ଖୋଲିବ ଶ୍ରୀଜଗନ୍ନାଥ ଜମି ଉପବିଭାଗ; ଦଖଲ ମୁକ୍ତ ହେବ ମହାପ୍ରଭୁଙ୍କ ସମ୍ପତ୍ତି:- ରାଜସ୍ୱ ସଚିବ
ଖୁବଶୀଘ୍ର ଜବରଦଖଲ ମୁକ୍ତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି । ଖୋଲିବ ଶ୍ରୀଜଗନ୍ନାଥ ମହାପ୍ରଭୁ ଲ୍ଯାଣ୍ଡ୍ ସେଲ୍ । ମହାପ୍ରଭୁଙ୍କ ଜମିର ସୁରକ୍ଷା ଆମର ନୈତିକ ଦାୟିତ୍ବ କହିଲେ ରାଜସ୍ୱ ସଚିବ।

Published : February 20, 2026 at 8:33 AM IST
ଭୁବନେଶ୍ବର: ସମସ୍ତ ଅବୈଧ ଦଖଲରୁ ମୁକ୍ତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି । ରାଜସ୍ୱ ବିଭାଗରେ ଖୋଲା ଯିବ ଶ୍ରୀଜଗନ୍ନାଥ ମହାପ୍ରଭୁ ଜମି ଉପବିଭାଗ ବା ଶ୍ରୀଜଗନ୍ନାଥ ମହାପ୍ରଭୁ ଲ୍ଯାଣ୍ଡ୍ ସେଲ୍ । ମହାପ୍ରଭୁଙ୍କ ଜମିର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହା ନିଷ୍ପତ୍ତି ହୋଇଛି ।

ଶ୍ରୀଜଗନ୍ନାଥ ମହାପ୍ରଭୁ ଲ୍ଯାଣ୍ଡ୍ ସେଲ୍:
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍ଯରେ ଗତକାଲି (ଗୁରୁବାର) ଲୋକସେବା ଭବନରେ ରାଜସ୍ୱ ବିଭାଗର ଅତିରିକ୍ତ ଶାସନ ସଚିବ ଡ଼.ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ଜବରଦଖଲରୁ ମୁକ୍ତ କରିବା ପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁ ଲ୍ଯାଣ୍ଡ୍ ସେଲ୍ ଖୋଲିବା ପାଇଁ ନିଷ୍ପତି ହୋଇଥିଲା । ଏହି ଅବସରରେ ରାଜସ୍ୱ ସଚିବ କହିଛନ୍ତି,"ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ଓଡ଼ିଆ ଜାତିର ଜମିଦାର । ତାଙ୍କର ସମସ୍ତ ଜମିଜମାର ସୁରକ୍ଷା ଆମ ସଭିଙ୍କର ନୈତିକ ଦାୟିତ୍ବ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା ଏବଂ ପୁନରୁଦ୍ଧାର ସମ୍ବନ୍ଧରେ ସୁପ୍ରିମକୋର୍ଟ ଓ ଓଡ଼ିଶା ହାଇକୋର୍ଟଙ୍କ ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।"
ସେହିପରି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ଥିବା ସମସ୍ତ ଭୂ-ସମ୍ପତ୍ତିର ଖତିୟାନ ସଂଶୋଧନ ସହ ବିଭିନ୍ନ ଅପେକ୍ଷିତ ମାମଲାର ତୁରନ୍ତ ସମାଧାନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ତହସିଲ ତଥା ଜାତୀୟ ଏବଂ ରାଜ୍ୟ ରାଜପଥ ନିକଟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ଥିବା ଜମିଜମାକୁ ଅବୈଧ ଦଖଲରୁ ମୁକ୍ତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି । ପ୍ରତ୍ୟେକ ମାସର ପ୍ରଥମ ବୁଧବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷା ବୈଠକ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

ମହାପ୍ରଭୁଙ୍କ ଜମିଜମା ସୁରକ୍ଷା ତଥା ପରିଚାଳନାକୁ ସୁଦୃଢ଼ କରିବା ନିମନ୍ତେ ରାଜସ୍ୱ ବିଭାଗରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଜମି ଉପବିଭାଗ ବା ଲ୍ୟାଣ୍ଡ୍ ସେଲ୍ ଅବସ୍ଥାପିତ କରାଯିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଗକୁ ମଧ୍ୟ ବିଭିନ୍ନ ସମୟରେ ରାଜସ୍ୱ ସଚିବଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ରାଜ୍ଯସ୍ତରୀୟ ବୈଠକ ସହିତ ଅନ୍ଯ ଜିଲ୍ଲାରେ ସମୀକ୍ଷା ବୈଠକ କରାଯିବ । ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଦେବବ୍ରତ ସାହୁ, ରାଜସ୍ୱ ବିଭାଗର ଭୂସଂସ୍କାର ଶାଖାର ବରିଷ୍ଠ ଅଧିକାରୀ, ଖୋର୍ଦ୍ଧା ଜିଲ୍ଲାର ଉପଜିଲ୍ଲାପାଳ ଏବଂ ତହସିଲଦାରଗଣ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢନ୍ତୁ... ପୁରୀ-କୋଣାର୍କ ବେଳାଭୂମିର ସ୍ବଚ୍ଛତା ପାଇଁ ଆରମ୍ଭ ହେବ 'ସ୍ବଛ ସମୁଦ୍ର କରିଡର ପ୍ରୋଜେକ୍ଟ' ଏହା ମଧ୍ୟ ପଢନ୍ତୁ... ଫେରିବ ମହାପ୍ରଭୁଙ୍କ ଜମି, ପଲିସି ବଦଳାଇବେ ଓଡ଼ିଶା ସରକାର |
ଇଟିଭି ଭାରତ, ଭୁବନେଶ୍ବର

