ETV Bharat / state

ଓଡ଼ିଶାରେ ବ୍ୟାପକ ହେଲା ଦେୟମୁକ୍ତ କ୍ୟାନସର ଚିକିତ୍ସା; 91 ନୂଆ ପ୍ୟାକେଜ ଅନ୍ତର୍ଭୁକ୍ତ

ରାଜ୍ୟରେ ଉପଲବ୍ଧ ମୋଟ ଚିକିତ୍ସା ପ୍ୟାକେଜ ସଂଖ୍ୟା ୨୧୬୩ରୁ ବୃଦ୍ଧି ପାଇ ୨୨୫୪ରେ ପହଞ୍ଚିଛି।

Representational image
ପ୍ରତିକାତ୍ମକ ଫଟୋ (IANS)
author img

By ETV Bharat Odisha Team

Published : August 6, 2026 at 7:46 AM IST

2 Min Read
Choose ETV Bharat

ଭୁବନେଶ୍ୱର: ଓଡ଼ିଶାରେ କ୍ୟାନସର ରୋଗୀଙ୍କ ପାଇଁ ବଡ ଆଶ୍ବସ୍ତି । ଦେୟମୁକ୍ତ କ୍ୟାନସର ଚିକିତ୍ସାକୁ ଆହୁରି ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନ ଅଧୀନରେ ଅତିରିକ୍ତ ୯୧ଟି ସ୍ୱତନ୍ତ୍ର କ୍ୟାନସର ଚିକିତ୍ସା ପ୍ୟାକେଜକୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମ୍‌ଜେଏୱାଇ) ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା (ଜିଜେଏୱାଇ)ରେ ସାମିଲ କରାଯାଇଛି। ଏହା ସହ ରାଜ୍ୟରେ ଉପଲବ୍ଧ ମୋଟ ଚିକିତ୍ସା ପ୍ୟାକେଜ ସଂଖ୍ୟା ୨୧୬୩ରୁ ବୃଦ୍ଧି ପାଇ ୨୨୫୪ରେ ପହଞ୍ଚିଛି। ଯାହା ଫଳରେ କ୍ୟାନସର ରୋଗୀମାନେ ଏବେ ଅଧିକ ସଂଖ୍ୟକ ଜଟିଳ ଚିକିତ୍ସା ସେବା ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ ।

୯୧ଟି ସ୍ୱତନ୍ତ୍ର କ୍ୟାନସର ଚିକିତ୍ସା ପ୍ୟାକେଜ ଆୟୁଷ୍ମାନରେ ସାମିଲ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, "ରାଜ୍ୟରେ ଆଉ କ୍ୟାନସର ରୋଗୀ ହନ୍ତସନ୍ତ ହେବେନି । ପ୍ରତ୍ୟେକ କ୍ୟାନସର ରୋଗୀକୁ ଗୁଣାତ୍ମକ ଓ ମାଗଣା ଚିକିତ୍ସା ପାଇପାରିବେ । ଏହି ନୂଆ ପ୍ୟାକେଜ ମାଧ୍ୟମରେ କ୍ୟାନସର ରୋଗୀଙ୍କ ପାଇଁ ସର୍ଜରୀ, କେମୋଥେରାପି, ରେଡିଏସନ, ଅଙ୍କୋଲୋଜି ସମେତ ବିଭିନ୍ନ ଜଟିଳ ଓ ସୁପର ସ୍ପେସାଲିଟି ଚିକିତ୍ସା ସେବା ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ଉପଲବ୍ଧ କରାଯିବ । ଏହାଦ୍ୱାରା କ୍ୟାନସର ଚିକିତ୍ସା ପାଇଁ ରୋଗୀଙ୍କ ଉପରେ ପଡ଼ୁଥିବା ଆର୍ଥିକ ବୋଝ ଯଥେଷ୍ଟ କମିବ’’ ।

ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନ ପାଇଁ ୩୧୧ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଏହି ଅର୍ଥ ଗୋଷ୍ଠୀ ସଚେତନତା, ମୋବାଇଲ ସ୍କ୍ରିନିଂ କ୍ୟାମ୍ପ, ହବ୍-ଆଣ୍ଡ-ସ୍ପୋକ୍ ମଡେଲରେ କ୍ୟାନସର ସେବା, ଡିଜିଟାଲ ସଂଯୋଗ ବ୍ୟବସ୍ଥା ଏବଂ ରୋଗୀଙ୍କ ପାଇଁ ମାଗଣା ଯାତାୟାତ ସୁବିଧାରେ ବ୍ୟୟ କରାଯିବ। ସରକାରଙ୍କ କହିବା ଅନୁଯାୟୀ କ୍ୟାନସର ଭଳି ପ୍ରାଣଘାତୀ ରୋଗରେ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ ଓ ସମୟୋପଯୋଗୀ ଚିକିତ୍ସା ଜୀବନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ)ର ଅନୁମୋଦନ ପରେ ଏହି ୯୧ଟି ନୂଆ ପ୍ୟାକେଜକୁ ସ୍ୱତନ୍ତ୍ର ରାଜ୍ୟ ପ୍ୟାକେଜ ଭାବେ ସାମିଲ କରାଯାଇଛି।

ମାଗଣାରେ ଦୁଇ ରୋଗୀଙ୍କ ସଫଳ ଅସ୍ତ୍ରୋପଚାର

ଏହି ପ୍ୟାକେଜ ଅନୁଯାୟୀ ରାଜ୍ୟର ସମସ୍ତ ତାଲିକାଭୁକ୍ତ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ପ୍ରଦାନ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ସରକାରୀ ସୂତ୍ର ଅନୁଯାୟୀ, ଯାଜପୁର ଜିଲ୍ଲାର ୩୨ ବର୍ଷୀୟ ଆର୍ଯ୍ୟଭାନୁ ମହାନ୍ତିଙ୍କ ଅଣ୍ଡକୋଷ କ୍ୟାନସର ଓ ଭଦ୍ରକର ୬୨ ବର୍ଷୀୟା ଜ୍ୟୋସ୍ନାରାଣୀ ମହାନ୍ତିଙ୍କ ଗର୍ଭାଶୟ କ୍ୟାନସରର ସଫଳ ଅସ୍ତ୍ରୋପଚାର ଏହି ପ୍ୟାକେଜ ଅଧୀନରେ କରାଯାଇଛି। ଉଭୟ ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥିବାବେଳେ ସେମାନେ ଖୁବ ଶୀଘ୍ର ଡାକ୍ତରଖାନାରୁ ଘରକୁ ଫେରିବେ ବୋଲି ଚିକିତ୍ସକ ମାନେ କହିଛନ୍ତି । ବ୍ୟୟବହୁଳ ଚିକିତ୍ସା ମାଗଣାରେ ମିଳିଥିବାରୁ ସେମାନେ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, “ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ କ୍ୟାନସର ଚିକିତ୍ସାକୁ ଅଧିକ ସୁଲଭ କରିବା ସହ ରୋଗୀଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।"

ଏହା ମଧ୍ୟ ପଢନ୍ତୁ କ୍ୟାନସର ରୋଗୀଙ୍କ ପାଇଁ ବଡ଼ ଆଶ୍ବସ୍ତି, ଆୟୁଷ୍ମାନ କାର୍ଡ ଥିଲେ ସରକାର ବହନ କରିବେ ଖର୍ଚ୍ଚ !

ଏହା ମଧ୍ୟ ପଢନ୍ତୁ ଶୈବାଳରୁ କ୍ୟାନସର ମହୋଷଧି ! ଔଷଧ୍ୟୀୟ ଗୁଣବତ୍ତାର ଅନୁସନ୍ଧାନ କରୁଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରଫେସର ମୃତ୍ୟୁଞ୍ଜୟ ଜେନା

ଇଟିଭି ଭାରତ, ଭୁବନେଶ୍ବର

: