ETV Bharat / state

ଭୂତ ଚାଷୀଙ୍କୁ ଧରିବେ ମୋହନ ସରକାର, ମିଥ୍ୟା ପ୍ଲଟ ଦର୍ଶାଇ ପଞ୍ଜିକରଣ କରିଥିଲେ କାର୍ଯ୍ୟାନୁଷ୍ଠାନ

ପଞ୍ଜିକରଣରେ କେଳେଙ୍କାରୀ । ନକଲି ଚାଷୀଙ୍କୁ ଗଲା ନୋଟିସ୍‌ । ପାଖାପାଖି 3 ଲକ୍ଷ ନକଲି ଚାଷୀ ଧରାପଡିଛନ୍ତି । ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କହିଲେ ସମବାୟ ମନ୍ତ୍ରୀ ।

SATELLITE SURVEY
ମିଥ୍ୟା ପ୍ଲଟ ଦର୍ଶାଇ ପଞ୍ଜିକରଣ କରିଥିବା ଚାଷୀଙ୍କ ବିରୁଦ୍ଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ (ETV Bharat Odisha)
author img

By ETV Bharat Odisha Team

Published : December 30, 2025 at 8:28 PM IST

2 Min Read
Choose ETV Bharat

Fake Farmer Registration ଭୁବନେଶ୍ବର: ଧାନ ପଞ୍ଜିକରଣ, ଟୋକନ ଏବଂ ଜମି ବାବଦରେ ମିଛ ତଥ୍ଯ ଦେଇଛନ୍ତି କି ? ହୋଇଯାଆନ୍ତୁ ସାବଧାନ ! ଏନେଇ ଆପଣଙ୍କୁ ଯୋଗାଣ ଓ ସମବାୟ ବିଭାଗ ନୋଟିସ୍ କରିପାରେ । କାରଣ ସାଟେଲାଇଟ ସର୍ଭେ ମାଧ୍ୟମରେ ଧରାପଡ଼ିଛି ସାଂଘାତିକ କେଳେଙ୍କାରୀ l ଏହି ଭୂତ ଚାଷୀଙ୍କୁ ଧରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି l

ମିଥ୍ୟା ପ୍ଲଟ ଦର୍ଶାଇ ପଞ୍ଜିକରଣ କରିଥିବା ଚାଷୀଙ୍କ ବିରୁଦ୍ଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ (ETV Bharat Odisha)

ମିଥ୍ୟା ତଥ୍ୟ ଦେଇଥିଲେ, ଗଲା ନୋଟିସ୍‌:

ଧାନ କିଣା ପ୍ରକ୍ରିୟା ସମୟରେ ଧାନ ଚାଷ ନେଇ ମିଥ୍ୟା ତଥ୍ୟ ଦେଇଥିବା ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ୍ । ନୋଟିସ ଜାରି କରିବାକୁ ଯୋଗାଣ ବିଭାଗର ନିର୍ଦ୍ଦେଶ । ସାଟେଲାଇଟ ସର୍ଭେ ମାଧ୍ୟମରେ ଧରାପଡ଼ିଥିବା ତଥା ଅଣ ଚାଷ ଜମିକୁ ଚାଷ ଜମି ଦର୍ଶାଇଥିବା ଚାଷୀଙ୍କୁ ନୋଟିସ୍‌ କରିବାକୁ ନିର୍ଦ୍ଦେଶ ଦେଇଛି ଯୋଗାଣ ଏବଂ ସମବାୟ ବିଭାଗ । ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକର ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ସାଟେଲାଇଟ ସର୍ଭେ ମାଧ୍ୟମରେ ସରକାରଙ୍କୁ କିଛି ଚାଷୀ ଭୁଲ ତଥ୍ୟ ଦେଇଥିବା ନେଇ ବିଭାଗ ପାଖେ ସୂଚନା ରହିଛି ।

SATELLITE SURVEY
ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ୍ (ETV Bharat Odisha)

ଧରାପଡିଲେ 3 ଲକ୍ଷ ନକଲି ଚାଷୀ:

ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ‘ସାଟେଲାଇଟ ଅନୁସାରେ ସବୁ କିଛି ଗ୍ରୀନ ଦେଖାଯିବ । ଧାନ ବି ଗ୍ରୀନ ଦେଖାଯିବ ବାଳୁଙ୍ଗା ବି ଗ୍ରୀନ ଦେଖାଯିବ । ଯେଉଁ ଜାଗାରେ ଧାନ ବୁଣି ନାହାନ୍ତି,ସେମାନେ ଆବେଦନ କରିଛନ୍ତି । ଯାହାଦ୍ବାରା ସେମାନଙ୍କର ପଞ୍ଜିକୃତ ହୋଇଛି । ସରଜମିନ ତଦନ୍ତ ପରେ ସେମାନେ ଧରା ପଡ଼ୁଛନ୍ତି । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଭିନ୍ନ ଜିଲ୍ଲାରେ ଏହାର ଯାଞ୍ଚ କରାଯାଉଛି । ପାଖାପାଖି ତିନି ଲକ୍ଷ ଧରାପଡିଛନ୍ତି । ଆହୁରି ଆଗକୁ ଏହାର ସଂଖ୍ୟା ବଢ଼ିବ l’

SATELLITE SURVEY
ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ୍ (ETV Bharat Odisha)

ପଞ୍ଜିକରଣରୁ ବଢିଲା ସନ୍ଦେହ:

ଗତ ଖରିଫ ଋତୁରେ 17 ଲକ୍ଷ 50 ହଜାର ଚାଷୀ 58 ଲକ୍ଷ ଏକର ଜମି ପାଇଁ ପଞ୍ଜିକରଣ କରିଥିଲେ । ଚଳିତବର୍ଷ 19 ଲକ୍ଷ 68 ହଜାର ଚାଷୀ 61 ଲକ୍ଷ 67 ହଜାର ଏକର ଜମି ପାଇଁ ପଞ୍ଜିକରଣ କରିଛନ୍ତି । ଅର୍ଥାତ୍ ଗତଥର ଅପେକ୍ଷା ଏଥର ବଢିଛନ୍ତି ଚାଷୀ ଏବଂ ବଢିଛି ଜମି । ତେବେ କେମିତି ଏତେ ଜମି ବଢିଲା ତାହାକୁ ସନ୍ଦେହ କରି ଏପରି ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:

ମଣ୍ଡିରେ ଧାନ କିଣାରେ ବିଳମ୍ବ: ଆନ୍ଦୋଳନ କରିବାକୁ ଚାଷୀଙ୍କ ଧମକ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

ଧାନ କ୍ରୟରେ ଅବ୍ୟବସ୍ଥା; ଅନାଲାଇଜର ମେସିନ ବ୍ୟବହାର ଉପରେ ପ୍ରଶ୍ନ ଉଠେଇଲେ ଚାଷୀ, ଆନ୍ଦୋଳନ ଧମକ

EXPLAINER: କେବେ ବଦଳିବ ଚାଷୀର ଭାଗ୍ୟ ? ସରକାରଙ୍କ ପାଖରେ କେବେ ହେବ ଧାନ କ୍ରୟ ପାଇଁ ଭିତ୍ତିଭୂମି ?


ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ:

ମିଥ୍ୟା ପ୍ଲଟ ଦର୍ଶାଇ ପଞ୍ଜିକରଣ କରିଥିବା ଚାଷୀଙ୍କ ବିରୁଦ୍ଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ଖରିଫ ଧାନ ଚାଷ ସମୟରେ ମିଥ୍ୟା ପ୍ଲଟ ଦର୍ଶାଇ ପଞ୍ଜିକରଣ କରିଥିବା ଚାଷୀଙ୍କୁ ପ୍ରଥମେ ଜାରି ହେବ କାରଣ ଦର୍ଶାଅ ନୋଟିସ l ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହେଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ସୂଚନା ଅନୁଯାଇ, ରାଜ୍ୟରେ 317 ତହସିଲର ଅଧିନ 41 ହଜାର 255 ଗାଁରେ ସାଟେଲାଇଟ ସର୍ଭେ ଜାରି ରହିଛି l 26 ଲକ୍ଷ 14 ହଜାର 151 ସନ୍ଦେହ ଥିବା ପ୍ଲଟକୁ ମଧ୍ୟ ସର୍ଭେ କରାଯାଉଛି ସାଟେଲାଇଟ ସର୍ଭେ ସହ ଅଧିକାରୀମାନେ ଫିଜିକାଲ ଭିଜିଟ ମଧ୍ୟ କରୁଛନ୍ତି l

ଇଟିଭି ଭାରତ, ଭୁବନେଶ୍ବର