ସୁଧୁରୁନି ପୋଲିସ ବ୍ୟବସ୍ଥା; ଥାନା ହାଜତରେ ବଢୁଛି ନିର୍ଯାତନା, ଫାଇଲ ତଳେ ଚାପି ହୋଇଯାଉଛି ଅନେକ ଘଟଣା
ଦୋଷୀ ପୋଲିସ ବିରୋଧରେ ସେଭଳି କୌଣସି ବଳିଷ୍ଠ ପଦକ୍ଷେପ ନିଆଯାଉ ନଥିବାରୁ ହାଜତ ମୃତ୍ୟୁ ଓ ନିର୍ଯାତନା ମାମଲାରେ ରୋକ ଲାଗିପାରୁ ନ ଥିବା ଅଭିଯୋଗ ହେଉଛି । ରିପୋର୍ଟ-ସତ୍ୟଜିତ ରାଉତ

Published : June 3, 2026 at 6:22 PM IST
POLICE ATROCITY , ଭୁବନେଶ୍ୱର: ରାଜ୍ୟର ବଢୁଛି ପୋଲିସ ଅତ୍ୟାଚାର। ବିଭିନ୍ନ ଥାନା ହାଜତରେ ଅଭିଯୁକ୍ତ ତଥା ସନ୍ଦିଗ୍ଧମାନଙ୍କୁ ପୋଲିସ ଅନେକ ସମୟରେ ନିର୍ଯାତନା ଦେବା ସହ ମାଡ଼ ମାରୁଛି। ଫଳରେ ପୋଲିସ ହେପାଜତରେ ବା ଥାନା ହାଜତରେ ଥାଇ କେତେକ ଲୋକଙ୍କ ମୃତ୍ୟୁ ଘଟୁଛି। ଏପରିକି ସାଧାରଣ ଲୋକଟିଏ ମଧ୍ୟ ପୋଲିସ ମାଡ଼ରେ ଗୁରୁତର ହେଉଛି। ଏନେଇ କେତେକ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ ବହୁ ଘଟଣା ଫାଇଲ ତଳେ ଚାପି ହୋଇଯାଇଛି । ତେବେ ଦୋଷୀ ପୋଲିସ ବିରୋଧରେ ସେଭଳି କୌଣସି ବଳିଷ୍ଠ ପଦକ୍ଷେପ ନିଆଯାଉ ନ ଥିବାରୁ ହାଜତ ମୃତ୍ୟୁ ଓ ନିର୍ଯାତନା ମାମଲାରେ ରୋକ ଲାଗିପାରୁ ନ ଥିବା କୁହାଯାଉଛି। ଗତ ଦେଢମାସ ମଧ୍ୟରେ ରାଜ୍ୟର ୪ରୁ ଊର୍ଦ୍ଧ୍ଵ ଥାନା ଅଞ୍ଚଳରେ ହାଜତ ନିର୍ଯାତନା ଘଟଣାକୁ ନେଇ ପୋଲିସ ଉପରକୁ ଅଙ୍ଗୁଳି ଉଠିଛି। କେବଳ ନିଲମ୍ବିତ ଓ ବଦଳିରେ କାର୍ଯ୍ୟାନୁଷ୍ଠାନ ସୀମିତ ରହୁଥିବା ଅଭିଯୋଗ ହେଉଛି।
ତଦନ୍ତ ପରିସରଭୁକ୍ତ ହେଉନାହାନ୍ତି ଉପରିସ୍ଥ ପୋଲିସ ଅଧିକାରୀ !
