ଆରପାରିରେ ପୂର୍ବତନ ନୀଳଗିରି ବିଧାୟକ ଅକ୍ଷୟ ଆଚାର୍ଯ୍ୟ, 2 ଥର ବିଧାନସଭାକୁ ହୋଇଥିଲେ ନିର୍ବାଚିତ
ନବବର୍ଷର ଆନନ୍ଦଉଲ୍ଲାସ ନ ସରୁଣୁରୁ ନୀଳଗିରିରୁ ଆସିଛି ଏକ ଦୁଃଖଦ ଖବର । ନୀଳଗିରି ବିକାଶର ଅନ୍ୟତମ ପୁରୋଧା ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ 78 ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି ।

Published : January 2, 2026 at 12:07 PM IST
Akshaya Acharya Death ବାଲେଶ୍ବର: ନବବର୍ଷର ଆନନ୍ଦଉଲ୍ଲାସ ନ ସରୁଣୁରୁ ନୀଗିଗିରିରୁ ଆସିଛି ଏକ ଦୁଃଖଦ ଖବର । ଆଉ ନାହାନ୍ତି ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ । ନୀଳଗିରିରେ ବିକାଶର ସେ ଥିଲେ ମୁଖ୍ୟ ପୁରୋଧା । ତାଙ୍କୁ 78 ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ଥିଲେ । ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
କ୍ୟାନସରରେ ଥିଲେ ପୀଡିତ:
ନୀଳଗିରି ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ କ୍ୟାନସର (କର୍କଟ) ରୋଗରେ ବହୁଦିନ ଧରି ପୀଡିତ ଥିଲେ । ସେ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ । ପରେ ଘରେ ରହୁଥିବା ବେଳେ, ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ହଠାତ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ତୀବ୍ର ଅବନ୍ନତି ଘଟିଥିଲା । ତାଙ୍କୁ ପ୍ରଥମେ ନୀଳଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ, ପରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ନୀଳଗିରି ବିକାଶର ନାୟକ ଥିଲେ ଅକ୍ଷୟ:
ନୀଳଗିରି ଇତିହାସରେ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ନାମ ସର୍ବଦା ଲିପିବଦ୍ଧ ହୋଇ ରହିବ । ନୀଳଗିରି ବିକାଶର ସେ ନାୟକ ଥିଲେ । କଂଗ୍ରେସ ଦଳରୁ ଦୁଇଥର ବିଧାୟକ ହୋଇଥିବା ଅକ୍ଷୟ ନୀଳଗିରିର ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ । ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ । ସେ 2 ଥର ନୀଳଗିରି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । 1980 ରୁ 1985 ଓ 1995 ରୁ 2000 ମସିହା ପର୍ଯ୍ୟନ୍ତ ସେ ବିଧାୟକ ଥିଲେ । ନୀଳଗିରିରେ ବସ୍ଷ୍ଟାଣ୍ଡ ନିର୍ମାଣ ସହିତ ନୀଳଗିରିରେ NACର ସ୍ଥାପନା, ବିଭିନ୍ନ ସ୍କୁଲ ଓ କଲେଜ ପ୍ରତିଷ୍ଠା ସହିତ ଅଞ୍ଚଳରେ ଜଳସେଚନ ଓ ଡ୍ୟାମ ନିର୍ମାଣ କ୍ଷେତ୍ରରେ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଥିଲେ ।
ନୀଳଗିରିରେ ଉନ୍ନତି ପାଇଁ ବିଧାୟକ ଅକ୍ଷୟ ଆଚାର୍ଯ୍ୟ ଖୁବ ଲୋକପ୍ରିୟ ବ୍ୟକ୍ତିତ୍ବ ଥିଲେ । ଆଜି ତାଙ୍କ ନିଧନ ଯୋଗୁଁ ନୀଳଗିରି ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଅକ୍ଷୟ ଆଚାର୍ଯ୍ୟଙ୍କର ପତ୍ନୀ, ତିନି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି।
ଏହା ମଧ୍ୟ ପଢନ୍ତୁ: 80 ବର୍ଷ ବୟସରେ ଆଖି ବୁଜିଲେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିଆ |
ଇଟିଭି ଭାରତ, ବାଲେଶ୍ବର

