ଫେବୃଆରୀରେ ସବୁ ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର, ବିରୋଧରେ ମନ୍ତ୍ରୀଙ୍କ ବାସଭବନ ଘେରିଲା ନବ ନିର୍ମାଣ ଛାତ୍ର ସଂଘଠନ
ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଘୋଷଣା ପ୍ରଦୂଷଣ ସାର୍ଟିଫିକେଟ୍ ମିଳିଲେ ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର । ମନ୍ତ୍ରୀଙ୍କ ବାସଭବନ ଘେରାଓ କଲା ନବ ନିର୍ମାଣ ଛାତ୍ର ସଙ୍ଘଠନ ।

Published : December 27, 2025 at 8:08 PM IST
Green Sticker ଭୁବନେଶ୍ବର: ରାଜ୍ୟ ପରିବହନ ବିଭାଗ ପ୍ରତ୍ୟେକ ଯାନବାହନ ପାଇଁ ପ୍ରଦୂଷଣ ସାର୍ଟିଫିକେଟ ବାଧ୍ୟତାମୂଳକ କରିଛି । ବିଭାଗର ଏଭଳି ଆଭିମୁଖ୍ୟକୁ ବିରୋଧ କରି ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ୟୁନିଟ ୬ ସ୍ଥିତ ସରକାରୀ ବାସଭବନ ଘେରାଓ କରିଛି ନବ ନିର୍ମାଣ ଛାତ୍ର ସଂଗଠନ । ସେପଟେ ପ୍ରଦୂଷଣ ପ୍ରମାଣପତ୍ର ଥିବା ଗାଡିରେ ଲାଗିବ ଗ୍ରୀନ ଷ୍ଟିକର । PUC ସାର୍ଟିଫିକେଟ ନଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରିବହନ ବିଭାଗ ଗ୍ରୀନ ଷ୍ଟିକର ଯୋଗାଇ ଦେବ । ଏହାସହ 2019ରୁ ବର୍ଦ୍ଧିତ ଫାଇନ୍ର ହାର ମଧ୍ୟ କମାଇବାକୁ ସରକାର ତର୍ଜମା କରୁଥିବା ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ।
ନବ ନିର୍ମାଣ ଛାତ୍ର ସଂଗଠନର ପ୍ରତିବାଦ:
ଏହି ନିୟମକୁ କୋହଳ କରିବାକୁ ଛାତ୍ର ସଂଗଠନ ପକ୍ଷରୁ ଦାବି କରାଯାଇଛି । ପ୍ରଦୂଷଣ ସାର୍ଟିଫିକେଟକୁ ନେଇ ଲୋକେ ହଇରାଣ ହେଉଛନ୍ତି, ନିୟମ ନାଁରେ ଜନସାଧାରଣଙ୍କ ଉପରେ ଅତ୍ୟାଚାର କରାଯାଉଥୁବା ଅଭିଯୋଗ ଆଣି ନବ ନିର୍ମାଣ ଛାତ୍ର ସଙ୍ଘଠନ ମନ୍ତ୍ରୀଙ୍କ ବାସଭବନ ଘେରାଓ କରିଛି । ପ୍ରଦୂଷଣ ପାଇଁ ବିଭିନ୍ନ ଶିଳ୍ପ, ନିର୍ମାଣ ସାଇଟ ଦାୟୀ ଥିବା ବେଳେ ତାଙ୍କ ଠାରୁ ଫାଇନ ଆଦାୟ ନ କରି କେବଳ ଜନସାଧାରଣଙ୍କୁ ଲୁଟୁଥିବା ଅଭିଯୋଗ କରିଛି ସଙ୍ଘଠନ । ଆଜି ଏହି ପ୍ରସଙ୍ଗକୁ ନେଇ, ନିଜ ହାତକୁ ଗମୁଛାରେ ବାନ୍ଧି ଶାନ୍ତି ସହ ମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଆସିଥିବା ବେଳେ ପୋଲିସ ଅଟକେଇ ସମସ୍ତ ଆନ୍ଦୋଳନକାରୀଙ୍କଙ୍କୁ ଉଠେଇ ନେଇଛି ।

ନବ ନିର୍ମାଣ ଛାତ୍ର ସଙ୍ଘଠନ ସଭାପତି ମନ୍ବର ଅଲ୍ଲୀ କହିଛନ୍ତି, "ପ୍ରଦୂଷଣ ନିୟନ୍ତ୍ରଣ ନାଁରେ ଅତ୍ଯାଚାରା ଚାଲିଛି । ବିକାଶ ନାଁରେ ହଜାର ହଜାର ଏକର ଜଙ୍ଗଲ କଟାଯାଉଛି । କମ୍ପାନୀମାନେ ବିଷାକ୍ତ ପାଣି ଛାଡୁଛନ୍ତି, ଏସବୁ ପ୍ରଦୂଷଣ ହେବାର ମୁଖ୍ୟ କାରଣ । ପ୍ରଦୂଷଣ କରିବା ପାଇଁ ସରକାର କମ୍ପାନୀମାନଙ୍କୁ ଅନୁମତି ଦେଉଛନ୍ତି । କିନ୍ତୁ ସାଧାରଣ ଲୋକଙ୍କ ରକ୍ତ ଶୋଷିବା ପାଇଁ ଆସିଛନ୍ତି । ଏହାକୁ ନବନିର୍ମାଣ ଛାତ୍ର ସଂଗଠନ ବିରୋଧ କରୁଛି ।"

