ବାଲେଶ୍ୱର ମାଟିରେ ଔଷଧୀୟ ଗଛ 'ନୋନି' ଚାଷ; ଜୁସ ପିଇଲେ ମିଳେ ଅନେକ ରୋଗରୁ ମୁକ୍ତି ! ଫଳ କିଣିବ ଲଣ୍ଡନର କମ୍ପାନୀ
ବର୍ଷକୁ 6ଥର ଫଳ ଦେଇଥାଏ ନୋନି ଗଛ । ଔଷଧୀୟ ବୃକ୍ଷ ଚାଷୀଙ୍କ ପାଇଁ ନୂତନ ଆୟର ରାସ୍ତା ଦେଖାଇଛି । ବର୍ଷକୁ ପାଖାପାଖି 6ରୁ 8 ଲକ୍ଷ ରୋଜଗାର ହୋଇପାରିବ ।


Published : December 31, 2025 at 9:49 AM IST
|Updated : December 31, 2025 at 3:14 PM IST
ସ୍ପେଶାଲ ରିପୋର୍ଟ- ଜୀବନଜ୍ୟୋତି ନାୟକ
ବାଲେଶ୍ୱର: ଆମ ଚାରି ପାଖରେ ଥିବା ବିଭିନ୍ନ ଫଳ, ଲତାର ଅନେକ ଔଷଧୀୟ ଗୁଣ ରହିଛି । ଅନେକ ସମୟରେ ଆମେ ସେ ଔଷଧୀୟ ଗୁଣ ସମ୍ପର୍କରେ ଜାଣି ପାରନ୍ତି ନାହିଁ। ଏମିତି କି ଆମ ବାଡ଼ି ବଗିଚାରେ ମଧ୍ୟ ଅନେକ ଔଷଧୀୟ ଗଛ ହୋଇଥାଏ। ସାମାନ୍ୟ ଥଣ୍ଡା ଜ୍ୱର ଠାରୁ ଆରମ୍ଭ କରି ବିଭିନ୍ନ ରୋଗ ତଥା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପୂର୍ବ କାଳରେ ଲୋକମାନେ ଔଷଧୀୟ ଗଛ ଲଗାଉ ଥିଲେ । କେଉଁଠି ପତ୍ରର ରସରେ ଥଣ୍ଡା ଜ୍ୱର ଭଲ ହୋଇଯାଏ ତ ପୁଣି କେଉଁଠି ଫଳର ରସରେ ପେଟ ରୋଗ ଭଲ ହୋଇଯାଏ । ତେବେ ବର୍ତ୍ତମାନ ସମୟରେ ଏମିତି କିଛି ଜୁସ ବଜାରରେ ମିଳୁଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ତ ଭଲ ହେଲେ ତାହାର ମୂଳ ଅର୍ଥାତ ଯେଉଁ ଫଳରୁ ସେହି ଜୁସ ହେଉଛି ତାହା ସମ୍ପର୍କରେ ଆମେ ଜାଣି ନଥାଉ । ସେମିତି ଏକ ଫଳ ହେଉଛି 'ନୋନି' ଫଳ । ଗୋଟିଏ ଗଛ ବର୍ଷରେ ୮ଥର ଫଳ ଦେଇଥାଏ । ଏହି ଚାଷ କରି ଚାଷୀ ଜଣେ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବ । ଆମ ଦେଶ କିମ୍ବା ରାଜ୍ୟରେ ଏହି ଫଳ ପ୍ରତି ମେଡିସିନ କମ୍ପାନୀଙ୍କ ଆଗ୍ରହ ଥିବା ବେଳେ ଆଗକୁ ଲଣ୍ଡନର ଏକ କମ୍ପାନୀ ଏହାକୁ କିଣିବାକୁ ଚୁକ୍ତି କରିବ । ତେବେ ଆୟୁଷ ମେଡିକାଲ ଅଫିସର କହିଛନ୍ତି, ନୋନିରେ ଭିଟାମିନ ସି ପ୍ରବଳ ପରିମାଣରେ ଥାଏ । ଯାହାକି ଆମର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଶରୀର ଭିତରୁ ଅଳିଆ ସଫା କରିବାରେ ସାହାଯ୍ୟ କରିଥାଏ ।
୧୫୩ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ-
'ନୋନି' ଫଳର ଜୁସ ପିଇଲେ ପ୍ରାୟ ୧୫୩ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ । ଏବଂ ଏହି ଫଳକୁ ପାଚିଲେ ଖାଇହେବ, ଏହାକୁ ଶୁଖାଇ ଗୁଣ୍ଡ କରି ଚା' କରି ପିଇ ହେବ । ଏମିତି କି ଏହାର ମଞ୍ଜିକୁ ମଧ୍ୟ କଫି ଆକାରରେ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଶରୀର ଭିତରେ ଥିବା ଅଳିଆ ସଫାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
ବାଲେଶ୍ୱରରେ ବିରଳ ଔଷଧୀୟ ବୃକ୍ଷ ଚାଷ-
ଯେଉଁ ନୋନି ବାହାର ରାଜ୍ୟରେ ଚାଷ ହେଉଥିଲା ଆଜି ସେହି ନୋନି ଚାଷ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳରେ ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳରେ ୪ ଜଣ ଚାଷୀ ୧୦୦ରୁ ଅଧିକ ନୋନି ଗଛ ଲଗାଇଥିବା ବେଳେ ଆଗାମୀ ଦିନରେ ୫ ହଜାର ଗଛ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ବାଲେଶ୍ୱରର ପାଣିପାଗରେ ଏହି ଗଛ ହେବ କି ନାହିଁ ପ୍ରଥମେ ଏକ ପରୀକ୍ଷଣ ଆକାରରେ ଲଗାଇଥିବା ନୋନି ଗଛ ଏବେ ରୋଜଗାର ଦେବା ଆରମ୍ଭ କରିଛି । ନୋନି ଜୁସ ବିକ୍ରି କରି ଚାଷୀମାନେ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରି ପାରୁଛନ୍ତି । ରେମୁଣା ଅଞ୍ଚଳର ୭୫୫ ଜଣ ଭିନ୍ନ ପ୍ରକାରର ଚାଷୀମାନଙ୍କୁ ନେଇ ଗଠନ ହୋଇଛି ଏକ ସୋସାଇଟି । ଯେଉଁ ସୋସାଇଟିରେ ଥିବା ଚାରିଜଣ ଚାଷୀ ନୋନି ଗଛ ଲଗାଇ ବର୍ଷକୁ ପ୍ରାୟ ୬ ଥର ଫଳ ତୋଳି ସେଥିରୁ ହାତ ତିଆରି ଜୁସ କରି ନିଜେ ପିଇବା ସହ ଅନ୍ୟ ମାନଙ୍କୁ ଦେଉଛନ୍ତି । ଗୋଟିଏ ଗଛ ଗୋଟିଏ ବର୍ଷରେ ୮ଥର ଫଳ ଦେଇଥାଏ । ତେବେ ଏମିତି ଏକ ଔଷଧୀୟ ଗଛର ଚାଷ ସାରା ଓଡ଼ିଶାରେ ପ୍ରଥମେ ରେମୁଣା ଅଞ୍ଚଳରୁ ହିଁ ଆରମ୍ଭ ହୋଇଥିବା ଚାଷୀମାନେ ଦାବି କରିଛନ୍ତି ।
ଗୋଟିଏ ଗଛରୁ ଥରକେ ୫୦ କିଲୋ ଫଳ ବାହାରିବ-
ଏହି ପ୍ରକାର ଔଷଧୀୟ ଗଛ ଲଗାଇବା ଏବଂ ଏହା ଦ୍ୱାରା କିଛି ଲାଭାନ୍ବିତ ହେବା ଆଶାରେ ପ୍ରଥମେ ରେମୁଣା କରଞ୍ଜିଆ ଅଞ୍ଚଳର ସୁବୋଧ ଚନ୍ଦ୍ର ପଣ୍ଡା ପ୍ରୟାସ ଆରମ୍ଭ କରିଥିଲେ । ଏହି ପ୍ରକାର ଚାଷକୁ ନେଇ ସୁବୋଧ ନିଜର ପ୍ରତିକ୍ରିୟାରେ କହିଛନ୍ତି, "ଏଇଠି ଜଣେ ଚାଷୀ ଏକ ନୋନି ଗଛ ଲଗାଇଥିଲେ ସତ ହେଲେ ସେ ଏହି ଫଳକୁ ଚିହ୍ନି ନ ପାରି ଗଛ କାଟି ଦେଇଥିଲେ । ପୁଣିଥରେ ଗଛ ବଢି ଫଳ ହେବାପରେ ସେ ମୋତେ ଡାକି ଦେଖାଇବା ପରେ ମୁଁ ତାଙ୍କୁ ଏହା ନୋନି ଗଛର ଫଳ ବୋଲି କହିଥିଲି ଏବଂ ସେଇଠୁ କିଛି ଫଳ ମୁଁ ଆଣିଥିଲି । ସେହି ଫଳରେ ମୁଁ ଜୁସ ତିଆରି କରିବା ସହ ସେହି ମଞ୍ଜି ନେଇ ମୁ ପ୍ରଥମେ ଏକ କୁଣ୍ଡରେ ଲଗାଇଥିଲି। ଯେଉଁଥିରୁ ୧୦୦ରୁ ଉର୍ଦ୍ଧ୍ଵ ଗଛ ହୋଇଥିଲା । ସେହି ଗଛ ମୁଁ ଆମ ସୋସାଇଟିର ସବୁ ନିର୍ଦ୍ଦେଶକ ମାନଙ୍କୁ ଦେଇଥିଲି । ହେଲେ ସେମାନଙ୍କ ମଧ୍ୟରୁ 5, 6 ଜଣ ଏହାକୁ ଆଗ୍ରହର ସହ ନେଇ ନିଜ ବାଡ଼ିରେ ଲଗାଇଥିଲେ । ୨୦୨୨ରୁ ଗଛ ଲଗାଇବା ଆରମ୍ଭ ହୋଇଛି । ଆମେ ଆଜି ପର୍ଯ୍ୟନ୍ତ ୭ଟି ସ୍ଥାନରେ ଷ୍ଟଲ କରିଛୁ, ତିନୋଟି ସ୍ଥାନରେ ନୋନି ଆମେ ପ୍ରଦର୍ଶନ କରିଥି । ଏହି ଗଛ ଲଗାଇବାର ୯ ମାସ ପରେ ସେ ଫଳ ଦେବ । ବର୍ଷରେ ଗୋଟିଏ ଗଛ ଆଠମାସ ଫଳ ଦେବ । ବର୍ଷକରେ ଗୋଟିଏ ଗଛରୁ ପାଞ୍ଚରୁ ଛ ଥର ଫଳ ତୋଳି ହେବ । ଗୋଟିଏ ଥର ଗୋଟିଏ ଗଛରୁ ୫୦ କିଲୋ ଫଳ ବାହାରିବ। ଏହି ଫଳର କିଲୋ ପ୍ରତି ୪୦ ଟଙ୍କା ବର୍ତ୍ତମାନ ବଜାରରେ ରହିଛି। ଆମର ଏକ କମ୍ପାନୀ ସହ ଚୁକ୍ତି ମଧ୍ୟ ହୋଇଛି ଯିଏ ଆମ ପାଖରୁ ଏହି ନୋନି ଫଳ ୪୦ ଟଙ୍କା ପ୍ରତି କିଲୋ କରି କିଣିକି ନେବ । ଲଣ୍ଡନର ମଧ୍ୟ ଏକ କମ୍ପାନୀ ଆମର ୱେବସାଇଟ ଜରିଆରେ ଏହି ନୋନି ଚାଷ ସମ୍ପର୍କରେ ଜାଣିବାକୁ ପାଇ ଆସନ୍ତା ମାର୍ଚ୍ଚ ମାସରେ ଆମଠୁ ନୋନି ଫଳ ନେବାପାଇଁ ଚୁକ୍ତି କରିବ। ଯଦି ଗୋଟିଏ ଏକର ଜମିରେ କେବଳ ନୋନି ଚାଷ କରାଯାଏ ତେବେ ଜଣେ ଚାଷୀ ବାର୍ଷିକ ୬/୮ ଲକ୍ଷ ଟଙ୍କା ରୋଜଗାର କରି ପାରିବ।"

ନିଜ ବାଡ଼ିରେ ଲଗାଇବା ସହ ଆଖପାଖ ଲୋକମାନଙ୍କୁ ପ୍ରୋତ୍ସାହିତ କରିବୁ-
ସେହିପରି ନୋନି ଚାଷ ସମ୍ପର୍କରେ ଜାଣିବା ପରେ ଭୀମପୁରା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ବିଜୟ କୁମାର ପଲାଇ ନୋନି ଗଛ ଲଗାଇବା ପାଇଁ ଆଗ୍ରହ ପ୍ରକାଶ କରି ଚାଷୀ ମାନଙ୍କ ଠାରୁ କୌଶଳ ଶିଖିବା ସହ ଚାରା ନେବାପାଇଁ ମନସ୍ଥ କରିଛନ୍ତି। ସେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି,"ମୋର ଚାଷ ପ୍ରତି ଆଗ୍ରହ ଥିବାରୁ ପ୍ରାୟ ଅଧିକାଂଶ ସମୟରେ ମୁଁ ବିଭିନ୍ନ ଫାର୍ମ ବୁଲିଥାଏ। ଦୁଇ ତିନି ଜାଗାରେ ଦେଖିଲି ଯେ ଆମ ସାଙ୍ଗମାନେ ଏହି ନୋନି ଗଛ ଲଗାଉଛନ୍ତି। ଇଣ୍ଟରନେଟରେ ବି ଦେଖିଲି ଯେ ନୋନି ଫଳରେ ବହୁତ ଔଷଧୀୟ ଗୁଣ ରହିଛି। ଏହାର ଫଳ ମଧ୍ୟ ଆମେ ଖାଇ ପାରିବୁ, ତରକାରୀ ଭାବେ ବ୍ୟବହାର କରି ପାରିବୁ। ଏହାର ଜୁସରେ ଏତେ ମାତ୍ରାରେ ଔଷଧୀୟ ଗୁଣ ଭରି ରହିଛି ଯାହାର ରୋଗ ପ୍ରତିରୋଧକ ଶକ୍ତି ଏତେ ଅଛି ଯେ ଜଣେ ମଣିଷକୁ ସୁସ୍ଥ ରଖିବାରେ ବେଶ ସହାୟକ ହୁଏ। ଆମେ ନିଷ୍ପତ୍ତି ନେଇଛୁ ଏହି ଗଛ ଆମେ ନିଜ ବାଡ଼ିରେ ଲଗାଇବା ସହ ଆଖପାଖ ଲୋକମାନଙ୍କୁ ପ୍ରୋତ୍ସାହିତ କରିବୁ ଏହି ଗଛ ଲଗାଇବା ପାଇଁ। ଏ ଗଛ ରୋଜଗାର ଦେବା ସହ ଲୋକଙ୍କୁ ନିରୋଗ ରଖିବାରେ ସାହାଯ୍ୟ କରିବ।"
ଗଛକୁ ବହୁ ମାତ୍ରାରେ ଲଗାଇ ଫଳକୁ ଔଷଧ କମ୍ପାନୀକୁ ରପ୍ତାନି ଲକ୍ଷ୍ୟ-
ସେହିପରି ରେମୁଣା ହାତିଆଗଣ୍ଡ ଅଞ୍ଚଳର ଜଣାଶୁଣା ଚାଷୀ ତଥା ବ୍ୟବସାୟୀ ଜ୍ୟୋତିପ୍ରକାଶ ବେହେରା ନିଜ ଫାର୍ମରେ ନୋନି ଗଛ ଲଗାଇଛନ୍ତି । ପ୍ରାୟ ୧୦ ଏକର ଜମିରେ ସେ ପନି ପରିବା ଆଳୁ ଚାଷ କରିବା ସହ ଏବେ ନୋନି ଗଛରୁ ମଧ୍ୟ ଫାଇଦା ପାଉଛନ୍ତି । ସେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି, "ଏହା ଏକ ଔଷଧୀୟ ଗଛ, ଫଳର ଜୁସରୁ ବିଭିନ୍ନ ପ୍ରକାର ରୋଗ ଦୂର ହୋଇଥାଏ। ଏହି ଗଛ ମୁଁ ଏବେ ନୂଆ ତା ଉପରେ ରିସର୍ଚ୍ଚ କରି ଏବେ ଲଗାଇଛି । ରେମୁଣା ବ୍ଲକରେ ଏବେ ପ୍ରାୟ ୧୦୦ଟି ଗଛ ଲାଗିଛି । ଏହାସହ ଆମେ ଏକ FPO କରିଛୁ । ବର୍ତ୍ତମାନ ଆମର ମୁଖ୍ୟ ଉଦ୍ଦେଶ୍ୟ ରହୁଛି, ସେ ଗଛକୁ କେମିତି ଆମେ ବହୁ ମାତ୍ରାରେ ଲଗାଇ ଫଳ ସବୁ ଔଷଧ କମ୍ପାନୀକୁ ରପ୍ତାନି କରିବୁ ।"
ଗୋଟିଏ ପଟେ ନୋନି ଚାଷ କରି ଚାଷୀମାନେ ଫାଇଦା ପାଉଥିବା ବେଳେ ଏହାର ଜୁସ ପିଇ ଲୋକମାନେ କେଉଁସବୁ ମୁଖ୍ୟ ରୋଗରୁ ମୁକ୍ତି ପାଇବେ ସେନେଇ ରୁପ୍ସା ମେଡିକାଲର ଆୟୁଷ ମେଡିକାଲ ଅଫିସର ଡାକ୍ତର ଶୁଭାଶିଷ ମହାନ୍ତି ସୂଚନା ଦେଇ କହିଛନ୍ତି, "ଏଇଥିପାଇଁ ଆମେ ନୋନି ଜୁସ ବ୍ୟବହାର କରିବା ଯେ, ନୋନିରେ ଭିଟାମିନ ସି ପ୍ରବଳ ପରିମାଣରେ ଥାଏ । ଯାହାକି ଆମର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଶରୀର ଭିତରୁ ଅଳିଆ ସଫା କରିବାରେ ସାହାଯ୍ୟ କରିଥାଏ । ପ୍ରାଥମିକ ସ୍ତରରେ ଦେଖିବାକୁ ଗଲେ ନୋନି ଜୁସ ଦେହରେ ସବୁ ଅଙ୍ଗ ପ୍ରତ୍ୟଙ୍ଗ ଏବଂ ଦେହ ଭିତରର ଅର୍ଗାନ ଠିକ ଭାବେ କାମ କରିବାରେ ସହାୟକ ହୋଇଥାଏ । ମୁଖ୍ୟତଃ ନୋନି ଜୁସ ପିଇବା ଦ୍ୱାରା ଅମ୍ଳ, ପିତ୍ତ ରୋଗ, କ୍ୟାନ୍ସର, ଥକାପଣ ଦୂର କରିଥାଏ । ଆମେ ଏବେ ଯେଉଁ ପ୍ରକାରର ସବୁ ଖାଦ୍ୟ ଖାଉଛୁ ସେଇଥିପାଇଁ ଶରୀରରେ ଜମା ହୋଇ ଯାଉଥିବା ଅଳିଆ ଜୀବାଣୁ ନିଷ୍କାସନ କରିବାରେ ନୋନି ଜୁସ ସହାୟକ ହୋଇଥାଏ । ଏହାସହ ଲିଭର, କିଡନୀ, ହାର୍ଟ ସବୁ ସୁସ୍ଥ ରହିଥାଏ । ଦେହର ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଶାରୀରିକ ରକ୍ଷଣାବେକ୍ଷଣ ପାଇଁ ସହାୟକ ହୋଇଥାଏ ।"
ଏହା ବି ପଢନ୍ତୁ- ଏଇଠି ଚାଷ ହେଉଛି କଳା ହଳଦୀ, କ୍ୟାନସର ଭଳି ଅସାଧ୍ୟ ରୋଗରୁ ମିଳେ ଉପଶମ
ଇଟିଭି ଭାରତ, ବାଲେଶ୍ୱର

