ମାର୍ଚ୍ଚରୁ ଅସହ୍ୟ ହେଲାଣି ଖରା, ଆଗକୁ ଆହୁରି ବଢିବ
ମାର୍ଚ୍ଚ ମାସ ଆରମ୍ଭରୁ ୩୬ ଡିଗ୍ରୀ ଛୁଇଁଲାଣି ପାରଦ । ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର । ରାଜ୍ୟରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ।

Published : March 3, 2026 at 12:42 AM IST
ରିପୋର୍ଟ: ଦେବସ୍ମିତା ରାଉତ
ଭୁବନେଶ୍ବର: ଚଳିତ ବର୍ଷ ମାର୍ଚ୍ଚରୁ ମେ' ଅସହ୍ୟ ତାତି । ମାର୍ଚ୍ଚ ମାସ ଆରମ୍ଭରୁ ତାପମାତ୍ରା ୩୬ ଡିଗ୍ରୀ ଛୁଇଁଥିବା ବେଳେ ବର୍ଷ ଆରମ୍ଭରୁ ହିଁ କଲବଲ କଲାଣି ଗ୍ରୀଷ୍ମ ପ୍ରବାହ । ଗତକାଲି ରାଜ୍ୟର ୪ ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୬ ଉପରେ ୩୬.୪ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ରହିଥିଲା। ରାତ୍ରି ତାପମାତ୍ରା ସହ ଦିନ ତାପମାତ୍ରା ବଢିବାକୁ ଥିବା ବେଳେ ୫ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ରାଜ୍ୟର ଅନେକ ସ୍ଥାନରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସୋନପୁର ୩୬.୨ ଡିଗ୍ରୀ, ଭୁବନେଶ୍ୱର ୩୬.୨ ଡିଗ୍ରୀ,ଝାରସୁଗୁଡା ୩୬.୪ ଡିଗ୍ରୀ, ବାରିପଦା ୩୬ ଡିଗ୍ରୀ , ଚାନ୍ଦବାଲିରେ ପାରଦ ୩୫.୮ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୩୫.୬ ଡିଗ୍ରୀ, ତାଳଚେରରେ ୩୫.୮ ଡିଗ୍ରୀ, ଭବାନୀପାଟଣାରେ ୩୫.୪ ଡିଗ୍ରୀ, ହୀରାକୁଦ ୩୪.୪ ଡିଗ୍ରୀ ,ବଲାଙ୍ଗୀରରେ ୩୫.୦ ଡିଗ୍ରୀ, ଟିଟିଲାଗଡ ୩୫.୮ ଡିଗ୍ରୀ, ପାରଳାଖେମୁଣ୍ଡି ୩୪.୮ ଡିଗ୍ରୀ, ଢେଙ୍କାନାଳରେ ୩୫.୮ ଡିଗ୍ରୀ ରେକର୍ଡ ହୋଇଛି ।
ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି ବିଭାଗ । କୌଣସି ଜିଲ୍ଲାକୁ ପାଣିପାଗ ସମ୍ବନ୍ଧୀୟ ଆଲର୍ଟ ଜାରି ହୋଇ ନାହିଁ । ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସେଭଳି ବଡ଼ ପରିବର୍ତ୍ତନ ଆଶଙ୍କା ନାହିଁ । ସର୍ବୋଚ୍ଚ ଦିନ ତାପମାତ୍ରା ପାଖାପାଖି ୩୬ ଡିଗ୍ରୀ ଓ ସର୍ବିନିମ୍ନ ରାତି ତାପମାତ୍ରା ୨୩ ଡିଗ୍ରୀ ପାଖାପାଖି ରହିପାରେ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ଓଡ଼ିଶା ସହ ପଶ୍ଚିମ ରାଜସ୍ଥାନ, ଗୁଜରାଟ, ହରିୟାଣା, ଦକ୍ଷିଣ ଏବଂ ପୂର୍ବ ମହାରାଷ୍ଟ୍ର, ପୂର୍ବ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ, ଛତିଶଗଡ଼, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ ଏବଂ ଉତ୍ତର ତାମିଲନାଡ଼ୁରେ ମାର୍ଚ୍ଚରୁ ମେ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ସ୍ଵାଭାବିକ ଠାରୁ ଅଧିକ ରହିବ ବୋଲି ବିଭାଗ ଆକଳନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

