ଫେରିବ ମହାପ୍ରଭୁଙ୍କ ଜମି, ପଲିସି ବଦଳାଇବେ ଓଡ଼ିଶା ସରକାର
ଗତକାଲି ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ l କେମିତି ଜଗନ୍ନାଥଙ୍କ ଜମି ଉଦ୍ଧାର ହେବ ଏହାର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି l

Published : December 31, 2025 at 6:27 PM IST
Lord Jagannath Land Recovery ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନେକ ଜମି ଏବେବି ଜବର ଦଖଲ l ଏହାକୁ ଉଦ୍ଧାର କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏନେଇ ଗତକାଲି(ମଙ୍ଗଳବାର) ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ l କିପରି ଜଗନ୍ନାଥଙ୍କ ଜମି ଉଦ୍ଧାର ହେବ ଏହାର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି l
ଲୋକଙ୍କ ସୁବିଧା ପାଇଁ ଏପରି ବ୍ୟବସ୍ଥା ହେବ:
ଏହାକୁ ନେଇ ଆଜି(ବୁଧବାର) ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ଲ୍ୟାଣ୍ଡ ସେଟେଲମେଣ୍ଟ ପଲିସି 2003 ମସିହାରେ ଥିଲା ସେ ପଲିସି ଆଧାରରେ ଏପର୍ଯ୍ୟନ୍ତ ଯେତିକି ଜାଗା ସେଟେଲମେଣ୍ଟ ହେବା କଥା ତାହା ହୋଇପାରି ନଥିଲା l ବିଭିନ୍ନ କାରଣରୁ ଅପରେସନାଲ୍ ସାଇଟ୍ ଯାହା ଥିଲା ସେଥିରେ କିଛି ତ୍ରୁଟି ଥିଲା l ସେ ସମସ୍ୟାକୁ ସବୁ ପରିବର୍ତ୍ତନ କରି ତାକୁ ସାବଲୀଳ ବ୍ୟବସ୍ଥା କରିହେବ ସେ ବାବଦରେ ମ୍ୟାନେଜିଂ କମିଟି କିଛି ଉପଦେଶ ଦେଇଥିଲେ l ସେହି ଆଧାରରେ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନେଇ ଚର୍ଚ୍ଚା ଆଲୋଚନା ହୋଇଥିଲା l ତା’ ପରେ ଗୋଟେ ଡ୍ରାଫ୍ଟ ପଲିସି ତିଆରି କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି l ଯେମିତି ସୁରଖୁରରେ କାର୍ଯ୍ୟ ହୋଇପାରିବ ଏବଂ ଲୋକମାନଙ୍କୁ ଆବେଦନ କରିବା ପାଇଁ ଯେମିତି ସୁବିଧା ହେବ l କମନ ପୋର୍ଟାଲରେ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ l ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜିଲ୍ଲାପାଳ ସେଗୁଡିକ ଫଇସଲା କରି ତାର ନିଷ୍ପତ୍ତି ନେବେ l ମନ୍ଦିର ପ୍ରଶାସନ ତାର ଏନଓସି ପରେ ତାକୁ ପ୍ରୋସେସିଂ କରାଯିବ l ଏ ପ୍ରକିୟାରେ ଜିଲ୍ଲାପାଳ ଏବଂ ଆରଡିସି ମାନଙ୍କର ପ୍ରମୁଖ ଭୂମିକା ରହିବ l’
ଉଦ୍ଧାର ହେବ ମହାପ୍ରଭୁଙ୍କ ଜମି:
‘ଏ ସବୁର ଫାଇନାଲ ଡ୍ରାଫ୍ଟ ଆସିବ ପରେ ତାକୁ ଅନୁମୋଦନ ହେଲା ପରେ କାର୍ଯ୍ୟକାରୀ କରାଯିବ l ପାଖାପାଖି ଦୁଇ ମାସ ଭିତରେ ପ୍ରକ୍ରିୟା ଆରମ୍ଭ ହେବ l ବିଭିନ୍ନ କାରଣରୁ ଯେଉଁ ସବୁ କାମ ବାକି ରହିଥିଲା ସେସବୁ ଆରମ୍ଭ ହେବ l କେବଳ ପୁରୀ ନୁହଁ ଅନେକ ସ୍ଥାନରେ ଲୋକମାନେ ଜଗନ୍ନାଥଙ୍କ ଜମିରେ ପୁରୁଷ ପୁରୁଷ ଧରି ମାଡି ବସିଛନ୍ତି ସେମାନଙ୍କୁ ଉଚ୍ଛେଦ କରିବା ପାଇଁ କଠୋର ପଦକ୍ଷେପ ନିଆଯିବ l ତେଣୁ ଲ୍ୟାଣ୍ଡ ସେଟେଲମେଣ୍ଟ ଏବଂ ଜବର ଦଖଲ ଉଚ୍ଛେଦ ଏହି ଦୁଇଟି କଥାକୁ ଗୁରୁତ୍ବ ସହକାରେ ନେଉଛନ୍ତି l’ ବୋଲି ଆଇନମନ୍ତ୍ରୀ କହିଛନ୍ତି ।
କେଉଁଠି କେତେ ଅଛି ମହାପ୍ରଭୁଙ୍କ ଜମି ?
ବିଧାନସଭାରେ ବିଧାୟକ ସୁଦର୍ଶନ ହରିପାଲଙ୍କ ପ୍ରଶ୍ନରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉତ୍ତର ରଖିଥିଲେ,
- ରାଜ୍ୟ ବାହାରେ ରହିଛି ଜଗନ୍ନାଥଙ୍କ ଜମି
- 6ଟି ପ୍ରଦେଶରେ 395 ଏକର 252 ପରିମିତ ଜମି ଚିହ୍ନଟ କରାଯାଇଛି
- ଓଡ଼ିଶାର 24 ଜିଲ୍ଲାରେ ଜଗନ୍ନାଥଙ୍କ 60 ଏକର 426.943 ଜମି ରହିଛି
- ସେଥିରୁ 38 ଏକର 061.792 ପରିମିତ ଜମିର ସଂଶୋଧିତ ସ୍ୱତ୍ତଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ଅଛି
- ବେଆଇନ ଭାବେ ଅବରୋଧ ହୋଇଥିବା ଶ୍ରୀଜିଉଙ୍କ ଜମିକୁ ତଦନ୍ତ କରାଯାଇ ଚି଼ହ୍ନଟ କରାଯାଇଛି
- ରାଜ୍ୟର 7 ଜିଲ୍ଲାରେ 169 ଏକର 86167 ପରିମିତ ଜମି ଉପରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉଚ୍ଛେଦ କରାଯିବା ପାଇଁ ଶ୍ରୀମନ୍ଦିର ଆଇନ ଅନୁଯାଇ 974ଟି ବେଆଇନ ଅବରୋଧ ମକଦ୍ଦମା ଦାୟର କରାଯାଇଛି
ଇଟିଭି ଭାରତ, ଭୁବନେଶ୍ବର

