ETV Bharat / state

ଅଯଥା ଆଣ୍ଟିବାୟୋଟିକ୍ ବ୍ୟବହାର ରୋକିବ ଡିଜିଟାଲ ପ୍ରେସକ୍ରିପସନ; ରୋଗୀ କେତେ ଆଣ୍ଟିବାୟୋଟିକ୍ ନେଉଛନ୍ତି, ରହିବ ଡିଜିଟାଲ ରେକର୍ଡ

ଅଯଥା ଆଣ୍ଟିବାୟୋଟିକ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଡିଜିଟାଲ ପ୍ରେସକ୍ରିପସନ୍ ବ୍ୟବସ୍ଥା । ରିପୋର୍ଟ- ବିକାଶ କୁମାର ଦାସ

ODISHA DIGITAL PRESCRIPTION
ଅଯଥା ଆଣ୍ଟିବାୟୋଟିକ୍ ବ୍ୟବହାର ରୋକିବ ଡିଜିଟାଲ ପ୍ରେସକ୍ରିପସନ (ETV Bharat)
author img

By ETV Bharat Odisha Team

Published : August 24, 2026 at 6:10 PM IST

2 Min Read
Choose ETV Bharat

ଭୁବନେଶ୍ବର: ଡିଜିଟାଲ ଯୁଗରେ ଆହୁରି ସ୍ମାର୍ଟ ହେବ ସ୍ୱାସ୍ଥ୍ୟସେବା । ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ତଥ୍ୟକୁ ଡିଜିଟାଲ ଭାବେ ସୁରକ୍ଷିତ ରଖିବା ସହ ଅଯଥା ଆଣ୍ଟିବାୟୋଟିକ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ରାଜ୍ୟ ସରକାର ନେବାକୁ ଯାଉଛନ୍ତି ବଡ଼ ପଦକ୍ଷେପ । ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ଡିଜିଟାଲ ପ୍ରେସକ୍ରିପସନ୍ ବ୍ୟବସ୍ଥା ।

ଅଯଥା ଆଣ୍ଟିବାୟୋଟିକ୍ ବ୍ୟବହାର ରୋକିବ ଡିଜିଟାଲ ପ୍ରେସକ୍ରିପସନ; ରୋଗୀ କେତେ ଆଣ୍ଟିବାୟୋଟିକ୍ ନେଉଛନ୍ତି, ରହିବ ଡିଜିଟାଲ ରେକର୍ଡ (ETV Bharat)


ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ୍ ବା ABDM ଅଧୀନରେ ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ । ରୋଗୀଙ୍କ ପ୍ରେସକ୍ରିପସନ୍ ଡିଜିଟାଲ ଭାବେ ସଂରକ୍ଷିତ ରହିବ । ଆବଶ୍ୟକ ସମୟରେ ଏହାକୁ ସ୍କାନ୍ କରି ସେୟାର କରି ହେବ । ଏହା ଦ୍ୱାରା ରୋଗୀଙ୍କ ପୂର୍ବ ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ସହଜରେ ଉପଲବ୍ଧ ହୋଇପାରିବ ।

ଡିଜିଟାଲ ପ୍ରେସକ୍ରିପସନ୍ ବ୍ୟବସ୍ଥା:

ବିଶେଷକରି ଆଣ୍ଟିବାୟୋଟିକ୍‌ର ଅଯଥା ଓ ବାରମ୍ବାର ବ୍ୟବହାରକୁ ନିୟନ୍ତ୍ରଣ କରିବା ଉପରେ ରହିବ ଗୁରୁତ୍ୱ । ଜଣେ ରୋଗୀ କେତେ ଥର ଆଣ୍ଟିବାୟୋଟିକ୍ ନେଉଛନ୍ତି, କେଉଁ ଔଷଧ ନେଇଛନ୍ତି ଏବଂ କେତେଦିନ ପାଇଁ ତାଙ୍କୁ ଔଷଧ ଦିଆଯାଇଛି ? ଏହାର ତଥ୍ୟ ଡିଜିଟାଲ ପ୍ରେସକ୍ରିପସନ୍ ମାଧ୍ୟମରେ ରେକର୍ଡ ରହିପାରିବ । ଏହା ଦ୍ୱାରା ଜଣେ ରୋଗୀଙ୍କୁ ଆବଶ୍ୟକତା ନଥାଇ ବାରମ୍ବାର ଆଣ୍ଟିବାୟୋଟିକ୍ ଦିଆଯାଉଛି କି ନାହିଁ ? ତାହା ଉପରେ ନଜର ରଖିବା ସହଜ ହେବ । ଆଣ୍ଟିବାୟୋଟିକ୍‌ର ଅନାବଶ୍ୟକ ବ୍ୟବହାର ଯୋଗୁଁ ଔଷଧ ପ୍ରତିରୋଧକତା ବଢ଼ିବାର ଆଶଙ୍କା ଥିବାରୁ ଏଭଳି ଡିଜିଟାଲ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ



ସେହିପରି ଡିଜିଟାଲ ଲକର୍‌ରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦଲିଲ ସୁରକ୍ଷିତ ଭାବେ ରଖିବା ଏବଂ ଆବଶ୍ୟକ ସମୟରେ ସେଗୁଡ଼ିକୁ ସ୍କାନ୍ ଓ ସେୟାର କରିବାର ସୁବିଧା ମିଳିବ । ଫଳରେ କାଗଜ ପ୍ରେସକ୍ରିପସନ୍ ଉପରେ ନିର୍ଭରଶୀଳତା କମିବା ସହ ରୋଗୀଙ୍କ ଚିକିତ୍ସା ଇତିହାସକୁ ଡିଜିଟାଲ ଭାବେ ପରିଚାଳନା କରିବା ସହଜ ହେବ । ଡିଜିଟାଲ ସ୍ୱାସ୍ଥ୍ୟସେବାର ବ୍ୟବହାରକୁ ନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଥିବାରୁ ରାଜ୍ୟରେ ମଧ୍ୟ ଏହାକୁ ଆହୁରି ବ୍ୟାପକ କରାଯିବ । ରୋଗୀଙ୍କ ତଥ୍ୟକୁ ସୁରକ୍ଷିତ ରଖିବା, ଚିକିତ୍ସା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଏବଂ ଅନାବଶ୍ୟକ ଔଷଧ ବ୍ୟବହାରକୁ ରୋକିବ । ଏହି ତିନୋଟି ଦିଗରେ ଡିଜିଟାଲ ପ୍ରେସକ୍ରିପସନ୍ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ODISHA DIGITAL PRESCRIPTION
ଅଯଥା ଆଣ୍ଟିବାୟୋଟିକ୍ ବ୍ୟବହାର ରୋକିବ ଡିଜିଟାଲ ପ୍ରେସକ୍ରିପସନ; ରୋଗୀ କେତେ ଆଣ୍ଟିବାୟୋଟିକ୍ ନେଉଛନ୍ତି, ରହିବ ଡିଜିଟାଲ ରେକର୍ଡ (ETV Bharat)



ମେଡ଼ିସିନ ଦୋକାନୀ ବିରେନ୍ ପଟ୍ଟନାୟକ କହିଛନ୍ତି," ଆମେ ବିନା ପ୍ରେସକ୍ରିପସନରେ ଆଣ୍ଟି ବାୟୋଟିକ ଦେଉନାହୁଁ । ଅନେକ ସମୟରେ ମଧ୍ୟ ରୋଗୀଙ୍କୁ ମନା କରୁଛୁ । ଯଦି କେହି ମାଗୁଛନ୍ତି ତେବେ ପ୍ରେସକ୍ରିପସନ ଦେଖିକରି ଦେଉଛୁ । "

ଅଯଥା ଆଣ୍ଟିବାୟୋଟିକ୍ ବ୍ୟବହାର ସାଜି ପାରେ ଘାତକ:

ଡାକ୍ତର ଜ୍ୟୋତି ରଞ୍ଜନ ପଣ୍ଡା କହିଛନ୍ତି," ଅନେକ ସମୟରେ ଯଦି କୌଣସି ବ୍ୟକ୍ତିର ସମାନ୍ୟ ଜ୍ୱର କାଶ ହୁଏ, ତେବେ ତୁରନ୍ତ ମେଡ଼ିସିନ ଷ୍ଟୋରରୁ ଆଣ୍ଟି ବାୟୋଟିକ ଆଣି ସେବନ କରିଥାନ୍ତି । ଯାହାଫଳରେ କି ସାଙ୍ଗେ ସାଙ୍ଗେ ମେଡ଼ିସିନ କାମ କରିବ କିନ୍ତୁ ଭବିଷ୍ୟତ ପାଇଁ ଏହା ଅତ୍ୟନ୍ତ ଖରାପ ଅଟେ । ଆବଶ୍ୟକ ନଥିଲେ ଏହାକୁ ବ୍ୟବହାର କରିବା ଅନୁଚିତ୍ ।"

ସେହିପରି ଡାକ୍ତର ସ୍ୱାତୀ ଦାଶ କହିଛନ୍ତି," ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ସେବନ କରିବା ଅନୁଚିତ୍ । କେଉଁ କ୍ଷେତ୍ରରେ ଏହାକୁ ସେବନ କରାଯିବ ସେନେଇ ଡାକ୍ତରଙ୍କ ସହିତ ପରାମର୍ଶ କରିବା ନିହାତି ଆବଶ୍ୟକ । "

ତେବେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ପ୍ରଯୁକ୍ତିର ଏହି ବ୍ୟବହାର ଆଗାମୀ ଦିନରେ ରୋଗୀଙ୍କ ଚିକିତ୍ସାକୁ ଅଧିକ ସହଜ, ସୁସଂଗଠିତ ଓ ତଥ୍ୟଭିତ୍ତିକ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ... କେମୋଥେରାପିର ବିକଳ୍ପ ହେବ ସ୍ମାର୍ଟ କର୍କଟ ଔଷଧ RK-251, ଚାଲିଛି ଅଧିକ ଗବେଷଣା

ଇଟିଭି ଭାରତ, ଭୁବନେଶ୍ବର