ETV Bharat / state

ଭୁବନେଶ୍ୱରରେ କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ, ଶୃଙ୍ଖଳିତ ରହିବାକୁ ବାର୍ତ୍ତା

କର୍ମୀ ଓ ନେତାଙ୍କ ଉଦ୍ଦେଶ୍ୟରେ ଶୃଙ୍ଖଳା ଓ ଶୃଙ୍ଖଳିତକୁ ନେଇ ବାର୍ତ୍ତା ଦେଲେ ଲାଲଜୀ ଦେଶାଇ । ରିପୋର୍ଟ ସଞ୍ଜୀବ କୁମାର ରାୟ

Congress lalaji desai in Bhubaneswar
ଭୁବନେଶ୍ୱରରେ କଂଗ୍ରେସ ପ୍ରଭାରୀ ଲାଲଜି ଦେଶାଇ (ETV Bharat Odisha)
author img

By ETV Bharat Odisha Team

Published : July 2, 2026 at 9:53 AM IST

|

Updated : July 2, 2026 at 11:42 AM IST

2 Min Read
Choose ETV Bharat

ଭୁବନେଶ୍ବର: ଭୁବନେଶ୍ୱରରେ କଂଗ୍ରେସର ନବ ନିଯୁକ୍ତ ପ୍ରଭାରୀ ଲାଲଜୀ ଦେଶାଇ । ଓଡ଼ିଶା କଂଗ୍ରେସକୁ ପୁଣି ଥରେ ସକ୍ରିୟ କରିବାକୁ ହାଇକମାଣ୍ଡଙ୍କ ନୂଆ ରଣନୀତି। ରାଜଧାନୀରେ ପହଞ୍ଚିବା କ୍ଷଣି କର୍ମୀ ଓ ନେତାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଲେ ଲାଲଜୀ ଦେଶାଇ । କଂଗ୍ରେସ ଭବନରେ ଲାଲଜୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବାବେଳେ ଦଳରେ ଶୃଙ୍ଖଳା ଓ ଶୃଙ୍ଖଳିତକୁ ନେଇ ବାର୍ତ୍ତା ଦେଇଛନ୍ତି ଲାଲଜୀ ।

ଭୁବନେଶ୍ୱରରେ କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ (ETV Bharat Odisha)

ଓଡିଶା ଗସ୍ତରେ କଂଗ୍ରେସ ପ୍ରଭାରୀ

ସେ କହିଛନ୍ତି ଯେ "ମୁଁ ନିଜେ ଶୃଙ୍ଖଳିତ ରହିବି, ଆଶା କରୁଛି ଦଳର ସମସ୍ତ ନେତୃବୃନ୍ଦ ମଧ୍ୟ ଶୃଙ୍ଖଳିତ ରହିବେ।" ଏହି ବାର୍ତ୍ତା କେବଳ ଶୃଙ୍ଖଳାର ଆହ୍ୱାନ ନୁହେଁ, ବରଂ ଓଡ଼ିଶା କଂଗ୍ରେସ ପାଇଁ ଏକ ନୂଆ ଦିଗର ସଙ୍କେତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।



ଭାରତୀୟ ଜାତୀୟ କଂଗ୍ରେସର ଜଣେ ତୃଣମୂଳ ସ୍ତରର ସଂଗଠକ ଓ ପରିବେଶ କର୍ମୀ ଭାବେ ପରିଚିତ ଲାଲଜୀ ଦେଶାଇଙ୍କୁ ଓଡ଼ିଶାର ନୂତନ ଏଆଇସିସି ପ୍ରଭାରୀ ଭାବେ ସ୍ୱାଗତ କରିଛି ପ୍ରଦେଶ କଂଗ୍ରେସ। କଂଗ୍ରେସ ଭବନରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବରିଷ୍ଠ, ମହିଳା, ଯୁବ ଓ ଛାତ୍ର ନେତୃବୃନ୍ଦଙ୍କୁ ସମ୍ବୋଧିତ କରି ସେ କହିଥିଲେ, ‘‘ଦଳକୁ ମଜବୁତ କରିବାର ପ୍ରଥମ ସର୍ତ୍ତ ହେଉଛି ଶୃଙ୍ଖଳା। ନେତା ଓ କର୍ମୀମାନେ ଶୃଙ୍ଖଳିତ ହେଲେ ସଂଗଠନ ଆପେଆପେ ଶକ୍ତିଶାଳୀ ହେବ’’ ।

Congress lalaji desai in Bhubaneswar
ଭୁବନେଶ୍ୱରରେ କଂଗ୍ରେସ ପ୍ରଭାରୀ ଲାଲଜି ଦେଶାଇ (ETV Bharat Odisha)

ଦୀର୍ଘଦିନ ଧରି ଓଡ଼ିଶା କଂଗ୍ରେସ ଭିତରେ ଗୋଷ୍ଠୀ କନ୍ଦଳ, ଅସନ୍ତୋଷ ଓ ସଂଗଠନଗତ ଦୁର୍ବଳତାକୁ ନେଇ ପ୍ରଶ୍ନ ଉଠୁଥିଲା। ଏପରି ସ୍ଥିତିରେ ନୂତନ ପ୍ରଭାରୀଙ୍କ ପ୍ରଥମ ବାର୍ତ୍ତା ହେଉଛି ଶୃଙ୍ଖଳା ଓ ସଂଗଠନକୁ ସୁଦୃଢ଼ କରିବା।

ଶୃଙ୍ଖଳିତ ରହିବାକୁ ପ୍ରଭାରୀଙ୍କ ବାର୍ତ୍ତା



ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ‘‘ରାହୁଲ ଗାନ୍ଧୀଙ୍କ ପରାମର୍ଶରେ ତୃଣମୂଳ ସ୍ତରରୁ ଉଠିଆସିଥିବା ଜଣେ ପରିଶ୍ରମୀ ସଂଗଠକଙ୍କୁ ଓଡ଼ିଶାର ପ୍ରଭାରୀ କରାଯାଇଛି। ଏହା ରାଜ୍ୟ କଂଗ୍ରେସରେ ନୂଆ ଆଶା ଓ ନୂଆ ବିଶ୍ୱାସ ସୃଷ୍ଟି କରିବ। ଆଗାମୀ ଦିନରେ ସଂଗଠନକୁ ବୁଥ୍ ସ୍ତରରୁ ସଶକ୍ତ କରିବା ଦଳର ପ୍ରମୁଖ ଲକ୍ଷ୍ୟ’’ ବୋଲି ସେ ସୂଚନା ଦେଇଛନ୍ତି।

Congress lalaji desai in Bhubaneswar
ଭୁବନେଶ୍ୱରରେ କଂଗ୍ରେସ ପ୍ରଭାରୀ ଲାଲଜି ଦେଶାଇ (ETV Bharat Odisha)
ଏହି ସମ୍ବର୍ଦ୍ଧନା ସଭାରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବରିଷ୍ଠ ନେତା ସୁରେଶ ରାଉତରାୟ, ବିଜୟଲକ୍ଷ୍ମୀ ସାହୁ, କିଶୋର ପଟେଲ, ବଳଭଦ୍ର ମାଝୀଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ୨୦୨୪ ନିର୍ବାଚନ ପରେ ଓଡ଼ିଶାରେ କଂଗ୍ରେସ ନିଜର ସଂଗଠନକୁ ପୁନର୍ଗଠନ କରିବାରେ ଲାଗିଛି। ନୂଆ ପିସିସି ସଭାପତିଙ୍କ ପରେ ଏବେ ନୂଆ ଏଆଇସିସି ପ୍ରଭାରୀଙ୍କ ନିଯୁକ୍ତି ସ୍ପଷ୍ଟ କରୁଛି ଯେ ହାଇକମାଣ୍ଡ ଓଡ଼ିଶାକୁ ପୁଣି ଥରେ ରାଜନୈତିକ ମାନଚିତ୍ରରେ ସକ୍ରିୟ କରିବାକୁ ଚାହୁଁଛି। କିନ୍ତୁ ଦଳୀୟ କନ୍ଦଳକୁ ଦୂର କରି ସମସ୍ତଙ୍କୁ ଏକାଠି କରିବା, ତୃଣମୂଳ ସ୍ତରରେ ସଂଗଠନକୁ ସଶକ୍ତ କରିବା ଏବଂ ରାଜ୍ୟରେ ବିଜେପି ଓ ବିଜେଡି ବିରୋଧରେ ଏକ ପ୍ରଭାବଶାଳୀ ବିକଳ୍ପ ଭାବେ କଂଗ୍ରେସକୁ ଛିଡ଼ା କରିବା ପ୍ରକୃତ ଚ୍ୟାଲେଞ୍ଜ ହେବ । ତେଣୁ ଲାଲଜୀ ଦେଶାଇଙ୍କ ନିଯୁକ୍ତି କେବଳ ଜଣେ ପ୍ରଭାରୀ ବଦଳ ନୁହେଁ ବରଂ ଓଡ଼ିଶା କଂଗ୍ରେସର ପୁନର୍ଜୀବନ ଅଭିଯାନର ପ୍ରଥମ ପଦକ୍ଷେପ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି ।


ଶୃଙ୍ଖଳା ଓ ସଂଗଠନର ମନ୍ତ୍ର ଦେଇଥିବା ନୂତନ ପ୍ରଭାରୀ ଲାଲଜୀ ଦେଶାଇ ଓଡ଼ିଶା କଂଗ୍ରେସକୁ କେତେ ଦୂର ପୁନର୍ଜୀବିତ କରିପାରୁଛନ୍ତି ଏବଂ ଆଗାମୀ ରାଜନୈତିକ ଲଢ଼େଇ ପାଇଁ ଦଳକୁ କିପରି ପ୍ରସ୍ତୁତ କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

ଏହା ମଧ୍ୟ ପଢନ୍ତୁ ଲଲ୍ଲୁଙ୍କ ସ୍ଥାନ ନେଲେ ଲାଲଜୀ: ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଲାଲଜୀ ଦେଶାଇ

ଏହା ମଧ୍ୟ ପଢନ୍ତୁ AICC ଫୋକସରେ ଓଡ଼ିଶା ! ଦୁର୍ବଳ ସଂଗଠନକୁ ସଜାଡ଼ିବାକୁ ପରିବର୍ତ୍ତନ ଫର୍ମୁଲା, ବଦଳିବ କି ଦଳର ଭାଗ୍ୟ ?

ଇଟିଭି ଭାରତ, ଭୁବନେଶ୍ବର

Last Updated : July 2, 2026 at 11:42 AM IST