ଆକାଶରୁ ଖସୁଛି ମୃତ୍ୟୁ; 8 ବର୍ଷରେ ବଜ୍ରପାତ ନେଲାଣି 2516 ଜୀବନ, ବିଶେଷଜ୍ଞ କହିଲେ ଲୋକଙ୍କୁ ବଦଳାଇବାକୁ ପଡ଼ିବ ଆଚରଣ
ଓଡ଼ିଶା ପାଇଁ ବଡ଼ ବିପଦ ବଜ୍ରପାତ ! 2019-20ରେ ରାଜ୍ୟରେ ସର୍ବାଧିକ 351 ଜଣଙ୍କର ମୃତ୍ୟୁ । ଗ୍ରାମାଞ୍ଚଳରେ 96% ମୃତ୍ୟୁ ହାର । ରିପୋର୍ଟ- ବିକାଶ କୁମାର ଦାସ

Published : August 30, 2026 at 10:48 PM IST
ଭୁବନେଶ୍ବର: ଓଡ଼ିଶା ପାଇଁ ବଜ୍ରାଘାତ ପୁଣି ଥରେ ବଡ଼ ବିପଦର ସଙ୍କେତ ଦେଇଛି । ରାଜ୍ୟରେ ଗତ 8 ବର୍ଷ ମଧ୍ୟରେ ବଜ୍ରାଘାତ ଯୋଗୁଁ 2516 ଜଣଙ୍କ ଜୀବନ ଯାଇଛି । ଅର୍ଥାତ୍ ପ୍ରତିବର୍ଷ ହାରାହାରି 314.5 ଜଣ ଏବଂ ପ୍ରତିଦିନ ହାରାହାରି ଜଣେରୁ ଅଧିକ ଲୋକ ବଜ୍ରାଘାତର ଶିକାର ହୋଇଛନ୍ତି । ଦୁଇଟି ରାଜ୍ୟସ୍ତରୀୟ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଅଧ୍ୟୟନରେ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି...
2005-06ରୁ 2022-23 ପର୍ଯ୍ୟନ୍ତ ଓଡ଼ିଶାର 30ଟି ଜିଲ୍ଲାର ବଜ୍ରପାତ ମୃତ୍ୟୁହାରକୁ ନେଇ ଏହି ଅଧ୍ୟୟନ କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜିଲ୍ଲାୱାରୀ ତଥ୍ୟ ବିଶ୍ଳେଷଣ କରିଛନ୍ତି । ଅଧ୍ୟୟନ ଅନୁସାରେ 30ଟି ଜିଲ୍ଲା ମଧ୍ୟରୁ 12ଟି ଜିଲ୍ଲାରେ ରାଜ୍ୟର ହାରାହାରି ବାର୍ଷିକ 11 ମୃତ୍ୟୁଠାରୁ ଅଧିକ ମୃତ୍ୟୁ ରେକର୍ଡ ହୋଇଛି ।

2019-20ରେ ସର୍ବାଧିକ ମୃତ୍ୟୁ:
ବର୍ଷକୁ ବର୍ଷ ବଜ୍ରପାତ ମୃତ୍ୟୁରେ ବେଶ୍ ଉତ୍ଥାନ-ପତନ ଦେଖାଯାଇଛି । 2006-07 ରେ 204 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏହା ବୃଦ୍ଧି ପାଇ 2017-18 ରେ 465ରେ ପହଞ୍ଚିଥିଲା । ଏହା ଅଧ୍ୟୟନ ଅବଧିରେ ସର୍ବାଧିକ ମୃତ୍ୟୁ । ତେବେ 2018-19ରେ 332 , 2019-20 ରେ 351, 2020-21 ରେ 291 ଏବଂ 2021-22ରେ 281 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2022-23 ରେ 291 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଭାବରେ 