ETV Bharat / state

ହଇରାଣ ହେବେନି ଦିବ୍ୟାଙ୍ଗ; ପ୍ରମାଣପତ୍ରର 'ବ୍ଲାଙ୍କେଟ୍' ଯାଞ୍ଚ ଉପରେ ସରକାରଙ୍କ କଟକଣା

ଓଡ଼ିଶା ସରକାର ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଓ ମର୍ଯ୍ୟାଦା ରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି । NHRCଙ୍କ ନିର୍ଦ୍ଦେଶାବଳୀକୁ ଭିତ୍ତି କରି ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।

CM Mohan Majhi
ମୁଖ୍ୟମନ୍ତ୍ରୀ ମୋହନ ମାଝୀ (@MohanMOdisha)
author img

By ETV Bharat Odisha Team

Published : April 29, 2026 at 8:09 AM IST

1 Min Read
Choose ETV Bharat

ଭୁବନେଶ୍ବର: ରାଜ୍ୟର ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ପ୍ରବେଶ କ୍ଷେତ୍ରରେ ଭିନ୍ନକ୍ଷମ ପ୍ରମାଣପତ୍ରର ଆଉ ବାରମ୍ବାର ଯାଞ୍ଚ ହେବନାହିଁ । ଏନେଇ ଚାଲିଥିବା ଅଯଥା ହଇରାଣକୁ ରୋକିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ନିର୍ଦ୍ଦେଶନାମା ପଠାଯାଇଛି ।

GOVERNMENT OF ODISHA
ଓଡିଶା ସରକାର (GOVERNMENT OF ODISHA)

SSEPD ପକ୍ଷରୁ ନିର୍ଦ୍ଦେଶନାମା:

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ପ୍ରେରିତ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, ଏଣିକି କୌଣସି ବି କ୍ଷେତ୍ରରେ ଭିନ୍ନକ୍ଷମ ପ୍ରମାଣପତ୍ରର ବ୍ଲାଙ୍କେଟ୍‌ (Blanket) ବା ସାମୂହିକ ପୁନଃଯାଞ୍ଚ କରାଯିବ ନାହିଁ । ଜାତୀୟ ମାନବାଧିକାର କମିଶନ ବା NHRCଙ୍କ ନିର୍ଦ୍ଦେଶାବଳୀକୁ ଭିତ୍ତି କରି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । କମିଶନଙ୍କ ପର୍ଯ୍ୟବେକ୍ଷଣ ଅନୁଯାୟୀ, ୧୫ ଅକ୍ଟୋବର ୨୦୨୫ର ମାନକ କାର୍ଯ୍ୟଶୈଳୀକୁ ଉଲ୍ଲଂଘନ କରି କେତେକ ସ୍ଥାନରେ ଦିବ୍ୟାଙ୍ଗମାନଙ୍କୁ ବାଧ୍ୟତାମୂଳକ ଭାବେ ବାରମ୍ବାର ଚିକିତ୍ସା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଯାହା ସେମାନଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିଲା । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏବେ ନିର୍ଦ୍ଦେଶ ଦିଆଯାଇଛି ଯେ, କେବଳ ଯେଉଁ କ୍ଷେତ୍ରରେ ପ୍ରମାଣପତ୍ରର ପ୍ରାମାଣିକତା ନେଇ ପ୍ରକୃତ ସନ୍ଦେହ ଉପୁଜିବ, କେବଳ ସେହି କ୍ଷେତ୍ରରେ ହିଁ ଯାଞ୍ଚ ପ୍ରକ୍ରିୟା ଆପଣାଯିବ ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଅତିରିକ୍ତ ସଚିବ ସୋନିଆ ବେହେରାଙ୍କ ଦ୍ୱାରା ଜାରି ଏହି ନିର୍ଦ୍ଦେଶନାମା ଅନୁଯାୟୀ, ସମସ୍ତ ବିଭାଗକୁ ୧୫ ଅକ୍ଟୋବର ୨୦୨୫ର ସଂଶୋଧିତ SOPକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପଡ଼ିବ । ଏହି ନୂତନ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରକୃତ ହିତାଧିକାରୀମାନେ ଯେପରି ବିନା କୌଣସି ଅଯଥା ବାଧାବିଘ୍ନ କିମ୍ବା ମାନସିକ ଓ ଆର୍ଥିକ ହଇରାଣରେ ସେମାନଙ୍କର ପ୍ରାପ୍ୟ ସୁବିଧା ସୁଯୋଗ ପାଇପାରିବେ, ତାହା ସୁନିଶ୍ଚିତ କରିବା । ଏହି ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....

ରିପୋର୍ଟ ମାଗିଲା ଯୋଜନା ଓ ସମନ୍ୱୟ ବିଭାଗ; ବନ୍ଦ ହେବ ଅନାବଶ୍ୟକ ଯୋଜନା !

ସିଏସଙ୍କ ସହିତ ଜିଲ୍ଲାପାଳଙ୍କ ବୈଠକ; ମାତୃ-ଶିଶୁ ମୃତ୍ୟୁହାର ହ୍ରାସ କରିବାକୁ ଫୋକସ୍‌

ଇଟିଭି ଭାରତ, ଭୁବନେଶ୍ବର