ଫେବୃଆରୀ ୨୮ରେ କିଶୋରୀଙ୍କ ପାଇଁ ସର୍ଭିକାଲ କ୍ୟାନ୍ସର ଟିକାକରଣର ଶୁଭାରମ୍ଭ
୯ରୁ ୧୪ ବର୍ଷ ପର୍ଯ୍ୟନ୍ତ ଝିଅମାନଙ୍କୁ ସିଙ୍ଗଲ୍ ଡୋଜ୍ ଟିକା ଦିଆଯିବ। ଟିକାକରଣ ପ୍ରକ୍ରିୟା ସରକାରୀ ଓ ବେସରକାରୀ ସ୍କୁଲ୍, ଅଙ୍ଗନୱାଡି କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ପର୍ଯ୍ୟାୟକ୍ରମେ ଚାଲିବ।

Published : February 25, 2026 at 4:29 PM IST
ଭୁବନେଶ୍ୱର: ରାଜ୍ୟରେ କିଶୋରୀମାନଙ୍କ ପାଇଁ ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଆସନ୍ତା ୨୮ ତାରିଖରେ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଜାତୀୟ କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ ଭାବେ ଶୁଭାରମ୍ଭ କରିବେ। ଏନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
୯ରୁ ୧୪ ବର୍ଷ କିଶୋରୀଙ୍କୁ ଦିଆଯିବ ଟିକା
ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କହିବା ଅନୁସାରେ, 'ଭାରତ ବର୍ଷରେ ସବୁଠି କ୍ୟାନ୍ସର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ଆସନ୍ତା ଫେବୃଆରୀ ୨୮ ତାରିଖରେ ଏକ cervical କ୍ୟାନ୍ସର ଇମ୍ୟୁନିଜସନ ପ୍ରୋଗ୍ରାମ ଆରମ୍ଭ ହେବାକୁ ଯାଉଛନ୍ତି । ଆମ ରାଜ୍ୟରେ ମଧ୍ୟ ଏହା ଆରମ୍ଭ ହବ । ୧୪ ବର୍ଷ ପର୍ଯ୍ୟନ୍ତ କିଶୋରୀମାନକ ପାଇଁ ଗୋଟିଏ ଡୋଜର ବ୍ୟବସ୍ଥା ଥିବା ବେଳେ ୧୪ରୁ ବିବାହ ପର୍ଯ୍ୟନ୍ତ ଜଣେ ମହିଳାଙ୍କୁ ତିନୋଟି ଡୋଜ୍ ନେବାକୁ ପଡିବ ।'
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, '୨୦୨୬-୨୭ରେ ‘ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ’ ଆରମ୍ଭ ହେବ। ଏହା ଅଧୀନରେ ରାଜ୍ୟରେ ସମସ୍ତ ପ୍ରକାର କର୍କଟ ରୋଗ ପ୍ରତିରୋଧ, ସମୟୋପଯୋଗୀ ପରୀକ୍ଷା ଓ ଉଚିତ ଚିକିତ୍ସା ସୁବିଧା ବିସ୍ତାରିତ କରାଯିବ। ପ୍ରାଥମିକ ଅବସ୍ଥାରେ କର୍କଟ ଚିହ୍ନଟ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି ସମଗ୍ର କାର୍ଯ୍ୟକ୍ରମ ପାଇଁ ପ୍ରାୟ ୩୧୧ କୋଟି ଟଙ୍କା ବ୍ୟୟ ହେବ' ବୋଲି ମହାଲିଙ୍ଗ ଜଣାଇଛନ୍ତି ।
ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା କମାଇବା ଓ ସଚେତନତା ବଢ଼ାଇବା ପାଇଁ ଏହାକୁ ଏକ ବୃହତ୍ ସ୍ୱାସ୍ଥ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି ।
ରାଜ୍ୟରେ ପ୍ରତି ଏକ ଲକ୍ଷରେ ୯୭ ଜଣଙ୍କୁ କର୍କଟ ହେଉଛି । ଏହା ପାଖାପାଖି ଜାତୀୟ ସ୍ତର ସହିତ ସମାନ । ମହିଳାମାନଙ୍କ ସର୍ଭାଇକାଲ କ୍ୟାନ୍ସର 30-60 ବର୍ଷ ମଧ୍ୟରେ ଦେଖାଯାଏ । ସରକାରୀ ସୂତ୍ର ଅନୁସାରେ, ରାଜ୍ୟ ସରକାର ୧୧ଟି ସ୍ଥାନରେ ସାଟେଲାଇଟ୍ କର୍କଟ ରୋଗ ହସ୍ପିଟାଲ ପ୍ରତିଷ୍ଠା କରି ରେଡିଓଥେରାପି, କେମୋଥେରାପି, ଅଙ୍କୋ-ସର୍ଜରୀ, ଅଙ୍କୋ-ପାଥୋଲୋଜି, ପାଲିଏଟିଭ୍ କେୟାର ସହିତ ମଲିକ୍ୟୁଲାର ଡାଏଗ୍ନୋସିସ୍ ଏବଂ ପିଇଟି-ସିଟି ସ୍କାନ ଭଳି ଉନ୍ନତ ରୋଗ ନିର୍ଣ୍ଣୟ ପ୍ରକ୍ରିୟା, ସାଟେଲାଇଟ୍ କର୍କଟ ରୋଗ ଚିକିତ୍ସା ସୁବିଧା ଓ ସାଟେଲାଇଟ୍ କର୍କଟ ରୋଗ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ସ୍ଥିର କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର
ଏହା ମଧ୍ୟ ପଢନ୍ତୁ ବିଶ୍ୱ ଟିକାକରଣ ସପ୍ତାହ, ସଠିକ ସମୟରେ ଟୀକା ନେଲେ ସୁସ୍ଥ ରହିବ ଶରୀର - World Immunization Week
ଏହା ମଧ୍ୟ ପଢନ୍ତୁ ବିଶ୍ବରେ ଟୀକାକରଣରେ ଭାରତ ଅଗ୍ରଣୀ, ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ କାମ କରିବ AI: ବିଲ୍ ଗେଟ୍ସ

