ଓଡ଼ିଶାରେ ଆରମ୍ଭ ହେବ PM RAHAT ଯୋଜନା; ସଡ଼କ ଦୁର୍ଘଟଣା ପୀଡିତଙ୍କୁ ମିଳିବ ୧.୫ ଲକ୍ଷର ମାଗଣା ଚିକିତ୍ସା
ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ ଓ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର । ଓଡିଶାରେ ପ୍ରଧାନମନ୍ତ୍ରୀ ରାହତ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ।

Published : February 26, 2026 at 10:47 AM IST
PM Rahat Scheme ଭୁବନେଶ୍ବର: ଦେଶ ତଥା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ । ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ ଓ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ପ୍ରଧାନମନ୍ତ୍ରୀ ରାହତ (PM RAHAT) ଯୋଜନାକୁ ଓଡିଶା ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଛି । ସଡ଼କ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଲେ ଏହି ଯୋଜନା ଅଧିନରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ ।

ପିଏମ ରାହତ ଯୋଜନା:
ଓଡ଼ିଶାରେ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ରାହତ ଯୋଜନା । ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାସ୍ତରରେ ପ୍ରସ୍ତୁତି ନେଇ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ପ୍ରଧାନମନ୍ତ୍ରୀ ରାହତ ଯୋଜନାରେ ସଡ଼କ ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭ ଦିନ ପର୍ଯ୍ୟନ୍ତ କିମ୍ବା ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଏହି ବ୍ୟବସ୍ଥା ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ ହେବ । ଏହାର ସମସ୍ତ ଖର୍ଚ୍ଚ ମୋଟର ଯାନ ଦୁର୍ଘଟଣା ପାଣ୍ଠି (Motor Vehicle Accident Fund)ରୁ ଭରଣା କରାଯିବ ।

E-DAR ପୋର୍ଟାଲରେ ଦୁର୍ଘଟଣାର ବିବରଣୀ :
ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ପହଁଚାଇବା ପାଇଁ ଏହାକୁ ୧୧୨ ଜରୁରୀକାଳୀନ ସେବା ସହିତ ସଂଯୋଗ କରାଯାଇଛି । ଯାହା ଫଳରେ ଘଟଣାସ୍ଥଳରେ ତୁରନ୍ତ ସହାୟତା ପହଞ୍ଚି ପାରିବ । SMS ଜରିଆରେ ଜରୁରୀ ସୂଚନା ଏବଂ ଚିକିତ୍ସାଧୀନଙ୍କ ପାଇଁ ହସ୍ପିଟାଲମାନଙ୍କୁ ନିର୍ଦ୍ଧାରିତ ସମୟ ଭିତରେ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି । ଏ ସମ୍ପର୍କିତ ସଂସ୍ଥାଗତ ବ୍ୟବସ୍ଥା, ତଦାରଖ ଏବଂ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ଯୋଜନାକୁ ସ୍ୱଚ୍ଛ ଏବଂ ତ୍ୱରାନ୍ୱିତ କରିବା ପାଇଁ ଏକ ସମନ୍ୱିତ ଟେକ୍ନୋଲୋଜି ପ୍ଲାଟଫର୍ମ ବ୍ୟବହାର କରାଯାଉଛି । ପୋଲିସ ବିଭାଗ ପକ୍ଷରୁ ୨୪ ଘଣ୍ଟା ମଧ୍ୟରେ E-DAR ପୋର୍ଟାଲରେ ଦୁର୍ଘଟଣାର ବିବରଣୀ ଦିଆଯିବ । ଯାହା ଆଧାରରେ ଚିକିତ୍ସାଳୟଗୁଡ଼ିକ ଟ୍ରାନଜାକ୍ସନ ମ୍ୟାନେଜମେଣ୍ଟ ସିଷ୍ଟମ ବା TMS ଜରିଆରେ ଦାବି ପ୍ରକ୍ରିୟା ଆରମ୍ଭ କରିବେ ।

ଯୋଜନାର ସଫଳ ପରିଚାଳନା ପାଇଁ ଏକ ସୁଦୃଢ଼ ପ୍ରାଶାସନିକ ବ୍ୟବସ୍ଥା ରହିଛି । ଜାତୀୟ ସ୍ତରରେ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ସଚିବ ପରିଚାଳନା କମିଟିର ମୁଖ୍ୟ ଥିବା ବେଳେ ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ବା ପରିବହନ ମନ୍ତ୍ରୀ ବା ମୁଖ୍ୟ ଶାସନ ସଚିବଙ୍କ ଅଧିନରେ ଜାତୀୟ ସଡକ ସୁରକ୍ଷା ପରିଷଦ କାର୍ଯ୍ୟ କରିବ । ସେହିପରି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ 'ଜିଲ୍ଲା ସଡକ ସୁରକ୍ଷା ସମିତି' ଏହାର ତଦାରଖ କରିବେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସାମିଲ ହୋଇଥିବା ଚିକିତ୍ସାଳୟ ସମେତ ଏହା ବ୍ୟତିରେକ ଯେଉଁ ଡାକ୍ତରଖାନାରେ ଜରୁରୀ କାଳୀନ ଚିକିତ୍ସା ସୁବିଧା ରହିଛି, ସେସବୁ ଡାକ୍ତରଖାନାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହୋଇପାରିବ । ଏଥିପାଇଁ ସମନ୍ୱୟ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ପରିବହନ ବିଭାଗଙ୍କୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ସେବା ପାଇବାରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ଜିଲ୍ଲାସ୍ତରୀୟ ଅଭିଯୋଗ ପ୍ରକୋଷ୍ଠରେ ଆବେଦନ କରାଯାଇପାରିବ । ଜିଲ୍ଲାପାଳ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ।
ଏହା ମଧ୍ୟ ପଢ଼ନ୍ତୁ... ସଡ଼କ ଦୁର୍ଘଟଣା ଆହତଙ୍କ ପାଇଁ 'କ୍ୟାସଲେସ ଚିକିତ୍ସା' ଯୋଜନା, ସରକାର ଦେବେ ଦେଢ଼ ଲକ୍ଷ ହଳଦିଆପଦର ଓଭରବ୍ରିଜ୍ ଦୁର୍ଘଟଣା: ସରକାରଙ୍କୁ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିର ରିପୋର୍ଟ ତଲବ |
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, "ପ୍ରତିଦିନ ସଡ଼କ ଦୁର୍ଘଟଣାରେ ପ୍ରାୟ ୧୬ ଜଣ ମୃତ୍ୟୁ ହେଉଛି । ଏହି ହାର କମାଇବା ସରକାରଙ୍କ ପ୍ରାଥମିକତା ରହିଛି । ପିଏମ ରାହତ ଯୋଜନାରେ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ପହଁଚାଇ ଅବିଳମ୍ବେ ଚିକିତ୍ସା ଆରମ୍ଭ କଲେ ଏହି ସଂଖ୍ୟା ହ୍ରାସ ପାଇବ ।" ଏ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ, ପରିବହନ ବିଭାଗ ଏବଂ ପୁଲିସ ପ୍ରଶାସନ ସମେତ ଜିଲ୍ଲାସ୍ତରରେ ପ୍ରସ୍ତୁତି ଓ ସଚେତନତା ସୃଷ୍ଟି ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର

