ନୂଆ ହେବ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ, ନିର୍ମାଣ ପାଇଁ ସରକାରଙ୍କ ୧ କୋଟି ଆର୍ଥିକ ଅନୁଦାନ
ବ୍ରହ୍ମ ତାଳଧ୍ୱଜ ରଥ ନୂଆ ହେବ । ଘୋଷଯାତ୍ରାରେ ଆଉ ବିଳମ୍ବ ହେବ ନାହିଁ । ନୂଆ ରଥ ନିର୍ମାଣ ପାଇଁ ସରକାର ଏକ କୋଟି ଟଙ୍କା ପ୍ରଦାନ କରିବେ ।

Published : February 26, 2026 at 12:07 PM IST
Baladevjew New Chariot କେନ୍ଦ୍ରାପଡ଼ା: ପ୍ରଭୁ ବଳଦେବଜୀଉଙ୍କ ଘୋଷଯାତ୍ରାରେ ଆଉ ବିଳମ୍ବ ହେବ ନାହିଁ । ଅଧା ବାଟରେ ଅଟକିବ ନାହିଁ ବ୍ରହ୍ମ ତାଳଧ୍ୱଜ ରଥ । ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ନିର୍ମାଣ ହେବ ନୂତନ ରଥ । ଅର୍ଥାତ ପୂର୍ବରୁ ଯେପରି ପୁରୁଣା ରଥକୁ ମରାମତି କରାଯାଉଥିଲା ତାହା ହେବ ନାହିଁ । ରଥ ପାଇଁ ବ୍ୟବହାର ହେଉଥିବା ସମସ୍ତ ଅଖ ଚକ ସମ୍ପୂର୍ଣ୍ଣ ନୂଆ ହେବ । ଏଥାପାଇଁ 1 କୋଟି ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।
ନିର୍ମାଣାଗତ ତ୍ରୁଟିକୁ ନେଇ ହୋଇ ଆସୁଥିଲା ଅଭିଯୋଗ:
୨୦୨୦ ଓ ୨୦୨୧ ମସିହାରେ କୋଭିଡ ମହାମାରୀ ପାଇଁ ବିଶ୍ୱର ସର୍ବବୃହତ ରଥ ଭାବେ ପରିଚିତ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥଯାତ୍ରା ବନ୍ଦ ରହିଥିଲା । ପରବର୍ଷ ଅର୍ଥାତ ୨୦୨୨ ମସିହାରେ ଘୋଷଯାତ୍ରା ସମୟରେ ପ୍ରଥମଥର ପାଇଁ ପରମ୍ପରା ଭଙ୍ଗ ହୋଇ ରଥଯାତ୍ରାକୁ ଦୁଇଦିନ ବଦଳରେ ଚାରିଦିନ କରାଯାଇଥିଲା । ଭାରତୀୟ ରେଲୱେ ସେବାର ସହଯୋଗ ନିଆଯାଇ ଜ୍ୟାକ ବ୍ୟବହାର କରାଯାଇ ରଥ ଟଣାଯାଇଥିଲା । ସେ ସମୟରେ ପ୍ରଶାସନିକ ଅବ୍ୟବସ୍ଥାକୁ ଦାୟୀ କରାଯାଇ ପୂର୍ତ୍ତ ବିଭାଗ ପକ୍ଷରୁ ରଥ ନିର୍ମାଣ ସମୟରେ ସଠିକ ନିରୀକ୍ଷଣ କରା ଯାଇନଥିବା ଅଭିଯୋଗ ହୋଇଥିଲା । ରଥ ନିର୍ମାଣକାରୀ ମୁଖ୍ୟ ମହାରଣାଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଥିଲା । ଅନୁରୂପ ଭାବେ ୨୦୨୩ରେ ସମାନ ସ୍ଥିତି ଉପୁଜିଥିବା ବେଳେ ୨୦୨୫ ମସିହାରେ ଗୁଣ୍ଡିଚା ଯାତ୍ରାକୁ ୫ ଦିନ ଓ ବାହୁଡା଼ ଯାତ୍ରାକୁ ୪ଦିନ ଲାଗିବା କାରଣରୁ ଶ୍ରଦ୍ଧାଳୁ, ସେବାୟତଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା ।

ରାଜ୍ୟ ସରକାର ରଥ ନିର୍ମାଣ ପାଇଁ ଦେଲେ କୋଟିଏ:
ପୂର୍ତ୍ତ, ଆଇନ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କେନ୍ଦ୍ରାପଡା ବଳଦେବଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର କରିଛନ୍ତି । ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ୧୪ଟି ଚକର ଅବସ୍ଥା ଠିକ୍ ନଥିବାରୁ ରଥ ଚାଳନାରେ ବିଭିନ୍ନ ପ୍ରକାରର ବିଘ୍ନ ସୃଷ୍ଟି ହେଉଥିଲା । ଫଳସ୍ୱରୂପ ରଥ ମାଉସୀ ମା’ଙ୍କ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରୁନଥିଲା । ପାଖାପାଖି ଦୁଇଦିନ ବିଳମ୍ବ ହେଉଥିଲା । ବାହୁଡ଼ା ଯାତ୍ରା ସମୟରେ ମଧ୍ୟ ସମାନ ସ୍ଥିତି ଦେଖାଯାଉଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଭୁ ବଳଦେବ ଜୀଉଙ୍କ ନୂତନ ରଥ ନିର୍ମାଣରେ ଯେପରି କୌଣସି ଅସୁବିଧା ସୃଷ୍ଟି ନ ହୁଏ ସେଥିପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କାର ଅନୁଦାନ ରାଶି ମଞ୍ଜୁର କରିଛନ୍ତି ।
ରଥକାମ ପାଇଁ ସରକାରୀ ଦରରେ ଶାଳକାଠ ଯୋଗାଇବାକୁ ନିବେଦନ:
ବଳଦେବଜୀଉଙ୍କ ରଥରେ ବ୍ୟବହୃତ ହେଉଥିବା ସମସ୍ତ କାଠ, ଶାଳକାଠ ହୋଇଥିବା ବେଳେ ଏହାର ଦାମ ଆକାଶଛୁଆଁ ରହିଛି । ବ୍ରହ୍ମ ତାଳଧ୍ଵଜ ରଥରେ ୧୪ ଚକ, ୭ ଅଖ, ୯ ବରାନ୍ଦ, ଖୁଣ୍ଟିଆ ୩୦, ପାସ୍ତା ଖୁଣ୍ଟିଆ ୧୫, ତଳ ଉପର ପାସ୍ତା ୮, ପାରିଣୀ ୬, କାନି ପାରିଣୀ ୨୦ଟି ଲାଗିଥାଏ । ୭୦୬ ଖଣ୍ଡ ପୁରୁଣା କାଠ ରଥରେ ଲାଗିଥାଏ । ବ୍ରହ୍ମ ତାଳଧ୍ଵଜ ରଥରେ ୯ ଖଣ୍ଡ ଦେବଦାରୁ, ୪ ଖଣ୍ଡ ଉଇକାଲିପଟାସ, ଶିମିଳି ପଟା ୧୬ ଖଣ୍ଡକୁ ବାଦ ଦେଲେ ଆଉ ସବୁ ଶାଳ କାଠ ଲାଗିବାର ବ୍ୟବସ୍ଥା ରହିଛି । ତେବେ ଏହି ଶାଳକାଠକୁ ସରକାରୀ ଦରରେ ଯୋଗାଇବା ପାଇଁ ନିବେଦନ କରିଛନ୍ତି ସେବାୟତ ପ୍ରତିନିଧି ।

କୋଟିଏ ଟଙ୍କାର ଅନୁଦାନ ପାଇଁ ଧନ୍ୟବାଦ ଦେଲେ ସେବାୟତ:
ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟରେ ରାଜ୍ୟ ସରକାରଙ୍କ ଅନୁଦାନକୁ ନେଇ ଧନ୍ୟବାଦ ଜଣାଇଛନ୍ତି ସେବାୟତ । ପୂଜାପଣ୍ଡା ସେବାୟତ ଜ୍ୟୋତିରଞ୍ଜନ ପତ୍ରୀ କହିଛନ୍ତି,"ବଳଦେବଜୀଉଙ୍କ ରଥର ନିର୍ମାଣ ପାଇଁ ସରକାର ଏକ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଫଳରେ ଘୋଷଯାତ୍ରାରେ ଘାତ ପ୍ରତିଘାତ ଆସିବ ନାହିଁ ଓ ସୁରୁଖୁରୁରେ ଘୋଷଯାତ୍ରା ସମ୍ପନ୍ନ ହେବ । ମହାପ୍ରଭୁଙ୍କ ରଥରେ ପାଖାପାଖି ୯୫% ଶାଳକାଠ ବ୍ୟବହାର କରାଯାଇଥାଏ । ଶାଳକାଠ ଅତ୍ୟଧିକ ମୂଲ୍ୟବାନ ହୋଇଥିବା କାରଣରୁ ଏହି ଏକ କୋଟି ଟଙ୍କା ବଜେଟରେ ରଥ ନିର୍ମାଣ ହୋଇପାରିବ ବୋଲି ମୁଁ ଆଶାବାଦୀ ।"
ସେହିପରି ସେବାୟତ ସମୂହ ପ୍ରତିନିଧି ନୃସିଂହ ପ୍ରସାଦ ପତ୍ରୀଙ୍କ କହିବା ଅନୁସାରେ, ଏ ସମ୍ପର୍କରେ ଆସନ୍ତା ୫ ତାରିଖରେ ଭୁବନେଶ୍ୱରରେ ଏକ ବୈଠକ ଅନୁଷ୍ଠିତ ହେବ ଓ ସେଠାରେ ରଥ ନିର୍ମାଣ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଦୀର୍ଘ ଦିନ ଧରି ରଥ ତିଆରିର ମୁଖ୍ୟ କାରିଗର ବା ବଢ଼େଇଙ୍କର ଅସୁସ୍ଥତା କାରଣରୁ ତାଙ୍କ ପୁଅ ରଥ ନିର୍ମାଣ କରୁଥିଲେ । ସେ ଠିକ ଭାବେ ଏହାର ପରିଚାଳନା କରି ପାରୁନଥିଲେ ବା ତିଆରି କରିବାର କୌଶଳ ଠିକ ଭାବେ କରି ପାରୁନଥିଲେ ।
ଏହା ମଧ୍ୟ ପଢ଼ନ୍ତୁ... ଭକ୍ତିଭାବରେ ବନ୍ଧା ପରିବାର, ବିଦେଶରେ ପହଞ୍ଚାଉଛନ୍ତି ହରିନାମ, ଦେଶରେ 20,000 ଶିଷ୍ୟ କଲମରୁ କାଠ, ରଥକଳାର ବିନ୍ଧାଣୀ: ମହାପ୍ରଭୁଙ୍କ ଅନନ୍ୟ ବିଶ୍ୱକର୍ମା ସୁମିତ |
ନୃସିଂହ ପ୍ରସାଦ ପତ୍ରୀ କହିଛନ୍ତି, "ଆଗାମୀ ଦିନରେ ରଥର ବିଘ୍ନ ନଘଟୁ, ମହାପ୍ରଭୁ ନିଜର ତଥା କେନ୍ଦ୍ରାପଡା ଜିଲ୍ଲାର ସମ୍ମାନ ରକ୍ଷା କରନ୍ତୁ ବୋଲି ଆମେ ଆଶା କରିବୁ ଓ ମହାପ୍ରଭୁଙ୍କ ପାଖରେ ଗୁହାରୀ କରିବୁ । ରଥ ପାଇଁ ଯେଉଁ ଶାଳକାଠ ଆବଶ୍ୟକ ସେହି କାଠକୁ ରାଜ୍ୟ ସରକାର, ସରକାରୀ ଦରରେ ଯୋଗାଇଦେଲେ ଅନୁଦାନ ରାଶି ମଧ୍ୟରେ ରଥ ନିର୍ମାଣ ହୋଇପାରିବ ।"
ଇଟିଭି ଭାରତ, କେନ୍ଦ୍ରାପଡା

