ବିରଳ ମୃତ୍ତିକା ସମ୍ପଦକୁ ଉପଯୋଗ କରିବ ଓଡ଼ିଶା, ବଜେଟରେ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ
ଏହି ପଦକ୍ଷେପ ଓଡ଼ିଶାକୁ ରେୟାର ଅର୍ଥ ଖଣିଜ ଓ ରେୟାର ଅର୍ଥ ପର୍ମାନେଣ୍ଟ ମ୍ୟାଗ୍ନେଟ୍ (REPM) ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ କରିବାରେ ସହାୟକ ହେବ ।

Published : February 21, 2026 at 7:15 PM IST
ଭୁବନେଶ୍ୱର: ରାଜ୍ୟରେ ବିରଳ ମୃତ୍ତିକା (Rare Earth) ଆଧାରିତ ଶିଳ୍ପକୁ ପ୍ରୋତ୍ସାହନ ଦେବା ଓ ରେୟାର ଅର୍ଥ କରିଡର୍ ଗଠନ ପାଇଁ ଓଡ଼ିଶା ସରକାର ୨୦୨୬-୨୭ ବଜେଟରେ ୧୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଏହି ପଦକ୍ଷେପ ଓଡ଼ିଶାକୁ ରେୟାର ଅର୍ଥ ଖଣିଜ ଓ ରେୟାର ଅର୍ଥ ପର୍ମାନେଣ୍ଟ ମ୍ୟାଗ୍ନେଟ୍ (REPM) ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ କରିବାରେ ସହାୟକ ହେବ ।
ଓଡ଼ିଶାରେ ରେୟାର ଅର୍ଥ ସମ୍ପଦ
ଓଡ଼ିଶାର ଦୀର୍ଘ ସମୁଦ୍ରତଟ ଏବଂ ଖଣିଜ ସମୃଦ୍ଧ ଭୂଭାଗ ରେୟାର ଅର୍ଥ ଉପାଦାନ ପାଇଁ ଜଣାଶୁଣା । ଭାରତର ମୋଟ୍ ୧୩.୧୫ ମିଲିଅନ୍ ଟନ୍ ମୋନାଜାଇଟ୍ ଭଣ୍ଡାର ମଧ୍ୟରୁ ପ୍ରାୟ ୩.୧୬ ମିଲିଅନ୍ ଟନ୍ ଭଣ୍ଡାର ଓଡ଼ିଶାରେ ଅଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ଏହି ବିରଳ ମୃତ୍ତିକାର ଭଣ୍ଡାର ଓଡ଼ିଶାର ଧାମରାରୁ ଗୋପାଳପୁର ପର୍ଯ୍ୟନ୍ତ ବିସ୍ତୃତ ସମୁଦ୍ରତଟରେ କେନ୍ଦ୍ରିତ । କେନ୍ଦ୍ର ସରକାରଙ୍କ ସଂସ୍ଥା Indian Rare Earths Limited (IREL) ଓଡ଼ିଶାରେ ବିଚ୍ ସ୍ୟାଣ୍ଡ ମିନେରାଲ୍ ପ୍ରକ୍ରିୟାକରଣ କରିଥାଏ । ରାଜ୍ୟରେ ମୋନାଜାଇଟ୍ ମଧ୍ୟରୁ ନିଓଡିମିୟମ୍, ପ୍ରାସିଓଡିମିୟମ୍ ପରି ମୂଲ୍ୟବାନ ରେୟାର ଅର୍ଥ ଉପାଦାନ ମିଳେ ଯାହା ରେୟାର ଅର୍ଥ ପର୍ମାନେଣ୍ଟ ମ୍ୟାଗ୍ନେଟ୍ ତିଆରିରେ ବ୍ୟବହାର କରାଯାଏ ।
REPM କାହିଁକି ଗୁରୁତ୍ୱପୂର୍ଣ୍ଣ ?
ରେୟାର ଅର୍ଥ ପର୍ମାନେଣ୍ଟ ମ୍ୟାଗ୍ନେଟ୍ (REPM) ବିଶ୍ୱର ସବୁଠୁ ଶକ୍ତିଶାଳୀ ମ୍ୟାଗ୍ନେଟ୍ମାନଙ୍କ ମଧ୍ୟରେ ଅନ୍ୟତମ । ବ୍ୟାଟେରୀ -ଚଳିତ (ଇଲେକ୍ଟ୍ରିକ୍ ଭିହିକଲ୍ EV), ୱିଣ୍ଡ ଟର୍ବାଇନ୍ ଜେନେରେଟର, ଏରୋସ୍ପେସ୍, ଡିଫେନ୍ସ ସିଷ୍ଟମ୍, ପ୍ରିସିଜନ୍ ସେନ୍ସର ଓ ଉନ୍ନତ ଇଲେକ୍ଟ୍ରୋନିକ୍ସରେ ଏହାର ବ୍ୟାପକ ପ୍ରୟୋଗ ରହିଛି ।
ଭାରତରେ କ୍ଲିନ୍ ଏନର୍ଜି ଓ ଇଲେକ୍ଟ୍ରିକ୍ ମୋବିଲିଟି କ୍ଷେତ୍ରରେ ବିକାଶକୁ ଆଖିରେ ରଖି ୨୦୩୦ ସୁଦ୍ଧା REPM ଚାହିଦା ଦୁଗୁଣ ହେବ ବୋଲି ଅନୁମାନ । ଏହି ପରିପ୍ରେକ୍ଷିରେ ଦେଶୀୟ ଉତ୍ପାଦନ କ୍ଷମତା ବୃଦ୍ଧି ଅତ୍ୟାବଶ୍ୟକ ।
ରେୟାର ଅର୍ଥ କରିଡର: ରାଜ୍ୟ ପାଇଁ ସୁଯୋଗ
୧୦ କୋଟି ଟଙ୍କାର ପ୍ରସ୍ତାବିତ ବଜେଟ୍ ରେୟାର ଅର୍ଥ କରିଡର ପାଇଁ ପ୍ରାରମ୍ଭିକ ଢାଞ୍ଚା, ଅଧ୍ୟୟନ, ବିନିଯୋଗ ଆକର୍ଷଣ କାର୍ଯ୍ୟକଳାପରେ ବ୍ୟୟ ହେବ ବୋଲି ସୂଚନା ମିଳିଛି ।
ଏହି କରିଡର ମାଧ୍ୟମରେ ଖଣିଜ ଉତ୍ତୋଳନରୁ ଆରମ୍ଭ କରି ପ୍ରକ୍ରିୟାକରଣ ଓ ମ୍ୟାଗ୍ନେଟ୍ ଉତ୍ପାଦନ ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ ଭାଲ୍ୟୁ ଚେନ୍ ସୃଷ୍ଟି କରାଯିବ । ଆମଦାନି ନିର୍ଭରତା କମାଇବା, ଦେଶୀ ଓ ବିଦେଶୀ ବିନିଯୋଗ ଆକର୍ଷଣ, ଉଚ୍ଚ ପ୍ରଯୁକ୍ତି ଆଧାରିତ ରୋଜଗାର ସୃଷ୍ଟି କରିବା ଆଦି ଲକ୍ଷ୍ୟ ରହିଛି ।
ବିଶେଷଜ୍ଞମାନଙ୍କ ମତାନୁସାରେ, ଓଡ଼ିଶା ଯଦି ନିଜର ଖଣିଜ ସମ୍ପଦକୁ ଭଲ ଭାବେ ଉପଯୋଗ କରି ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଗଢ଼ିଉଠେ, ତେବେ ଏହା ଭାରତର ରେୟାର ଏର୍ଥ ମାନ୍ୟୁଫ୍ୟାକ୍ଚରିଂ ହବ୍ ଭାବେ ପରିଚିତ ହେବାର ସମ୍ଭାବନା ରହିଛି ।
ଆମଦାନି ନିର୍ଭରତା କମାଇବାର ଲକ୍ଷ୍ୟ
ବର୍ତ୍ତମାନ ଭାରତ ରେୟାର ଅର୍ଥ ପର୍ମାନେଣ୍ଟ ମ୍ୟାଗ୍ନେଟ୍ ପାଇଁ ମୁଖ୍ୟତଃ ଆମଦାନି ଉପରେ ନିର୍ଭରଶୀଳ । ରେୟାର ଅର୍ଥ କରିଡର ପ୍ରକଳ୍ପ ସଫଳ ହେଲେ ଦେଶର ଆତ୍ମନିର୍ଭରତା ବଢ଼ିବ ଓ ଓଡ଼ିଶା ଉନ୍ନତ ପଦାର୍ଥ ଗ୍ଲୋବାଲ୍ ଭାଲ୍ୟୁ ଚେନରେ ନିଜ ସ୍ଥାନ ସୁଦୃଢ଼ କରିପାରିବ ।
"ଭାରତୀୟ ବିରଳ ମୂର୍ତ୍ତିକା ପକ୍ଷରୁ ଯେଉଁ ଖନନ କରାଯାଇଥାଏ ସେଥିରୁ 0.18 ରେୟାର ଆର୍ଥ ରହିଥାଏ । ଆଉ ବଳକା ଯେଉଁ ମିନିରାଲ ବାହାରିଥାଏ ତାହାକୁ ବିକ୍ରି କରିପାରିବା । ଅନ୍ୟାନ୍ୟ ସ୍ଥାନରେ ଏହାକୁ ନେଇ ରିସର୍ଚ୍ଚ କରାଯିବା ମୁଖ୍ୟତଃ ଆଗାମୀ କିଛି ବର୍ଷକୁ ଲକ୍ଷ୍ୟ ରଖି ବିଦ୍ୟୁତ୍ ଉପରେ ପ୍ରାଧ୍ୟାନ୍ୟ କମାଯାଇ ବ୍ୟାଟେରୀ ମାଧ୍ୟମରେ ଯେପରି ସ୍ୱାବଲମ୍ୱୀ ବୃଦ୍ଧି ହୋଇପାରିବା ସହିତ ଅନ୍ୟ ଦେଶ ଉପରେ ନିର୍ଭର ନକରି ଯେପରି ଆମ ନିଜ ଦେଶରେ ତାହାକୁ ପ୍ରସ୍ତୁତ କରାଯିବା ପାଇଁ ରେୟାର ଅର୍ଥର ଆବଶ୍ୟକତା ରହିଥିବା କୁହାଯାଇଛି । ଆଗାମୀ ୨୦୪୭ ମସିହାକୁ ଦୃଷ୍ଟିରେ ରଖି ଦେଶରେ ବିଦ୍ୟୁତ୍ ଉପରେ ନିର୍ଭରତା କମାଯାଇ ଗ୍ରୀନ୍ ଏନର୍ଜି ଭଳି ବ୍ୟାଟେରୀର ଚାହିଦା ଅଧିକା ଆବଶ୍ୟକତା ହେବାକୁ ରହିଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ରେୟାର ଅର୍ଥର ଆବଶ୍ୟକତା ଅଧିକା ରହିଛି । ଆମ ଦେଶରୁ ମିଳୁଥିବା ରେୟାର ଅର୍ଥକୁ ଅନ୍ୟ ଦେଶକୁ ନପଠାଇ, ଆମ ଦେଶରେ ବିନିଯୋଗ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି," ବୋଲି ଇଣ୍ଡିଆନ୍ ରେୟାର ଆର୍ଥ ଲିମିଟେଡ୍ ର ଅବସରପ୍ରାପ୍ତ ଅଧିକାରୀ ପଞ୍ଚୁ ବେହେରା କହିଛନ୍ତି ।
ଇଟିଭି ଭାରତ ସହିତ ଆଲୋଚନା ସମୟରେ ଖନନରୁ ଇନମୁନାଇଟ୍ , ରୁଇଟାଇନ୍ , ଜିନକନ୍ ଭଳି ମିନରାଲ୍ ମଧ୍ୟ ମିଳିଥାଏ ବୋଲି ସେ ସୂଚନା ଦେଇଥିଲେ । ଆମ ଦେଶର କେରଳ, ତାମିଲନାଡୁ, ଓଡ଼ିଶାର ଗଞ୍ଜାମ ଭଳି ସ୍ଥାନରେ ଦେଖିବାକୁ ମିଳୁଥିବା ବେଳେ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଏହା କେଉଁଠି ରହିଛି, ତାହାର ରିସର୍ଚ୍ଚ କରାଯାଉଥିବା ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର

