ETV Bharat / state

ଜନଗଣନାର ପ୍ରଥମ ପର୍ଯ୍ୟାୟ; ଓଡିଶାରେ ଏପ୍ରିଲରୁ ଗୃହ ତାଲିକା ଏବଂ ଗଣନା କାର୍ଯ୍ୟ

ଆସନ୍ତା ୨୦୨୭ ଫେବୃୟାରୀ ମାସ ୯ ରୁ ୨୮ ତାରିଖ ପର୍ଯ୍ୟନ୍ତ ଜନ ଗଣନା ଅନୁଷ୍ଠିତ ହେବ ।

ODISHA CENSUS
ଓଡ଼ିଶାରେ ଏପ୍ରିଲରୁ ଗୃହ ତାଲିକା ଏବଂ ଗଣନା କାର୍ଯ୍ୟ (ETV Bharat)
author img

By ETV Bharat Odisha Team

Published : January 7, 2026 at 10:51 PM IST

3 Min Read
Choose ETV Bharat

ଭୁବନେଶ୍ୱର: ଓଡ଼ିଶାରେ ଆୟୋଜନ ହେବ ମାସେ ବ୍ୟାପୀ ଗୃହ ତାଲିକା ଏବଂ ଗୃହ ଗଣନା କାର୍ଯ୍ୟ । ଆସନ୍ତା ଏପ୍ରିଲରୁ ମେ' ମାସରେ ଏହି କାର୍ଯ୍ୟ କରାଯିବ । ସେହିପରି ୨୦୨୭ ଫେବୃୟାରୀ ୯ରୁ ୨୮ ପର୍ଯ୍ୟନ୍ତ ହେବ ଜନଗଣନା । ଆଜି ଆୟୋଜିତ ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକରୁ ଏହି ସୂଚନା ମିଳିଛି । ଉନ୍ନୟନ କମିଶନର ଦେଓରଂଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଛି । ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶାର ନିର୍ଦ୍ଦେଶକ ନିଖିଳ ପୱନ କଲ୍ୟାଣ ଓଡ଼ିଶାରେ ଜନଗଣନା ପ୍ରସ୍ତୁତି ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ।

ଦେଶରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଘର ତାଲିକା ଓ ଗୃହ ଗଣନା ଆରମ୍ଭ ହେବ । ସାରା ଦେଶରେ ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଏହି ପର୍ଯ୍ୟାୟ ଗଣନା ଅନୁଷ୍ଠିତ ହେବ । ବିଭିନ୍ନ ରାଜ୍ୟମାନେ ନିଜର ସୁବିଧା ଅନୁସାରେ ୩୦ ଦିନ ମଧ୍ୟରେ ଏହି ମାସ ମଧ୍ୟରେ ଗୃହ ତାଲିକା ଓ ଘର ଗଣନା କରିପାରିବେ । ଏନେଇ ନିର୍ଦ୍ଦେଶ ରହିଥିବା ବେଳେ ଓଡ଼ିଶାରେ ଏପ୍ରିଲରୁ ମେ ମାସ ମଧ୍ୟରେ ଗୃହ ତାଲିକା ଓ ଗୃହ ଗଣନା କରାଯିବା ନେଇ ଆଜିର ରାଜ୍ୟସ୍ତରୀୟ ବୈଠକରେ ନି​ଷ୍ପତ୍ତି ନିଆଯାଇଛି । ଆସନ୍ତା ୨୦୨୭ ଫେବୃୟାରୀ ମାସ ୯ ରୁ ୨୮ ତାରିଖ ପର୍ଯ୍ୟନ୍ତ ଜନ ଗଣନା ଅନୁଷ୍ଠିତ ହେବ । ମାଚ୍ଚ ୧ ରୁ ୫ ପର୍ଯ୍ୟନ୍ତ ରିଭିଜନାଲ ରାଉଣ୍ଡ ଅନୁଷ୍ଠିତ ହେବ । ଏନେଇ ନିର୍ଦ୍ଧାରିତ ରହିଥିବା ବୈଠକରେ ସୂଚନା ଦିଆଯାଇଛି । ଏଥିପାଇଁ ଓଡ଼ିଶାରେ ଜନଗଣନା ନିର୍ଦ୍ଦେଶାଳୟ ତରଫରୁ ପ୍ରସ୍ତୁତି ଜାରି ରହିଛି ।

ODISHA CENSUS
ଓଡ଼ିଶାରେ ଏପ୍ରିଲରୁ ଗୃହ ତାଲିକା ଏବଂ ଗଣନା କାର୍ଯ୍ୟ (ETV Bharat)



ଜନଗଣନା କାର୍ଯ୍ୟର ସମ୍ପାଦନ ପାଇଁ ଜାତୀୟ ସ୍ତରରେ ରେଜିଷ୍ଟ୍ରାର ଜେନେରାଲ ଓ ଜନଗଣନା ଆୟୁକ୍ତ ଥିବା ବେଳେ ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ରାଜ୍ୟ ନୋଡାଲ ଅଧିକାରୀ ଓ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ଜିଲ୍ଲାର ଏବଂ ମହାନଗର ନିଗମ ଅଂଚଳରେ ମ୍ୟୁନିସିପାଲ କମିଶନରମାନେ ପ୍ରମୁଖ ଜନଗଣନା ଅଧିକାରୀ ଭାବେ ନିୟୋଜିତ ରହିବେ । ଉପଖଣ୍ଡ ବା ସହରାଂଚଳରେ ତହସିଲଦାର ଓ ଡେପୁଟୀ କମିଶନର ଚାର୍ଜ ଅଧିକାରୀ ଭାବେ କାର୍ଯ୍ୟ କରିବେ । ଶିକ୍ଷକ, ରାଜ୍ୟ ସରକାର ଏବଂ ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥାର ଅନ୍ୟ କ୍ଷେତ୍ରସ୍ତରୀୟ ଅଧିକାରୀ ଜନଗଣନାକାରୀ ଏବଂ ସୁପରଭାଇଜର ଦାୟିତ୍ୱ ତୁଲାଇବେ । ଏଥିପାଇଁ ଜନଗଣନାକାରୀ, ସୁପରଭାଇଜର, ରାଜ୍ୟ, ଜିଲ୍ଲା, ମହାନଗର ନିଗମ ଓ ଚାର୍ଜ ଅଧିକାରୀଙ୍କ ପାଇଁ ପାରିତୋଷିକ ଏବଂ ଜନ ଗଣନା କାର୍ଯ୍ୟରେ ପ୍ରଯୁକ୍ତିବିଦ୍ୟା ସହାୟତା ପାଇଁ ଆର୍ଥିକ ବ୍ୟବସ୍ଥା ରହିଛି ।



ବିଭିନ୍ନ ପ୍ରକାର ବିଜ୍ଞପ୍ତି ପ୍ରକାଶନ ନେଇ ରାଜସ୍ୱ ବିଭାଗ ସମନ୍ୱୟ କାର୍ଯ୍ୟ କରିବ । ଜନଗଣନାକାରୀ ଓ ସୁପରଭାଇଜର ତାଲିକା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସହରାଞ୍ଚଳ ସଂପର୍କିତ ବିଜ୍ଞପ୍ତି ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମେତ ଅନ୍ୟ ସଂପୃକ୍ତ ବିଭାଗମାନେ ସହଯୋଗ କରିବେ । ଓଡ଼ିଆ ବା ଇଂରାଜୀ ଭାଷାରେ ଜନଗଣନାକାରୀମାନେ ଜନସାଧାରଣଙ୍କର ସୁବିଧା ଅନୁସାରେ ତଥ୍ୟ ଅନ୍ତର୍ଭୁକ୍ତ କରିବେ । ଜନଗଣନା ପାଇଁ ପୂର୍ବରୁ ମାଷ୍ଟର ଟ୍ରେନର ଏବଂ କ୍ଷେତ୍ରସ୍ତରୀୟ ପ୍ରଶିକ୍ଷଣକଙ୍କ ପାଇଁ ବ୍ୟାପକ ପ୍ରଶିକ୍ଷଣ ଦିଆଯିବ । ଜନଗଣନା ବ୍ୟବସ୍ଥା ସଂପର୍କରେ ପୂର୍ବରୁ ବ୍ୟାପକ ସୂଚନା, ଶିକ୍ଷା ଓ ଯୋଗାଯୋଗ କରାଯିବ । ଜନଗଣନାରେ କାଗଜ ପତ୍ରରେ ଫର୍ମ ପୂରଣ କରି ତଥ୍ୟ ନିଆଯିବା ବଦଳରେ ମୋବାଇଲ ଆପ ତଥା କମ୍ପ୍ୟୁଟରୀକରଣ ବା ଡିଜିଟାଲ ବ୍ୟବସ୍ଥାରେ ତଥ୍ୟ ସଂଗ୍ରହ କରାଯିବା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ।

ODISHA CENSUS
ଓଡ଼ିଶାରେ ଏପ୍ରିଲରୁ ଗୃହ ତାଲିକା ଏବଂ ଗଣନା କାର୍ଯ୍ୟ (ETV Bharat)



ଉନ୍ନୟନ କମିଶନର ଦେଓରଂଜନ କୁମାର ସିଂ କହିଛନ୍ତି, "ଦୀର୍ଘ ବର୍ଷ ପରେ ଜନଗଣନା ହେବାକୁ ଯାଉଛି । ଏହି ଜାତୀୟ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ନିର୍ଭୁଲ ଏବଂ ସଠିକ ଭାବରେ କରାଯିବ । ସେଥିପାଇଁ ସହଯୋଗ କରିବାକୁ ସେ ସଂପୃକ୍ତ ସମସ୍ତ ବିଭାଗଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଘୋଷିତ ହୋଇଥିବା ନିର୍ଦ୍ଦେଶିତ ଅଂଚଳ ବ୍ୟତୀତ ଏହି ଜନଗଣନା ସମୟରେ ନୂଆ ଗାଁ, ନୂଆ ସହର, ଗାଁ ସହରରେ ମିଶିବା ଭଳି ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ହେବନାହିଁ ।"

ବୈଠକରେ ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଗିରୀଶ ଏସ୍.ଏନ ଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ବୈଠକରେ ସମସ୍ତ ଜିଲ୍ଲାପାଳ ଭିସି ମାଧ୍ୟମରେ ଯୋଗ ଦେଇଛନ୍ତି ।

ODISHA CENSUS
ଓଡ଼ିଶାରେ ଏପ୍ରିଲରୁ ଗୃହ ତାଲିକା ଏବଂ ଗଣନା କାର୍ଯ୍ୟ (ETV Bharat)



ଓଡ଼ିଶାର ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ କହିଛନ୍ତି, "ଜନଗଣନାର ପ୍ରଥମ ପର୍ଯ୍ୟାୟ ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ । ୨୦୨୭ ଫେବୃଆରୀରେ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା । ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା ହେବ । ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା । ରାଜ୍ୟରେ ଜନଗଣନା ପାଇଁ ୬ ମାସ ଧରି ପ୍ରସ୍ତୁତି ଚାଲିଛି । ଭୁବନେଶ୍ୱର କଟକରେ ପ୍ରୀ ଟେଷ୍ଟ ସରିଛି । ନୂଆ ଘୋଷଣା ହୋଇଥିବା ଏନଏସି ଏବଂ ପୌରପାଳିକା ବାଉଣ୍ଡ୍ରି ଫାଇନାଲ ହୋଇଛି । ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ । ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଦିଆଯିବ ଟ୍ରେନିଂ । ୨୦୦ ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ । ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପ୍ରଭାଇଜର ନିଯୁକ୍ତ ହେବେ । ଜଣେ ଜନଗଣନା ଅଧିକାରୀଙ୍କୁ ୨୫ ହଜାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ । ଜଣେ ଲୋକ ନିଜେ ଚାହିଁଲେ ନିଜର ତଥ୍ୟ ଦେଇପାରିବେ । ୱେବସାଇଟ ଜରିଆରେ ପଞ୍ଜିକୃତ କରି ପାରିବେ । ମୋବାଇଲ ନମ୍ବରରେ ଓଟିପି ବେସଡ ହେବ । ଗୋଟିଏ ନମ୍ବର ଦୁଇ ଥର ବ୍ୟବହାର କରି ପାରିବେନାହିଁ । କିମ୍ବା ଆପରୁ ସ୍କ୍ରିନ ସଟ ମଧ୍ୟ ନେଇପାରିବେ ନାହିଁ । ପ୍ରାୟ ୯୦ ପ୍ରତିଶତ କାର୍ଯ୍ୟ ଅନଲାଇନରେ ହେବ । ପୁରା ପ୍ରକ୍ରିୟାକୁ ଉଚ୍ଚ ସ୍ତରୀୟ ମନିଟରିଙ୍ଗ କରାଯିବ । ୧୦୦ ପ୍ରତିଶତ ସଠିକ ଗଣନା କରାଯିବ ।"


ଏହା ବି ପଢନ୍ତୁ- କେମିତି ହେବ 2027 ଜନଗଣନା, 2011 ଠାରୁ କାହିଁକି ଭିନ୍ନ, ଜାଣନ୍ତୁ ...

ଇଟିଭି ଭାରତ, ଭୁବନେଶ୍ୱର