ହୋମଗାର୍ଡ ପରୀକ୍ଷା: 382 ପଦ ପାଇଁ 20000 ପ୍ରାର୍ଥୀ, ଆଶାୟୀଙ୍କ ମଧ୍ୟରେ ଏମବିଏ, ଏମସିଏ ଓ ପିଏଚଡି ଡିଗ୍ରୀଧାରୀ
ମୟୂରଭଞ୍ଜରେ 280 ଏବଂ ଝାରସୁଗୁଡ଼ାରେ 102 ଗୃହରକ୍ଷୀ (Home Guard) ପଦ ପାଇଁ ପରୀକ୍ଷା ହୋଇଛି । ଗୋଟିଏ ପଦବୀ ପାଇଁ ହାରାହାରି 50ରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି ।

Published : December 29, 2025 at 10:43 AM IST
|Updated : December 29, 2025 at 12:03 PM IST
ODISHA HOME GUARD EXAMINATION ରାଇରଙ୍ଗପୁର/ଝାରସୁଗୁଡ଼ା: ରାଜ୍ୟରେ ଉତ୍କଟ ରୂପ ଧାରଣ କରିଛି ବେରୋଜଗାରୀ ସମସ୍ୟା । ଯାହାର ପ୍ରମାଣ ଦେଖିବାକୁ ମିଳିଛି ଓଡ଼ିଶା ପୋଲିସ ଗୃହରକ୍ଷୀ (ହୋମଗାର୍ଡ) ପରୀକ୍ଷାରେ । ହିସାବ କଲେ ଗୋଟିଏ ପୋଷ୍ଟ ପାଇଁ ପାଖାପାଖି 50ରୁ ଅଧିକ ଆଶାୟୀ ପରୀକ୍ଷା ଦେଉଛନ୍ତି । ଯେଉଁଥିରେ ଏମବିଏ (MBA), ଏମସିଏ (MCA), ଇଞ୍ଜିନିୟରିଂ, ପିଏଚଡି (Ph.D) ଭଳି ଉଚ୍ଚଶିକ୍ଷିତ ଯୁବକ ଯୁବତୀ ରହିଛନ୍ତି ।
ମୟୂରଭଞ୍ଜ ଜିଲ୍ଲାରେ ପୋଲିସ ଗୃହରକ୍ଷୀ (ହୋମଗାର୍ଡ) ଭର୍ତ୍ତି ଲାଗି 280ଟି ପଦବୀ ପାଇଁ ପରୀକ୍ଷା ହୋଇଥିବା ବେଳେ ପାଖାପାଖି 17 ହଜାର ଆଶାୟୀ ଲିଖିତ ପରୀକ୍ଷା ଦେଇଛନ୍ତି । ସେହିପରି ଝାରସୁଗୁଡ଼ାରେ 102ଟି ପଦବୀ ପାଇଁ 3200ରୁ ଅଧିକ ଯୁବକ ଯୁବତୀ ପରୀକ୍ଷା ଦେଇଛନ୍ତି । କିଛି ଦିନ ତଳେ ସମ୍ବଲପୁର ଜିଲ୍ଲାରେ 187ଟି ହୋମଗାର୍ଡ ପଦବୀ ପାଇଁ 8 ହଜାରରୁ ଅଧିକ ପ୍ରାର୍ଥୀ ଲିଖିତ ପରୀକ୍ଷାରେ ଅଂଶଗ୍ରହଣ କରିଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରସାରିତ (viral) ହେବା ପରେ ଏହାକୁ ନେଇ ରାଜନୈତିକ ବିତର୍କ ସୃଷ୍ଟି ହୋଇଥିଲା ।
ମୟୂରଭଞ୍ଜ ପାଇଁ ହୋମଗାର୍ଡ ପଦବୀ:
ଓଡିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ପୋଲିସ ଗ୍ରୁପ -ବି ହୋମଗାର୍ଡ ପଦ ନିଯୁକ୍ତି ପାଇଁ ରାଜ୍ୟବ୍ୟାପୀ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆବେଦନ କରାଯାଇଛି । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ପାଇଁ ୨୮୦ଟି ହୋମଗାର୍ଡ ପଦବୀ ରହିଛି । ଯେଉଁଥିରେ..
- ସାଧାରଣ ଡ୍ୟୁଟି: ୧୫୪ଟି
- କମ୍ପ୍ୟୁଟର ଅପରେଟର: ୬୪ଟି
- ଡ୍ରାଇଭର: ୩୨ଟି
- ରୋଷେୟା: ୨୦ଟି
- ବିଦ୍ୟୁତ ମରାମତି, ଲୁଗା ସଫେଇ, ଚୁଟି କଟା, ପୋଷାକ ସିଲେଇ ଓ କାଠ କାମ ପାଇଁ: ୨ଟି ଲେଖାଏଁ ପଦବୀ ରହିଛି

ହୋମଗାର୍ଡ ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ ମାପଦଣ୍ଡ ରଖାଯାଇଛି । ଓଡ଼ିଆ କହି, ଲେଖି ଓ ପଢିପାରୁଥିବା ବ୍ୟକ୍ତି ଆବେଦନ କରିପାରିବେ । ଅଭିଜ୍ଞତା ଥିବାକୁ ଅଗ୍ରାଧିକାର ଦିଆଯିବ ବୋଲି ଉଲ୍ଲେଖ ରହିଛି । କିନ୍ତୁ ଜିଲ୍ଲାରେ ପଞ୍ଚମ ଶ୍ରେଣୀ ଯୋଗ୍ୟତା ଚାକିରୀ ପାଇଁ ସ୍ନାତକ, ସ୍ନାତକୋତ୍ତର, ପିଏଚଡି, ଇଞ୍ଜିନିୟରିଂ, ଏମବିଏ ଆଦି ଅନେକ ଉଚ୍ଚ ଶିକ୍ଷିତ ଆବେଦନ କରିଥିବା ବେଳେ ଗତକାଲି (ରବିବାର) ପରୀକ୍ଷା ଦେଇଛନ୍ତି ।
ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା କହିଛନ୍ତି, "ମୟୂରଭଞ୍ଜରେ 280ଟି ପଦବୀ ପାଇଁ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳର ୨୪,୦୦୦ରୁ ଅଧିକ ଆଶାୟୀ ଆବେଦନ କରିଥିବା ବେଳେ ୨୨,୦୦୦ ପରୀକ୍ଷା ଦେବାକୁ ସ୍ଥିରିକୃତ ହୋଇଛନ୍ତି । ହେଲେ ଆଡମିଟ କାର୍ଡ ପାଖାପାଖି ୧୭୦୦୦ ପରୀକ୍ଷାର୍ଥୀଙ୍କୁ ମିଳିଛି । ସେଥି ମଧ୍ୟରୁ ବାମନଘାଟି (ରାଇରଙ୍ଗପୁର) ଓ ପାଞ୍ଚପିଢ଼ (କରଞ୍ଜିଆ) ଉପଖଣ୍ଡ ପାଇଁ ୬୪୮୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେହିପରି ବାରିପଦାରେ ମଧ୍ୟ ପରୀକ୍ଷା ହୋଇଛି । ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଛି ।"

ରାଇରଙ୍ଗପୁର ଷ୍ଟାଡିୟମରେ ପରୀକ୍ଷା
ଗତକାଲି (ରବିବାର) ରାଇରଙ୍ଗପୁର ଷ୍ଟାଡିୟମରେ ପରୀକ୍ଷା ହୋଇଥିଲା । ସକାଳ ୯ରୁ ୧୨ଟା ପର୍ଯ୍ୟନ୍ତ ଦୁଇଟି ସିଟିଂରେ ପରୀକ୍ଷା ଆୟୋଜିତ ହୋଇଥିଲା । ସକାଳ ୭ ସୁଦ୍ଧା ରିପୋର୍ଟ କରିବାକୁ ନିର୍ଦ୍ଦେଶ ଥିବାରୁ ସକାଳୁ ପରୀକ୍ଷା ସେଣ୍ଟର ନିକଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ହାଡ଼ ଭଙ୍ଗା ଶୀତୁଆ ସକାଳରେ ପରୀକ୍ଷା ଦେବାକୁ ଯୁବକ/ଯୁବତୀମାନେ ଆସି ଲିଖିତ ପରୀକ୍ଷା ଦେବାକୁ ଉପସ୍ଥିତ ହୋଇଥିଲେ । ରାଇରଙ୍ଗପୁର ଷ୍ଟାଡିୟମ୍ (ରାଇରଙ୍ଗପୁର ଓ କରଞ୍ଜିଆ ସବ୍ଡିଭିଜନ୍ ପାଇଁ) ସହ ବାରିପଦାର ରିଜର୍ଭ୍ ଅଫିସ୍ ଗ୍ରାଉଣ୍ଡ୍ (ବାରିପଦା ସଦର, ବେତନଟି ଓ ଉଦଳା ପାଇଁ) ପରୀକ୍ଷା ସେଣ୍ଟର କରାଯାଇଥିଲା । ଲିଖିତ ପରୀକ୍ଷା ସରିଥିବା ବେଳେ ଆଗକୁ ଶାରୀରିକ ପରୀକ୍ଷା, ପ୍ରାଥମିକ ପରୀକ୍ଷା, ଟ୍ରେଡ ସ୍କିଲ ଏବଂ ଇଣ୍ଟରଭିୟୁ ଅନୁଷ୍ଠିତ ହେବ ।

"ଓଡ଼ିଆ ରଚନାରେ ୨୦ ମାର୍କ ଓ ସାଧାରଣ ଜ୍ଞାନରେ ୪୦ମାର୍କର ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଛି । ଜାନୁଆରୀ ଶେଷ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହୋଇ ନିଯୁକ୍ତି ଦିଆଯିବ" ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଳି କହିଛନ୍ତି । ବାରିପଦାରେ ମୟୂରଭଞ୍ଜ ଏସ୍.ପି ବରୁଣ ଗୁଣ୍ଟୁପାଲି ଓ ରାଇରଙ୍ଗପୁର ଠାରେ ଏଡିସନାଲ ଏସ୍.ପି ଦୀପକ କୁମାର ଗୋଚ୍ଛାୟତଙ୍କ ପ୍ରତ୍ୟକ୍ଷ ତତ୍ବବଧାନରେ ନିରପେକ୍ଷ ପରୀକ୍ଷା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ.. ହୋମଗାର୍ଡ ପରୀକ୍ଷା ଭିଡ଼ ନେଇ ରାଜନୈତିକ ବିତର୍କ, କଂଗ୍ରେସ ଉଠାଇଲା ବେକାରୀ ପ୍ରଶ୍ନ |

୧୦୨ଟି ପଦବୀ ପାଇଁ ୩,୨୦୦ରୁ ଅଧିକ ପ୍ରାର୍ଥୀ
ଝାରସୁଗୁଡାରେ ୧୦୨ଟି ହୋମଗାର୍ଡ ପଦବୀ ପାଇଁ ୩,୨୦୦ରୁ ଅଧିକ ପ୍ରାର୍ଥୀ ଲିଖିତ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଉଚ୍ଚଶିକ୍ଷିତ ଯେପରିକି ସ୍ନାତକ ଏବଂ ସ୍ନାତକୋତ୍ତର ପ୍ରାର୍ଥୀ ରହିଛନ୍ତି । ୪୦୪୦ ଆବେଦନକାରୀଙ୍କ ମଧ୍ୟରୁ ୩୨୦୦ରୁ ଅଧିକ ଆଶାୟୀ ପରୀକ୍ଷା ଦେଇଛନ୍ତି ।
ଇଟିଭି ଭାରତ, ମୟୂରଭଞ୍ଜ/ଝାରସୁଗୁଡା

