ଏଣିକି ଧାନ କିଣାରେ ସାଟେଲାଇଟ ବ୍ୟବହାର, ସାର କଳାବଜାରୀ କଲେ କଡ଼ା ଆକ୍ସନ ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ
ଧାନ କିଣାରେ ଅନିୟମିତତା ରୋକିବା ପାଇଁ ସରକାର ପ୍ରଯୁକ୍ତିର ସହାୟତା ନେବାକୁ ଯୋଜନା କରିଛନ୍ତି । ରିପୋର୍ଟ ବିକାଶ ଦାସ


Published : August 25, 2026 at 12:25 PM IST
ଭୁବନେଶ୍ବର: ଓଡ଼ିଶାର କୃଷି ବ୍ୟବସ୍ଥାକୁ ସଶକ୍ତ କରିବାରେ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (OUAT)ର ଅବଦାନ ଦୀର୍ଘ ୬୫ ବର୍ଷର । କୃଷି, ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଗବେଷଣା, ନୂଆ ପ୍ରଯୁକ୍ତି ଓ ବୈଷୟିକ ସହାୟତା ମାଧ୍ୟମରେ ଚାଷୀଙ୍କ ଆୟ ବଢ଼ାଇବା ଦିଗରେ OUAT ନିରନ୍ତର କାମ କରିଆସୁଛି । OUATର ୬୫ତମ ପ୍ରତିଷ୍ଠା ଦିବସ ଅବସରରେ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ।
ଧାନ କିଣାରେ ସାଟେଲାଇଟ ବ୍ୟବହାର
ଓୟୁଏଟି କାରଣରୁ ରାଜ୍ୟର କୃଷି ଉତ୍ପାଦନ, ବିଶେଷକରି ଧାନ ଉତ୍ପାଦନ ଜାତୀୟ ହାର ଠାରୁ ଉପରକୁ ଯାଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି । କୃଷି କ୍ଷେତ୍ରରେ ଆଗାମୀ ରଣନୀତି ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ମନ୍ତ୍ରୀ । ଚାଷୀଙ୍କ ଉତ୍ପାଦନ ଓ ଆୟକୁ ସୁରକ୍ଷା ଦେବା ସହ ଧାନ କିଣାରେ ଅନିୟମିତତା ରୋକିବା ପାଇଁ ସରକାର ପ୍ରଯୁକ୍ତିର ସହାୟତା ନେବାକୁ ଯୋଜନା କରିଛନ୍ତି ।


ଧାନ ଚାଷର ବାସ୍ତବତା ଯାଞ୍ଚ ପାଇଁ ସାଟେଲାଇଟ୍ ଇମେଜର ବ୍ୟବହାର କରାଯିବ । କେଉଁ ଜମିରେ ଧାନ ଚାଷ ହୋଇଛି, କେଉଁ ଅଞ୍ଚଳ ଜଳସେଚିତ ଏବଂ କେଉଁ ଜମିରେ ରବି ଋତୁରେ ଧାନ ଚାଷ ସମ୍ଭବ ନୁହେଁ ଏସବୁ ତଥ୍ୟର ଯାଞ୍ଚ କରାଯିବ। ଅନ୍ୟ ରାଜ୍ୟରୁ ଧାନ ଆଣି ସରକାରୀ ଦରରେ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ।
ଗଞ୍ଜେଇ ଚାଷରେ ବ୍ୟବହାର ହେଉଛି ସାର
ସେହିପରି ରାଜ୍ୟରେ ସାରର ଅଭାବ ନଥିବା ନେଇ କୃଷିମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସାର ବିକ୍ରି କେନ୍ଦ୍ର ଗୁଡ଼ିକରେ ନିୟମିତ ଯାଞ୍ଚ ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜେଇ ଚାଷରେ ସାରର ବ୍ୟବହାର ହେଉଥିବା ଅଭିଯୋଗ ଉପରେ ମଧ୍ୟ ସରକାର ସଜାଗ ଥିବା କହିଛନ୍ତି କନକ ବର୍ଦ୍ଧନ ସିଂଦେଓ । ଏଭଳି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ରାଜ୍ୟରେ ଦୈନିକ 3 କୋଟି ଅଣ୍ଡାର ଚାହିଦା ରହିଛି
କୃଷି ସହ ପଶୁପାଳନ କ୍ଷେତ୍ରରେ ମଧ୍ୟ ରାଜ୍ୟର ଚାହିଦା ଓ ଉତ୍ପାଦନ ମଧ୍ୟରେ ବଡ଼ ତଫାତ ରହିଛି । ରାଜ୍ୟରେ ଦୈନିକ ପ୍ରାୟ ୧ କୋଟି ୩୦ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବାବେଳେ ଦୈନିକ ଚାହିଦା ପ୍ରାୟ ଅଢ଼େଇରୁ ୩ କୋଟି ଅଣ୍ଡା ବୋଲି ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ତେଣୁ ରାଜ୍ୟରେ ଅଣ୍ଡା ଉତ୍ପାଦନ ବଢ଼ାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।
GI ଟ୍ୟାଗ୍ ପାଇଁ ଉଦ୍ୟମ
ଅନ୍ୟପଟେ ଓଡ଼ିଶାର ପାରମ୍ପରିକ କୃଷି ଓ ଖାଦ୍ୟ ଉତ୍ପାଦକୁ ଦେଶ-ବିଦେଶରେ ନୂଆ ପରିଚୟ ଦେବା ପାଇଁ GI ଟ୍ୟାଗ୍ ଉଦ୍ୟମ ମଧ୍ୟ ଜୋରଦାର ହୋଇଛି । ଢେଙ୍କାନାଳର ପାଳ ବାଇଗଣ, ସମ୍ବଲପୁରର ସରସତୀଆ ଏବଂ ପୁରୀ-ଚିଲିକା ଅଞ୍ଚଳର ପ୍ରସିଦ୍ଧ ମାଣିକପାଟଣା ଦହି ପାଇଁ GI ଟ୍ୟାଗ୍ ଆବେଦନ ଶେଷ ପର୍ଯ୍ୟାୟରେ ଥିବା OUAT କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି । ଏଥିପାଇଁ ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ ଦାଖଲ କରାଯାଇଛି । ମାଣିକପାଟଣା ଦହିର ପାରମ୍ପରିକ ପ୍ରସ୍ତୁତି ପ୍ରଣାଳୀ, ବ୍ୟବହୃତ ସାମଗ୍ରୀ ଓ ଐତିହ୍ୟ ସମ୍ପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଛି ।
ଏହାବ୍ୟତୀତ କେନ୍ଦୁଝରର ପ୍ରସିଦ୍ଧ ବଡ଼ି ଏବଂ ଏହା ପ୍ରସ୍ତୁତିରେ ବ୍ୟବହୃତ ‘ଫେଣୁଆ ବିରି’ ପାଇଁ ମଧ୍ୟ GI ଟ୍ୟାଗ୍ ହାସଲ କରିବାକୁ ପ୍ରୟାସ ଚାଲିଛି । ବାଂଶପାଳ ଅଞ୍ଚଳରେ ଉତ୍ପାଦିତ ଏହି ବିଶେଷ ପ୍ରଜାତିର ବିରିରୁ ପ୍ରସ୍ତୁତ ବଡ଼ିକୁ ଭୌଗୋଳିକ ପରିଚୟ ଦେବା ଦିଗରେ ଆବଶ୍ୟକ କାଗଜପତ୍ର ଦାଖଲ ହୋଇଛି। GI ଟ୍ୟାଗ୍ ମିଳିଲେ ଏହି ପାରମ୍ପରିକ ଉତ୍ପାଦଗୁଡ଼ିକୁ ନୂଆ ବଜାର ଓ ନୂଆ ପରିଚୟ ମିଳିବ । ସେହିସହିତ ସ୍ଥାନୀୟ ଚାଷୀ, ଉତ୍ପାଦକ ଓ ମହିଳା ଉଦ୍ୟୋଗୀମାନେ ଆର୍ଥିକ ଭାବେ ଲାଭବାନ ହେବାର ସୁଯୋଗ ପାଇବେ ।
୬୫ ବର୍ଷର ଯାତ୍ରାରେ OUAT କେବଳ ଗବେଷଣା କେନ୍ଦ୍ର ଭାବେ ନୁହେଁ ଚାଷୀଙ୍କ ସହ ଜଡ଼ିତ ଏକ ବୈଷୟିକ ଶକ୍ତି ଭାବେ ନିଜର ଭୂମିକା ଗଢ଼ିଛି । ଧାନ ଚାଷରୁ ପଶୁପାଳନ, ଅଣ୍ଡା ଉତ୍ପାଦନରୁ ପାରମ୍ପରିକ ଖାଦ୍ୟର GI ଟ୍ୟାଗ୍—ଓଡ଼ିଶାର କୃଷିକୁ ଅଧିକ ଉତ୍ପାଦନଶୀଳ, ପ୍ରଯୁକ୍ତିନିର୍ଭର ଓ ବଜାରମୁଖୀ କରିବାର ଲକ୍ଷ୍ୟ ଏବେ ଆହୁରି ସ୍ପଷ୍ଟ ହେଉଛି ।
ଏହା ମଧ୍ୟ ପଢନ୍ତୁ GI ଟ୍ୟାଗ୍ ଦୌଡ଼ରେ ୩ ପାରମ୍ପରିକ ଖାଦ୍ୟ … OUAT ଦେଉଛି ଓଡ଼ିଶାର ସ୍ୱାଦକୁ ବିଶ୍ୱ ପରିଚୟ
ଏହା ମଧ୍ୟ ପଢନ୍ତୁ ଶକ୍ତିଶାଳୀ ହେଉଛି El Nino: କୃଷି ପାଇଁ ବଢ଼ିଲା ଚିନ୍ତା, ଚାଷୀଙ୍କୁ ସ୍ୱଳ୍ପ ଅବଧି ବିହନ ଏବଂ ବିକଳ୍ପ ଚାଷ ପାଇଁ OUAT ବୈଜ୍ଞାନିକଙ୍କ ପରାମର୍ଶ
ଇଟିଭି ଭାରତ, ଭୁବନେଶ୍ବର

