ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ EV; ଧାର୍ଯ୍ୟ ହେଲା ଦର ସୀମା
ଓଡ଼ିଶା ସରକାର ସମସ୍ତ ବିଭାଗ ଏବଂ ରାଜ୍ୟ-ସମର୍ଥିତ ପ୍ରତିଷ୍ଠାନଗୁଡ଼ିକୁ ଜୁନ୍ 1ରୁ ସରକାରୀ କାର୍ଯ୍ଯରେ ବ୍ୟବହାର ପାଇଁ ବୈଦ୍ୟୁତିକ ଯାନ (EV) କ୍ରୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ: ଭବାନୀ ଶଙ୍କର ଦାସ

Published : June 2, 2026 at 7:50 AM IST
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି । ସରକାରୀ ବିଭାଗ ପାଇଁ ଇଲେକ୍ଟ୍ରିକ ଗାଡ଼ି (EV) ବାଧ୍ୟତାମୂଳକ କରିଛନ୍ତି ମୋହନ ସରକାର । ଅର୍ଥ ବିଭାଗ ପକ୍ଷରୁ ଏନେଇ ଦର ସୀମା ଧାର୍ଯ୍ୟ ହୋଇଛି । ଅର୍ଥ ବିଭାଗର ଅନୁମୋଦନ ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି, ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସଚିବ, ଜିଲ୍ଲା ଜଜ, ଜିଲ୍ଲାପାଳ ଓ ଏସପି ଇଲେକ୍ଟ୍ରିକ ଯାନ କିଣିପାରିବେ ।
ବାଧ୍ୟତାମୂଳକ EV:
ମୋହନ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ପଶ୍ଚିମ ଏସିଆ ସଙ୍କଟ କାରଣରୁ ଉପୁଜିଥିବା ଇନ୍ଧନ ଓ ଶକ୍ତି ସମସ୍ୟା ତଥା ବଢ଼ୁଥିବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି । ସରକାରୀ କାର୍ଯ୍ୟରେ ଇଲେକ୍ଟ୍ରିକ ଯାନ ବା ଇଭି ବ୍ୟବହାର ପାଇଁ ବାଧ୍ୟତାମୂଳକ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଇଲେକ୍ଟ୍ରିକ ଯାନ କିଣିବା ପାଇଁ ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାବଳୀ । ସରକାରୀ କାର୍ଯ୍ୟ ପାଇଁ କେବଳ ଇଭି କିଣିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ବିଭିନ୍ନ ବର୍ଗର ଅଧିକାରୀମାନଙ୍କ ପାଇଁ ଗାଡ଼ିର ସର୍ବାଧିକ ମୂଲ୍ୟ ସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇଛି ।
ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ରଙ୍କ ପକ୍ଷରୁ ଗତ ୩୦ ତାରିଖରେ ଜାରି ହୋଇଥିବା ଏକ ଅଫିସ ମେମୋରାଣ୍ଡମ ଅନୁଯାୟୀ, ନୂତନ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଏହି ନିର୍ଦ୍ଦେଶନାମା ଜୁନ ୧ରୁ ଲାଗୁ ହୋଇଛି । ନୂତନ ନିୟମ ଅନୁଯାୟୀ, ବିଭିନ୍ନ ପଦବୀର ଅଧିକାରୀଙ୍କ ପାଇଁ ନୂଆ ଇଭି କିଣିବା କ୍ଷେତ୍ରରେ ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ବିଚାରପତି ଏବଂ ମନ୍ତ୍ରୀମାନଙ୍କ ପାଇଁ ଏହି ସୀମା ୩୦ ଲକ୍ଷ ଟଙ୍କା ସ୍ଥିର କରାଯାଇଛି ।
ସେହିପରି ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ ସମକକ୍ଷ ପଦବୀର ଅଧିକାରୀଙ୍କ ପାଇଁ ସର୍ବାଧିକ ୨୫ ଲକ୍ଷ ଟଙ୍କା ମୂଲ୍ୟର ଗାଡ଼ି କିଣାଯାଇପାରିବ । ଅନ୍ୟପକ୍ଷରେ ଜିଲ୍ଲା ଜଜ, ଜିଲ୍ଲାପାଳ, ଏସପି ଏବଂ ସମକକ୍ଷ ଅଧିକାରୀ ୨୦ ଲକ୍ଷ ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ଗାଡ଼ି ବ୍ୟବହାର କରିପାରିବେ । ଇଲେକ୍ଟ୍ରିକ ଗାଡ଼ିକୁ କେବଳ ନିର୍ଦ୍ଧାରିତ ପ୍ରକ୍ରିୟା ମାଧ୍ୟମରେ ଏବଂ ଅର୍ଥ ବିଭାଗର ସମ୍ମତି କ୍ରମେ କିଣାଯିବ । ବର୍ତ୍ତମାନ ବ୍ୟବହାର ହେଉଥିବା ଗାଡ଼ିର ଜୀବନ କାଳ ଶେଷ ଓ ତାହାକୁ ସ୍କ୍ରାପ କିମ୍ବା ବାତିଲ ଘୋଷଣା କରାଯିବା ପରେ ହିଁ ନୂଆ ଇଭି କିଣାଯାଇପାରିବ ବୋଲି କୁହାଯାଇଛି ।
ମୂଲ୍ୟ ସୀମା:
- 30 ଲକ୍ଷ ପର୍ଯ୍ୟନ୍ତ: ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ବିଚାରପତି, ଓଡ଼ିଶା ହାଇକୋର୍ଟ ବିଚାରପତି ଏବଂ ମନ୍ତ୍ରୀ ।
- 25 ଲକ୍ଷ ପର୍ଯ୍ୟନ୍ତ: ମୁଖ୍ୟ ସଚିବ ଏବଂ ସମକକ୍ଷ ପଦ-ପଦବୀ ସଚିବ ।
- 20 ଲକ୍ଷ ପର୍ଯ୍ୟନ୍ତ: ଜିଲ୍ଲା ବିଚାରପତି, କଲେକ୍ଟର ଏବଂ ପୋଲିସ ଅଧିକ୍ଷକ
ଏହା ମଧ୍ୟ ପଢ଼ନ୍ତୁ... VVIP ଗସ୍ତ ସୂଚନା ଲିକ୍ ସତର୍କତା; ସୋସିଆଲ ମିଡିଆରେ ସେୟାର କଲେ କାର୍ଯ୍ୟାନୁଷ୍ଠାନ ଖର୍ଚ୍ଚ କାଟ ବନାମ ଜିଲ୍ଲା ଗସ୍ତ; ସରକାରଙ୍କ ନିର୍ଦ୍ଦେଶ, ଦ୍ଵନ୍ଦରେ ପ୍ରଶାସକ |
ଇଟିଭି ଭାରତ, ଭୁବନେଶ୍ବର

