ETV Bharat / state

ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟସ୍ତରୀୟ 'ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬'; ଉପକୂଳ ସୁରକ୍ଷାର ପ୍ରମୁଖ ଚ୍ୟାଲେଞ୍ଜ ଉପରେ ବିସ୍ତୃତ ଆଲୋଚନା

ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଆଜି (ଗୁରୁବାର) ପୋଲିସ ଭବନଠାରେ ରାଜ୍ୟସ୍ତରୀୟ "ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬" ଆୟୋଜିତ । ରିପୋର୍ଟ: ସତ୍ଯଜିତ ରାଉତ

State-level Coastal Security Summit-2026
ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬ (ETV Bharat)
author img

By ETV Bharat Odisha Team

Published : June 4, 2026 at 3:42 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଆଜି (ଗୁରୁବାର) ପୋଲିସ ଭବନଠାରେ ରାଜ୍ୟସ୍ତରୀୟ "ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬" ଆୟୋଜିତ ହୋଇଯାଇଛି । "ଉପକୂଳ ସୁରକ୍ଷା ବ୍ୟବସ୍ଥା: ସମସ୍ୟା, ସମାଧାନ ଓ ଆଗାମୀ ପଦକ୍ଷେପ" ଶୀର୍ଷକକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଉପକୂଳ ସୁରକ୍ଷା ବ୍ୟବସ୍ଥାର ବର୍ତ୍ତମାନ ସ୍ଥିତି, ପ୍ରମୁଖ ଚ୍ୟାଲେଞ୍ଜ, ସମ୍ଭାବ୍ୟ ସମାଧାନ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରାଯାଇଛି ।

ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬ (ETV Bharat)
ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । ଅଭିଭାଷଣରେ ସେ କହିଛନ୍ତି ଯେ, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ । ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଏବଂ ଜନସୁରକ୍ଷା ସହ ଏହା ନିବିଡ଼ ଭାବେ ସମ୍ପୃକ୍ତ । ଓଡ଼ିଶାର ୫୭୪.୭ କିଲୋମିଟର ଦୀର୍ଘ ଉପକୂଳ ଏବଂ ପାରାଦ୍ବୀପ, ଧାମରା ଓ ଗୋପାଳପୁର ଭଳି ପ୍ରମୁଖ ବନ୍ଦରଗୁଡ଼ିକ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଉପକୂଳ ଅଞ୍ଚଳର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ।
Odisha Police State Level Coastal Security Conference 2026
ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬ (ETV Bharat)

ଡିଜିପି ଆହୁରି କହିଛନ୍ତି ଯେ, ଉପକୂଳ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ପୋଲିସ ଗତ କିଛି ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ବର୍ତ୍ତମାନ ଉପକୂଳ ଅଞ୍ଚଳରେ ଥିବା ୧୮ଟି ମେରାଇନ ପୋଲିସ ଥାନାରେ ୭୦୦ରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ଏହାସହ ୧୫ଟି ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍, ୫ଟି ଡ୍ରୋନ୍ ଏବଂ ୫ଟି ଭଡ଼ା ଟ୍ରଲର ମାଧ୍ୟମରେ ସାମୁଦ୍ରିକ ପାଟ୍ରୋଲିଂକୁ ସୁଦୃଢ଼ କରାଯାଇଛି । ଭୁବନେଶ୍ୱରରେ ଅବସ୍ଥାପିତ ଥିବା କମାଣ୍ଡ, କଣ୍ଟ୍ରୋଲ ଓ ଟ୍ରେନିଂ ସେଣ୍ଟର ଉପକୂଳ ସୁରକ୍ଷା କାର୍ଯ୍ୟକଳାପର ସମନ୍ୱୟ ଏବଂ ନିରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି । ସେହିପରି ‘ନାଭାମିତ୍ର’ (NABHAMITRA) ଆପ୍‌ ମାଧ୍ୟମରେ ମାଛଧରା ଡଙ୍ଗାଗୁଡ଼ିକର ଗତିବିଧି ଉପରେ ନଜର ରଖାଯାଉଛି ଏବଂ ଅବସରପ୍ରାପ୍ତ ନୌସେନା ଓ ତଟରକ୍ଷୀ ବାହିନୀର ଅଧିକାରୀମାନଙ୍କ ସେବାକୁ ମଧ୍ୟ ଏହି ବ୍ୟବସ୍ଥାରେ ସାମିଲ କରାଯାଇଛି ।