ସେପଟେ ପରିବହନ ମନ୍ତ୍ରୀ ବିଭୁତି ଜେନା କହିଛନ୍ତି, "ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି । ଯଦି ସେମାନଙ୍କ ମନରେ କିଛି ଅଭିଯୋଗ ତେବେ ସେମାନେ ଚାହିଁଲେ ମୋ ସହ ଆଲୋଚନା କରିପାରିବେ । ଲୋକଙ୍କ ସୁବିଧା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । କାହାର ଅସୁବିଧା ପାଇଁ ନୁହଁ ।"

ଗାଡିରେ ଲାଗିବ ଗ୍ରୀନ୍ ଷ୍ଟିକର:
ସେପଟେ ରାଜ୍ୟ ସରକାର ଫାଇନ ଆଦାୟ କରିବା ସପକ୍ଷରେ ନାହାଁନ୍ତି । ମୋଟର ଭେଇକିଲ ଆକ୍ଟ ଅନୁଯାୟୀ, ଗାଡ଼ିର ସବୁପ୍ରକାର ପ୍ରମାଣପତ୍ର ରହିବ କଥା । ଏସବୁ ଦରକାର । ସଡ଼କ ସୁରକ୍ଷା ମାସ ଆସୁଥିବାରୁ ପ୍ରଦୂଷଣ ସାର୍ଟିଫିକେଟ କୋହଳ କରାଯାଇଛି । ଯାହାର ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତାହା ଉପରେ କାର୍ଯ୍ୟନୁଷ୍ଠାନ ହେବ । 2019ରେ ଯେଉଁ ଫାଇନ ବଢ଼ାଯାଇଛି, ତାକୁ ଆମେ କୋହଳ କରିବା ପାଇଁ ତର୍ଜମା କରିବୁ । ନୂଆଗଡିକୁ ବି ପ୍ରଦୂଷଣ ପ୍ରମାଣପତ୍ର ମିଳୁଛି ପୁରୁଣାକୁ ବି ପ୍ରଦୂଷଣ ପ୍ରମାଣପତ୍ର ମିଳୁଛି ବୋଲି ଯେଉଁ ଅଭିଯୋଗ ହେଉଛି ଯାହାର ତର୍ଜମା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଆସନ୍ତା ଫେବୃୟାରୀ ମାସରୁ ଗାଡ଼ିରେ ଗ୍ରୀନ ଷ୍ଟିକର ଲାଗିବ ।
ଏହା ମଧ୍ୟ ପଢ଼ନ୍ତୁ... PUCC ନଥିଲେ ଜରିମାନା ସହ କଟାଯିବ ଚାଲାଣ: ପରିବହନ ମନ୍ତ୍ରୀ ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି: ଫେବୃଆରୀ 1 ପର୍ଯ୍ୟନ୍ତ ବଢିଲା PUCC ଅବଧି |
ରିବହନ ମନ୍ତ୍ରୀ ବିଭୁତି ଜେନା କହିଛନ୍ତି, "ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ସଡ଼କ ସୁରକ୍ଷା ଏବଂ ପରିବେଶଗତ ଅନୁପାଳନକୁ ସୁଦୃଢ଼ କରିବା । ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବା ଯାନଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେଣୁ ଓଡିଶା ପରିବହନ ବିଭାଗ ଫେବୃଆରୀ ମାସରୁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ଥିବା ଯାନଗୁଡ଼ିକ ପାଇଁ ସବୁଜ ଷ୍ଟିକର ବାଧ୍ୟତାମୂଳକ କରିବାକୁ ଯୋଜନା କରୁଛନ୍ତି ।"
ସବୁଜ ଷ୍ଟିକର
- ବୈଧ PUCC ଥିବା ଯାନଗୁଡ଼ିକ ପାଇଁ ସବୁଜ ଷ୍ଟିକର ବାଧ୍ୟତାମୂଳକ କରାଯାଇଛି ।
- ପରିବହନ ବିଭାଗ ସିଧାସଳଖ ଯାନବାହାନ ମାଲିକମାନଙ୍କୁ ସବୁଜ ଷ୍ଟିକର ଯୋଗାଇବ ।
- ଏହି ପଦକ୍ଷେପ ଓଡ଼ିଶାରେ ବାୟୁ ଗୁଣବତ୍ତା ଏବଂ ସଡ଼କ ସୁରକ୍ଷାକୁ ଉନ୍ନତ କରିବ ବୋଲି ଆଶା କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର

