ETV Bharat / state

ଲଘୁଚାପ ବର୍ଷାରେ ଭିଜୁଛି ରାଜ୍ୟ; 3 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ୍, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଆସନ୍ତା 24 ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି । ରିପୋର୍ଟ- ଦେବସ୍ମିତା ରାଉତ

odisha weather update
ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା (ETV Bharat Odisha)
author img

By ETV Bharat Odisha Team

Published : September 1, 2026 at 5:53 PM IST

1 Min Read
Choose ETV Bharat

ଭୁବନେଶ୍ବର: ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଉପକୂଳ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ସଂଲଗ୍ନ ଅଞ୍ଚଳ ଉପରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ରହିଛି । ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି ରହିଛି । ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଫଳରେ ଆସନ୍ତା 24 ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା (ETV Bharat Odisha)

3 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ:

ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁରରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସହ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମ୍ବା ଝଟକା ପବନ ୬୦ କି.ମି ବହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା:

ଓଡ଼ିଶା ଉପକୂଳରେ ୪୦ରୁ ୫୦ ସର୍ବାଧିକ ୬୦ କି.ମି ବେଗରେ ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆସନ୍ତା ୨୪ ଘଣ୍ଟା ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ସେପଟେ ବନ୍ଦର ସତର୍କତା ମଧ୍ୟ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ।

ଆସନ୍ତାକାଲି ପାଇଁ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଛି ୟେଲୋ ଆଲର୍ଟ୍ । ସେହିପରି ସ୍ଥାନେ ସ୍ଥାନେ ହାଲୁକା ମଧ୍ୟମ ଧରଣର ବର୍ଷା ସମ୍ଭାବନା ମଧ୍ୟ ରହିଛି ।

ବାଙ୍ଗିରିପୋଷିରେ ସର୍ବାଧିକ ବର୍ଷା ରେକର୍ଡ:


ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ୪ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ,୨ଟି ସ୍ଥାନରେ ଅତି ପ୍ରବଳ ବର୍ଷା, ୯ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସର୍ବାଧିକ ବର୍ଷା ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଠାରେ ୩୦୯.୨ ରିକର୍ଡ କରାଯାଇଛି । ସେପଟେ ଜୁନ ୧ରୁ ଏଯାବତ ୧୧୭୦.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ଠାରୁ ୨୭ ପ୍ରତିଶତ ଅଧିକ । କେବଳ ଗଜପତି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...IMD Alert: ଆଜିଠୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ

ଏହା ମଧ୍ୟ ପଢନ୍ତୁ... ରାଜ୍ୟରେ ଆଗାମୀ ୪୮ ଘଣ୍ଟା ଯାଏଁ ଭୀଷଣ ବର୍ଷା: ରେଡ୍ ଆଲର୍ଟରେ ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲା

ଇଟିଭି ଭାରତ, ଭୁବନେଶ୍ବର