ଚିଲିକାର ପୁନର୍ବିକାଶ ପାଇଁ IIT-ମାଡ୍ରାସ ଓ ରାଜ୍ୟ ସରକାର ଅନୁବନ୍ଧିତ, ୧୫୦୦ରୁ ୨ ହଜାର କୋଟି ଟଙ୍କାର DPR ପ୍ରସ୍ତୁତ
ଲୋକସେବା ଭବନରେ ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି ।

Published : January 3, 2026 at 5:32 PM IST
ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରାମସାର ସାଇଟ୍ ଚିଲିକା ହ୍ରଦକୁ ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଚିଲିକାର ସଂରକ୍ଷଣ, ପୁନର୍ବିନ୍ୟାସ ଓ ଉନ୍ନତିକରଣକୁ ନେଇ IIT- Madras ଦ୍ୱାରା ୧୫୦୦ରୁ ୨ ହଜାର କୋଟି ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତ କରାଯାଉଛି । ଲୋକସେବା ଭବନରେ ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ବୈଠକରେ ପୁରୀ ସାଂସଦ ସମ୍ବିତ ପାତ୍ର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଅଧିକାରୀମାନେ ଓ IIT ମାଡ୍ରାସର ପ୍ରତିନିଧି ଉପସ୍ଥିତ ଥିଲେ ।
ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ, ଚିଲିକାକୁ କୌଣସି ପ୍ରକାର କ୍ଷତି ପହଞ୍ଚିବାକୁ ଦିଆଯିବ ନାହିଁ ଏବଂ ପରିବେଶ ସନ୍ତୁଳନକୁ ରକ୍ଷା କରି ସମସ୍ତ କାର୍ଯ୍ୟ କରାଯିବ । IIT ମାଡ୍ରାସ ଦ୍ୱାରା ଆଜି(ଶନିବାର) ପ୍ରାରମ୍ଭିକ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରାଯାଇଛି ଏବଂ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଏହାର ସମ୍ପୂର୍ଣ୍ଣ ରିପୋର୍ଟ ଦିଆଯିବ ।
"ଚିଲିକା ଆମ ସମସ୍ତଙ୍କ ପାଇଁ ପ୍ରତିଷ୍ଠାର ପ୍ରଶ୍ନ । କେବେଳ ଯେ ଏହା ଏସିଆର ସବୁଠାରୁ ବଡ଼ ଲୁଣି ଜଳ ହ୍ରଦ ନୁହେଁ, ଏହା ପୃଥିବୀର ଅନ୍ୟ ପ୍ରମୁଖ ରାମସାର ସାଇଟ୍ ଏବଂ ପର୍ଯ୍ୟଟନସ୍ଥଳୀ । ସେସବୁ ଦୃଷ୍ଟିକୋଣରୁ ଚିଲିକା ବିଗତ ବର୍ଷ ମାନଙ୍କରେ ଅବହେଳିତ ହୋଇ ରହିଛି । ପ୍ରାୟ ୨୫ ବର୍ଷ ତଳେ ଚିଲିକାର ମୁହାଣ ଖୋଳା ଯାଇଥିଲା । ୨୫ ବର୍ଷ ଧରି ଚିଲିକାରେ କେତେ ସିଲଟେସନ ହେଇଛି, କେତେ ଏରିଆ ପୋତି ହୋଇ ଯାଇଛି, ଏହି ହ୍ରଦର ଲବଣତା କେତେ କମିଛି, ଏ ବାବଦରେ କେହି ଚିନ୍ତା କରୁ ନଥିଲେ । ଆମ ସରକାର ଆସିବା ପରେ କ୍ରମାନ୍ୱୟରେ ପର୍ଯ୍ୟାୟକ୍ରମେ ଚିଲିକା ଉନ୍ନୟନ ପରିଷଦ ଓ ଜଙ୍ଗଲ ବିଭାଗ ଅନୁକୁଲ୍ୟରେ ବିଭିନ୍ନ ପଦକ୍ଷେପ ନେଇଛୁ । ଚିଲିକାର ସାର୍ବଜନୀନ ଉନ୍ନତି ପାଇଁ IIT-ମାଡ୍ରାସ ସହିତ ଚିଲିକା ଉନ୍ନୟନ ପରିଷଦ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି ଓ ତାର ଏକ ପ୍ରାଥମିକ ପ୍ରୋଜେକ୍ଟ ରିପୋର୍ଟ ଆଜି ଉପସ୍ଥାପିତ ହେଇଛି," ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

IIT-ମାଡ୍ରାସ ନିଜର ପ୍ରାଥମିକ ରିପୋର୍ଟରେ ଏହି ପ୍ରୋଜେକ୍ଟରେ ହେବାକୁ ଥିବା ଖର୍ଚ୍ଚର ଏକ ଆନୁମାନିକ ଆକଳନ ମଧ୍ୟ ଦେଇଛନ୍ତି । ଏହି ରିପୋର୍ଟରେ ସେମାନେ ଚିଲିକା କିପରି ଥିଲା, ଏବେ କିପରି ଅଛି ଓ ଯଦି ତାର ସଂରକ୍ଷଣ ନ କରାଯାଏ ତାହା ଆଗକୁ କିପରି ହେବ, ତାହା ଦର୍ଶାଇଛନ୍ତି ।
ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ IIT ମାଡ୍ରାସ ମଧ୍ୟରେ ହୋଇଥିବା ବୁଝାମଣା (MoU) ଅନୁଯାୟୀ ଚିଲିକାର ପୁନର୍ବିକାଶ ପାଇଁ ଆବଶ୍ୟକ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ପଙ୍କ ଜମିବା ଯୋଗୁଁ ଚିଲିକାର କ୍ଷେତ୍ରଫଳ ସଂକୁଚିତ ହେବା, କିଛି ମୁହାଣ ବନ୍ଦ ହୋଇଯିବା ଓ କିଛି ନୂଆ ମୁହାଣ ସୃଷ୍ଟି ହେବା ଭଳି ସମସ୍ୟା ଉପରେ ବୈଜ୍ଞାନିକ ଭିତ୍ତିରେ ସମାଧାନ ନିଆଯିବ । ଜୀବଜନ୍ତୁ ସଂରକ୍ଷଣ ଏବଂ ଚିଲିକାରେ ପଡିଥିବା ନଦୀମାନଙ୍କର ପର୍ଯ୍ୟଟନ ବିକାଶ ସହିତ ଜଳର ପ୍ରାକୃତିକ ଗତିପଥକୁ ରକ୍ଷା କରିବା ସହ ଜଳର ଗଭୀରତା ଓ ଗୁଣବତ୍ତା ସୁଧାରିବା ଉପରେ ଗୁରୁତ୍ୱ ଦିଆଯିବ ।
ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ମଧ୍ୟ ଏହି ପ୍ରକଳ୍ପ ଉପସ୍ଥାପିତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । "ଡବଲ ଇଂଜିନ ସରକାରରେ ଚିଲିକାର ସଂରକ୍ଷଣ ପାଇଁ ଏବଂ ତାକୁ ପୁନର୍ଜୀବନ ଦେବା ପାଇଁ ଯାହା ଯାହା ପଦକ୍ଷେପ ନିଆଯିବା ଦରକାର ତାପାଇଁ ଚେଷ୍ଟା ଆରମ୍ଭ ହୋଇଛି," ବୋଲି ହରିଚନ୍ଦନ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ- ଚିଲିକାରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ, ଖୁବଶୀଘ୍ର କୁହୁଡିରେ ହେବ ନୂଆ ଥାନା ଓ ଫାଣ୍ଡି
ଏହା ମଧ୍ୟ ପଢ଼ନ୍ତୁ- ଚିଲିକାରେ ବେଆଇନ ଜେଟି ନିର୍ମାଣରେ ଏନଜିଟି ଛାଟ, ଖୁବଶୀଘ୍ର ଭାଙ୍ଗିବାକୁ ନିର୍ଦ୍ଦେଶ
ଇଟିଭି ଭାରତ, ଭୁବନେଶ୍ବର