2023-24ରେ ମୃତ୍ୟୁ ସଂଖ୍ୟା 266 ରହିଥିବା ବେଳେ 2024-25ରେ 239 ଜଣଙ୍କର ମୃତ୍ୟୁ ଘଟିଛି । ତେବେ 8-9 ବର୍ଷରେ ବାର୍ଷିକ ମୃତ୍ୟୁ ସଂଖ୍ୟା 300 ହାରାହାରିକୁ ଅତିକ୍ରମ କରୁଛି । ତେବେ ଗତ 8 ବର୍ଷରେ ରାଜ୍ୟରେ ମୋଟ ବଜ୍ରପାତ ଜନିତମୃତ୍ୟୁ ସଂଖ୍ୟା ଅଢେଇ ହଜାରରେ ପହଞ୍ଚିଛି ।
ରାଜ୍ୟରେ କେବେ ଓ କେଉଁ ଜିଲ୍ଲା ଗୁଡିକରେ ସର୍ବାଧିକ ମୃତ୍ୟୁ:
1) 2019-20 ରେ ରାଜ୍ୟରେ 351 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେଥିମଧ୍ୟରୁ ସର୍ବାଧିକ ମୟୂରଭଞ୍ଜ 28 ରେ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ସେହିପରି ଭାବରେ ଗଞ୍ଜାମ 27 ଜଣ, କେନ୍ଧୁଝର 21, ନବରଙ୍ଗପୁର 23, କୋରାପୁଟ 20 ଜଣ ମୃତ୍ୟୁବରଣ କରିଛନ୍ତି ।
2) ସେହିପରି ଭାବରେ 2020-21 ମସିହାରେ ରାଜ୍ୟରେ 291 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେଥିମଧ୍ୟରୁ ସର୍ବାଧିକ ମୃତ୍ୟୁ ସଂଖ୍ୟା ମୟୂରଭଞ୍ଜ ଜିଲ୍ଲାରେ 33, କେନ୍ଦୁଝର ଓ ଗଜପତିରେ 26, ନବରଙ୍ଗପୁର ଓ ରାୟଗଡାରେ 11, ସୁନ୍ଦରଗଡରେ 14, ବାଲେଶ୍ୱରରେ 21 ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି ।
3) 2021-22 ମସିହାରେ ରାଜ୍ୟରେ 281 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେଥିମଧ୍ୟରୁ ସର୍ବାଧିକ କେନ୍ଦୁଝର ଓ ଗଜପତି ଜିଲ୍ଲାରେ 26 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୟୂରଭଞ୍ଜରେ 18, ରାୟଗଡାରେ 12, କୋରାପୁଟରେ 16, କଟକରେ 18, ଢେଙ୍କାନାଳରେ 13, ବରଗଡରେ 15 ଜଣଙ୍କର ବଜ୍ରପାତ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି ।

4) 2022-23 ମସିହାରେ ରାଜ୍ୟରେ 291 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେଥିମଧ୍ୟରୁ ସର୍ବାଧିକ ମୃତ୍ୟୁ ସଂଖ୍ୟା ରହିଛି ମୟୂରଭଞ୍ଜରେ 32, ସେହିପରି କେନ୍ଦୁଝରରେ 20, ଗଞ୍ଜାମରେ 18, ବାଲେଶ୍ୱରରେ 20, ବଲାଙ୍ଗୀରରେ 18 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
5) 2023-24 ମସିହାରେ ରାଜ୍ୟରେ 266 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେଥିମଧ୍ୟରୁ ସର୍ବାଧିକ ବାଲେଶ୍ୱରରେ 24 ମୃତ୍ୟୁ ସଂଖ୍ୟା ରହିଥିବା ବେଳେ ମୟୂରଭଞ୍ଜରେ 21, ଗଞ୍ଜାମରେ 16, କଟକରେ 15, ଭଦ୍ରକରେ 14, କେନ୍ଦୁଝର ଓ କୋରାପୁଟରେ 10 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
6) 2024-25 ମସିହାରେ ରାଜ୍ୟରେ 239 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେଥିମଧ୍ୟରୁ ସର୍ବାଧିକ ବାଲେଶ୍ୱରରେ 22 ଓ ମୟୂରଭଞ୍ଜରେ 21 ଜଣଙ୍କର ମୃତ୍ୟୁ ଘଟିଛି ସେହିପରି ଭାବରେ କେନ୍ଦୁଝରରେ 14, କେନ୍ଦ୍ରାପଡ଼ାରେ 16, ଯାଜପୁରରେ 17, ଗଞ୍ଜାମରେ 19 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

3 ହଜାର ଲକ୍ଷ ଭୋଲ୍ଟର କରେଣ୍ଟ୍:
ଥରେ ଲାଇଟିଂ ହେଲେ ସେଥିରୁ 3 ହଜାର ଲକ୍ଷ ଭୋଲ୍ଟର ସିଧାସଳଖ ଭାବରେ ଇଲେକ୍ଟ୍ରି କରେଣ୍ଟ୍ ଆକାଶରୁ ଭୂମିକୁ ଆସୁଛି । ଫଳରେ ଏହି ବିଜୁଳି ସମ୍ମୁଖରେ ଯିଏ ରହୁଛି ଅର୍ଥାତ୍ ମଣିଷ ହେଉ ବା ଗାଈ ଗୋରୁ ହୁଅନ୍ତୁ, ସେମାନଙ୍କ ଦୁଇ ଗୋଡ ମଧ୍ୟରରେ ପଶି ଏକ ପ୍ରକାରର କରେଣ୍ଟ ସୃଷ୍ଟି କରୁଛି । ଯାହାଫଳରେ ମୃତ୍ୟୁ ହେବାର ସମ୍ଭାବନ ରହିଛି । ତେବେ ବଜ୍ରାଘାତ ହେଉଛି ଏକ ବଡ ଧରଣର ଇଲେକ୍ଟ୍ରି ସକ୍ ।
ବଜ୍ରପାତକୁ ବନେଇବାରେ ଦୁଇଟି ଜିନିଷ ଆବଶ୍ୟକ । ଗୋଟିଏ ତାପମାତ୍ର ଅନ୍ୟଟି ଆଦ୍ରତା । ସାଧାରଣ ଭାବରେ 3 ପ୍ରକାରର ବଜ୍ରପାତ ହେଉଛି । ଗୋଟିଏ ମନସୁନ, ପ୍ରି ମନସୁନ ଓ ଅନ୍ୟଟି ପୋଷ୍ଟ ମନସୁନ । ପ୍ରି ମନସୁନରେ ମାର୍ଚ୍ଚ, ଏପ୍ରିଲ, ମଇ ମାସରେ ଯେଉଁ ମାସରେ କାଳବୈଶାଖ ହେଉଛି ।
ବଜ୍ରପାତ ହେଉଛି ଦୁଇ ପ୍ରକାରର:
1) ବାଦଲରୁ ବାଦଲ ବଜ୍ରପାତ
2) ବାଦଲରୁ ପୃଥିବୀକୁ ଆସୁଥିବା ବିଜୁଳି
ଅନେକ ସମୟରେ ବାଦଲରୁ ବାଦଲ ବଜ୍ରପାତ ଦେଖାଯିଥାଏ (85 ପ୍ରତିଶତ) । ଯାହାକୁ ଆମେ କହିଥାଉ ଆକାଶୀୟ ବିଜୁଳି । ଯାହା ଏତେ ମାତ୍ରାରେ ବିପଦପୂର୍ଣ୍ଣ ନୁହେଁ । କିନ୍ତୁ ବାଦଲରୁ ପୃଥିବୀକୁ ଆସୁଥିବା କରେଣ୍ଟ୍ ବହୁତ ବିପଦପୂର୍ଣ୍ଣ ଅଟେ । ଏହା ୧୦-୧୫ ପ୍ରତିଶତ ଭଳି ଦେଖାଯାଇଥାଏ ।
ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ କେନ୍ଦୁଝରରେ ସର୍ବାଧିକ ବଜ୍ରପାତ:
ବିଶେଷ କରି ସର୍ବାଧିକ ବଜ୍ରପାତ ହେଉଥିବା ଜିଲ୍ଲାଗୁଡିକ ହେଉଛି ମୟୂରଭଞ୍ଜ, ସୁନ୍ଦରଗଡ ଓ କେନ୍ଦୁଝର । ଏହି 3ଟି ଜିଲ୍ଲା ଗୁଡିକରେ ଅଧିକ ମାତ୍ରାରେ ବଜ୍ରପାତ ହେଉଛି । କିନ୍ତୁ ବଜ୍ରପାତରେ ମୃତ୍ୟୁ ହେଉଥିବା ଜିଲ୍ଲାଗୁଡିକ ହେଉଛି ପ୍ରଥମେ ମୟୂରଭଞ୍ଜ , ଦ୍ୱିତୀୟରେ ଗଞ୍ଜାମ ଓ ତୃତୀୟରେ କେନ୍ଦୁଝର ସମେତ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ସର୍ବାଧିକ ଭାବରେ ମୃତ୍ୟୁ ହେବାର ନଜର ରହିଛି ।

96% ମୃତ୍ୟୁ ଗ୍ରାମାଞ୍ଚଳରେ:
ଗବେଷଣାରୁ ଜଣାପଡିଛି ଯେ, ପାଖାପାଖି 96 ପ୍ରତିଶତ ଗ୍ରାମାଞ୍ଚଳରେ ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ବାକି 4 ପ୍ରତିଶତ ସହରାଞ୍ଚଳରେ ମୃତ୍ୟୁ ହେବାର ଦେଖାଯାଇଛି ।
ସବୁଠାରୁ ଅଧିକ ମୃତ୍ୟୁ ଚାଷୀ:
ମନସୁନରେ ବଜ୍ରପାତ ଦ୍ୱାରା ଅଧିକ ଚାଷୀଙ୍କ ମୃତ୍ୟୁ ଘଟୁଛି । ଦ୍ୱିତୀୟରେ ଯେଉଁମାନେ ଗାଈ ଗୋରୁ ଚରାଉଥିବା ଖାଲି ପଡ଼ିଆ ବା କୌଣସି ଗଛ ମୂଳରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି । ତୃତୀୟରେ ଖୋଲା ସ୍ଥାନରେ ଶ୍ରମିକମାନେ କାମ କରୁଥିବା ସମୟରେ ଅଧିକ ମୃତ୍ୟୁ ଘଟୁଥିବା ବେଳେ ଯେଉଁମାନେ ଅଫିସରେ ଥିବା ବ୍ୟକ୍ତିମାନେ କମ ମୃତ୍ୟୁବରଣ କରୁଛନ୍ତି ।
ସ୍ଥାନ - କାଳ - ପାତ୍ରକୁ ଗୁରୁତ୍ୱ :
ଏନେଇ ବୈଜ୍ଞାନିକ ମନରଞ୍ଜନ ମିଶ୍ର କହିଛନ୍ତି ଯେ, ଗବେଷଣାରୁ ଜଣାପଡିଛି ଯେ, ବଜ୍ରପାତରୁ ମୁକ୍ତି ପାଇବା ପାଇଁ ତିନୋଟି ଜିନିଷ ଉପରେ ଗୁରୁତ୍ୱ ଦିଆଯାଉଛି । ଯଥା ସ୍ଥାନ, କାଳ, ପାତ୍ର । ଏହି ତିନୋଟିକୁ ଗୁରୁତ୍ୱ ଦେବା ଆବଶ୍ୟକ ।
ସ୍ଥାନ:
କେଉଁ ସ୍ଥାନରେ ରହିଲେ ଜଣେ ବ୍ୟକ୍ତି ସୁରକ୍ଷିତ ଭାବରେ ରହିପାରିବ ଓ କେଉଁ ସ୍ଥାନରେ ରହିଲେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇପାରିବ ? ଗୋଟିଏ ଘରେ ମଧ୍ୟରେ ଓ ଦ୍ୱିତୀୟରେ ଘର ବାହାରେ ଅର୍ଥାତ୍ ଖୋଲା ସ୍ଥାନ । ଯଦି ଜଣେ ବ୍ୟକ୍ତିଙ୍କର ପକ୍କା ଘର ରାହିଛି ତେବେ 99 ପ୍ରତିଶତ ବଜ୍ରପାତରୁ ସୁରକ୍ଷିତ ରହିପାରିବେ । ଯଦି ଜଣେ ବ୍ୟକ୍ତିଙ୍କ ଆଜବେଷ୍ଟ ଘର କିମ୍ବା ଇଟା ଘର ରହିଥିବ । ତାଙ୍କର ସେଠାରେ ମୃତ୍ୟୁ ସଂଖ୍ୟା ବହୁତ କାମ କିନ୍ତୁ ଅଧିକ ମାତ୍ରାରେ ଗୁରୁତର ହେବାର ସମ୍ଭାବନା ରହିଛି । କିନ୍ତୁ ମାଟି ଘରେ ବଜ୍ରପାତ ଦ୍ୱରା ଅଧିକରୁ ଅଧିକ ମୃତ୍ୟୁ ହେଉଥିଉବା ଗବେଷଣାରୁ ଜଣାପଡିଛି । ତେବେ ଏହା ଛଡା ଗଛ ତଳେ କିମ୍ବା ପାଣି ମଧ୍ୟରେ ଅଧିକ ମୃତ୍ୟୁ ଦେଖାଯାଇଥାଏ । ବିଜୁଳି ମାରିବାରେ ଏହି ଦୁଇଟି ସ୍ଥାନ ହେଉଛି ସବୁଠାରୁ ବିପଦପୂର୍ଣ୍ଣ ଅଟେ ।
କାଳ:

ଆମର ବିଜୁଳି ମାରିବାର 80ରୁ 85 ପ୍ରତିଶତ ସମୟ ହେଉଛି ଦିନ 12 ଟାରୁ ରାତି 12ଟା ପର୍ଯ୍ୟନ୍ତ । କିନ୍ତୁ ମୃତ୍ୟୁ ହେବାର ସମୟ ହେଉଛି ଦିନ 2ଟାରୁ ରାତି 7 ଟା । ଯେଉଁମାନେ କାମ କରୁଛନ୍ତି ଖୋଲା ସ୍ଥାନରେ ସେମାନେ ସକାଳ 5ରୁ 12ଟା ମଧ୍ୟରେ କାମ ସାରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ମନରଞ୍ଜନ ମିଶ୍ର ।
କେଉଁ ରାଜ୍ୟରେ କେତେ ବିଜୁଳି ଦ୍ୱାରା ମୃତ୍ୟୁ ସଂଖ୍ୟା:
ଭାରତରେ ବର୍ଷକୁ 2800-3500 ଲୋକ ମୃତ୍ୟୁ ହେଉଛନ୍ତି । ଦେଶରେ ପଶ୍ଚିମବଙ୍ଗରେ ରାତି ସମୟରେ ଅଧିକାଂଶ ବିଜୁଳି ମାରିଥାଏ । ତେଣୁ ସେଠାରେ ମୃତ୍ୟୁ ସଂଖ୍ୟା କମ୍ । ଭାରତରେ ମୃତ୍ୟୁ ସଂଖ୍ୟା ମଧ୍ୟପ୍ରଦେଶରେ ସର୍ବାଧିକ ରହିଥିବା ବେଳେ ଓଡ଼ିଶା 4 ନମ୍ବରେ ରହିଛି । ବର୍ଷକୁ ଓଡ଼ିଶାରେ 287 ମୃତ୍ୟୁ ହେଉଛି । ଓଡ଼ିଶାରେ ଗୋଟିଏ ଗୋଟିଏ ଜିଲ୍ଲାରେ 50 ମୃତ୍ୟୁ ହେଉଛି । ଗୋଟିଏ ଦିନରେ ଯେଉଁ ମୃତ୍ୟୁ ଘଟୁଛି ତାହା ବିହାର ମଧ୍ୟ ପ୍ରଦେଶ ଓ ଉତ୍ତରପ୍ରଦେଶରେ ହେଉଛି ବୋଲି କହିଛନ୍ତି ବୈଜ୍ଞାନିକ ମନରଞ୍ଜନ ମିଶ୍ର ।
ଖଣିଜ ଜିଲ୍ଲାରେ ବଢ଼ୁଛି ବିପଦ:
ଅଧ୍ୟୟନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଖଣିଜ ସମୃଦ୍ଧ ଜିଲ୍ଲାରେ ଅଧିକ ବଜ୍ରପାତ ମୃତ୍ୟୁ ହେଉଥିବା ଜଣାପଡିଛି । ମୟୂରଭଞ୍ଜରେ ବାର୍ଷିକ ହାରାହାରି 32 ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଥିବାବେଳେ କେନ୍ଦୁଝରରେ 21, ସୁନ୍ଦରଗଡ଼ରେ 19 ଏବଂ ଯାଜପୁରରେ 13 ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଉଛି । ତେବେ ଗବେଷକମାନେ ସ୍ପଷ୍ଟ କରିଛନ୍ତି ଯେ ଲୁହା ପଥର କିମ୍ବା ଅନ୍ୟ ଖଣିଜ ସମ୍ପଦ ନିଜେ ବଜ୍ରପାତକୁ ଆକର୍ଷିତ କରେ ବୋଲି ଏହାର ଅର୍ଥ ନୁହେଁ । ଖଣି ଅଞ୍ଚଳର ବିଶାଳ ଖୋଲା ଭୂଭାଗ, ଖୋଲା ପାହାଡ଼ ଶିଖର, ଉଚ୍ଚ ଖଣି ଗଠନ, ଭାରୀ ଯନ୍ତ୍ରପାତି, ବିଦ୍ୟୁତ୍ ତାର ଏବଂ ପ୍ରାକୃତିକ ଆଶ୍ରୟର ଅଭାବ ମଣିଷଙ୍କ ବଜ୍ରପାତ ସଂସ୍ପର୍ଶ ବଢ଼ାଇପାରେ ।

ଏଫଏମ ବିଶ୍ୱବିଦ୍ୟାଳୟର ପ୍ରଫେସର ମନୋରଞ୍ଜନ ମିଶ୍ର କହିଛନ୍ତି ଯେ, ଖଣି ଓ ସମ୍ପୃକ୍ତ ଶିଳ୍ପ କାର୍ଯ୍ୟକଳାପ ସ୍ଥାନୀୟ ଭୂଭାଗ ଓ ଭୂମିପୃଷ୍ଠକୁ ପରିବର୍ତ୍ତନ କରିଥାଏ । ଏହା ଭୂଭାଗ, ବାୟୁମଣ୍ଡଳୀୟ ପରିସ୍ଥିତି ଓ ମାନବ ସଂସ୍ପର୍ଶକୁ ଏକାଠି କରି ବଜ୍ରପାତ ମୃତ୍ୟୁର ବିପଦ ବଢ଼ାଇପାରେ ।
ଜନସଂଖ୍ୟା ଯେତେ ଅଧିକ, ବିପଦ ସେତେ ବେଶୀ :
ଉପକୂଳ ଜିଲ୍ଲାଗୁଡ଼ିକ ମଧ୍ୟ ବଜ୍ରପାତ ବିପଦରୁ ମୁକ୍ତ ନୁହେଁ । ବାଲେଶ୍ୱର, କଟକ ଓ ଗଞ୍ଜାମ ଭଳି ଜିଲ୍ଲାରେ ବାହାରେ କାମ କରୁଥିବା ବହୁ ସଂଖ୍ୟକ ଲୋକ ଥିବାରୁ ସଂସ୍ପର୍ଶ ବଢ଼ୁଛି । କୃଷି, ମାଛଧରା ଓ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟ ସମୟରେ ଲୋକେ ବଜ୍ରପାତ ସମୟରେ ଅସୁରକ୍ଷିତ ଅବସ୍ଥାରେ ରହିଯାଉଛନ୍ତି ।
ମାର୍ଚ୍ଚରୁ ସେପ୍ଟେମ୍ବର ଅଧିକ ସତର୍କତା ଆବଶ୍ୟକ:
ଓଡ଼ିଶାର ଭୌଗୋଳିକ ସ୍ଥିତି, ଋତୁଚକ୍ର ଓ ବଙ୍ଗୋପସାଗରର ପାଣିପାଗଜନିତ ପ୍ରଭାବ ବଜ୍ରପାତ କାର୍ଯ୍ୟକଳାପକୁ ପ୍ରଭାବିତ କରେ । ବିଶେଷକରି ମାର୍ଚ୍ଚରୁ ମଇ ମାସ ପ୍ରାକ୍-ମୌସୁମୀ ଏବଂ ଜୁନ୍ରୁ ସେପ୍ଟେମ୍ବର ମୌସୁମୀ ସମୟରେ ବଜ୍ରପାତର ଆଶଙ୍କା ଅଧିକ ରହିଥାଏ । କେବଳ ସତର୍କବାର୍ତ୍ତା