ଏହି ଘଟଣାରେ ରାଜ୍ୟ ପୋଲିସର ମାନବିକ ଅଧିକାର ସୁରକ୍ଷା ସେଲ୍ (ଏଚ୍ଆର୍ପିସି) ରହିଛି। ହେଲେ ଏହି ସେଲ୍ ଦ୍ୱାରା ସେଭଳି ବଡ଼ କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବା ଅଭିଯୋଗ ହେଉଛି। ଉପରିସ୍ଥ ପୋଲିସ ଅଧିକାରୀ ମଧ୍ୟ ତଦନ୍ତ ପରିସରଭୁକ୍ତ ହେଉନାହାନ୍ତି। ସାମାଜିକ ଏବଂ ଆର୍ଥକ ସ୍ତରରେ ସ୍ବଚ୍ଛଳ ନ ଥିବା ସାଧାରଣ ନାଗରିକମାନେ ହାଜତ ମୃତ୍ୟୁର ଅଧିକ ଶିକାର ହୁଅନ୍ତି। ଉପରିସ୍ଥ ପୋଲିସ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ନ ଥିବାରୁ ଏଭଳି ଘଟଣା ଘଟୁଥିବା ବିଭିନ୍ନ ମହଲରେ ମତପ୍ରକାଶ ପାଉଛି।
ଡାବୁଗାଁ ହାଜତ ମୃତ୍ୟୁ
ଏପ୍ରିଲ ୨୮ ରାତିରେ ଡାବୁଗାଁ ଥାନା ହାଜତ ଶୌଚାଳୟରେ ଝୁଲି ପୂର୍ଣ୍ଣ କଲାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ପୋଲିସ ପୂର୍ଣ୍ଣଙ୍କୁ ଗିରଫ କରି ହାଜତରେ ରଖା ଯାଇଥିଲା । ଏହାପରେ ପୂର୍ଣ୍ଣଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକ ରାସ୍ତାରୋକ କରିବା ସହ ଥାନା ଉପରକୁ ପଥର ମାଡ଼ କରିଥିଲେ। ଏହି ଘଟଣାରେ ଥାନାର ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା। ପରେ ଥାନାଧିକାରୀ ଥିବା ରଘୁନାଥ ମାଝୀଙ୍କୁ ପୋଲିସ ଡିଜି ନିଲମ୍ବନ କରିଥିଲେ।
ଚର୍ଚ୍ଚାରେ ବାରଙ୍ଗ ପୋଲିସ ନିର୍ଯାତନା ଘଟଣା
ବାରଙ୍ଗ ଥାନା ଚଣ୍ଡିପ୍ରସାଦ ଗାଁର ରାକେଶ ବେହେରାଙ୍କ ସ୍ତ୍ରୀ ନିଖୋଜ ଥିବା ନେଇ ମେ' ୨୨ରେ ସେ ଥାନାରେ ଅଭିଯୋଗ କରିଥିଲେ। ପରେ କାଠଯୋଡ଼ି ନଦୀପଠାରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ଉକ୍ତ ମୃତଦେହ ତାଙ୍କ ସ୍ତ୍ରୀଙ୍କର ବୋଲି ସ୍ବୀକାର କରିବାକୁ ପୋଲିସ ରାକେଶଙ୍କ ଉପରେ ଚାପ ପକାଇଥିଲା। ରାକେଶ ମନା କରିବାରୁ ପୋଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ବାରଙ୍ଗ ଥାନା ଆଇଆଇସି (IIC) ନିରଞ୍ଜନ ବେହେରାଙ୍କୁ କଟକ ଡିସିପି କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା।
ମା' ଓ ପୁଅଙ୍କୁ ମାଡ଼ ମାରି ଆଇଆଇସି ନିଲମ୍ବିତ
ଗତ ମେ' ୨୬ରେ କେନ୍ଦ୍ରାପଡ଼ା ଜିଲା ତାଳଚୁଆ ସାମୁଦ୍ରିକ ଥାନାରେ ଥାର୍ଡ ଡିଗ୍ରୀ ଘଟଣା ସାମ୍ନାକୁ ଆସିଥିଲା। ଗିରିଆପାହି ଗ୍ରାମର ପବନ ମଣ୍ଡଳ ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ଓ ପୁଅ ଅନନ୍ତଙ୍କ ବିରୋଧରେ ଅଭିଯୋଗ ପରେ ପୋଲିସ ମା' ଓ ପୁଅକୁ ଡକାଇଥିଲା। ସ୍ବାମୀ ପବନଙ୍କ ବିରୋଧରେ ସ୍ତ୍ରୀ ପାଲଟା ଅଭିଯୋଗ ଦେବାରୁ ଆଇଆଇସି ସନ୍ଧ୍ୟାରାଣୀ ଜେନା ମା' ଓ ପୁଅଙ୍କୁ ମାଡ଼ମାରିବା ସହ ନିର୍ଯାତନା ଦେଇଥିଲେ। ସନ୍ଧ୍ୟାରାଣୀଙ୍କୁ ପୋଲିସ ଡିଜି ନିଲମ୍ବିତ କରିଥିଲେ।
କବିସୂର୍ଯ୍ୟନଗର ଥାନାରେ ପୋଲିସ ମାଡ଼ରେ ଦିବ୍ୟାଙ୍ଗଙ୍କ ମୃତ୍ୟୁ ଅଭିଯୋଗ
ପଥର ଖାଦାନରେ ହୋଇଥିବା ଏକ ମାମଲାର ତଦନ୍ତ କରିବା ପାଇଁ କବିସୂର୍ଯ୍ୟନଗର ପୋଲିସ ମେ' ୨୫ରେ ଗଞ୍ଜାମ ଜିଲ୍ଲା ସୁବୁଳିଆ ଗାଁର ସୁଶାନ୍ତ ସାହୁଙ୍କୁ ଥାନାକୁ ଉଠାଇ ଆଣିଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ତଦନ୍ତ ଆଳରେ ୩୦ ତାରିଖ ଯାଏଁ ସୁଶାନ୍ତଙ୍କୁ ଥାନାରେ ଅଟକ ରଖି ପୋଲିସ ଅକଥନୀୟ ନିର୍ଯାତନା ଦେଇଥିଲା । ପରେ ସୁଶାନ୍ତଙ୍କୁ ମାଡ଼ ଓ ନିର୍ଯାତନା ଦିଆଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ସବ୍-ଇନ୍ସପେକ୍ଟର ସମୀର କୁମାର ରାଉତ, ଏଏସଆଇ ବୈକୁଣ୍ଠ ଜେନା ଏବଂ କନଷ୍ଟେବଳ ସୁମନ ସାହୁଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ଜଣେ ହୋମଗାର୍ଡଙ୍କୁ କାର୍ଯ୍ୟରୁ ବାହାର କରାଯାଇଥିଲା। ପୋଲିସ ଡିଜି ଏହି ଘଟଣାରେ HRPC ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
NCRB ରିପୋର୍ଟ: ୪ ବର୍ଷରେ ପୋଲିସ ବିରୋଧରେ ୨୯୬ ମାମଲା
ଥାନାରେ ଅତ୍ୟାଚାର ନେଇ ପୋଲିସ ବିରୋଧରେ ବହୁ ମାମଲା ରୁଜୁ ହେଉଥିବା ବେଳେ ଚାର୍ଜଶିଟ୍ କମ୍ ସଂଖ୍ୟାରେ କୋର୍ଟରେ ଦାଖଲ ହେଉଛି । ସଦ୍ୟ ପ୍ରକାଶିତ ଜାତୀୟ ଅପରାଧ ରିପୋର୍ଟ (NCRB)ରୁ ଏହା ସ୍ପଷ୍ଟ ହୋଇଛି। ୪ ବର୍ଷରେ ଥାନା ହାଜତରେ ନିର୍ଯାତନା ନେଇ ପୋଲିସ ବିରୋଧରେ ୨୯୬ ମାମଲା ପଞ୍ଜୀକୃତ ହୋଇଛି। ୨୦୨୧ରେ ୫୯ ମାମଲା ରୁଜୁ ହୋଇଥିବା ବେଳେ ୧୭ଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଥିଲା। ୨୦୨୨ରେ ୭୯ଟି ମାମଲା ପୋଲିସ ବିରୋଧରେ ରୁଜୁ ହୋଇଥିଲା। ମାତ୍ର ୨୮ଟିରେ ଚାର୍ଜଶିଟ ଦାଖଲ ହୋଇଥିଲା। ୨୦୨୩ରେ ଥାନାରେ ନିର୍ଯାତନା ନେଇ ପୋଲିସ ବିରୋଧରେ ୮୬ଟି ମାମଲା ରୁଜୁ ହୋଇଥିଲା। ସେଥିରୁ ୨୩ଟିରେ ଚାର୍ଜଶିଟ ଦାଖଲ ହୋଇଥିଲା।୨୦୨୪ ମସିହାରେ ୭୨ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ମାତ୍ର ୨୩ଟିରେ ଚାର୍ଜଶିଟ ଦାଖଲ ହୋଇଛି।
୧୧ଟି ସର୍ତ୍ତାବଳୀ ମାନିବାକୁ ରହିଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ବଢ଼ୁଥିବା ହାଜତ ମୃତ୍ୟୁ ଘଟଣାକୁ ନେଇ ୧୯୯୭ରେ ଡି.କେ ବାସୁ ବନାମ ପଶ୍ଚିମବଙ୍ଗ ମାମଲାରେ ସୁପ୍ରିମକୋର୍ଟ ୧୧ଟି ସର୍ତ୍ତାବଳୀ ମାନିବାକୁ ପୋଲିସ ଏବଂ ତଦନ୍ତକାରୀ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଥିଲେ। ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ ପୋଲିସ କୋର୍ଟ ଚାଲାଣ କରିବ । ଗିରଫ ପରେ ଅଭିଯୁକ୍ତଙ୍କ ପରିବାର ଲୋକ ଓ ତାଙ୍କ ଓକିଲଙ୍କୁ ପୋଲିସ ଖବର ଦେବ । ଏଥିସହିତ ପୋଲିସ ଯାହାଙ୍କୁ ପଚରାଉଚରା କରୁଛି ସେମାନଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ଜଣାଇବା, ଜଣେ ଗିରଫ ଅଭିଯୁକ୍ତଙ୍କୁ କେଉଁଠୁ ଗିରଫ କରାଗଲା, ସେଦିନର ତାରିଖ, ଥାନାକୁ କିପରି ଅଣାଗଲା ଆଦି ତଥ୍ୟକୁ ପୋଲିସ ଏହାର କେସ୍ ଡାଏରୀରେ ଉଲ୍ଲେଖ କରିବ। ଏଭଳି ଏକାଧିକ ସର୍ତ୍ତାବଳୀ ମାନିବାକୁ ସୁପ୍ରିମ କୋର୍ଟ କହିଥିଲେ।
"ଉପରିସ୍ଥ ପୋଲିସ ଅଧିକାରୀଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ"
ଏନେଇ ବରିଷ୍ଠ ଆଇନଜୀବୀ ସୁବ୍ରତ ନନ୍ଦ କହିଛନ୍ତି, ନୂଆ ଆଇନ 'ଭାରତୀୟ ନ୍ୟାୟ ସଂହିତା'ରେ ଥାର୍ଡ ଡିଗ୍ରୀ ଟ୍ରିଟମେଣ୍ଟ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପୋଲିସ ପକ୍ଷରୁ ଜାଣିଶୁଣି ଏଭଳି ଥାର୍ଡ ଡିଗ୍ରୀ ଦିଆଯାଉଛି। ଥାନାରେ ନିର୍ଯାତନା ଘଟଣାରେ ଉପରିସ୍ଥ ଅଧିକାରୀ ସମ୍ପୃକ୍ତ ରହୁଛନ୍ତି। ପୋଲିସ ଅଧିକାରୀମାନେ ଜନସାଧାରଣଙ୍କ ସହ କେମିତି ଡିଲ୍ କରିବେ, କେଉଁଭଳି କାର୍ଯ୍ୟକ୍ରମ ପରିଚାଳନା କରିବେ ସେନେଇ ପ୍ରଶିକ୍ଷଣ ନେଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହା କାମରେ ରୂପାୟନ ହୋଇପାରୁନାହିଁ। ଯାହା ଫଳରେ ସରକାର ବଦନାମ ହେଉଛନ୍ତି। ବିଭିନ୍ନ ସମୟରେ ପୋଲିସ ଜାଣିଶୁଣି ହଇରାଣ କରୁଛି। ହାଜତ ନିର୍ଯାତନା ଘଟଣାରେ ତୁରନ୍ତ ପୋଲିସ ବିରୋଧରେ ମାମଲା ରୁଜୁ ହେବା ଦରକାର। ପୋଲିସ ବିଭାଗରେ ଥିବା HRPC ପୋଲିସ ଦ୍ୱାରା ହିଁ ତଦନ୍ତ ହୁଏ। ଉକ୍ତ ସେଲ୍ କେବେ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ନାହିଁ। ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଯେପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହେବନାହିଁ, ସେପର୍ଯ୍ୟନ୍ତ ଏଭଳି ଘଟଣା ବଢିଚାଲିବ ବୋଲି ସୁବ୍ରତ କହିଛନ୍ତି।
'ସବୁ ପୋଲିସ ଭଲ ଗୁଣ ଧାରଣ କରିବା ଦରକାର'
ପୂର୍ବତନ ପୋଲିସ ଅଧିକାରୀ ଅମରେଶ ପଣ୍ଡା କହିଛନ୍ତି, ଲୋକଙ୍କ ଆଶା ଭରସାକୁ ପୋଲିସ ରକ୍ଷା ନ କରିପାରିଲେ ବ୍ୟକ୍ତିତ୍ୱ ହରାଇବ। ଏଥିପାଇଁ ପୋଲିସକୁ କର୍ମନିଷ୍ଠ, ସତ୍ୟନିଷ୍ଠ ଓ ବିବେକବାନ ହେବାକୁ ପଡ଼ିବ। ପୋଲିସକୁ ମାନବିକତା ମଧ୍ୟ ରଖିବାକୁ ହେବ। ପୋଲିସ ଅତ୍ୟାଚାରିତ ହେଲେ ସରକାର ବଦନାମ ହେବେ। ଲୋକମାନେ ପୋଲିସକୁ ଘୃଣା କରିବେ। ତେଣୁ ସବୁ ପୋଲିସ କର୍ମଚାରୀ ଓ ଅଧିକାରୀ ଭଲ ଗୁଣ ଧାରଣ କରିବା ଦରକାର। ପୋଲିସକୁ ବ୍ୟକ୍ତିତ୍ୱର ବିକାଶ କରିବାକୁ ହେବ ବୋଲି ପଣ୍ଡା କହିଛନ୍ତି।
'ଥାନାରେ ରହୁନି ସିସିଟିଭି ବ୍ୟବସ୍ଥା, ସରକାର ସମ୍ବେଦନଶୀଳ ନାହାନ୍ତି'
ମାନବାଧିକାର କର୍ମୀ ଜୟନ୍ତ ଦାସ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ପୋଲିସ ଅତ୍ୟାଚାର (Police atrocity) ମାମଲା ବଢ଼ିଚାଲିଛି। ଏହା ବଡ଼ ଚିନ୍ତାର ବିଷୟ। ଏ ସମ୍ପର୍କରେ ଜାତୀୟ ମାନବାଧିକାର କମିଶନ ମଧ୍ୟ ହସ୍ତକ୍ଷେପ କରୁଛନ୍ତି। କୌଣସି ଥାନାରେ ସିସିଟିଭି ବ୍ୟବସ୍ଥା ଠିକ ଭାବେ ନରହିବା ଏହାର ମୁଖ୍ୟ କାରଣ। ଏନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ମଧ୍ୟ ରହିଛି। ଥାନାର ସବୁ ସ୍ଥାନରେ ସିସିଟିଭି କ୍ୟାମେରା ରହିବ। ତଥ୍ୟ ୬ ମାସରୁ ବର୍ଷେ ପର୍ଯ୍ୟନ୍ତ ରହିବ। ପୋଲିସର ଅତ୍ୟାଚାର ବଢୁଥିବା ବେଳେ ସରକାର ସମ୍ବେଦନଶୀଳ ନାହାନ୍ତି। ପୋଲିସ ଅତ୍ୟାଚାର ଧନୀ ବ୍ୟକ୍ତି କିମ୍ବା ଉଚ୍ଚପଦସ୍ତ ଲୋକଙ୍କ କ୍ଷେତ୍ରରେ ହୋଇନଥାଏ। ଅଧିକାଂଶ ସମୟରେ ନ୍ୟାୟ ପାଇଁ ଆସୁଥିବା କିମ୍ବା ଅଭିଯୁକ୍ତ ଥିବା ଗରିବ ଲୋକମାନଙ୍କ ଉପରେ ପୋଲିସ ଅତ୍ୟାଚାର କରିଥାଏ। ଯାହା ଫଳରେ ସେମାନେ ଆତ୍ମହତ୍ୟା କରନ୍ତି କିମ୍ବା ପୋଲିସ ଆକ୍ରମଣରେ ମୃତ୍ୟୁବରଣ କରନ୍ତି। ଓଡ଼ିଶା ଇତିହାସରେ କେବେ ବି ଆଇପିଏସ ଅଧିକାରୀଙ୍କ ବିରୋଧରେ ଏଭଳି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । କେବଳ ନିର୍ଦ୍ଦିଷ୍ଟ ଥାନା କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ନୁହେଁ, ଜିଲ୍ଲା SPଙ୍କ ବିରୋଧରେ ମଧ୍ୟ ଫୌଜଦାରୀ ମାମଲା ହେବା ଉଚିତ୍ ବୋଲି ଜୟନ୍ତ କହିଛନ୍ତି।
ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣା: ଚାରି ଜଣିଆ ଟିମର ତଦନ୍ତ ଆରମ୍ଭ, ରିପୋର୍ଟ ମାଗିଲେ NHRC
ଏହା ମଧ୍ୟ ପଢନ୍ତୁ ନୟାଗଡ଼ ରାଇପୁର ସମବାୟ ସମିତିରେ ଉପସଭାପତିଙ୍କୁ ଆକ୍ରମଣ ଘଟଣାରେ ଆକ୍ସନ ମୋଡରେ ପୋଲିସ

