ଉନ୍ନୟନ କମିଶନର ହେଲେ ଦେଓ ରଞ୍ଜନ, ହେମନ୍ତଙ୍କୁ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ
ଶୁଭା ଶର୍ମାଙ୍କୁ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ମିଳିଛି ଅତିରିକ୍ତ ଦାୟିତ୍ୱ । ନୟାଗଡ଼ ଜିଲ୍ଲାପାଳ ହୋଇଛନ୍ତି 2015 ବ୍ୟାଚର ଆଇଏଏସ୍ ମଧୁସ୍ମିତା ରଥ ।

Published : January 1, 2026 at 10:56 PM IST
ଭୁବନେଶ୍ବର: ଇଂରାଜୀ ନୂଆବର୍ଷରେ ବରିଷ୍ଠ ପ୍ରଶାସନିକ ସ୍ତରରେ ମୋହନ ସରକାର କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ । ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ହେବା ପରେ ଉନ୍ନୟନ କମିଶନର ହୋଇଛନ୍ତି ବରିଷ୍ଠ ଆଇଏଏସ ଦେଓ ରଞ୍ଜନ କୁମାର ସିଂ । ସେହିପରି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ହେମନ୍ତ କୁମାର ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ମୋହନ ସରକାର । ଏନେଇ ଆଜି (ଗୁରୁବାର) ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଦେବାଶିଷ ସିଂଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।
ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ସିଂଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ରାଜସ୍ୱ ବୋର୍ଡର ସଦସ୍ୟ ହୋଇଛନ୍ତି 1991 ବ୍ୟାଚର ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ । ଉନ୍ନୟନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି 1993 ବ୍ୟାଚର ଦେଓ ରଞ୍ଜନ କୁମାର ସିଂ । ଯୋଜନା ଏବଂ ସଂଯୋଜନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦେଓ ରଞ୍ଜନ କୁମାର ସିଂ ମଧ୍ୟ କାର୍ଯ୍ୟ ତୁଲାଇବେ । ସେହିପରି ସେ ପୂର୍ବ ଭଳି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିବେ ।
ହେମନ୍ତ କୁମାର ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ୱ
ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ 1995 ବ୍ୟାଚର ଅଫିସର ହେମନ୍ତ କୁମାର ଶର୍ମା । ପୂର୍ବଭଳି ସେ ଶିଳ୍ପ ଏବଂ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବେ ହେମନ୍ତ । 1999 ବ୍ୟାଚର ଅଫିସର ଶୁଭା ଶର୍ମାଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଶୁଭାଙ୍କୁ ଦାୟିତ୍ୱ ମିଳିଛି । ସେ ପୂର୍ବ ଭଳି ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରିବେ ।
ଭାସ୍କର ଜ୍ୟୋତି ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ୱ
ସେହିପରି 1999 ବ୍ୟାଚର ଆଉ ଜଣେ ଅଫିସର ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । ଜଙ୍ଗଲ ଏବଂ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବେ ଏହି ଅଫିସର । ଏହାସହ ସେ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ । ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମାର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ 2005 ବ୍ୟାଚର ରାଜେଶ ପ୍ରଭାକର ପାଟିଲ । ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଓ ଅନ୍ୟାନ୍ୟ ଦାୟିତ୍ୱରେ ମଧ୍ୟ ରହିବେ ।
ବଦଳିଲେ ନୟାଗଡ଼ ଓ ଗଜପତି ଜିଲ୍ଲାପାଳ
ନୟାଗଡ଼ ଜିଲ୍ଲାପାଳ ହୋଇଛନ୍ତି 2015 ବ୍ୟାଚର ଆଇଏଏସ୍ ମଧୁସ୍ମିତା ରଥ । ପୂର୍ବରୁ ସେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ । ସେହିପରି ନୟାଗଡ଼ ଜିଲ୍ଲାପାଳ ଥିବା 2019 ବ୍ୟାଚର ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ- ପୁଣି ଆଇଏଏସ ସ୍ତରରେ ଅଦଳବଦଳ; 13 ଅଫିସରଙ୍କୁ ନୂଆ ଦାୟିତ୍ୱ
ଏହା ମଧ୍ୟ ପଢ଼ନ୍ତୁ- ବଦଳିଲେ ୪୯ ଆଇଏଏସ, ୧୫ ଜିଲ୍ଲାପାଳ: ପୁରୀ କଲେକ୍ଟର ହେଲେ ବିଏମସି କମିଶନର
ଇଟିଭି ଭାରତ, ଭୁବନେଶ୍ବର