ସେ ଆହୁରି ସୂଚନା ଦେଇଛନ୍ତି ଯେ, ଆଗାମୀ ଦିନରେ ଉପକୂଳ ସୁରକ୍ଷାକୁ ଅଧିକ ଆଧୁନିକ ଓ ପ୍ରଭାବଶାଳୀ କରିବା ପାଇଁ ୧୦ଟି ନୂତନ ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍, ଅତିରିକ୍ତ ଟ୍ରଲର, ମିନି କଣ୍ଟ୍ରୋଲ ସେଣ୍ଟର, ମାଛଧରା ବନ୍ଦର ଏବଂ ଫିଶ୍ ଲ୍ୟାଣ୍ଡିଂ ସେଣ୍ଟରଗୁଡ଼ିକରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା, ମଡ୍ୟୁଲାର ଜେଟି ଏବଂ ଆଧୁନିକ ଆଣ୍ଟି-ଡ୍ରୋନ୍ ପ୍ରଣାଳୀ ସ୍ଥାପନ କରାଯିବ । ଉପକୂଳ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ବିଭିନ୍ନ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ, ଆଧୁନିକ ପ୍ରଯୁକ୍ତିର ଦକ୍ଷ ବ୍ୟବହାର ଏବଂ ମତ୍ସ୍ୟଜୀବୀ ସମୁଦାୟଙ୍କ ସକ୍ରିୟ ସହଯୋଗ ଅତ୍ୟନ୍ତ ଆବଶ୍ୟକ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏଡିଜି (ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା ସ୍ୱାଗତ ଅଭିଭାଷଣ ଦେଇ ସମ୍ମିଳନୀର ଉଦ୍ଦେଶ୍ୟ, ସମୁଦ୍ର ଏବଂ ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ସମ୍ବେଦନଶୀଳ ସ୍ଥାନଗୁଡ଼ିକର ଚିହ୍ନଟ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଡିଜିପି( କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଏଆଇଜି( ଉପକୂଳ ସୁରକ୍ଷା) ସତ୍ୟଜିତ ମିଶ୍ର ଧନ୍ୟବାଦ ଦେଇଥିଲେ । ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁରକ୍ଷା ଏବଂ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗଦେଇଥିଲେ ।

Odisha Police State Level Coastal Security Conference 2026
ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬ (ETV Bharat)
ପୂର୍ବାହ୍ନ ଅଧିବେଶନରେ ଗୃହ ମନ୍ତ୍ରଣାଳୟ, ନୂଆଦିଲ୍ଲୀର କୋଷ୍ଟାଲ୍ ସିକ୍ୟୁରିଟି ଏବଂ ବର୍ଡର ମ୍ୟାନେଜମେଣ୍ଟ ବିଭାଗର କମାଣ୍ଡାଣ୍ଟ ଉଦୟ କୁମାର ଚୌଧୁରୀ ଭାରତର ଉପକୂଳ ସୁରକ୍ଷା ବ୍ୟବସ୍ଥାର ବର୍ତ୍ତମାନ ସ୍ଥିତି ଓ ନୀତିଗତ ଦିଗ ଉପରେ ଆଲୋଚନା କରିଥିଲେ । ସେହିପରି ଇଣ୍ଟେଲିଜେନ୍ସ ବ୍ୟୁରୋର ଯୁଗ୍ମ ଉପ-ନିର୍ଦ୍ଦେଶକ ମନୀଷ କୁମାର ବର୍ମା ଉପକୂଳ ସୁରକ୍ଷା କ୍ଷେତ୍ରର ପ୍ରମୁଖ ଚ୍ୟାଲେଞ୍ଜ ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ମତବ୍ୟକ୍ତ କରିଥିଲେ ।ଅପରାହ୍ନ ଅଧିବେଶନରେ ଭାରତୀୟ ତଟରକ୍ଷୀ ବାହିନୀର ପୂର୍ବ-ଉତ୍ତର ଆଞ୍ଚଳିକ ମୁଖ୍ୟାଳୟର ଡିଆଇଜି ଏବଂ ଚିଫ୍ ଷ୍ଟାଫ୍ ଅଫିସର ପଙ୍କଜ ବର୍ମା ଆଧୁନିକ ପ୍ରଯୁକ୍ତି ଓ ଇଲେକ୍ଟ୍ରୋନିକ୍ ନିରୀକ୍ଷଣ ପ୍ରଣାଳୀ ମାଧ୍ୟମରେ ଉପକୂଳ ସୁରକ୍ଷାକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ, ସେ ସମ୍ପର୍କରେ ଆଲୋଚନା କରିଥିଲେ । ସିଆଇଏସଏଫ୍‌, କୋଚିର ଉପ-କମାଣ୍ଡାଣ୍ଟ ସିଦ୍ଧାର୍ଥ ପଲ ବନ୍ଦର ଏବଂ ଏସ୍‌ପିଏମ୍ ସୁରକ୍ଷା ସମ୍ବନ୍ଧୀୟ ବିପଦ ଓ ପରିଚାଳନାଗତ ଚ୍ୟାଲେଞ୍ଜ ଉପରେ ଆଲୋକପାତ କରିଥିଲେ । କେରଳ ପୋଲିସର ଇନ୍ସପେକ୍ଟର ଭିବିନ ମତ୍ସ୍ୟଜୀବୀ ସମୁଦାୟଙ୍କୁ ଉପକୂଳ ସୁରକ୍ଷା ବ୍ୟବସ୍ଥାରେ ସାମିଲ କରିବା ସମ୍ବନ୍ଧୀୟ କେରଳ ରାଜ୍ୟର ଅନୁଭୂତି ଏବଂ ସଫଳ ଅଭ୍ୟାସଗୁଡ଼ିକ ଉପସ୍ଥାପନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...

ଜଗନ୍ନାଥ ଧାମରେ ବଢୁଛି ଅପରାଧ ସଂଖ୍ୟା ! ଚିନ୍ତାରେ ଜନତା, ଆକ୍ସନ ମୋଡରେ ପୁରୀ ପୋଲିସ

କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା; OHRCଙ୍କୁ ଭେଟିଲା ବିଜେଡି, କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି

ସୁଧୁରୁନି ପୋଲିସ ବ୍ୟବସ୍ଥା; ଥାନା ହାଜତରେ ବଢୁଛି ନିର୍ଯାତନା, ଫାଇଲ ତଳେ ଚାପି ହୋଇଯାଉଛି ଅନେକ ଘଟଣା

ଇଟିଭି ଭାରତ, ଭୁବନେଶ୍ବର