ନୁହେଁ, ବଦଳିଇବାକୁ ପଡ଼ିବ ସମସ୍ତଙ୍କ ଆଚରଣ। ୨୦୧୮ ପରେ ବଜ୍ରପାତ ମୃତ୍ୟୁରେ ହ୍ରାସ ଦେଖାଯାଇଥିଲେ ମଧ୍ୟ ଏହାକୁ ଆହୁରି କମାଇବା ପାଇଁ ଜିଲ୍ଲା ଭିତ୍ତିକ ରଣନୀତି ଆବଶ୍ୟକ ବୋଲି ଗବେଷକମାନେ ମତ ଦେଇଛନ୍ତି । ଏହା ସହିତ ସମ୍ପ୍ରଦାୟସ୍ତରରେ ସଚେତନତା, ବଜ୍ରପାତ-ନିରାପଦ ଆଶ୍ରୟସ୍ଥଳ, ଉନ୍ନତ ଚିକିତ୍ସା ସୁବିଧା, ଭଲ ଯୋଗାଯୋଗ ବ୍ୟବସ୍ଥା ଓ ଦ୍ରୁତ ସହାୟତା ବ୍ୟବସ୍ଥା ମୃତ୍ୟୁହାର କମାଇବାରେ ସହାୟକ ହୋଇପାରେ ।
ତେବେ ଗବେଷକମାନଙ୍କ ମତରେ, ବଜ୍ରପାତ ପୂର୍ବାନୁମାନ ଓ ଆଗୁଆ ସତର୍କ ସୂଚନା ଦେବା ଯେତିକି ଜରୁରୀ, ସେତିକି ଜରୁରୀ ହେଉଛି ସତର୍କବାର୍ତ୍ତା ପାଇବା ପରେ ଲୋକଙ୍କ ଆଚରଣରେ ପରିବର୍ତ୍ତନ କରାଇବା ଅର୍ଥାତ୍ କେବଳ ‘ବଜ୍ରପାତ ଆସୁଛି’ ବୋଲି ସୂଚନା ନୁହେଁ, ବରଂ ‘ବଜ୍ରପାତ ପୂର୍ବରୁ କିପରି ସୁରକ୍ଷିତ ହେବେ’ ଏହାକୁ ନେଇ ଲୋକଙ୍କୁ ଅଧିକ ସଚେତନ କରିବା ହିଁ ମୃତ୍ୟୁ ରୋକିବାର ପ୍ରମୁଖ ଉପାୟ ।

ବଜ୍ରପାତ ରୋକିବ ତାଳ ଗଛ :
ଏପଟେ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି,"ରାଜ୍ୟ ସରକାରଙ୍କ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚୁଛି କିନ୍ତୁ ତାହାକୁ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକ । ଯେଉଁ ସ୍ଥାନରେ ଅଧିକ ବିଜୁଳି ହେବାର ସମ୍ଭାବନା ରହୁଛି ବା ଗବେଷଣାରୁ ଜଣା ପଡୁଛି ସେଠାରେ ତାଳ ଗଛ ବା ବାଉଁଶ ଗଛ ଲଗାଇବା ଆଦି ସରକାର ଧ୍ୟାନ ଦେବା ଆବଶ୍ୟକ ।"
ସେ ଆହୁରି କହିଛନ୍ତି, ବିଜୁଳୀକୁ କିଭଳି ପ୍ରତିହତ କରାଯିବ ସେନେଇ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରିବା ସହିତ ଲୋକଙ୍କ ମୃତ୍ୟୁ ରୋକିବା ପାଇଁ ବ୍ୟବସ୍ଥା କରିବାକୁ ହେବ ।

ବଜ୍ରପାତ ପ୍ରତି ସାବଧାନ:
1) ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କାଘର ଭିତରକୁ ଚାଲି ଆସନ୍ତୁ । ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ ।
2) ଖୋଲା ପଡିଆ ବା କ୍ଷେତରେ ରୁହନ୍ତୁ ନାହିଁ।
3) ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଯାକିଜୁକି ହୋଇ ବସି ଯାଆନ୍ତୁ ।
4) ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରି ଦିଅନ୍ତୁ ।
5) ବିଜୁଳି ମାରୁଥିବା ସମୟରେ ଯଦି ଆପଣ କାର୍, ବସ୍ ବା ଅନ୍ୟ ମୋଟା ଚାଦର ଥିବା ଯାନ ଭିତରେ ଅଛନ୍ତି, ତାହେଲେ ପଦାକୁ ବାହାରନ୍ତୁ ନାହିଁ ।
6) ସାଇଜେଲ ବା ମୋଟର ବାଇକ୍ ଚଲାନ୍ତୁ ନାହିଁ ।
7) ଲୁହା , ଖମ୍ବ, ବିଦ୍ୟୁତ ତାର ଇତ୍ୟାଦି ଠାରୁ ଦୂରରେ ରୁହନ୍ତୁ ।
8) ଆପଣ ପାଣି ଭିତରେ ପାଖରୀ ବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ |
9) ଘଡଘଡି ମାରୁଥିବା ସମୟରେ ଗୁଡି ଉଡାନ୍ତୁ ନାହିଁ ।
10) ହାତରେ ମାଛଧରା ବନିଶୀ, ଲୁହାବେଣ୍ଟ ଛତା ବା ଲୁହାଛଡ ଧରନ୍ତୁ ନାହିଁ ।
11) ଘର ଭିତରେ ଥିବାବେଳେ ଝରକା, ଲୁହା କବାଟ ଠାରୁ ଛାଡିକରି ରୁହନ୍ତୁ . ଏହା ସହିତ ବିଦ୍ୟୁତ ପ୍ରବାହିତ ବସ୍ତୁଠାରୁ ଦୂରରେ ରୁହନ୍ତୁ .

'ବଜ୍ରପାତରୁ ରକ୍ଷା କରିବ ତାଳଗଛ':
ସେପଟେ ଜଙ୍ଗଲ ଏବଂ ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅନେକ ସ୍ଥାନରେ ଘରେ ଆର୍ଥିଂ ନାହିଁ । ଏଣୁ ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗର ସହଯୋଗିତାରେ ତାଳ ଗଛ ଲଗାଇବାକୁ ନିର୍ଣ୍ଣୟ କରାଯାଇଛି । କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ଆଧୁନିକ କାରିଗରୀ ବ୍ୟବହାର କିପରି ହୋଇପାରିବ ତାକୁ ନେଇ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଉଛି । ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁ ଶୂନ୍ୟ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଚାଷୀଙ୍କ ନିକଟରେ ତଥ୍ୟ ପହଞ୍ଚାଇବାକୁ ଟେକ୍ନୋଲୋଜି ଗ୍ରହଣ କରାଯିବ ।
ଏହା ବି ପଢନ୍ତୁ- EXPLAINER: ବର୍ଷାଦିନେ ସର୍ପ ଆତଙ୍କ; ଓଡ଼ିଶାରେ ବର୍ଷକୁ ହଜାରରୁ ଅଧିକ ଜୀବନ ନେଉଛନ୍ତି ସାପ
ଇଟିଭି ଭାରତ, ଭୁବନେଶ୍ବର

