ଗତବର୍ଷ 683 ଦୁର୍ନୀତି ମାମଲା, 5 ବର୍ଷରେ ଗିରଫ ହୋଇଛନ୍ତି 310 ଲାଞ୍ଚୁଆ ବାବୁ: ମୁଖ୍ୟମନ୍ତ୍ରୀ
ଦୁର୍ନୀତି ବିରୋଧରେ ସରକାରଙ୍କ ଆକ୍ସନ । ଗତ 5 ବର୍ଷରେ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି 310 ଲାଞ୍ଚୁଆ ବାବୁ । ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।


Published : February 23, 2026 at 8:52 PM IST
ଭୁବନେଶ୍ୱର: ଦୁର୍ନୀତି ରୋକିବା ଲାଗି ସରକାର ନେଉଛନ୍ତି ଅନେକ ପଦକ୍ଷେପ । କିନ୍ତୁ ରାଜ୍ୟରେ ମାଡି ଚାଲିଛି ଦୁର୍ନୀତିର ଚେର । ଭିଜିଲାନ୍ସ ଜାଲରେ ପଡୁଥିବା ଅଧିକାରୀଙ୍କ ତାଲିକାରୁ ଏହା ସ୍ପଷ୍ଟ ହେଉଛି । ଗତ 5 ବର୍ଷରେ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି 310 ଲାଞ୍ଚୁଆ ବାବୁ । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଭିଜିଲାନ୍ସ ଦ୍ବାରା ଜାନୁଆରି 2023ରୁ ଡିସେମ୍ବର 2025 ମଧ୍ୟରେ 683ଟି ଦୁର୍ନୀତି ମାମଲା ରୁଜୁ ହୋଇଛି । ଏଥିରୁ 337 ଟି ମାମଲାରେ ଦଣ୍ଡ ବିଧାନ କରାଯାଇଛି । 6 ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପତ୍ତି ସରକାର ବ୍ୟାଜ୍ୟାପ୍ତି କରିଛନ୍ତି । ବ୍ୟାଜ୍ୟାପ୍ତି ହୋଇଥିବା ସଂପତ୍ତିକୁ ଲୋକଙ୍କ କାର୍ଯ୍ୟରେ ବ୍ୟବହାର କରାଯାଇଛି । ଗୋଟେ ଲେଖାଏଁ ସରକାରୀ ଉଦ୍ୟାନ କୃଷି ନର୍ସରୀ, କାର୍ଯ୍ୟରତ ମହିଳା ଛାତ୍ରାବାସ, ଉପ ଡାକଘର, ସାର୍ବଜନୀନ ହୋମିଓପାଥିକ ଡିସପେନସାରୀ, 3ଟି ଅଙ୍ଗନୱାଡି କେନ୍ଦ୍ର ଭାବରେ ବ୍ୟବହାର ହେଉଛି । 22 ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଠାରୁ 40 କୋଟି 84 ଲକ୍ଷ 67 ହଜାର ଟଙ୍କା ଜବତ ହୋଇଛି । ସରକାରୀ କୋଷାଗାରରେ 32 ଲକ୍ଷ 50 ହଜାର 844 ଟଙ୍କା ନଗଦ ଜମା କରାଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, "ଗତ 20 ବର୍ଷର ଇତିହାସକୁ ପଛରେ ପକାଇ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି । 2025 ଏପ୍ରିଲ ପହିଲାରୁ ଡିସେମ୍ବର 31 ମଧ୍ୟରେ ରାଜ୍ୟ ସରକାର ଭିଜିଲାନ୍ସକୁ 125ଟି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଏକ ରେକର୍ଡ । ପୂର୍ବରୁ ଏହି 9 ମାସର ସମୟ ଅବଧି ମଧ୍ୟରେ ରାଜ୍ୟ ସରକାର କେବେ ବି ଏତେ ସଂଖ୍ୟକ କେସ ତଦନ୍ତ କରିବା ପାଇଁ ଦେଇ ନାହାନ୍ତି । ଏଥି ସହିତ 2025 ମସିହାରେ ସମୁଦାୟ 488 ଟି କେସର ଫଇସଲା ହୋଇଛି । ସର୍ବାଧିକ 173 ଟି ଆୟ ବହିର୍ଭୂତ ସମ୍ପତ୍ତିଠୁଳଜନିତ କେସର ଫଇସଲା ହୋଇଛି । ଏହା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ । ଭିଜିଲାନ୍ସ ସରକାରୀ କର୍ମଚାରୀଙ୍କର 1199ଟି ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିଛି । 153 ଟି ବିଲଡିଂ, 18.3 କିଲୋଗ୍ରାମର ସୁନା, 417ଟି ପ୍ଲଟ, 12ଟି ଫାର୍ମ ହାଉସ ଜବତ ହୋଇଛି । ସେହିପରି 36.69 କୋଟି ଟଙ୍କାର ଜମାରାଶି ଓ 8.8 କୋଟି ଗଳ୍ପିତ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି ।

