ETV Bharat / state

ଅଫିସରଙ୍କ ପାଇଁ ନୂଆ ନିୟମ, ସମୟସୀମା ମଧ୍ୟରେ ସେବା ନ ମିଳିଲେ ଗଣିବେ ତଣ୍ଡ

ଏଣିକି ସରକାରୀ ସେବା ପାଇବାରେ ବିଳମ୍ବ ହେଲେ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା । ରିପୋର୍ଟ ଭବାନୀ ଶଙ୍କର ଦାସ

Lokseba bhawan
ଲୋକସେବା ଭବନ (File Photo)
author img

By ETV Bharat Odisha Team

Published : August 24, 2026 at 4:46 PM IST

4 Min Read
Choose ETV Bharat

ଭୁବନେଶ୍ବର: ସରକାରୀ ସେବାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବାକୁ ବ୍ୟବସ୍ଥା । ଓଡ଼ିଶା ଜନସେବା ଅଧିକାର ଆଇନରେ ଲାଗୁ ହେଲା ଅଟୋ ଅପିଲ୍ ସିଷ୍ଟମ । ସମୟ ସୀମା ମଧ୍ୟରେ ସେବା ନ ମିଳିଲେ ତଣ୍ଡ ଗଣିବେ ଦାୟୀ ଅଫିସର । ବିଳମ୍ବ ହେଲେ ଅଧିକାରୀଙ୍କ ଦରମାରୁ ଦିନକୁ ୨୫୦ ଟଙ୍କା କଟିବ । ନୂତନ ନିୟମ ଅନୁଯାୟୀ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା । ଏନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସୁରେଶ କୁମାର ବଶିଷ୍ଠ ଚିଠି ଲେଖି ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବଙ୍କୁ ଅବଗତ କରିଛନ୍ତି ।

ଏଣିକି ସରକାରୀ ସେବା ପାଇବାରେ ବିଳମ୍ବ ହେଲେ ନାଗରିକଙ୍କୁ ଆଉ ଏ ଅଫିସରୁ ସେ ଅଫିସକୁ ଦୌଡ଼ି ଅପିଲ କିମ୍ବା ରିଭିଜନ କରିବାକୁ ପଡ଼ିବ ନାହିଁ । ଓଡ଼ିଶା ରାଇଟ୍ ଟୁ ପବ୍ଲିକ୍ ସର୍ଭିସେସ୍ ଆକ୍ଟ, ୨୦୧୨ ଅଧୀନରେ ସରକାର ଅଟୋ-ଅପିଲ୍ ସିଷ୍ଟମ ବା AAS କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର (SOP) ବା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାର ଲକ୍ଷ୍ୟ ହେଉଛି ସମୟ ସୀମା ମଧ୍ୟରେ ସରକାରୀ ସେବା ପ୍ରଦାନ ସୁନିଶ୍ଚିତ କରିବା ଏବଂ ବିଳମ୍ବ ପାଇଁ ବ୍ୟବସ୍ଥାକୁ ଅଧିକ ଦାୟିତ୍ୱଶୀଳ କରିବା । ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ବାବଦରେ ସମସ୍ତ ବିଭାଗକୁ ଅବଗତ କରିଛି ସାଧାରଣ ପ୍ରଶାସନ ବିଭାଗ ।

ଆବେଦନ ଅଟକିଲେ ଆପେଆପେ ଅପିଲ

କୌଣସି ନୋଟିଫାଏଡ ସରକାରୀ ସେବା ପାଇଁ ନାଗରିକ ଅନଲାଇନରେ ଆବେଦନ କଲେ ସିଷ୍ଟମ ପକ୍ଷରୁ ଏକ ୟୁନିକ୍ ଆକ୍ନଲେଜମେଣ୍ଟ ନମ୍ବର ଜାରି ହେବ । ସେବା ପ୍ରଦାନର ନିର୍ଦ୍ଧାରିତ ସମୟ ସୀମା ଅନୁସାରେ ସିଷ୍ଟମ ଆପେଆପେ ଡ୍ୟୁ ଡେଟ୍ ନିର୍ଦ୍ଧାରଣ କରିବ । ସେହି ସମୟ ସୀମା ମଧ୍ୟରେ ନିଯୁକ୍ତ ଅଧିକାରୀ ଆବେଦନ ନିଷ୍ପତ୍ତି ନକଲେ ସିଷ୍ଟମ୍ ଏହାକୁ ନିର୍ଦ୍ଧାରିତ ସମୟସୀମା ଅତିକ୍ରମ କରି ବିଚାରାଧୀନ ମାମଲା ଭାବେ ଚିହ୍ନଟ କରିବ । ଆପେଆପେ ସ୍ୱତଃ ଅପିଲ ଆରମ୍ଭ ହୋଇଯିବ । ଏହି ସ୍ୱତଃ ଅପିଲ ପାଇଁ ଅଲଗା ଭାବେ ଆବେଦନ କରିବା ଆବଶ୍ୟକ ହେବ ନାହିଁ । ସିଷ୍ଟମ ନିଜେ ଏକ ଇ ଅପିଲ ରେଜିଷ୍ଟର କରି ଅବେଦନ ମାମଲା ଆଇଡି ସୃଷ୍ଟି କରିବ । ମାମଲାଟି ସମ୍ପୃକ୍ତ ଅପିଲ୍ କର୍ତ୍ତୃପକ୍ଷଙ୍କ ଡ୍ୟାସବୋର୍ଡକୁ ପଠାଇବ । ଏହା ସହିତ ଆବେଦନକାରୀ, ନିଯୁକ୍ତ ଅଧିକାରୀ ଓ ଅପିଲ୍ କର୍ତ୍ତୃପକ୍ଷଙ୍କୁ ବାର୍ତ୍ତା, ହ୍ୱାଟସଆପ କିମ୍ବା ମେଲ ମାଧ୍ୟମରେ ସୂଚନା ଦିଆଯିବ ।

୩୦ ଦିନରେ ଅପିଲ ନିଷ୍ପତ୍ତି ନହେଲେ ସ୍ୱୟଂଚାଳିତ ପୁନର୍ବିଚାର

ସ୍ୱୟଂଚାଳିତ ଅପିଲ୍ ପରେ ମଧ୍ୟ ଅପିଲ୍ କର୍ତ୍ତୃପକ୍ଷ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ମାମଲାର ନିଷ୍ପତ୍ତି ନକଲେ ସିଷ୍ଟମ୍ ଆପେଆପେ ସ୍ୱୟଂଚାଳିତ ପୁନର୍ବିଚାର ଆରମ୍ଭ କରିବ । ଅପିଲ ୩୦ ଦିନ ମଧ୍ୟରେ ନିଷ୍ପତ୍ତି ନହେଲେ ପୁନର୍ବିଚାର କର୍ତ୍ତୃପକ୍ଷଙ୍କ ନିକଟକୁ ମାମଲା ଏସ୍କାଲେଟ ହେବାର ବ୍ୟବସ୍ଥା ରହିଛି । ଏଥିପାଇଁ ଏକ ସ୍ୱତନ୍ତ୍ର ପୁନର୍ବିଚାର ମାମଲା ଆଇଡି ସୃଷ୍ଟି ହେବ । ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଡିଜିଟାଲ ମାଧ୍ୟମରେ ଜଣାଇ ଦିଆଯିବ ।

ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଉପରେ ଜରିମାନା

ପୁନର୍ବିଚାର କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଡିଜିଟାଲ୍ ରେକର୍ଡ, ଆବେଦନ, ଆକ୍ନଲେଜମେଣ୍ଟ, ସେବା ପ୍ରଦାନ ସମୟସୀମା, ନିଯୁକ୍ତ ଅଧିକାରୀଙ୍କ କାର୍ଯ୍ୟ, ସ୍ୱୟଂଚାଳିତ ଅପିଲ୍ ରେକର୍ଡ, ଶୁଣାଣି ଓ ପୂର୍ବ ଆଦେଶ ଯାଞ୍ଚ କରିବେ । ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କୁ ଆବଶ୍ୟକ ସ୍ଥଳେ ଶୁଣାଣିର ସୁଯୋଗ ଦିଆଯିବ । ବିଳମ୍ବ ଯଦି ଅନ୍ୟାୟ ସଙ୍ଗତ ଭାବେ ହୋଇଥାଏ ଆଇନ ଓ ନିୟମ ଅନୁସାରେ ଦଣ୍ଡାତ୍ମକ କାର୍ଯ୍ୟ ହୋଇପାରିବ । ବିଳମ୍ବ ପାଇଁ ଦିନକୁ ୨୫୦ ଟଙ୍କା ଓ ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ହୋଇଛି ।

ଶୁଣାଣି ମଧ୍ୟ ହେବ ଡିଜିଟାଲ୍

ସ୍ୱୟଂଚାଳିତ ଅପିଲ୍ ମିଳିବା ପରେ ଅପିଲ୍ କର୍ତ୍ତୃପକ୍ଷ ମାମଲାର ସମସ୍ତ ଇଲେକ୍ଟ୍ରୋନିକ୍ ରେକର୍ଡ ଓ ଅଧିକାରୀଙ୍କ ବ୍ୟାଖ୍ୟା ଯାଞ୍ଚ କରିବେ । ଆବଶ୍ୟକ ହେଲେ ଶୁଣାଣି ଧାର୍ଯ୍ୟ କରାଯିବ । ଶୁଣାଣିର ତାରିଖ, ସମୟ ଓ ମାଧ୍ୟମ ସୂଚନା ଡିଜିଟାଲ୍ ଭାବେ ପଠାଯିବ । ସାଧାରଣତଃ ଶୁଣାଣିର ଅତିକମରେ ୭ ଦିନ ପୂର୍ବରୁ ନୋଟିସ ଦିଆଯିବ । ଶୁଣାଣିର ପ୍ରକ୍ରିୟା ମଧ୍ୟ ସିଷ୍ଟମରେ ଡିଜିଟାଲ୍ ଭାବେ ରେକର୍ଡ ହେବ । କୌଣସି ଆବେଦନ ସ୍ୱୟଂଚାଳିତ ଅପିଲ୍ ମାଧ୍ୟମରେ ଅପିଲ୍ କର୍ତ୍ତୃପକ୍ଷଙ୍କ ପାଖକୁ ଯିବା ପରେ ନିଯୁକ୍ତ ଅଧିକାରୀ ସେହି ଆବେଦନକୁ ଆଉ ନିଜ ସ୍ତରରେ ଚୂଡ଼ାନ୍ତ ଭାବେ ନିଷ୍ପତ୍ତି କିମ୍ବା ନିଷ୍ପାଦନ କରିପାରିବେ ନାହିଁ । ସ୍ୱୟଂଚାଳିତ ଅପିଲ୍ ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ଆବେଦନ ଉପରେ ନିଯୁକ୍ତ ଅଧିକାରୀଙ୍କ ଡ୍ୟାସବୋର୍ଡ ଆକ୍ସେସ ମଧ୍ୟ ସିଷ୍ଟମ ଅକ୍ଷମ କରିଦେବ ।

ସ୍ୱୟଂଚାଳିତ ଅପିଲ୍ ଓ ସାଧାରଣ e-Appeal ମଧ୍ୟରେ ତଫାତ

ସ୍ୱୟଂଚାଳିତ ଅପିଲ୍ ଓ ଆବେଦନକାରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଇ-ଅପିଲକୁ ସ୍ପଷ୍ଟ ଭାବେ ଅଲଗା କରାଯାଇଛି । ନିଯୁକ୍ତ ଅଧିକାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ସେବାକୁ ପ୍ରତ୍ୟାଖ୍ୟାନ କଲେ ଏବଂ ଆବେଦନକାରୀ ସେହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ଚାହିଁଲେ, ସେ ଇ-ଅପିଲ କରିପାରିବେ । ଅନ୍ୟପକ୍ଷରେ ନିଯୁକ୍ତ ଅଧିକାରୀ କୌଣସି କାର୍ଯ୍ୟ ନକରି ନିର୍ଦ୍ଧାରିତ ସମୟ ସୀମା ପାର କରିଦେଲେ ଆବେଦନକାରୀଙ୍କ କୌଣସି ପଦକ୍ଷେପ ବିନା ସ୍ୱୟଂଚାଳିତ ଅପିଲ୍ ଆପେଆପେ ଆରମ୍ଭ ହେବ । ସେହିପରି ଅପିଲ୍ କର୍ତ୍ତୃପକ୍ଷ ଯଦି ଅପିଲରେ ଅନୁକୂଳ ନୁହେଁ ଏଭଳି ଆଦେଶ ଦିଅନ୍ତି ଆବେଦନକାରୀ ଇ-ରିଭିଜନ କରିପାରିବେ । କିନ୍ତୁ ଅପିଲ କର୍ତ୍ତୃପକ୍ଷ ନିର୍ଦ୍ଧାରିତ ସମୟରେ ଅପିଲ ଉପରେ କୌଣସି ନିଷ୍ପତ୍ତି ନଦେଲେ, ଆବେଦନକାରୀଙ୍କ ପଦକ୍ଷେପ ବିନା ସ୍ୱୟଂଚାଳିତ ପୁନରୀକ୍ଷଣ ମାଧ୍ୟମରେ ମାମଲା ପୁନର୍ବିଚାର କର୍ତ୍ତୃପକ୍ଷଙ୍କ ନିକଟକୁ ଚାଲିଯିବ ।

‘ଆମ ସାଥୀ’ ସହିତ ହେବ ସମନ୍ୱୟ

ସ୍ୱୟଂଚାଳିତ ଅପିଲ୍ ଓ ସ୍ୱୟଂଚାଳିତ ପୁନରୀକ୍ଷଣ ବ୍ୟବସ୍ଥାକୁ ଆମ ସାଥୀ ୟୁନିଫାଏଡ ହ୍ବାଟସଆପ ବଟ୍‌ ସହିତ ସମନ୍ୱିତ କରିବା ପାଇଁ CMGI ପଦକ୍ଷେପ ନେବ । ଏହା ମାଧ୍ୟମରେ ରିୟଲ୍-ଟାଇମ୍ ଆଲର୍ଟ, ମାମଲା ଟ୍ରାକିଂ ଏବଂ ଅପିଲ୍ ଓ ରିଭିଜନ୍ ପ୍ରକ୍ରିୟାରେ ଏଣ୍ଡ ଟୁ ଏଣ୍ଡ ପ୍ରୋସେସିଂ ସହାୟତା ମିଳିବ । ସ୍ୱୟଂଚାଳିତ ଅପିଲ୍ ବ୍ୟବସ୍ଥା ପାଇଁ ଏକ କେନ୍ଦ୍ରୀୟ ଡ୍ୟାସବୋର୍ଡ ରହିବ । ଏଥିରେ କେତେ ଆବେଦନ ବିଚାରାଧୀନ ଅଛି, କେତେ ସ୍ୱୟଂଚାଳିତ ଅପିଲ୍ କିମ୍ବା ସ୍ୱୟଂଚାଳିତ ପୁନରୀକ୍ଷଣ ହୋଇଛି ଏବଂ କେତେ ମାମଲାର ନିଷ୍ପତ୍ତି ହୋଇଛି, ତାହା ରିୟଲ୍-ଟାଇମ୍‌ରେ ଦେଖାଯିବ । ବାରମ୍ବାର ବିଳମ୍ବ କରୁଥିବା ଅଧିକାରୀ କିମ୍ବା ବିଭାଗକୁ ମଧ୍ୟ ସିଷ୍ଟମ ଚିହ୍ନଟ କରି ରିପୋର୍ଟ ପ୍ରସ୍ତୁତ କରିବ ।

ଏହି ବ୍ୟବସ୍ଥାରେ ଆବେଦନକାରୀଙ୍କ ମୋବାଇଲ ନମ୍ବର, ଆକ୍ନଲେଜମେଣ୍ଟ ନମ୍ବର, ସମ୍ପୃକ୍ତ ଅଧିକାରୀଙ୍କ ଏଚଆରଏମଏସ ଆଇଡି, ଆବେଦନ ତାରିଖ ଓ ସମୟ, ନିର୍ଦ୍ଧାରିତ ତାରିଖ, ବର୍ତ୍ତମାନର ଷ୍ଟାଟସ ଏବଂ ମାମଲା ସମ୍ପର୍କିତ ସମସ୍ତ କାର୍ଯ୍ୟ ଓ ଯୋଗାଯୋଗର ତଥ୍ୟ ରଖାଯିବ । ବାର୍ତ୍ତା, ହ୍ବାଟସଆପ୍‌ ଓ ମେଲ ଭଳି ଡିଜିଟାଲ୍ ମାଧ୍ୟମରେ ସୂଚନା ପ୍ରଦାନକୁ ଗୁରୁତ୍ୱ ଦିଆଯାଇଛି । ସରକାରଙ୍କ ଏହି ସ୍ୱୟଂଚାଳିତ ଅପିଲ୍ ବ୍ୟବସ୍ଥା ଫଳରେ ସରକାରୀ ସେବା ପାଇଁ ନାଗରିକଙ୍କୁ ବାରମ୍ବାର ଅଫିସ ଦୌଡ଼ିବାର ଆବଶ୍ୟକତା କମିବ । ଦୁର୍ନୀତିରେ ରୋକ ଲାଗିବ । ନାଗରିକ ସେବା ପାଇବା ସମୟରେ ଶୋଷଣରୁ ମୁକ୍ତ ହେବ । ବ୍ୟବସ୍ଥାଟି ନାଗରିକଙ୍କ ଉପରେ ନିର୍ଭରଶୀଳ ଅପିଲ ପ୍ରକ୍ରିୟାକୁ ହଟାଇ ସିଟିଜେନ ଲେଡ୍‌ ଫଲୋଅପ ବଦଳରେ ସିଷ୍ଟମ ଲେଡ ଆକାଉଣ୍ଟବାଲିଟି ଦିଗରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି ।

ଏହା ମଧ୍ୟ ପଢନ୍ତୁ ଓଡ଼ିଶାର ପ୍ରାଚୀନ ପୋଥି ଓ ପାଣ୍ଡୁଲିପି ସଂରକ୍ଷଣରେ ଜନସାଧାରଣ କରନ୍ତୁ ସହଯୋଗ: ମୁଖ୍ୟ ଶାସନ ସଚିବ

ଏହା ମଧ୍ୟ ପଢନ୍ତୁ ଜିଲ୍ଲାପାଳଙ୍କୁ 7ଟି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ; ସାର ଯୋଗାଣ ସହିତ କଳା ବଜାର ରୋକିବାକୁ ନିର୍ଦ୍ଦେଶ

ଇଟିଭି ଭାରତ, ଭୁବନେଶ୍ବର