ETV Bharat / state

ଘାତକ ଇବୋଲା ଭାଇରସ୍‌: 50% ମୃତ୍ୟୁ ସମ୍ଭାବନା, ସତର୍କ କଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଘାତକ ଭାଇରସ ଇବୋଲାକୁ ନେଇ ସତର୍କ କେନ୍ଦ୍ର ସରକାର । କଡା ନଜରରେ ବିଦେଶ ଯାତ୍ରୀ । ରିପୋର୍ଟ: ବିକାଶ ଦାସ

ଡାକ୍ତର ନିରୋଜ ମିଶ୍ର
ଡାକ୍ତର ନିରୋଜ ମିଶ୍ର (ETV Bharat Odisha)
author img

By ETV Bharat Odisha Team

Published : May 25, 2026 at 5:22 PM IST

2 Min Read
Choose ETV Bharat

Ebola Outbreak ଭୁବନେଶ୍ବର: କୋଭିଡ ପରେ ସାରା ବିଶ୍ବକୁ ଡରାଇଲାଣି ଘାତକ ଇବୋଲା ଭାଇରସ । ଧୀରେ ଧୀରେ ଏହି ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଇବୋଲା ମୁକାବିଲା ପାଇଁ ଆଜି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧ୍ୟକ୍ଷତାରେ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସହିତ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବରୁ ଇବୋଲା ସତର୍କତାକୁ ନେଇ ବିମାନବନ୍ଦରରେ କଡ଼ା ନଜର ରହିଛି । କଙ୍ଗୋ, ଉଗାଣ୍ଡା ଓ ଦକ୍ଷିଣ ସୁଡାନରୁ ଆସୁଥିବା ଯାତ୍ରୀଙ୍କୁ ବିଶେଷ ସ୍କ୍ରିନିଂ କରାଯାଉଛି । ଇବୋଲାକୁ ନେଇ କିପରି ରହିବେ ସତର୍କ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।

ସତର୍କ କଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ (ETV Bharat Odisha)

ଇବୋଲାକୁ ନେଇ ସତର୍କତା:

କେନ୍ଦ୍ର ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବିମାନ ଯାତ୍ରୀଙ୍କ ପାଇଁ ଇବୋଲା ସତର୍କତା ଜାରି କରାଯାଇଛି । କଙ୍ଗୋ, ଉଗାଣ୍ଡା ଓ ଦକ୍ଷିଣ ସୁଡାନରେ ଇବୋଲା ସଂକ୍ରମଣ ବଢ଼ୁଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି । ବିମାନ ବନ୍ଦର ଗୁଡିକ ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । ସଂକ୍ରମିତ ଦେଶଗୁଡ଼ିକରୁ ଆସୁଥିବା ଯାତ୍ରୀମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଯାଞ୍ଚ ସହ ଥର୍ମାଲ ସ୍କ୍ରିନିଂ ଉପରେ ଗୁରୁତ୍ୱ ଦିଆଯାଉଛି । ଯଦି କୌଣସି ଯାତ୍ରୀ ଇବୋଲା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବେ, ତେବେ ସେମାନଙ୍କୁ ତୁରନ୍ତ ବିମାନବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।


ଇବୋଲାର ଲକ୍ଷଣ କଣ ?

ଡାକ୍ତର ନିରୋଜ ମିଶ୍ରଙ୍କ କହିବା ଅନୁଯାୟୀ,

  • ଜ୍ୱର
  • ଅତ୍ୟଧିକ ଦୁର୍ବଳତା
  • ମୁଣ୍ଡବିନ୍ଧା
  • ଗଣ୍ଠି ବ୍ୟଥା
  • ବାନ୍ତି
  • ଡାଇରିଆ
  • ଗଳା ଦରଜ
  • ରକ୍ତସ୍ରାବ

ସଂକ୍ରମିତ ଦେଶରୁ ଫେରିଥିବା ଯାତ୍ରୀଙ୍କ ନିକଟରେ ୨୧ ଦିନ ମଧ୍ୟରେ ଏହି ସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ପରୀକ୍ଷା କରାଇବା ସହ ନିଜର ଟ୍ରାଭେଲ୍ ହିଷ୍ଟ୍ରି ଜଣାଇବାକୁ ନିର୍ଦ୍ଦେଶ ରହିଛି ।

ଘାତକ ଷ୍ଟ୍ରେନ ଚିହ୍ନଟ:

ଏନେଇ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ଏଥର ବୁଙ୍ଗି ବୁଗିଓ ଷ୍ଟ୍ରେନ ଚିହ୍ନଟ ହୋଇଛି । ଯାହା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ଟିକା ଉପଲବ୍ଧ ନାହିଁ । ଏହି ଭାଇରସରେ ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ମୃତ୍ୟୁ ସମ୍ଭାବନା ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉଚ୍ଚ ସତର୍କତା ଅବଲମ୍ବନ କରିବାକୁ କହିଛି ବୋଲି କହିଛନ୍ତି ।


ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଂକ୍ରମିତ ବ୍ୟକ୍ତିଙ୍କ ବାନ୍ତି, ଝାଡ଼ା, କାଶ ଓ ଶରୀରର ଅନ୍ୟ ତରଳ ପଦାର୍ଥ ମାଧ୍ୟମରେ ଏହା ନିକଟ ସଂସ୍ପର୍ଶରେ ଥିବା ଲୋକଙ୍କୁ ସଂକ୍ରମିତ କରିପାରେ । ତେଣୁ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା ଓ ଅଲଗା ଚିକିତ୍ସା ଜରୁରୀ ଅଟେ । ତେବେ ଏହି ଇବୋଲା ଭାଇରସର କୌଣସି ନିର୍ଦ୍ଦିଷ୍ଟ ଏକ ଚିକିତ୍ସା ନଥିବାରୁ ସାଧାରଣ ଚିକିତ୍ସା ମାଧ୍ୟମରେ ରୋଗୀଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରାଯାଉଛି ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।



ଇବୋଲାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟର ସମସ୍ତ ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସନ୍ଦିଗ୍ଧ ରୋଗୀଙ୍କ ଚିହ୍ନଟ, ଆଇସୋଲେସନ୍ ୱାର୍ଡର ପ୍ରସ୍ତୁତି, ଔଷଧ ଓ ସୁରକ୍ଷା ସାମଗ୍ରୀର ଉପଲବ୍ଧତା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ବିଶେଷ କରି ବିମାନ ବନ୍ଦର ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି । ଏହା ସହ ସେମାନଙ୍କର ଗତ ୨୧ ଦିନର ଟ୍ରାଭେଲ୍‌ ହିଷ୍ଟ୍ରି ମଧ୍ୟ ଯାଞ୍ଚ କରାଯାଉଛି । ଯଦି କୌଣସି ଯାତ୍ରୀଙ୍କ ନିକଟରେ ସନ୍ଦେହଜନକ ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଅନୁସାରେ ପରୀକ୍ଷା ଏବଂ ଚିକିତ୍ସା ବ୍ୟବସ୍ଥା କରାଯିବ ।

ଏହା ମଧ୍ୟ ପଢନ୍ତୁ:

ଇବୋଲା ଭାଇରସକୁ ନେଇ ଭାରତରେ ଆଲର୍ଟ; ପ୍ରଭାବିତ ଦେଶକୁ ଡାକ୍ତରୀ ସହାୟତା ପଠାଇଲେ କେନ୍ଦ୍ର ସରକାର

ଇବୋଲା ଭାଇରସ୍‌କୁ ନେଇ ସମୀକ୍ଷା: ଭୟଭୀତ ନହୋଇ ସଚେତନ ରହିବାକୁ ଅନୁରୋଧ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର ବିମାନବନ୍ଦରରେ 'ଇବୋଲା' ସତର୍କତା , ବିଦେଶ ଫେରନ୍ତାଙ୍କ ଉପରେ ନଜର, ଯାଞ୍ଚ ହେବ ୨୧ ଦିନର ଟ୍ରାଭେଲ୍‌ ହିଷ୍ଟ୍ରି



ଆଜି ଇବୋଲା ଭାଇରସକୁ ନେଇ ଏକ ବୈଠକ ଅନୁଷ୍ଠିତ ହେଉଛି । ଆଭାସି ମାଧ୍ୟମରେ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମନ୍ତ୍ରୀ ରହିଥିବା ନେଇ ସୂଚନା ରହିଛି । ଅନ୍ୟପଟେ ଇବୋଲା ଭାଇରସକୁ ନେଇ ଭୁବନେଶ୍ବରରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ CISF, APHO, ଇମିଗ୍ରେସନ, ଏୟାରଲାଇନ୍ସ ଓ ଅନ୍ୟାନ୍ୟ ସେୟାର ହୋଲ୍ଡର ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର