ETV Bharat / state

୨୦ ଲକ୍ଷ ମେଟ୍ରିକ ଟନ୍ ରବି ଧାନ ସଂଗ୍ରହ ଲକ୍ଷ୍ୟ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଏହି ବୈଠକରେ ୨୦୨୫-୨୬ ଖରିଫ ମାର୍କେଟିଂ ଋତୁରେ ଧାନ କ୍ରୟ ସଂପର୍କରେ ସୂଚନା ଦିଆଯାଇଛି । ରିପୋର୍ଟ-ଭବାନୀ ଶଙ୍କର ଦାସ

Rabi season paddy procurement target of 2 million metric tonnes
୨୦ ଲକ୍ଷ ମେଟ୍ରିକ ଟନ୍ ରବି ଧାନ ସଂଗ୍ରହ ଲକ୍ଷ୍ୟ (ETV BHARAT ODISHA)
author img

By ETV Bharat Odisha Team

Published : May 13, 2026 at 11:03 PM IST

3 Min Read
Choose ETV Bharat

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ୨୦୨୫-୨୬ ଖରିଫ୍ ମାର୍କେଟିଂ ଋତୁରେ ରବି ଫସଲ କ୍ରୟ ସଂପର୍କିତ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ରବି ଧାନ ସଂଗ୍ରହ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ମେଟ୍ରିକ ଟନ୍ ରବି ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି ।

୨୦ ଲକ୍ଷ ମେଟ୍ରିକ ଟନ୍ ରବି ଧାନ ସଂଗ୍ରହ ଲକ୍ଷ୍ୟ (ETV BHARAT ODISHA)

ବୈଠକରେ ୨୦୨୫-୨୬ ଖରିଫ ମାର୍କେଟିଂ ଋତୁରେ ଧାନ କ୍ରୟ ସଂପର୍କରେ ସୂଚନା ଦିଆଯାଇଛି । ୨୦୨୪-୨୫ ଖରିଫରେ ୭୩.୪୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ୧୬ ଲକ୍ଷ ୬୦ ହଜାର ୨୩୦ ଜଣ ଚାଷୀ ସେମାନଙ୍କର ଧାନ ବିକ୍ରୟ ହୋଇଛି । ୨୦୨୫-୨୬ ଖରିଫରେ ୭୭.୪୮ ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ ହୋଇଛି । ୧୮ ଲକ୍ଷ ୮୪ ହଜାର ୬୨୮ ଜଣ ଚାଷୀ ଧାନ ବିକ୍ରୟ କରିଛନ୍ତି । ଯାହାକି ପୂର୍ବ ବର୍ଷ ତୁଳନାରେ ୫.୪୮ ପ୍ରତିଶତ ଅଧିକ । ୨୦୨୫-୨୬ ରବି ଫସଲ ପାଇଁ ରାଜ୍ୟର ୨୦ଟି ଜିଲ୍ଲାରୁ ୩,୭୫,୫୫୬ ଜଣ ଚାଷୀ ପଂଜୀକରଣ କରିଛନ୍ତି । ଗତ ୨୦୨୪-୨୫ ରେ ଏହି ସଂଖ୍ୟା ୩,୩୮,୪୮୧ ଥିଲା ।

ରବି ଧାନ ଧାର୍ଯ୍ୟ କ୍ରୟ ସମୟ ସୀମା ମେ ମାସ ୧ରୁ ଜୁନ୍ ୩୦ ମଧ୍ୟରେ ହେବାକୁ ନିର୍ଦ୍ଧାରିତ ହୋଇଛି । ବିଭିନ୍ନ ଜିଲ୍ଲା ମେ ମାସ ୧୪ରୁ ଅଲଗା ଅଲଗା ତାରିଖରେ ସଂଗ୍ରହ କରିବାକୁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ନିଷ୍ପତ୍ତି ଅନୁସାରେ ତାରିଖ ନିର୍ଦ୍ଧାରଣ କରିଛନ୍ତି । ଭାଗ ଚାଷୀଙ୍କ ସମେତ କ୍ଷୁଦ୍ର, ନାମ ମାତ୍ର ଚାଷୀ ଓ ପ୍ରକୃତ ଚାଷୀମାନେ ଯେପରି ଉପକୃତ ହେବେ ସେଥିପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଧାନ ସଂଗ୍ରହ ଗତବର୍ଷ ଅକ୍ଟୋବର ୧୦ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦିତ ଖରିଫ ମାର୍କେଟିଂ ଋତୁ ୨୦୨୫-୨୬ ଖାଦ୍ୟ ଓ କ୍ରୟ ନୀତି ଆଧାରରେ କରାଯିବ ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଏହି ବୈଠକରେ ୨୦୨୫-୨୬ ଖରିଫ ମାର୍କେଟିଂ ଋତୁରେ ଧାନ କ୍ରୟ ସଂପର୍କରେ ସୂଚନା ଦିଆଯାଇଛି ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଏହି ବୈଠକରେ ୨୦୨୫-୨୬ ଖରିଫ ମାର୍କେଟିଂ ଋତୁରେ ଧାନ କ୍ରୟ ସଂପର୍କରେ ସୂଚନା ଦିଆଯାଇଛି । (ETV BHARAT ODISHA)

