ETV Bharat / state

ଫେକ୍ ଟ୍ରେଡିଂ ଆଳରେ ସାଇବର ଠକେଇ; ପୃଥକ ମାମଲାରେ ଦମ୍ପତିଙ୍କ ସମେତ ୩ ଜଣ ଗିରଫ

ଫେକ୍ ଟ୍ରେଡିଂ ଆଳରେ ପୃଥକ ସାଇବର ଠକେଇ ମାମଲାରେ ଜଣେ ବିହାର ଯୁବକଙ୍କ ସମେତ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ।

Odisha cyber fraud case
ତିନି ସାଇବର ଠକ ଗିରଫ (ETV Bharat Odisha)
author img

By ETV Bharat Odisha Team

Published : February 27, 2026 at 9:24 PM IST

2 Min Read
Choose ETV Bharat

ରିପୋର୍ଟ: ସତ୍ୟଜିତ ରାଉତ

ଭୁବନେଶ୍ୱର: ଫେକ୍ ଟ୍ରେଡିଂ ଆଳରେ ପୃଥକ ସାଇବର ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ସାଇବର ଥାନା ପକ୍ଷରୁ ଦମ୍ପତିଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି (ଶୁକ୍ରବାର) ଏକ ପ୍ରେସ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି । ୧.୫୫ କୋଟି ଟଙ୍କା ଠକେଇ ମାମଲାରେ ଅନୁଗୋଳ ଅଞ୍ଚଳର ଜଣେ ଦମ୍ପତି ଏବଂ ୨.୦୬ କୋଟି ଟଙ୍କା ଠକେଇ ମାମଲାରେ ବିହାରର ଜଣେ ଯୁବକ ଗିରଫ ହୋଇଛନ୍ତି ।

୧.୫୫ କୋଟି ଟଙ୍କା ଠକେଇ, ଜେଲ ଗଲେ ଦମ୍ପତି:

ଗିରଫ ଦମ୍ପତି ହେଲେ ଅନୁଗୁଳ ଜିଲ୍ଲା ରାଜକିଶୋରପଡ଼ା ଅଞ୍ଚଳର ହିମାଂଶୁ ପ୍ରସାଦ କର୍ଣ ଓ ଶୈଳେନ୍ଦ୍ରି କର୍ଣ । ସେମାନଙ୍କଠାରୁ ୧୭ଟି ଚେକବୁକ୍, ୧୦ଟି ସେଭିଂ ବ୍ୟାଙ୍କ ପାସବୁକ୍, ୩ଟି ମୋବାଇଲ ଓ ସିମକାର୍ଡ ଆଦି ଜବତ କରାଯାଇଛି । ଉଭୟଙ୍କୁ ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନ ମିଳିବାରୁ ଦୁହିଁଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Odisha cyber fraud case
ତିନି ସାଇବର ଠକ ଗିରଫ (ETV Bharat Odisha)


କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ସାଇବର ଠକମାନେ ପ୍ରଥମେ ସୋସିଆଲ୍ ମିଡିଆ ମାଧ୍ୟମରେ ଅଭିଯୋଗକାରୀଙ୍କୁ ଯୋଗାଯୋଗ କରିଥିଲେ। ପରେ ତାଙ୍କୁ "Stock Market Pioneers" ଏବଂ “VIP IVI Service Team570" ନାମକ ଏକ ହ୍ବାଟ୍ସଆପ୍ ଗ୍ରୁପରେ ଯୋଡ଼ି ଥିଲେ। ଠକମାନେ ବହୁଗୁଣା ରିଟର୍ନ୍ ପ୍ରତିଶ୍ରୁତି ଦେଇ ଏକ ଫେକ୍ ଟ୍ରେଡିଂ ପ୍ଲାଟଫର୍ମରେ ଇନଭେଷ୍ଟ୍ କରିବାକୁ କହି ଏକ ଲିଙ୍କ୍ ପଠାଇଥିଲେ । ଏହାକୁ ବିଶ୍ୱାସ କରି ଅଭିଯୋଗକାରୀ ନିଜର ଗୋଟିଏ ଆକାଉଣ୍ଟରୁ ଠକମାନଙ୍କ ୭ଟି ଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ମୋଟ୍ ୧ କୋଟି ୫୫ ଲକ୍ଷ ୬୬ ହଜାର ଟଙ୍କା ଟ୍ରାନ୍ସଫର୍ କରି ଠକେଇର ଶିକାର ହୋଇଥିଲେ । ଏହାପରେ ଆଉ ସେ ଟଙ୍କା ଉଠାଇ ପାରିନଥିଲେ। ଏନେଇ ଅଭିଯୋଗକାରୀଙ୍କ ଏତଲା କ୍ରମେ ୨୦୨୫ ଏପ୍ରିଲ ୧୯ରେ ସାଇବର କ୍ରାଇମ ଥାନା ମାମଲା (ନଂ.୧୩/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଦମ୍ପତିଙ୍କ ପାଖକୁ ଟଙ୍କା ଯାଇଥିବା କ୍ରାଇମବ୍ରାଞ୍ଚ ପ୍ରମାଣ ପାଇଥିଲା ।

୨.୦୬ କୋଟି ଠକେଇ, ବନ୍ଧା ହେଲା ବିହାର ଯୁବକ:

୨.୦୬ କୋଟି ଟଙ୍କା ଠକେଇ ଘଟଣାରେ ଗିରଫ ଅଭିଯୁକ୍ତ ହୋଇଛନ୍ତି ବିହାର ବେଗୁସରାଇ ଅଞ୍ଚଳର ପ୍ରିନ୍ସ ରାଜ (୩୧) । ତା'ଠାରୁ ମୋବାଇଲ, ସିମ କାର୍ଡ ଆଦି ଜବତ କରାଯାଇଛି । ଗିରଫ ପରେ ପ୍ରିନ୍ସକୁ ବେଗୁସରାଇ ସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ (JMFC)ରେ ହାଜର କରାଯାଇଥିଲା। ତାକୁ ସେଠାରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଇ ଭୁବନେଶ୍ୱର ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ପ୍ରିନ୍ସକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Odisha cyber fraud case
ତିନି ସାଇବର ଠକ ଗିରଫ (ETV Bharat Odisha)

ଏହି ସାଇବର ଠକ ୨୦୨୪ ଡିସେମ୍ବର ୨୩ ତାରିଖରେ ଅଭିଯୋଗକାରୀଙ୍କୁ ହ୍ଵାଟ୍ସଆପ ମାଧ୍ୟମରେ ଯୋଗାଯୋଗ କରିଥିଲେ । ତାଙ୍କୁ ଏକ ହ୍ବାଟ୍ସଆପ୍ ଗ୍ରୁପ୍‌ରେ ଯୋଡ଼ା ଯାଇଥିଲା। ଜଣେ ବ୍ୟକ୍ତି ନିଜକୁ ଏକ ପ୍ରସିଦ୍ଧ କମ୍ପାନୀର ଫଣ୍ଡ୍ ମ୍ୟାନେଜର୍ ବୋଲି ଦାବି କରି ଅଭିଯୋଗକାରୀଙ୍କୁ ଟଙ୍କା ନିବେଶ ପାଇଁ ପ୍ରବର୍ତ୍ତାଇ ଥିଲେ । ହ୍ଵାଟ୍ସଆପ ଗ୍ରୁପ୍‌ଟି ମାଗଣା ଷ୍ଟକ୍ ମାର୍କେଟ୍ ପରାମର୍ଶ ଏବଂ ନିଫ୍ଟିର ଦୈନିକ ଟେକ୍ନିକାଲ୍ ଆନାଲିସିସ୍ ଯୋଗାଉଥିଲା । ଅଭିଯୋଗକାରୀ ଠକମାନଙ୍କ କଥାରେ ପଡ଼ି ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଦେଇଦେଇଥିଲେ ।

ଠକେଇମାନଙ୍କ କହିବା ଅନୁଯାୟୀ ୨୦୨୪ ଡିସେମ୍ବର ୨୩ରୁ ୨୦୨୫ ମାର୍ଚ୍ଚ ୨୪ ମଧ୍ୟରେ ସେ ୩ଟି ଆକାଉଣ୍ଟରୁ ୫୪ଟି ଟ୍ରାନଜାକ୍ସନ ଜରିଆରେ ୫ଟି ଭିନ୍ନ ଆକାଉଣ୍ଟ୍‌କୁ ମୋଟ୍ ୨ କୋଟି ୬ ଲକ୍ଷ ୭ ହଜାର ୫୦୦ ଟଙ୍କା ପଠାଇଥିଲେ । ସେ ଟଙ୍କା ଉଠାଇବାକୁ ଚାହିଁବାରୁ ରିସ୍କ୍ କଣ୍ଟ୍ରୋଲ୍ ଟିମ୍ ବିଭିନ୍ନ ବାହାନାରେ ମନା କରିଦେଇଥିଲା । ଏହାପରେ ସେ ଏକ ଠକେଇର ଶିକାର ହୋଇଛନ୍ତି ବୋଲି ଜାଣିବାକୁ ପାଇଥିଲେ । ଏନେଇ ସେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ । ୨୦୨୫ ମାର୍ଚ୍ଚ ୨୮ରେ କ୍ରାଇମବ୍ରାଞ୍ଚ ସାଇବର କ୍ରାଇମ ଥାନା ଏକ ମାମଲା (ନଂ.୧୧/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢନ୍ତୁ... ଅପରେସନ ସାଇବର୍ କବଚ: ୧୦ ଦିନରେ ୩୬୨୫ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୧୮୭ ଗିରଫ

ଏହା ମଧ୍ୟ ପଢନ୍ତୁ... ଜଗତସିଂହପୁରରେ 'ଅପରେସନ କବଚ': 1 ସାଇବର ଠକ ଗିରଫ, 3 ବେନାମୀ ଆକାଉଣ୍ଟଧାରୀଙ୍କୁ ନୋଟିସ୍




ଇଟିଭି ଭାରତ, ଭୁବନେଶ୍ବର