ETV Bharat / state

ରାଜ୍ୟ ସରକାରଙ୍କ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି: ଆତ୍ମସନ୍ତୁଷ୍ଟିରେ ନରହି ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗକୁ ସିଏସଙ୍କ ପରାମର୍ଶ

ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ମୁତୟନ ନିମନ୍ତେ ୩୦ଟି ଓଡ୍ରାଫ ଟିମ୍ ପ୍ରସ୍ତୁତ ରହିଛନ୍ତି । ତେବେ ଓଡ଼ିଶାକୁ ବାତ୍ୟା ଭୟ ନାହିଁ ।

Cyclone Meeting
ପ୍ରାକ ବାତ୍ୟା ପ୍ରସ୍ତୁତି ସଂପର୍କିତ ଉଚ୍ଚସ୍ତରୀୟ ବୈଠକ (ETV Bharat Odisha)
author img

By ETV Bharat Odisha Team

Published : May 13, 2026 at 7:31 AM IST

2 Min Read
Choose ETV Bharat

ଭୁବନେଶ୍ବର: ‘ବିପର୍ଯ୍ୟୟ ପରିଚାଳନା ଓ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାର ରହିଛି ସୁନାମ । କିନ୍ତୁ ଏଥିପାଇଁ କୌଣସି ପ୍ରକାର ଆତ୍ମସନ୍ତୁଷ୍ଟିରେ ରୁହନାହିଁ ।’ ବାତ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ । ସମୟୋପଯୁକ୍ତ ପଦକ୍ଷେପ, ମାର୍ଗଦର୍ଶିକାର କଡାକଡି ପାଳନ ଓ ଜରୁରୀକାଳୀନ ସମୟରେ ତ୍ୱରିତ ସୂଚନା ପ୍ରସାର ମାଧ୍ୟମରେ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାର ସୁନାମକୁ ଅକ୍ଷୁର୍ଣ୍ଣ ରଖିବାକୁ ଗୁରୁତ୍ୱ । ଗତକାଲି(ମଙ୍ଗଳବାର) ଲୋକସେବା ଭବନରେ ପ୍ରାକ ବାତ୍ୟା ପ୍ରସ୍ତୁତି ସଂପର୍କିତ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତାରେ କରି ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

Cyclone Meeting
ପ୍ରାକ ବାତ୍ୟା ପ୍ରସ୍ତୁତି ସଂପର୍କିତ ଉଚ୍ଚସ୍ତରୀୟ ବୈଠକ (ETV Bharat Odisha)

ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହ ସମସ୍ତ ବିଭାଗକୁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ପ୍ରସ୍ତୁତି ବ୍ୟବସ୍ଥାର ନିୟମିତ ସମୀକ୍ଷା କରିବା ସହ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ କଡାକଡି ଭାବେ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶାକୁ ନାହିଁ ବାତ୍ୟା ଭୟ:

ସ୍ୱତନ୍ତ୍ର ରିଲିଫ କମିଶନର ତଥା ଓସଡମାର ପରିଚାଳନା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ କହିଛନ୍ତି, ‘ବଙ୍ଗୋପସାଗର କୂଳରେ ଭୌଗୋଳିକ ଅବସ୍ଥିତି କାରଣରୁ ଓଡ଼ିଶା ବାତ୍ୟା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ । ପ୍ରସ୍ତୁତି, ସମନ୍ୱୟ ଓ ପୂର୍ବ ସତର୍କ ସୂଚନା ପ୍ରଚାର ମାଧ୍ୟମରେ “ଶୂନ୍ୟ ମୃତାହତ” ଲକ୍ଷ୍ୟ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଥିବା ସଂପର୍କରେ ସେ ଉଲ୍ଲେଖ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ୱରର ନିର୍ଦ୍ଦେଶିକା ଡଃ. ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଓଡିଶା ଉପକୂଳରେ କୌଣସି ବାତ୍ୟାର ସମ୍ଭାବନା ନାହିଁ । ତେବେ ପ୍ରାକ ବାତ୍ୟା ପ୍ରସ୍ତୁତି ସ୍ୱରୂପ ସମସ୍ତ ସ୍ତରରେ ପ୍ରସ୍ତୁତି ଜାରି ରଖିବାକୁ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।


30 ଓଡ୍ରାଫ ଟିମ୍‌ ପ୍ରସ୍ତୁତ:

ପ୍ରାକ ବାତ୍ୟା ପ୍ରସ୍ତୁତି ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷମାନେ ସୂଚନା ଦେଇଛନ୍ତି । ଆଇନ ଓ ଶୃଙ୍ଖଳା ଅତିରିକ୍ତ ଡ଼ିଜି ସଞ୍ଜୟ କୁମାର କହିଛନ୍ତି, "ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ମୁତୟନ ନିମନ୍ତେ ୩୦ଟି ଓଡ୍ରାଫ ଟିମ୍ ପ୍ରସ୍ତୁତ ରହିଛନ୍ତି । ଜଳ ସମ୍ପଦ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଶକ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ପୂର୍ତ୍ତ, କୃଷି, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଏବଂ ଗୃହ ଓ ନଗର ଉନ୍ନୟନ ଆଦି ବିଭାଗ ପକ୍ଷରୁ ଜଳଭଣ୍ଡାର ପରିଚାଳନା, ରାସ୍ତା ଓ ବିଦ୍ୟୁତ୍‌ ସେବା, ପୁନରୁଦ୍ଧାର, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଔଷଧ, ପଶୁଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ସହ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସମ୍ବନ୍ଧୀୟ ପ୍ରସ୍ତୁତି ସଂପର୍କରେ ବିଭାଗୀୟ ପ୍ରସ୍ତୁତି ନେଇ ସମୀକ୍ଷା ହୋଇଛି ।

ଏହା ମଧ୍ୟ ପଢନ୍ତୁ:

ଲ୍ୟାବ-ଗ୍ରୋନ୍ ଡାଏମଣ୍ଡ ଓ ସହାୟକ କ୍ଷେତ୍ରକୁ ମିଳିବ ଅଗ୍ରାଧିକାର

ଏଥର ସଠିକ୍ ସମୟରେ ଛୁଇଁପାରେ ମୌସୁମୀ, ଓଡ଼ିଶା ଉପରେ ନାହିଁ ବାତ୍ୟା ଭୟ


ବିଭିନ୍ନ ବିଭାଗକୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ପ୍ରସ୍ତୁତି ସୁନିଶ୍ଚିତ କରିବା, କଣ୍ଟ୍ରୋଲ ରୁମ ସକ୍ରିୟ କରିବା ଓ ଏସଓପି କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ମତ୍ସ୍ୟଜୀବୀଙ୍କ ପାଇଁ ବାତ୍ୟା ସତର୍କତା ସୂଚନାର ପ୍ରଚାର-ପ୍ରସାର ଓ ପ୍ରଭାବଶାଳୀ ବିପର୍ଯ୍ୟୟ ମୁକାବିଲା ପାଇଁ ବିଭାଗ ଗୁଡିକ ମଧ୍ୟରେ ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ବୈଠକରେ ଅଗ୍ନିଶମ ସେବା ଡିଜି ଡଃ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର, ଭାରତୀୟ ପାଣିପାଗ ବିଭାଗ, ଓଡ୍ରାଫ ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର