ଆସୁଛି ବର୍ଷର ପ୍ରଥମ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା ! ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କଲା ପାଣିପାଗ ବିଭାଗ
ଆସନ୍ତା ଜୁଲାଇ 3 ତାରିଖ ସୁଦ୍ଧା ମୌସୁମୀ ପ୍ରଭାବରେ ଚଳିତବର୍ଷର ପ୍ରଥମ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଚେତାବନୀ । ରିପୋର୍ଟ: ଦେବସ୍ମିତା ରାଉତ

Published : July 1, 2026 at 6:50 PM IST
ଭୁବନେଶ୍ବର: ରାଜ୍ୟରେ ମୌସୁମୀର ପ୍ରଭାବରେ ଲାଗିରହିଛି ବର୍ଷା । ଇତିମଧ୍ୟରେ ମୌସୁମୀ ପ୍ରଭାବରେ ଚଳିତବର୍ଷର ପ୍ରଥମ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଆସନ୍ତା ଜୁଲାଇ 3 ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ ।
୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ:
ଆଜି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ମୌସୁମୀ ବାୟୁ ସକ୍ରିୟ:
ଦକ୍ଷିଣ ବାଂଲାଦେଶ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆସନ୍ତା ଜୁଲାଇ ୩ ତାରିଖରେ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଓ ତା ପାଖାପାଖି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଚଳିତ ସପ୍ତାହରେ ରାଜ୍ୟବ୍ୟାପୀ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ସାରା ଦେଶରେ ମୌସୁମୀ ବାୟୁ ସକ୍ରିୟ ରହିଛି ।
ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା:
ଆସନ୍ତାକାଲି ଅର୍ଥାତ ଜୁଲାଇ 2 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ବର୍ଷା ସହିତ ଜୋର୍ରେ ପବନ ବହିବାର ସମ୍ଭାବନା ରହିଛି । ସମୁଦ୍ର ଏହି ସମୟରେ ଅଶାନ୍ତ ରହିବାର ପୂର୍ବାନୁମାନ କରାଯାଉଛି । ତେଣୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଆଗକୁ ଆସୁଛି ଚଳିତ ମୌସୁମୀ ଋତୁର ପ୍ରଥମ ଲଘୁଚାପ, ୭ ଦିନ ଯାଏ ପ୍ରବଳ ବର୍ଷା |
ଇଟିଭି ଭାରତ, ଭୁବନେଶ୍ବର

