୨୦୨୫ରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଓଡ଼ିଶା ଲଜ୍ଜିତ ଓ ନିନ୍ଦିତ: ବିଜେଡି
ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହିତ ରାଜ୍ୟର ଅଭିବୃଦ୍ଧି ହାରରେ ହ୍ରାସ ଘଟିଛି ବୋଲି ବିଜେଡିର ଅଭିଯୋଗ । ସେପଟେ ଅଭିଯୋଗର ଜବାବ ରଖିଲେ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Published : December 31, 2025 at 8:41 PM IST
|Updated : December 31, 2025 at 9:08 PM IST
ଭୁବନେଶ୍ବର:୨୦୨୫ରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଓଡ଼ିଶା ହୋଇଛି ଲଜ୍ଜିତ ଓ ନିନ୍ଦିତ । ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ମରା ଘଟଣାରୁ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିବା ଆରମ୍ଭ ହୋଇଥିଲା । ୧୮ ମାସରେ ୪୦,୯୪୭ଟି ମହିଳାଙ୍କ ବିରୋଧରେ ଅପରାଧ ମାମଲା । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହିତ ରାଜ୍ୟର ଅଭିବୃଦ୍ଧି ହାରରେ ହ୍ରାସ ଘଟିଛି ବୋଲି ବିଜେଡି ଅଭିଯୋଗ କରିଛି । ସେପଟେ ଅଭିଯୋଗର ଜବାବ ରଖିଛନ୍ତି, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ରାଜ୍ୟସଭା ସାଂସଦ ତଥା ବିଜେଡିର ଜାତୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଓ ବିଜେଡିର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡକ୍ଟର ଲେନିନ ମହାନ୍ତି ଆଇନ ଶୃଙ୍ଖଳା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାର ଏକ ଲମ୍ୱା ତାଲିକା ପ୍ରଦାନ କରିବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ଗତ ୧୮ ମାସର ବିଜେପି ଶାସନରେ ଓଡ଼ିଶା କେବଳ ନିଜ ରାଜ୍ୟ ଭିତରେ ନୁହେଁ ବରଂ ଜାତୀୟ ସ୍ତରରେ ଗୋଟିଏ କ୍ଷେତ୍ରରେ ନିନ୍ଦା ଓ ଲଜ୍ଜ୍ୟା ପାଇଛି । ଯାହା ହେଉଛି ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା । ଜୁନ ୨୦୨୪ରେ ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ମୂଳଦୁଆ ପଡ଼ିଥିଲା, ରାଜ୍ୟପାଳଙ୍କ ପୁଅ ଦ୍ୱାରା । ପୁରୀ ସ୍ଥିତ ରାଜ୍ୟପାଳଙ୍କ ବାସଭବନ ଭିତରେ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ସହିତ ଜୋତାରେ ଛେପ ପକାଇ ତାଙ୍କୁ ଚାଟିବାକୁ ବାଧ୍ୟ କରାଯାଇଥିଲା । ଏହି ନିନ୍ଦନୀୟ ଘଟଣାକୁ ରାଜ୍ୟ ବିଜେପି ସରକାର ଚାପି ଦେଇଥିଲେ ।"
ସସ୍ମିତ ଆହୁରି ମଧ୍ୟ କହିଛନ୍ତି, "ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନରହିଲେ ରାଜ୍ୟର ବିକାଶ ଉପରେ ବାଧକ ହୋଇଥାଏ । ଏହା ମଧ୍ୟ ଗତ ୧୮ ମାସରେ ଦେଖିବାକୁ ମିଳିଛି । ଗୁରୁ ଖଣିଜ ସମ୍ପଦରୁ ରାଜ୍ୟକୁ ମିଳୁଥିବା ରାଜସ୍ୱ ଯଥାକ୍ରମେ ୫୦,୦୦୦ କୋଟିରୁ ୩୪,୦୦୦ କୋଟିକୁ ଖସିଆସିଛି । ସେହିପରି ଲଘୁ ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱ ୧୪୮୫ କୋଟିରୁ ୬୦୦ କୋଟିକୁ ଖସିଆସିଛି । ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି ପାଇଁ ହେଉଥିବା ପରୀକ୍ଷା ଗୁଡିକ ଠିକ୍ ଭାବେ ହୋଇପାରୁନାହିଁ । ଗତ ୧୮ ମାସରେ ୨୦ଟି ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି । ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ହୋଇଥିବା ଦୁର୍ନୀତିକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ରାଜ୍ୟ ସରକାର ଏହାର ତଦନ୍ତ ଦାୟିତ୍ୱ ସିବିଆଇ ହାତରେ ଦେବା ପାଇଁ ବାଧ୍ୟ ହୋଇଥିଲେ । ରାଜ୍ୟ ଗୃହ ମନ୍ତ୍ରାଳୟର ଦାୟିତ୍ୱ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି, କିନ୍ତୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଠିକ୍ ରଖିବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।"
ବିଜେଡିର ମୁଖପାତ୍ର ତଥା ମିଡିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି,"ଗତ ବର୍ଷଟି ଗଣଦୁଷ୍କର୍ମର ବର୍ଷ ହୋଇଛି । ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକ ମହିଳା ମାନଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଅନୁଭବ ହେଉଛି । ଏଥିଯୋଗୁଁ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ଅହେତୁକ ହ୍ରାସ ପାଇଛି । ଏକାଧିକ ପର୍ଯ୍ୟଟନସ୍ଥଳୀରେ ଗଣଦୁଷ୍କର୍ମ ଘଟଣା ଘଟିବା ପରେ ଆମେରିକା ଏକ ଟ୍ରାଭେଲ ଆଡଭାଇଜରୀ ଜାରି କରି ଓଡ଼ିଶା ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ନୁହେଁ ବୋଲି କହିବା ସହିତ ଏଠାକୁ ଆସିବାକୁ ଆମେରିକୀୟ ନାଗରିକ ମାନଙ୍କୁ ବାରଣ କରିଥିଲା । ଏହାଦ୍ୱାରା ଓଡ଼ିଶା ସମଗ୍ର ବିଶ୍ୱରେ ନିନ୍ଦିତ ହୋଇଥିଲା । ସେହିପରି ବିଗତ ବର୍ଷଟି ମଧ୍ୟ ଦଙ୍ଗାର ବର୍ଷ ହୋଇଛି । ରାଜ୍ୟ ସରକାରଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁଁ କଟକ ଭଳି ଭାଇଚାରାର ସହରରେ ଦଙ୍ଗାର ଅଲୋଡ଼ା କୀର୍ତ୍ତିମାନ ସ୍ଥାପିତ ହେଲା । ଆଶା କରିବା ଇଂରାଜୀ ନୂତନ ବର୍ଷ ଠାରୁ ରାଜ୍ୟରେ ଶାନ୍ତି ଫେରି ଆସୁ, ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସୁ, ରାଜ୍ୟବାସୀ ନିଜକୁ ସୁରକ୍ଷିତ ମଣନ୍ତୁ ।"
ଜବାବରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ବିଜେଡି ନେତା ଭିନ୍ନ ଭିନ୍ନ କଥା କହୁଛନ୍ତି । ବିଜେଡି ପ୍ରଥମେ ନିଜ ଦଳ ଭିତର କଥା ପ୍ରଥମେ ସମ୍ଭାଳନ୍ତୁ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ରହିଛି । ଓଡ଼ିଶା ପୋଲିସ ନିଜର କର୍ତ୍ତବ୍ୟ ନିଷ୍ଠାର ସହ କରୁଛି । ବିଜେପି ସରକାରରେ ଥିବା ପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ପରିସ୍ଥିତିରେ କୌଣସି ଅସୁବିଧା ହେବନାହିଁ । ପୋଲିସ ମୁକ୍ତ ହସ୍ତରେ ଅପରାଧୀଙ୍କୁ ଦମନ କରିବ । ଏହାର ବିଶ୍ୱାସ ଆମର ଅଛି । ତେଣୁ ବିଜେଡି କଥାରେ ବକ୍ତବ୍ୟ ଦେବାର ଆବଶ୍ୟକତା ନାହିଁ ।"
ଏହା ମଧ୍ୟ ପଢ଼ନ୍ତୁ- YearEnder 2025: କ୍ଷତାକ୍ତ କଲା 2025, ରସୁଲଗଡରୁ ଆରମ୍ଭ, ଦାଗ ଦେଲା ଧଉଳି
ଏହା ମଧ୍ୟ ପଢ଼ନ୍ତୁ- ଗୋପାଳପୁର ଗଣଦୁଷ୍କର୍ମରୁ ପୀତବାସ ହତ୍ୟାକାଣ୍ଡ, ୨୦୨୫ରେ 'କ୍ରାଇମ ହଟସ୍ପଟ୍' ଗଞ୍ଜାମ !
ଇଟିଭି ଭାରତ, ଭୁବନେଶ୍ବର

