LED ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି: 3 ଜିଲ୍ଲାରେ ଭିଜିଲାନ୍ସ ଚଢ଼ାଉ, 3 ଠିକାଦାର ଗିରଫ
ଯାଜପୁର, ନୟାଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ଅନିୟମିତତା ଅଭିଯୋଗ । 3 କୋଟି ଟଙ୍କା ଆତ୍ମସାତ କରାଯାଇଥିବା ଭିଜିଲାନ୍ସ ଅତରିକ୍ତ ଏସ୍ପି ଅନୁପମା ମହାପାତ୍ରଙ୍କ ସୂଚନା । ରିପୋର୍ଟ:ନାରାୟଣ ସାହୁ

Published : June 26, 2026 at 11:56 AM IST
STREET LIGHT CORRUPTION IN ODISHA , କଟକ: ରାସ୍ତା ଆଲୋକୀକରଣ ପାଇଁ LED ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ନାମରେ ମହାଦୁର୍ନୀତି ଅଭିଯୋଗରେ ୩ ଜଣ ଠିକାଦାରଙ୍କୁ ଭିଜିଲାନ୍ସ ଗିରଫ କରିଛି । 3 ଟି ଜିଲ୍ଲା ଯାଜପୁର, ନୟାଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ଅନିୟମିତତା ଅଭିଯୋଗ ହୋଇଥିଲା । ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ନାଁରେ ପ୍ରାୟ ୩ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସ୍ପଷ୍ଟ କରିଛନ୍ତି ଭିଜିଲାନ୍ସ ବିଭାଗ ଅତରିକ୍ତ ଏସ୍ପି ଅନୁପମା ମହାପାତ୍ର ।
3 କୋଟି ଟଙ୍କାର ଟଙ୍କା ଆତ୍ମସାତ:
୨୦୨୧ ରୁ ୨୦୨୩ ମସିହା ମଧ୍ୟରେ ରାସ୍ତାକଡ଼ ଆଲୋକୀକରଣ ପାଇଁ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ମହାଦୁର୍ନୀତି ହୋଇଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଅତିରିକ୍ତ ଏସ୍ପି ଅନୁପମା ମହାପାତ୍ର କହିଛନ୍ତି, "ଅଭିଯୋଗ ଆଧାରରେ ଆମେ ଏକ ଅକସ୍ମାତ ଭେରିଫିକେସନ୍ କରିବା ପାଇଁ ପହଞ୍ଚିଥିଲୁ । ଏହି ଷ୍ଟ୍ରିଟ୍ ଲଗାଯିବା ପାଇଁ ଅର୍ଥ ରାଜ୍ୟର ପଞ୍ଚମ ଅର୍ଥ କମିଶନ ପକ୍ଷରୁ ଦିଆଯାଇଥିଲା । 3ଟି ଜିଲ୍ଲାରେ ଏକାକାଳୀନ ଚଢାଉ କରିବା ପରେ ପ୍ରାୟ 3 କୋଟି ଟଙ୍କାର ଟଙ୍କା ଆତ୍ମସାତ କରାଯାଇଥିବା କଥା ସାମ୍ନାକୁ ଆସିଥିଲା ।"
ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ :
ଭିଜିଲାନ୍ସ ବିଭାଗ 3 ଜଣ ଠିକାଦାରଙ୍କ ବିରୋଧରେ ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଗିରିଜା ଶଙ୍କର ଦାସ, ଧରଣୀଧର ସାହୁ ଓ ବିଭୁତି ବିଶ୍ବାଳ । ଏମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିଲା ବେଳେ ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତ । ଏହି ମାମଲାରେ ସେ କିଛି ଜାଣି ନଥିବା କହିଛନ୍ତି ଜଣେ ଅଭିଯୁକ୍ତ ।
ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପରେ ବଡ଼ ଦୁର୍ନୀତି ଅଭିଯୋଗ ଆସିବା ପରେ ଯାଜପୁର ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଇଥିଲା l ଯାଜପୁର ଜିଲ୍ଲାର ୮ ଟି ବ୍ଲକ ଅଞ୍ଚଳରେ ଭିଜିଲାନ୍ସ ବିଭାଗ ଯାଞ୍ଚ ସହ ଚଢ଼ାଉ କରିଥିଲା । ଜିଲ୍ଲାରେ ମୋଟ ୮ଟି ସ୍ୱତନ୍ତ୍ର ଟିମ୍ ସାମିଲ ହୋଇଥିଲା l
ଏହା ମଧ୍ୟ ପଢନ୍ତୁ: ଯାଜପୁରରେ ଷ୍ଟ୍ରିଟ ଲାଇଟ୍ ଦୁର୍ନୀତିକୁ ନେଇ ଭିଜିଲାନ୍ସ ତଦନ୍ତ ଦ୍ୱିତୀୟ ଦିନରେ; ଗଁ ଗାଁ ବୁଲି ଯାଞ୍ଚ କରୁଛି ଟିମ୍ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଜେଲ୍ ଗଲେ ଯନ୍ତ୍ରୀ ପଦ୍ମଲୋଚନ ନାୟକ |
ଇଟିଭି ଭାରତ, କଟକ

