ETV Bharat / state

ଏପ୍ରିଲରୁ କାର୍ଯ୍ୟକ୍ଷମ ହେବ 'ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମୀ'

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ କାର୍ଯ୍ୟକ୍ଷମ ହେବ 'ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମୀ' । ଏଠାରେ ରାଜ୍ୟର ପ୍ରତିଭାବାନ ଖେଳାଳିଙ୍କୁ ଉଚ୍ଚମାନର ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

ODISHA STATE BADMINTON ACADEMY
ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଏକାଡେମୀ (ETV Bharat Odisha)
author img

By ETV Bharat Odisha Team

Published : February 21, 2026 at 8:35 AM IST

2 Min Read
Choose ETV Bharat

ଭୁବନେଶ୍ବର: ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ 'ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମୀ'। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମର 'ଡାଲମିଆ ଭାରତ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟରରେ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଏକାଡେମୀ କାର୍ଯ୍ୟକ୍ଷମ ହେବାକୁ ଯାଉଛି ।ଏହା ଏପ୍ରିଲରୁ କାର୍ଯ୍ୟକ୍ଷମ ହେବ । ଏହି କେନ୍ଦ୍ରକୁ ରାଜ୍ୟ ପ୍ରଶିକ୍ଷଣ ଏକାଡେମୀ କରି ଓଡ଼ିଶାର ପ୍ରତିଭାବାନ ଖେଳାଳିଙ୍କୁ ଉଚ୍ଚମାନର ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନ ବା ପିଜିବିଏଫର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିସାରିଛନ୍ତି । ଏହି ଏକାଡେମୀ କାର୍ଯ୍ୟକାରୀ ହେବା ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଡାମଲିଆ ସିମେଣ୍ଟ ଏବଂ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନର ମିଳିତ ପ୍ରୟାସ ଜାରି ରହିଛି ।

ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମୀ:

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗତକାଲି (ଶୁକ୍ରବାର) ଲୋକସେବା ଭବନରେ ଓଡ଼ିଶା 'ରାଜ୍ୟ ବ୍ୟାଡମିଣ୍ଟନ ଏକାଡେମୀ' ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆରମ୍ଭ ହେବାକୁ ଥିବା ରାଜ୍ୟ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଏକାଡେମୀର ବାର୍ଷିକ କାର୍ଯ୍ୟ ପରିଚାଳନା, ପ୍ରଶିକ୍ଷଣ ଓ ଆନୁଷଙ୍ଗିକ ଖର୍ଚ୍ଚ ସମ୍ପର୍କରେ ଆଲୋଚନା ହୋଇଥିଲା ।ଏନେଇ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଡାଲମିଆ ସିମେଣ୍ଟ ମଧ୍ୟ ଆର୍ଥିକ ସହଯୋଗ କରିବ । ଏକାଡେମୀରେ ପ୍ରଶିକ୍ଷଣ ଆରମ୍ଭ କରାଯିବା ନେଇ ରହୁଥିବା ଆନୁଷଙ୍ଗିକ ସମସ୍ୟାର ସମାଧାନ ଓ ପ୍ରସ୍ତୁତି କରି ଏହି ଏକାଡେମୀକୁ ଶୀଘ୍ର କାର୍ଯ୍ୟକାରୀ କରାଯିବା ନେଇ ମୁଖ୍ୟ ଶାସନ ସଚିବ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଉଚ୍ଚମାନର ପ୍ରଶିକ୍ଷଣ ପ୍ରଦାନ କରାଯିବ:

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି," ଓଡ଼ିଶା ସରକାରଙ୍କ ରାଜ୍ୟର କ୍ରୀଡ଼ା ପ୍ରତି ପ୍ରତିବଦ୍ଧତା ରହିଛି । କଳିଙ୍ଗ ଷ୍ଟାଡିୟମରେ ଅନ୍ୟ କ୍ରୀଡ଼ା ସହିତ ବ୍ୟାଡମିଣ୍ଟନ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯାଉଛି । କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଏକାଡେମୀ କାର୍ଯ୍ୟକାରୀ ହେବା । ଏହା ରାଜ୍ୟର ବ୍ୟାଡମିଣ୍ଟନ ପ୍ରତିଭାଙ୍କୁ ଚିହ୍ନଟ ସହ ସେମାନଙ୍କ ପାଇଁ ଅନନ୍ୟ ସୁଯୋଗ ପ୍ରଦାନ କରିବ । ସୁନାମଧନ୍ୟ ବ୍ୟାଡମିଣ୍ଟନ କୋଚ ପୁଲେଲା ଗୋପୀଚାନ୍ଦ ଏବଂ ଅଭିଜ୍ଞ ବ୍ୟାଡମିଣ୍ଟନ କୋଚଙ୍କ ଦ୍ୱାରା ଉଚ୍ଚମାନର ପ୍ରଶିକ୍ଷଣ ପ୍ରଦାନ କରାଯିବ । ଓଡ଼ିଶାରୁ ଆନ୍ତର୍ଜାତୀୟ ସ୍ତରର ବ୍ୟାଡମିଣ୍ଟନ ଖେଳାଳି ସୃଷ୍ଟି କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି ।"

ଏପ୍ରିଲ ୧ ରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମୀ:
ପ୍ରସିଦ୍ଧ ବ୍ୟାଡମିଣ୍ଟନ କୋଚ ପୁଲେଲା ଗୋପୀଚାନ୍ଦ ରାଜ୍ୟ ପ୍ରଶିକ୍ଷଣ ଏକାଡେମୀ ଆରମ୍ଭ ନେଇ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଛନ୍ତି । ହାଇ ପରଫରମାନ୍ସ ସେଣ୍ଟରକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପାଇଁ ଆଗାମୀ ଏପ୍ରିଲ ୧ ରୁ ଏକାଡେମୀ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଓଡ଼ିଶାର ପ୍ରତିଭାମାନ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦେଇ ଓଡ଼ିଶାକୁ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ମାନଚିତ୍ରରେ ନୂଆ ପରିଚୟ ଦେବାରେ ସେ ପୂର୍ଣ୍ଣ ସହଯୋଗ କରିବେ । ବୈଠକରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ କମିଶନର ଭୁପେନ୍ଦ୍ର ସିଂ ପୁନିଆ, କ୍ରୀଡ଼ା ନିର୍ଦ୍ଦେଶକ ଡଃ. ୟେଦୁଲା ବିଜୟ ଓ ଡାଲମିଆ ସିମେଣ୍ଟର କର୍ତ୍ତୃପକ୍ଷ ଯୋଗ ଦେଇଛନ୍ତି ।



କଳିଙ୍ଗ ଷ୍ଟାଡିୟମରେ ୨୦୨୪ ଡିସେମ୍ବର ୧୨ ତାରିଖରେ ଏହି ହାଇ ପରଫରମାନ୍ସ ସେଣ୍ଟର ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି । ଏହି କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା ଓ ପ୍ରସିଦ୍ଧ ବ୍ୟାଡମିଣ୍ଟନ କୋଚ ପୁଲେଲା ଗୋପୀଚାନ୍ଦ ଉପସ୍ଥିତ ଥିଲେ । ଏକ ବୃହତାକାର 'ଶଟଲକକ' ଆକୃତିର ଅତ୍ୟାଧୁନିକ ଶୈଳୀରେ ଏକାଧିକ ବ୍ୟାଡମିଣ୍ଟନ କୋର୍ଟ, ଦର୍ଶକଙ୍କ ବସିବା ସୁବିଧା, ଆମ୍ଫିଥିଏଟର ସହ ଖେଳାଳିଙ୍କ ପାଇଁ ଆବାସିକ ସୁବିଧା ରହିଛି । ଓଡ଼ିଶା ସରକାର, ପୁଲେଲା ଗୋପିଚନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନ ଓ ଡାଲମିଆ ଗ୍ରୁପର ସହଯୋଗରେ ଏହା ନିର୍ମିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ବଜେଟ୍ ୨୦୨୬-୨୭: ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ, ବିଶ୍ୱମାନର ଭିତ୍ତିଭୂମିକୁ ଅଗ୍ରାଧିକାର

ଏହା ମଧ୍ୟ ପଢନ୍ତୁ... ମୋହନ ସରକାରଙ୍କ ବଜେଟକୁ ବିରୋଧୀଙ୍କ କଟାକ୍ଷ; ଶୂନ୍ୟ ପାକଶାଳାରେ ଫୁଲ୍ ମେନୁ କହିଲେ ନବୀନ

ଇଟିଭି ଭାରତ, ଭୁବନେଶ୍ବର