ଐତିହ୍ୟରୁ ଆୟର ପଥ: ଦୁର୍ଗ, ପ୍ରାସାଦ ଓ ପୁରାତନ କୋଠାକୁ ମିଳିବ ସରକାରୀ ପ୍ରୋତ୍ସାହନ
ଓଡ଼ିଶାର ଐତିହ୍ୟବାହୀ ସମ୍ପତ୍ତିକୁ ମିଳିବ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ।


Published : June 14, 2026 at 11:02 AM IST
ଭୁବନେଶ୍ବର: ଦୁର୍ଗ, ପ୍ରାସାଦ ଓ ପୁରାତନ କୋଠାକୁ ମିଳିବ ସରକାରୀ ପ୍ରୋତ୍ସାହନ । ୧୯୫୦ ପୂର୍ବର ଭବନକୁ ମିଳିବ ବିଶେଷ ପ୍ରୋତ୍ସାହନ । ଓଡ଼ିଶାର ଐତିହ୍ୟବାହୀ ସମ୍ପତ୍ତିକୁ ମିଳିବ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ । ହେରିଟେଜ ହୋଟେଲ ଓ ମ୍ୟୁଜିୟମ ପାଇଁ ମିଳିବ ସବସିଡି । ଏନେଇ ପର୍ଯ୍ୟଟନ ବିଭାଗ ସଚିବ ବଲବନ୍ତ ସିଂ ନୂଆ ଗାଇଡଲାଇନ ଜାରି କରିଛନ୍ତି ।
ରାଜ୍ୟର ଐତିହ୍ୟବାହୀ ସମ୍ପତ୍ତିର ହେବ ସଂରକ୍ଷଣ
ରାଜ୍ୟର ପୁରାତନ ଐତିହ୍ୟ ସମ୍ପନ୍ନ ଭବନ, ପ୍ରାସାଦ, ଦୁର୍ଗ ଓ ସାଂସ୍କୃତିକ ଗୁରୁତ୍ବବହନ କରୁଥିବା ସମ୍ପତ୍ତିଗୁଡ଼ିକୁ ପର୍ଯ୍ୟଟନ କ୍ଷେତ୍ର ସହ ଯୋଡ଼ିବାକୁ ପ୍ରୟାସ । ଏହାକୁ ଆର୍ଥିକ ଭାବେ ସକ୍ରିୟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ‘ହେରିଟେଜ୍ ପ୍ରପର୍ଟି ପ୍ରମୋସନ୍ ଗାଇଡଲାଇନ୍ସ-୨୦୨୬’ ଜାରି କରିଛନ୍ତି । ଏନେଇ ପର୍ଯ୍ୟଟନ ବିଭାଗର ଶାସନ ସଚିବ ବଲବନ୍ତ ସିଂଙ୍କ ପକ୍ଷରୁ ଜାରି ହୋଇଛି ସଂଶୋଧନ ନୀତି । ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି-୨୦୨୬ ଅନୁସାରେ ଏହି ନିର୍ଦ୍ଦେଶାବଳୀ ରାଜ୍ୟର ଐତିହ୍ୟବାହୀ ସମ୍ପତ୍ତିର ସଂରକ୍ଷଣ ସହିତ ସେଗୁଡ଼ିକୁ ପର୍ଯ୍ୟଟନ ଆକର୍ଷଣରେ ପରିଣତ କରିବାର ପଥ ପ୍ରଶସ୍ତ କରିବ ।
୧୯୫୦ ମସିହା ପୂର୍ବରୁ ନିର୍ମିତ ଓ ସ୍ଥାପତ୍ୟ ଭବନକୁ ମିଳିବ ଗୁରୁତ୍ୱ
ନୂଆ ନୀତି ଅନୁଯାୟୀ, ୧୯୫୦ ମସିହା ପୂର୍ବରୁ ନିର୍ମିତ ଓ ସ୍ଥାପତ୍ୟ, ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ଭବନଗୁଡ଼ିକୁ ‘ହେରିଟେଜ ପ୍ରପର୍ଟି’ ଭାବେ ବିବେଚନା କରାଯିବ । ଏହି ଶ୍ରେଣୀରେ ହେରିଟେଜ ହୋଟେଲ, ହେରିଟେଜ ମ୍ୟୁଜିୟମ, ହେରିଟେଜ ରେଷ୍ଟୁରାଣ୍ଟ/କାଫେଟେରିଆ ଓ ହେରିଟେଜ ବ୍ୟାଙ୍କ୍ୱେଟକୁ ସାମିଲ କରାଯାଇଛି । ହେରିଟେଜ ହୋଟେଲ ପାଇଁ ସର୍ବନିମ୍ନ ପାଞ୍ଚଟି ରହଣୀୟ କକ୍ଷ ରହିବା ଆବଶ୍ୟକ । ସେହିପରି ହେରିଟେଜ ରେଷ୍ଟୁରାଣ୍ଟରେ ଏକକାଳୀନ ୩୦ ଜଣ ଅତିଥିଙ୍କ ବସିବା ବ୍ୟବସ୍ଥା ରହିବା ଦରକାର । ହେରିଟେଜ ବ୍ୟାଙ୍କ୍ୱେଟରେ ଅତି କମରେ ୨୦ ଜଣ ଅତିଥିଙ୍କୁ ଆୟୋଜନ କରିବାର କ୍ଷମତା ଓ ୫୦୦ ବର୍ଗଫୁଟର ନିର୍ମିତ କ୍ଷେତ୍ର ଥିବା ଆବଶ୍ୟକ ।
ଧାର୍ଯ୍ୟ ହୋଇଛି କଡ଼ା ଯୋଗ୍ୟତା ମାନଦଣ୍ଡ
ସରକାରୀ ପ୍ରୋତ୍ସାହନ ପାଇବାକୁ ଇଚ୍ଛୁକ ପ୍ରକଳ୍ପଗୁଡ଼ିକ ପାଇଁ କେତେକ କଡ଼ା ଯୋଗ୍ୟତା ମାନଦଣ୍ଡ ମଧ୍ୟ ଧାର୍ଯ୍ୟ କରାଯାଇଛି । ଇଚ୍ଛୁକ ହେରିଟେଜ ପ୍ରପର୍ଟି ମାଲିକଙ୍କୁ ସଂପୃକ୍ତ ଭବନ ୧୯୫୦ ପୂର୍ବରୁ ନିର୍ମିତ ବୋଲି ରାଜସ୍ୱ ରେକର୍ଡ, ଐତିହାସିକ ଦଲିଲ, ଜିଲ୍ଲା ପ୍ରଶାସନ କିମ୍ବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍ଆଇ)ର ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ । ଏହା ସହ ଅଗ୍ନି ସୁରକ୍ଷା ନିୟମ ମାନିବା ସହ ବିଦ୍ୟୁତ, ପାଣି ଓ ସ୍ୱଚ୍ଛତା ସୁବିଧା ଉପଲବ୍ଧ ଥିବା ଆବଶ୍ୟକ । ନୀତି ଅନୁଯାୟୀ, ହେରିଟେଜ ପ୍ରପର୍ଟିର ମରାମତି, ନବୀକରଣ ଓ ଉନ୍ନତିକରଣ କାର୍ଯ୍ୟ ପାଇଁ ‘କ୍ୟାପିଟାଲ ଇନଭେଷ୍ଟମେଣ୍ଟ ସବସିଡି’ (ସିଆଇଏସ୍) ପ୍ରଦାନ କରାଯିବ । ଏଥିପାଇଁ ପର୍ଯ୍ୟଟନ ବିଭାଗ ଅନୁମୋଦିତ ସଂରକ୍ଷଣ ବିଶେଷଜ୍ଞଙ୍କ ଦ୍ୱାରା ପ୍ରକଳ୍ପର ପୂର୍ବ ମୂଲ୍ୟାଙ୍କନ କରାଯିବ ।
ନୂତନ ନିର୍ମାଣ ଯୋଗୁଁ ମୂଳ ଗଠନର ଐତିହ୍ୟ ଚରିତ୍ର ରହିବ ଅକ୍ଷୁଣ୍ଣ
ଜିଓ-ଟ୍ୟାଗ ଫଟୋ, ଭିଡିଓଗ୍ରାଫି, ମାପଚିତ୍ର ଓ ଅବସ୍ଥା ମୂଲ୍ୟାଙ୍କନ ରିପୋର୍ଟ ଆଧାରରେ ପ୍ରକଳ୍ପର ଯୋଗ୍ୟ ବିନିଯୋଗ ନିର୍ଦ୍ଧାରଣ କରାଯିବ । ପରେ ନିୟମାନୁସାରେ ସବସିଡି ମଞ୍ଜୁର କରାଯିବ । ବିଶେଷ କଥା ହେଉଛି, ଭବନର ନବୀକରଣ କିମ୍ବା ସଂପ୍ରସାରଣ କାର୍ଯ୍ୟ ପାରମ୍ପରିକ ସ୍ଥାପତ୍ୟ ଶୈଳୀ ଓ ମୂଳ ଚରିତ୍ରକୁ ଅକ୍ଷୁଣ୍ଣ ରଖି କରିବାକୁ ପଡ଼ିବ । ନୂତନ ନିର୍ମାଣ ଯୋଗୁଁ ମୂଳ ଗଠନର ଐତିହ୍ୟ ଚରିତ୍ର କ୍ଷୁଣ୍ଣ ହେବାକୁ ଦିଆଯିବନାହିଁ । ସରକାରଙ୍କ ଏହି ପଦକ୍ଷେପ ରାଜ୍ୟର ଐତିହ୍ୟବାହୀ ସମ୍ପତ୍ତିର ସଂରକ୍ଷଣ ସହ ଗ୍ରାମୀଣ ଓ ସାଂସ୍କୃତିକ ପର୍ଯ୍ୟଟନକୁ ନୂଆ ଗତି ଦେବ ବୋଲି ପର୍ଯ୍ୟଟନ ବିଭାଗ ଆଶା ରଖିଛି ।
ଏହା ମଧ୍ୟ ପଢନ୍ତୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ସସ୍ମିତ ପାତ୍ର; ଓଡିଶାର ବୌଦ୍ଧ ଐତିହ୍ୟ ସ୍ଥଳଗୁଡିକୁ ଜାତୀୟ ବୌଦ୍ଧ ସର୍କିଟରେ ସାମିଲ କରିବାକୁ ଅନୁରୋଧ
ଏହା ମଧ୍ୟ ପଢନ୍ତୁ ଅଲୋଡ଼ା ଇତିହାସ, ନିରବ ପ୍ରଶାସନ ! ଆଢ଼ୁଆଳରେ 'ରାଜାବାବା'ଙ୍କ ଲୁକ୍କାୟିତ ପୀଠ
ଇଟିଭି ଭାରତ, ଭୁବନେଶ୍ବର

