ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, କଡା ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ମୋହନ
ରିଲ୍ସକୁ ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ । ଭିଡ଼ିଓକୁ ସେୟାର ନକରିବାକୁ ଅପିଲ୍ କଲେ ଷ୍ଟାଲିନ ସରକାର । କହିଲେ ତାମିଲନାଡୁ ବାହାର ରାଜ୍ୟର ଲୋକଙ୍କ ପାଇଁ ସୁରକ୍ଷିତ ।

Published : December 30, 2025 at 6:39 PM IST
ଭୁବନେଶ୍ବର/ଚେନ୍ନାଇ: ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ଉପରେ ମରଣାନ୍ତକ ଆକ୍ରମଣ । ଲୋକାଲ ଟ୍ରେନରେ ରିଲ୍ସକୁ ବିରୋଧ କରିବା ପରେ ଆକ୍ରମଣର ଶିକାର ହୋଇଥିଲେ ଓଡ଼ିଆ ଶ୍ରମିକ ସୂରଜ(34) । 4 ଜଣ ନାବାଳକ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେପଟେ ତାମିଲନାଡୁରେ କେହି ସୁରକ୍ଷିତ ନୁହେଁ କହି ଷ୍ଟାଲିନ ସରକାରଙ୍କୁ କଡା ସମାଲୋଚନା କରିଛି ରାଜ୍ୟ ବିଜେପି । ଅନ୍ୟପଟେ ସମାଲୋଚନାର ଶିକାର ହେବା ପରେ ବାହାର ରାଜ୍ୟର ଲୋକଙ୍କ ପାଇଁ ତାମିଲନାଡୁ ସୁରକ୍ଷିତ କହି ବିବୃତି ଜାରି କରିଛନ୍ତି ତାମିଲନାଡୁ ସରକାର ।
ଓଡ଼ିଆ ଶ୍ରମିକଙ୍କୁ ଅମାନୁଷିକ ଆକ୍ରମଣ:
ଗତ 27 ଡିସେମ୍ବରରେ ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାର ତିରୁଟ୍ଟାନି ରେଳଷ୍ଟେସନ ନିକଟରେ ଏହି ଘଟଣାଟି ଘଟିଥିଲା । ଲୋକାଲ ଟ୍ରେନରେ ରିଲ୍ସ କରିବାକୁ ନେଇ ବିରୋଧ କରିଥିଲେ ସୂରଜ । ଏହାକୁ ନେଇ ଉତିକ୍ଷିପ୍ତ ହୋଇପଡିଥିଲେ 4 ନାବାଳକ । ସେମାନେ ସୂରଜଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଡିସେମ୍ବର 28ରେ ପୋଲିସ 4 ଜଣଙ୍କୁ ଗିରଫ କରିଥିଲା । ଏହାପରେ ସେମାନଙ୍କ ମଧ୍ୟରୁ 3 ଜଣଙ୍କୁ ବାଳସୁଧାର ଗୃହକୁ ପଠାଇ ଦେଇଥିଲା । ଜଣଙ୍କୁ ବେଲ୍ ମିଳିବା ପରେ ପରିବାର ସହ ପଠାଇଥିଲା ପୋଲିସ ।
ତିରୁଟ୍ଟାନିରେ ମାମଲା ରୁଜୁ:
ସେପଟେ ପୀଡିତଙ୍କ ଅଭିଯୋଗ ଆଧାରରେ ତିରୁଟ୍ଟାନି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ତେବେ ଏନେଇ ପୋଲିସ କହିଛି, ଖବର ପାଇ ଆମେ ସୂରଜଙ୍କୁ ଉଦ୍ଧାର କରିଥିଲୁ । ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ତିରୁଟ୍ଟାନି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା । ପରେ ଥିରୁଭଲ୍ଲୁର ସରକାରୀ ମେଡିକାଲକୁ ରେଫର୍ କରାଯାଇଥିଲା । ପ୍ରଥମେ ସୂରଜ ମହାରାଷ୍ଟ୍ରର କୋହ୍ଲାପୁରର ବାସିନ୍ଦା ବୋଲି ଚିହ୍ନଟ କରିଥିଲା ପୋଲିସ । ପରେ ସେ ଓଡ଼ିଶା ବାସିନ୍ଦା ହୋଇଥିବା ଜଣାପଡିଥିଲା ।
ସୋସିଆଲ ମିଡିଆରେ ଭିଡିଓ ସେୟାର ନକରିବାକୁ ଅପିଲ୍:
ସେପଟେ ଏହି ଆକ୍ରମଣ ଭିଡିଓକୁ ସୋସିଆଲ ମିଡିଆରେ ସେୟାର ନକରିବାକୁ ଅପିଲ୍ କରିଛି ତାମିଲନାଡୁ ସରକାର । ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆରେ ସେୟାର ନକରିବାକୁ ଅପିଲ୍ କରାଯାଇଛି ।
ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ଘଟଣାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତୁରନ୍ତ ସଂଜ୍ଞାନ ନେବା ସହ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଜଣେ ନିରୀହ ଓଡ଼ିଆ ପୁଅ ଉପରେ ଏଭଳି ବର୍ବରୋଚିତ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ।
— CMO Odisha (@CMO_Odisha) December 30, 2025
ଓଡ଼ିଶା ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ…
ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ:
ତାମିଲନାଡୁରେ ଓଡ଼ିଆ ଯୁବକଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବେଗ ପ୍ରକାଶ କରିଛନ୍ତି । ଓଡ଼ିଆ ଯୁବକଙ୍କ ଉପରେ ଏପରି ବର୍ବରୋଚିତ ଆକ୍ରମଣ ନିନ୍ଦନୀୟ । ଓଡ଼ିଶା ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ତାମିଲନାଡୁ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ପୀଡ଼ିତଙ୍କୁ ସମସ୍ତ ପ୍ରକାର ଉତ୍ତମ ଚିକିତ୍ସା ଓ ସହାୟତା ଯୋଗାଇ ଦେବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ।
ଓଡ଼ିଆଙ୍କ ସୁରକ୍ଷା ସର୍ବୋପରି:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ X ପୋଷ୍ଟରେ କହିଛନ୍ତି, ‘ଓଡ଼ିଆଙ୍କ ସୁରକ୍ଷା ଓ ସ୍ଵାଭିମାନ ଆମ ପାଇଁ ସର୍ବୋପରି । ରାଜ୍ୟ ବାହାରେ କର୍ମରତ ପ୍ରତ୍ୟେକ ଓଡ଼ିଆ ଭାଇଭଉଣୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ ।’
ତାମିଲନାଡୁ ସରକାରଙ୍କୁ କଡା ଟାର୍ଗେଟ କଲା ବିଜେପି:
ଏହି ଘଟଣାକୁ ନେଇ ତାମିଲନାଡୁ ସରକାରଙ୍କ ଉପରେ ବର୍ଷିଛି ଓଡ଼ିଶା ବିଜେପି । ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ଏହାକୁ ନେଇ ନିଜ ‘X’ ହ୍ୟାଣ୍ଡଲରେ ତାମିଲନାଡୁର ଷ୍ଟାଲିନ ସରକାରଙ୍କୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି ।
ଅନିଲ କହିଛନ୍ତି, ‘ତାମିଲନାଡୁରେ ଯେଭଳି ଓଡ଼ିଆ ଯୁବକଙ୍କ ଉପରେ ଆକ୍ରମଣ କରାଯାଇଛି ସେଥିରୁ ଜଣାପଡ଼ୁଛି ତାମିଲନାଡୁରେ କେହି ସୁରକ୍ଷିତ ନୁହନ୍ତି । ଏ ଘଟଣା ପରେ ତାମିଲନାଡୁରେ ସରକାର ବି ନିରବଦ୍ରଷ୍ଟା ସାଜିଛି । ସେପଟେ ଓଡ଼ିଆ ଯୁବକ ଚିକିତ୍ସା ନେଇ କୌଣସି ସୂଚନା ଦେଉ ନାହାନ୍ତି । ଏପରିକି ଓଡ଼ିଶା ସରକାରଙ୍କୁ ମଧ୍ୟ ସେ ଓଡ଼ିଆ ଯୁବକ ବିଷୟରେ କୌଣସି ତଥ୍ୟ ଦେଉ ନାହାନ୍ତି । ଓଡ଼ିଆ ଯୁବକଙ୍କୁ ଆକ୍ରମଣ କରୁଥିବା ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ମଧ୍ୟ ପୋଲିସ ଏ ଦିଗରେ ଆକ୍ସନ ନ ନେଇ ଚୁପ୍ ବସିଛି । ଷ୍ଟାଲିନ ସରକାର ଅପରାଧୀଙ୍କୁ ସୁରକ୍ଷା ଦେଉଛି ।’
ଏହା ମଧ୍ୟ ପଢନ୍ତୁ: ଗୃହଯୁଦ୍ଧ ଭିତରୁ ମୁକୁଳିଲେ ଓଡିଆ ପୁଅ; ସୁଦାନରୁ ଫେରିଲେ ଆଦର୍ଶ, କେନ୍ଦ୍ରକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ତ୍ରିପୁରା ଛାତ୍ର ହତ୍ୟା: ଡେରାଡୁନ ଅଧିକାରୀଙ୍କୁ NHRC ନୋଟିସ ଜାରି କଲା |
ତାମିଲନାଡୁ ଅନ୍ୟ ରାଜ୍ୟର ଲୋକଙ୍କ ପାଇଁ ସୁରକ୍ଷିତ:
ସେପଟେ ଏହି ଘଟଣାକୁ ନେଇ ଚାରିଆଡୁ ସମାଲୋଚନାର ଶିକାର ପରେ ବିବୃତ୍ତି ଜାରି କରିଛନ୍ତି ତାମିଲନାଡୁ ସରକାର । ଯେଉଁଥିରେ କୁହାଯାଇଛି, ବାହାର ରାଜ୍ୟର ଲୋକଙ୍କ ପାଇଁ ତାମିଲନାଡୁ ସୁରକ୍ଷିତ ଅଟେ ।’
ଇଟିଭି ଭାରତ, ଭୁବନେଶ୍ବର

