ଭର୍ତ୍ତି ହୋଇଥିଲି । ଏଠାରେ ସଠିକ ଚିକିତ୍ସା ଓ ପରାମର୍ଶ ପାଇ ମୁଁ ଏବେ ସଂପୂର୍ଣ୍ଣ ନିଶାମୁକ୍ତ ଜୀବନ ବଞ୍ଚୁଛି। ’’

ତପୁ ପଣ୍ଡାଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ଆଇନଜୀବୀ ମନିରା ବେଗମ । ସେ କହିଛନ୍ତି ' ତପୁ ନିଜେ ନିଶା ଖାଇ ନିଜର କଣ କ୍ଷତି ଘଟିଥିଲା ତାହା ଅନୁଭବ କରିଛନ୍ତି । ସେତିକି କ୍ଷତି ସେ ବୁଝି ନଥିଲେ ତପୁ ଆଜିର ଦିନରେ ଅନ୍ୟ ପରିବାର ପାଇଁ ଚିନ୍ତା କରି ନଥାନ୍ତେ।'

ନିଜ ଅନୁଭବ, ଅନ୍ୟ ପାଇଁ ପ୍ରେରଣା

ଖୋର୍ଦ୍ଧା ଜିଲ୍ଲାର ଦୁଇ ଉଦାହରଣ କାର୍ତ୍ତିକ ଖଟେଇ ଏବଂ ତପୁ ପଣ୍ଡା । ଦୁହେଁ ନିଶାମୁକ୍ତ ହେବା ପରେ ବଦଳିଯାଇଛି ଉଭୟଙ୍କ ଜୀବନର ଲକ୍ଷ୍ୟ । ଅନ୍ୟ କୌଣସି ଯୁବକ ବା ଯିବପିଢ଼ି ଯେପରି ନିଶା କବଳରେ ପଡ଼ି ଜୀବନ ନଷ୍ଟ ନ କରନ୍ତୁ, ସେ ନେଇ ଜାରି ରଖିଛନ୍ତି ପ୍ରୟାସ । ନିଜ ଅନୁଭବକୁ ଆଧାର କରି ନିଶାଗ୍ରସ୍ତଙ୍କୁ ନୂଆ ଜୀବନ ଦେବାରେ ନିଜକୁ ସମର୍ପିତ କରିଛନ୍ତି କାର୍ତ୍ତିକ ଏବଂ ତପୁ । ନିଶାଗ୍ରସ୍ତମାନଙ୍କୁ ଚିକିତ୍ସା, କାଉନସେଲିଂ ଏବଂ ପୁନର୍ବାସ ସୁବିଧା ଯୋଗାଇବ ସହ ଶତାଧିକ ଲୋକଙ୍କୁ ସ୍ୱାଭାବିକ ଜୀବନକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି।

ଏହା ମଧ୍ୟ ପଢନ୍ତୁ ନିଶା ନିବାରଣ କେନ୍ଦ୍ରରେ ଯାଉଛି ଜୀବନ ! ଚେତିଲେ ସରକାର, ମାଗିଲେ ରିପୋର୍ଟ

ଏହା ମଧ୍ୟ ପଢନ୍ତୁ ନିଶା ମାୟାଜାଲରେ ଓଡ଼ିଶାର ଯୁବପିଢ଼ି ! ବ୍ରାଉନସୁଗାରଠୁ ହେରୋଇନ ବ୍ୟାପୁଛି କାରବାର, ଗାଁଠୁ ସହର ଲମ୍ବୁଛି ଡ୍ରଗ୍ସ ଚେର ...


ଇଟିଭି ଭାରତ, ଖୋର୍ଦ୍ଧା