ଜିଲ୍ଲାସ୍ତରରେ ରାଜସ୍ୱ, ସମବାୟ, ପୋଲିସ, ପରିବହନ, କୃଷି, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଆଦି ବିଭାଗୀୟ ଅଧିକାରୀଙ୍କ ସହିତ ସମନ୍ୱୟ କରି ଧାନ ସଂଗ୍ରହ କାର୍ଯ୍ୟ ହେବ । ଜିଲ୍ଲାସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ନିୟମିତ ଭାବେ ଧାନ ସଂଗ୍ରହ ପରିଚାଳନା ତଦାରଖ କରିବେ । ବାହାରୁ ଯେପରି ଅନଧିକୃତ ଭାବେ ଧାନ ପ୍ରବେଶ ନ କରେ, ସେଥିପାଇଁ ରାଜ୍ୟ ସୀମାରେ ଯାଞ୍ଚକୁ କଡ଼ାକଡ଼ି କରାଯିବ । ବିଭିନ୍ନ ଜିଲ୍ଲାରେ ମୋଟ ୨୪୭୨ ଜଣ ମଣ୍ଡି ନୋଡାଲ ଅଧିକାରୀ ନିୟୋଜିତ ହୋଇଛନ୍ତି । ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଲିଃର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରବି ଧାନ ସଂଗ୍ରହ ବ୍ୟବସ୍ଥା ଓ ସବିଶେଷ ପଦ୍ଧତି ସମ୍ପର୍କରେ ଉପସ୍ଥାପନ କରିଛନ୍ତି ।


ଧାନ କ୍ରୟ କେନ୍ଦ୍ରରେ ଆଶ୍ରୟସ୍ଥଳ, ପାନୀୟ ଜଳ ଓ ଆନୁଷଙ୍ଗିକ ସୁବିଧା ସହ ଯଥେଷ୍ଟ ସଂଖ୍ୟକ ତର୍ପୋଲିନ ବା ପାଲ ବ୍ୟବସ୍ଥା ଓ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ରାଜ୍ୟ ମୁଖ୍ୟାଳୟରେ ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ର ବା ସିସିଇସି ସହିତ ସମନ୍ୱିତ କରାଯାଇ ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ପ୍ରଭାବୀ କରାଯାଇଛି । ଧାନ ସଂଗ୍ରହ ପରିଚାଳନା ବ୍ୟବସ୍ଥା ସଂପର୍କରେ ସୂଚନା, ଯୋଗାଯୋଗ ଆଇଇସି ବ୍ୟବସ୍ଥା ମାଧ୍ୟମରେ ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯାଇଛି । କଲ୍ ସେଣ୍ଟର, ମୋବାଇଲକୁ ବାର୍ତ୍ତା ପ୍ରେରଣ, ୧୯୬୭ ଟୋଲ ଫ୍ରି ବ୍ୟବସ୍ଥା କୃଷକମାନଙ୍କ ପାଇଁ ସୂଚନା ଓ ଫିଡବ୍ୟାକ୍ ଦେବା ପାଇଁ କାର୍ଯ୍ୟକାରୀ ହୋଇଥିବା ସଂପର୍କରେ ବୈଠକରେ ସୂଚନା ଦିଆଯାଇଛି । ଏ ବର୍ଷ ଶୀଘ୍ର ମୌସୁମୀ ଆସିବାକୁ ଦୃଷ୍ଟିରେ ରଖି ମଣ୍ଡିକୁ ଆସୁଥିବା ଧାନ ଯେପରି ବର୍ଷା ଓ ଆଦ୍ରତାରୁ ସୁରକ୍ଷିତ ରହିବ, ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ।

ମୁଖ୍ୟ ଶାସନ ସଚିବ ନିର୍ଦ୍ଧାରିତ ହୋଇଥିବା ମାର୍ଗଦର୍ଶିକାକୁ ସଠିକ ଅନୁସରଣ କରି ରବି ଧାନ କ୍ରୟ ବ୍ୟବସ୍ଥାର ସୁପରିଚାଳନା କରିବାକୁ ଗୁରୁତ୍ୱ ଦେଇଛନ୍ତି । କାର୍ଯ୍ୟ ଖିଲାପ କରୁଥିବା ଅଧିକାରୀ, ଅସାଧୁ ଉପାୟ ଅବଲମ୍ବନ କରୁଥିବା ବ୍ୟକ୍ତି, ସଂପୃକ୍ତ କୃଷି ସମବାୟ ସମିତି, ମିଲର ତଥା ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ସତର୍କ କରିଛନ୍ତି । ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବାକୁ ଆନୁଷ୍ଠାନିକ ବ୍ୟବସ୍ଥାକୁ ମଧ୍ୟ ଅଧିକ ସୁଦୃଢ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳମାନେ ଭିଡିଓ କନଫରେନସିଂ ଜରିଆରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଜିଲ୍ଲାପାଳମାନେ ଭିଡିଓ କନଫରେନସିଂ ଜରିଆରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । (ETV BHARAT ODISHA)

ଆଜିର ଏହି ବୈଠକରେ ସମବାୟ ବିଭାଗର ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ସମବାୟ ସମିତି ସମୂହ ନିବନ୍ଧକ ମନୀଷ ଅଗ୍ରଓ୍ୱାଲଙ୍କ ସମେତ ସଂପୃକ୍ତ ଅନ୍ୟ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳମାନେ ଭିଡିଓ କନଫରେନସିଂ ଜରିଆରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ- ରାଜ୍ୟ ସରକାରଙ୍କ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି: ଆତ୍ମସନ୍ତୁଷ୍ଟିରେ ନରହି ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗକୁ ସିଏସଙ୍କ ପରାମର୍ଶ

ଏହା ମଧ୍ୟ ପଢ଼ନ୍ତୁ- ଲ୍ୟାବ-ଗ୍ରୋନ୍ ଡାଏମଣ୍ଡ ଓ ସହାୟକ କ୍ଷେତ୍ରକୁ ମିଳିବ ଅଗ୍ରାଧିକାର

ଇଟିଭି ଭାରତ, ଭୁବନେଶ୍ବର