ETV Bharat / state

ବ୍ରିଟିଶ ଶାସନ ସମୟରୁ ପ୍ରଚଳିତ ଭୁଲ ବନାନ ହେବ ସଂଶୋଧନ: ରାଜସ୍ୱ ସଚିବ

ସଂଶୋଧିତ ହେବ ରାଜ୍ୟର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.ଅରବିନ୍ଦ ପାଢୀ ।

Restoration of Odia names
ସଂଶୋଧନ ହେବ ଅପଭ୍ରଂଶ ଇଂରାଜୀ ନାମ । (ETV Bharat Odisha)
author img

By ETV Bharat Odisha Team

Published : February 28, 2026 at 5:19 PM IST

2 Min Read
Choose ETV Bharat

ରିପୋର୍ଟ: ଭବାନୀ ଶଙ୍କର ଦାସ

ଭୁବନେଶ୍ବର: ସଂଶୋଧନ ହେବ ଅପଭ୍ରଂଶ ଇଂରାଜୀ ନାମ । ରାଜ୍ୟର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ ବଦଳିବ । ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର । ବ୍ରିଟିଶ ଶାସନ ସମୟରୁ ପ୍ରଚଳିତ ଭୁଲ ବନାନ ମଧ୍ୟ ହେବ ସଂଶୋଧନ ।ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.ଅରବିନ୍ଦ ପାଢୀ ।

ଓଡ଼ିଶାର ଯେଉଁ ସ୍ଥାନଗୁଡ଼ିକରେ ସରକାରୀ ଭାବରେ ବ୍ୟବହୃତ ଇଂରାଜୀ ନାମଗୁଡ଼ିକ ସେମାନଙ୍କର ପ୍ରାମାଣିକ ଓଡ଼ିଆ ନାମର ଅପଭ୍ରଂଶ ଅଟେ । ସେହି ସ୍ଥାନଗୁଡ଼ିକର ମୂଳ ଓଡ଼ିଆ ନାମ ପୁନଃସ୍ଥାପନ ସମ୍ପର୍କରେ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଚିଠି ଲେଖିଛନ୍ତି ।

ସଂଶୋଧନ ହେବ ଅପଭ୍ରଂଶ ଇଂରାଜୀ ନାମ:

ଚିଠିରେ ଉଲ୍ଲେଖ ରହିଛି ଯେ, ରାଜ୍ୟର ବିଭିନ୍ନ ସ୍ଥାନ, ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ବ୍ଲକ ଓ ତହସିଲ, ଯେଉଁଠି ବର୍ତ୍ତମାନ ସରକାରୀ ବ୍ୟବହାରରେ ଥିବା ଇଂରାଜୀ ନାମଗୁଡ଼ିକ ସେମାନଙ୍କର ପ୍ରାମାଣିକ ଓଡ଼ିଆ ନାମକରଣର ଅପଭ୍ରଂଶ ରୂପ ଅଟେ । ସେସବୁ ସ୍ଥାନର ମୂଳ ଓଡ଼ିଆ ନାମଗୁଡ଼ିକୁ ଓଡ଼ିଶା ସରକାର ପୁନରୁଦ୍ଧାର କରିବାକୁ ଚାହୁଁଛନ୍ତି । ଏହିପରି ବିକୃତି, ଆମ ରାଜ୍ୟର ପ୍ରକୃତ ଭାଷାଗତ ଏବଂ ସାଂସ୍କୃତିକ ପରିଚୟକୁ ଭୁଲ ଭାବରେ ପ୍ରତିପାଦନ କରୁଛି । ଓଡ଼ିଆ ଅସ୍ମିତାର ସାରକୁ ମଧ୍ୟ କ୍ଷୁର୍ଣ୍ଣ କରୁଛି । ଯେପରି "ଆଳି'" ତହସିଲର ସରକାରୀ ଇଂରାଜୀ ନାମ "AUL" ଅଛି । ଯାହା ବ୍ରିଟିଶ ଶାସନ ସମୟରେ ଉଚ୍ଚାରଣ ଅସୁବିଧା ଯୋଗୁଁ ପ୍ରଚଳିତ ଏକ ଭୁଲ ବନାନ । ତେଣୁ ଏହାକୁ ସଂଶୋଧନ କରାଯିବାର ଆବଶ୍ୟକ‌ତା ରହିଛି ।

ସମସ୍ତ ଜିଲ୍ଲାପାଳଙ୍କୁ ଚିଠି:

ଏହି ପ୍ରସଙ୍ଗରେ ପୂର୍ବରୁ ସମସ୍ତ ଜିଲ୍ଲାପାଳଙ୍କ ଠାରୁ ଏକ ବିସ୍ତୃତ ରିପୋର୍ଟ ମଗାଯାଇଥିଲା । ଏପର୍ଯ୍ୟନ୍ତ ୧୩ଟି ଜିଲ୍ଲାରୁ ଏହି ସମ୍ପର୍କିତ ସୂଚନା ପ୍ରାପ୍ତ ହୋଇଛି । ପ୍ରାପ୍ତ ରିପୋର୍ଟ ଗୁଡିକର ତାଲିକା ଉପରେ ବିଧାୟକ ଓ ସାଂସଦମାନଙ୍କର ଏବଂ ସାଧାରଣ ଜନତାଙ୍କର ମତ ନିଆଯାଇଛି । ସେହି ଅନୁସାରେ ଏହି ବିଷୟରେ ବିଭିନ୍ନ ନୂତନ ପ୍ରସ୍ତାବଗୁଡ଼ିକ ମଧ୍ୟ ପ୍ରାପ୍ତ ହୋଇଛି । ପୂର୍ବରୁ ପ୍ରଦାନ କରାଯାଇଥିବା ରିପୋର୍ଟକୁ ପୁନଃ ପରୀକ୍ଷଣ କରି ନୂତନ ପ୍ରସ୍ତାବ ସହ ସାତ ଦିନ ଭିତରେ ବିଭାଗକୁ ପ୍ରେରଣ କରିବାକୁ ଏହି ପତ୍ରରେ ଜିଲ୍ଲାପାଳମାନଙ୍କୁ ଜଣାଯାଇଛି । ଖୁବଶୀଘ୍ର ଏ ସମ୍ପର୍କିତ ରିପୋର୍ଟ୍ ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ରାଜସ୍ୱ ସଚିବ ସୂଚନା ଦେଇଛନ୍ତି ।


ବକେୟା ରାଜସ୍ବ ସମୟସୀମା ମଧ୍ୟରେ ଆଦାୟ କରିବାକୁ ନିର୍ଦ୍ଦେଶ :

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଭୂରାଜସ୍ବ ଓ ଜଳକରର ଧାର୍ଯ୍ୟ ଲକ୍ଷ୍ୟକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆଦାୟ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ବିଭାଗ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୯୮୦ କୋଟି ଟଙ୍କାର ଭୂରାଜସ୍ବ ଓ ୨୫.୩୨ କୋଟି ଟଙ୍କାର ଜଳକର ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

୨୦୨୫-୨୬ ଆର୍ଥିକ ବର୍ଷ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିବାକୁ ଥିବା ବେଳେ ବକେୟା ଭୂରାଜସ୍ୱ ଓ ଜଳକର ତ୍ବରିତ ଆଦାୟ କରିବା ନିମନ୍ତେ ସମସ୍ତ ଜିଲ୍ଲାପାଳଙ୍କୁ ଯତ୍ନବାନ୍ ହେବାକୁ ସେ ଦେଇଛନ୍ତି । ଏଥିସହ ସମସ୍ତ ରାଜସ୍ୱ ଡିଭିଜନାଲ କମିଶନରମାନଙ୍କୁ ମଧ୍ୟ ବକେୟା ଭୂରାଜସ୍ୱ ଓ ଜଳକର ଆଦାୟ ସମ୍ବନ୍ଧରେ ସାପ୍ତାହିକ ବୈଠକ କରି ନିର୍ଦ୍ଧାରିତ ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରଚେଷ୍ଟା କରିବାକୁ ଏହି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ... ନାମରେ ଫେରିବ ଓଡ଼ିଆ ପରିଚୟ, ସରକାର ଆରମ୍ଭ କଲେ ସଂଶୋଧନ ପ୍ରକ୍ରିୟାc

ଏହା ମଧ୍ୟ ପଢନ୍ତୁ... ଖୋଲିବ ଶ୍ରୀଜଗନ୍ନାଥ ଜମି ଉପବିଭାଗ; ଦଖଲ ମୁକ୍ତ ହେବ ମହାପ୍ରଭୁଙ୍କ ସମ୍ପତ୍ତି:- ରାଜସ୍ୱ ସଚିବ

ଇଟିଭି ଭାରତ, ଭୁବନେଶ୍ବର