ମୁହଁ ଖୋଲିଲେ ହୟତୁନା ନିଶାଙ୍କ ଶାଶୁ ହଜମତ, ଟଙ୍କା ଓ ଅଳଙ୍କାର ଲୋଭରେ ବୋହୂକୁ ହତ୍ୟା କରାଯାଇଥିବା ସନ୍ଦେହ
ତାମିଲନାଡୁ ଏକ୍ସପ୍ରେସ ଟ୍ରେନରେ ଏକ ସୁଟକେସ୍ରୁ ଜଗତସିଂହପୁରର ହୟତୁନା ନିଶାଙ୍କ ମୃତଦେହ ମିଳିବା ଘଟଣାରେ ବୟାନ ଦେଇଛନ୍ତି ଜଗତସିଂହପୁରରେ ରହୁଥିବା ତାଙ୍କ ଶାଶୁ ହଜମତ ନିଶା । ରିପୋର୍ଟ: ସୁଶାନ୍ତ କୁମାର ପାତ୍ର

Published : August 27, 2026 at 10:15 AM IST
|Updated : August 27, 2026 at 12:38 PM IST
ODIA WOMAN BODY PARTS IN SUITCASE , ଜଗତସିଂହପୁର: ଚେନ୍ନାଇ-ଦିଲ୍ଲୀ ତାମିଲନାଡୁ ଏକ୍ସପ୍ରେସ୍ରୁ ଉତ୍ତରପ୍ରଦେଶର ଆଗ୍ରା ନିକଟରେ ଜଗତସିଂହପୁରର ମହିଳା ହୟତୁନା ନିଶାଙ୍କ ଖଣ୍ଡବିଖଣ୍ଡ ମୃତଦେହ ଏକ ସୁଟକେସ୍ରୁ ମିଳିବା ଘଟଣାରେ ଚେନ୍ନାଇ ପୋଲିସ ଛାନଭିନ ଜାରି ରଖିଛି । ମହିଳାଙ୍କୁ ହତ୍ୟା ପରେ ମୃତଦେହକୁ ଖଣ୍ଡବିଖଣ୍ଡ କରି ଫିଙ୍ଗି ଦେଇଥିବା ସନ୍ଦେହରେ ଦମ୍ପତିଙ୍କୁ ପୋଲିସ ଖୋଜୁଛି । ଏହି ଘଟଣାକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତିଥିଲେ ହେଁ ସନ୍ଦିଗ୍ଧ ଦମ୍ପତିଙ୍କ ସୁରାକ ମିଳିପାରିନାହିଁ । ଚେନ୍ନାଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଜଗତସିଂହପୁର ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟାପକ ଖୋଳତାଡ଼ କରିଥିଲା । ଏହି ମାମଲାରେ ମୃତ ମହିଳାଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ତାଙ୍କ ଶାଶୁ ହଜମତ ନିଶା ମୁହଁ ଖୋଲିଛନ୍ତି ।
ଟଙ୍କା ଓ ସୁନା ଲୋଭରେ ହତ୍ୟା ସନ୍ଦେହ !
ହୟତୁନାଙ୍କ ଶାଶୁ ହଜମତ ନିଶା କହିଛନ୍ତି, "ବୋହୂ ହୟତୁନା ନିଶା ଦଶବର୍ଷ ଧରି ତାମିଲନାଡୁ ଚେନ୍ନାଇର ଏକ କମ୍ପାନୀରେ ଚାକିରି କରୁଥିଲେ । ସେଠାରୁ ଚାକିରି ଛାଡି ଅନ୍ୟ ଏକ କମ୍ପାନୀରେ ଚାକିରି କରୁଥିଲେ । ପୂର୍ବରୁ ଚାକିରି କରିଥିବା କମ୍ପାନୀରୁ EPF ବାବଦରେ ମହିଳାଙ୍କୁ ପାଖାପାଖି 4 ଲକ୍ଷ ଟଙ୍କା ମିଳିଥିଲା । 4 ଲକ୍ଷ ଟଙ୍କା ସହିତ ତାଙ୍କ ପାଖରେ ସୁନା ଗହଣା ଥିଲା ।"
ଟଙ୍କା ଓ ସୁନା ଗହଣା ଲୋଭରେ ହୟତୁନା ନିଶାଙ୍କୁ ତାଙ୍କ ସହିତ ରହୁଥିବା ଦମ୍ପତି ହତ୍ୟା କରିଥିବା ଶାଶୁ ହଜମତ ସନ୍ଦେହ ପ୍ରକାଶ କରିଛନ୍ତି । ଏହି ଘଟଣାରେ ମୃତ ମହିଳାଙ୍କ ପୁଅକୁ ମଧ୍ୟ ଚେନ୍ନାଇ ପୋଲିସ ପଚରାଉଚରା କରିଥିବା ହଜମତ କହିଛନ୍ତି ।
ହଜମତ ନିଶା କହିଛନ୍ତି ଯେ, "ତାଙ୍କ ବୋହୂର ଏକ ପୁଅ ଅଛି । ସେ ଚେନ୍ନାଇରେ ପାଠ ପଢୁଛି । ତେବେ ସେ ମାଆ ସହିତ ରହୁନଥିଲା । ଆମେ ଗଣମାଧ୍ୟମରୁ ବୋହୂର ମୃତ୍ୟୁ ଖବର ପାଇବା ପରେ ନାତି ସହ କଥା ହୋଇଥିଲି । ନାତିକୁ ଚେନ୍ନାଇ ପୋଲିସ ପଚରାଉଚରା କରିଛି । ତେବେ ସେ ତା ମାଆର ମୃତଦେହ ଦେଖିନାହିଁ ବୋଲି କହିଥିଲା । "
ନିଖୋଜ ଦମ୍ପତି ଧରାପଡ଼ିବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ହଜମତ ନିଶା କହିଛନ୍ତି। ହଜମତ ମଧ୍ୟ ପୂର୍ବରୁ ଚେନ୍ନାଇରେ ଚାକିରି କରୁଥିଲେ ଏବଂ ଗତ 5 ବର୍ଷ ହେଲା ଜଗତସିଂହପୁରରେ ରହୁଛନ୍ତି।
ବୋହୂ ହୟତୁନାଙ୍କ ସହ ଶେଷ ଥର କେବେ ଫୋନରେ କଥା ହୋଇଥିଲେ ସଠିକ ଭାବେ କହିପାରୁନାହାନ୍ତି ହଜମତ ନିଶା । ତେବେ ସେ ଏତିକି କହିଛନ୍ତି ଯେ, " ସେ ଯେତେବେଳେ କଥା ହୋଇଥିଲେ, ସେତେବେଳେ ସେ କହୁଥିଲେ ଯେ ନୂଆ କମ୍ପାନୀରେ ଚାକିରି କରୁଛି । ଏବେ ଓଡ଼ିଶା ଯାଇ ପାରିବି ନାହିଁ । 6 ମାସ ପରେ ଘରକୁ ଆସିବାକୁ ଚେଷ୍ଟା କରିବି। "
ଜଗତସିଂହପୁର SDPO କହିଛନ୍ତି, "ଚେନ୍ନାଇରେ ଘଟିଥିବା ହତ୍ୟାକାଣ୍ଡ ସମ୍ପର୍କରେ ଜଗତସିଂହପୁର ପୋଲିସ ପାଖରେ କୌଣସି ସୂଚନା ନାହିଁ । ତେବେ ଏହି ଘଟଣା ଉପରେ ପୋଲିସର ନଜର ରହିଛି ।"
ଓଡ଼ିଶା ଚେନ୍ନାଇ ପୋଲିସର ତନାଘନା:
ଚେନ୍ନାଇ-ଦିଲ୍ଲୀ-ତାମିଲନାଡୁ ଏକ୍ସପ୍ରେସ୍ରୁ ଜଗତସିଂହପୁରର ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡ ମୃତଦେହ ଏକ ସୁଟକେସ୍ରୁ ମିଳିବାପରେ ଗତ ରବିବାର ଦିନ ଚେନ୍ନାଇ ପୋଲିସର ଏକ ଟିମ୍ ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟାପକ ଖୋଜାଖୋଜି ଆରମ୍ଭ କରିଥିଲା ।
ଭଡ଼ା ଘରୁ ମିଳିଲା ମହିଳାଙ୍କ ଶରୀରର ବାକି ଅଂଶ:
ମୃତକ ମହିଳା ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ୩୮ ବର୍ଷୀୟା ହାୟାତୁନ ନିଶା । ଗତ ଅଗଷ୍ଟ ମାସ ୫ ତାରିଖରେ ତାମିଲନାଡୁ ଏକ୍ସପ୍ରେସରୁ ତାଙ୍କ ମୃତଦେହର ଖଣ୍ଡବିଖଣ୍ଡ ଅଂଶ ଏକ ସୁଟକେସ୍ ରୁ ମିଳିଥିଲା । ଏହାପରେ ଆଗ୍ରା ଜିଆରପି ପକ୍ଷରୁ ତଦନ୍ତ କରାଯାଇ ଚେନ୍ନାଇର ଗୁଡୁଭାନଚେରିସ୍ଥିତ ତାଙ୍କ ଭଡ଼ା ଘର ବିଷୟରେ ସୂଚନା ମିଳିଥିଲା । ଗତ ଶୁକ୍ରବାର ଉକ୍ତ ଘରୁ ଆହୁରି କିଛି ମୃତଦେହର ଅଂଶ ଉଦ୍ଧାର ହୋଇଥିଲା ।
ନିଶା ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ଆସାମର ମାଣିକ ଉଦ୍ଦିନ ଲସ୍କର ଏବଂ ଓଡ଼ିଶାର ଭଗବତୀ ମାଝୀ ନାମକ ଏକ ଦମ୍ପତିଙ୍କ ସହ ଭଡ଼ା ଘରେ ରହୁଥିଲେ । ଅଗଷ୍ଟ ୫ ତାରିଖରେ ଆଗ୍ରା ରେଳ ଷ୍ଟେସନରେ ରେଳ କର୍ମଚାରୀମାନେ ଟ୍ରେନ୍ ନମ୍ବର ୧୨୬୨୧ର ପଛପଟ ଜେନେରାଲ୍ କୋଚ୍ରୁ ଏକ ଲାଲ ରଙ୍ଗର ଟ୍ରଲି ବ୍ୟାଗ୍ ଠାବ କରିଥିଲେ । ବ୍ୟାଗ୍ରେ ପଚିଯାଇଥିବା ଏବଂ ମୁଣ୍ଡରୁ ଅଲଗା କରାଯାଇଥିବା ମୃତଦେହର ଅଂଶ ରହିଥିଲା । ଆଗ୍ରା ରେଳ ପୋଲିସ ଏନେଇ ମାମଲା ରୁଜୁ କରିବା ପରେ ଉଦ୍ଧାର ହୋଇଥିବା ମୃତଦେହ ନିଶାଙ୍କର ବୋଲି ଚିହ୍ନଟ କରାଯାଇଥିଲା ।
ସିସିଟିଭି ଫୁଟେଜ୍ରେ ସନ୍ଦିଗ୍ଧ:
ଆଗ୍ରାରୁ ମିଳିଥିବା ତଥ୍ୟ ଆଧାରରେ ଚେନ୍ନାଇ ସେଣ୍ଟ୍ରାଲ ଷ୍ଟେସନର ଜିଆରପି ଏବଂ ରେଲୱେ ପ୍ରୋଟେକ୍ସନ ଫୋର୍ସର କ୍ରାଇମ୍ ଇଣ୍ଟେଲିଜେନ୍ସ ବ୍ରାଞ୍ଚ ପ୍ଲାଟଫର୍ମ ନମ୍ବର ୪ର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ । ଫୁଟେଜ୍ ଆଧାରରେ ଅଗଷ୍ଟ ୩ ତାରିଖ ରାତି ପ୍ରାୟ ୧୦ଟା ସମୟରେ ଜଣେ ପୁରୁଷ ଓ ଜଣେ ମହିଳା ଏକ ଟ୍ରଲି ବ୍ୟାଗ୍ ନେଇ ତାମିଲନାଡୁ ଏକ୍ସପ୍ରେସ୍ରେ ଚଢ଼ୁଥିବା ଦେଖାଯାଇଥିଲା । ଆଗ୍ରାରୁ ମିଳିଥିବା ବ୍ୟାଗ୍ ସହ ଏହି ବ୍ୟାଗ୍ର ସାମଞ୍ଜସ୍ୟ ଥିଲା । ପରେ ଉଭୟ ସନ୍ଦିଗ୍ଧ ଟ୍ରେନ୍ରୁ ଓହ୍ଲାଇ ଯାଇଥିବା ଜଣାପଡ଼ିଥିଲା ।
ଓଡ଼ିଶାରେ ତଦନ୍ତକାରୀ ଦଳ:
ଗତ ଶୁକ୍ରବାର ତଦନ୍ତକାରୀମାନେ ଚେନ୍ନାଇର ଗୁଡୁଭାନଚେରିର ମାସୁଥି ଷ୍ଟ୍ରିଟ୍ରେ ଥିବା ସନ୍ଦିଗ୍ଧଙ୍କ ଭଡ଼ା ଘର ଠାବ କରି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଘରେ ତଲାସୀ ବେଳେ ଏକ ବଡ଼ ବାକ୍ସ ଭିତରୁ ମୃତଦେହର ଆହୁରି କିଛି ଅଂଶ ସ୍ଥାନୀୟ ପୋଲିସକୁ ମିଳିଥିଲା । ଏହି ଘଟଣା ପରେ ଅଭିଯୁକ୍ତ ମାନେ ଓଡିଶା ପଳାଇ ଆସିଥିବା ସନ୍ଦେହ କରି ଚେନ୍ନାଇ ପୋଲିସ ଏକ ସ୍ବତନ୍ତ୍ର ଟିମ୍ ସହିତ ଜଗତସିଂହପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏନେଇ ମୃତ ମହିଳାଙ୍କ ଶାଶୁ ଗଣମାଧ୍ୟମରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର

