ହାଜତ ମୃତ୍ୟୁ ପ୍ରସଙ୍ଗରେ ନ୍ୟାୟିକ ତଦନ୍ତ ଦାବି କଲା କଂଗ୍ରେସ
ରାଜ୍ୟରେ ପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଏବଂ ହାଜତ ମୃତ୍ୟୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଗୃହ ବିଭାଗ ଛାଡିବା ପାଇଁ ଦାବି କଲା କଂଗ୍ରେସ । ରିପୋର୍ଟ- ସଞ୍ଜୀବ କୁମାର ରାୟ

Published : June 2, 2026 at 4:27 PM IST
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଥାନାରେ ପୋଲିସର 'ଥାର୍ଡ ଡିଗ୍ରୀ' ଅଭିଯୋଗ ବଢ଼ି ଚାଲିଥିବା ବେଳେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ତେବେ ଥାନା ହାଜତ ମୃତ୍ୟୁ ଘଟଣାରେ ପୋଲିସର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ପ୍ରଦେଶ କଂଗ୍ରେସ । ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଦଳ । ରାଜ୍ୟରେ ଘଟିଥିବା ହାଜତ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ଦାବି କରଛି କଂଗ୍ରେସ ।
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନଗେନ୍ଦ୍ର ପ୍ରଧାନ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ନୈତିକତା ଦୃଷ୍ଟିରୁ ଗୃହ ବିଭାଗ ଛାଡିବାକୁ ଦାବି କରିଛନ୍ତି । ହାଜତ ମୃତ୍ୟୁକୁ ନେଇ ପୋଲିସର ଭୂମିକା ସନ୍ଦେହ ଜନକ, ତେଣୁ ଏହାର ନ୍ୟାୟିକ ତଦନ୍ତ ଦାବି କରିଛି କଂଗ୍ରେସ । ସେ କହିଛନ୍ତି, "ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ଆଇନ ଶୃଙ୍ଖଳା ସ୍ଥିତି ତଳମୁହାଁ ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି, ତାହା ଗ୍ରହଣୀୟ ହେଉନାହିଁ । ରାଜ୍ୟରେ ଗୋଷ୍ଠୀ ଗତ ଅପରାଧ, ଜାତିଆଣ ହିଂସା ବୃଦ୍ଧି ପାଇଛି । ଏବେ ହାଜତ ମୃତ୍ୟୁକୁ ନେଇ ସବୁ ଆଡ଼େ ଚର୍ଚ୍ଚା । ବାରଙ୍ଗ, କବିସୂର୍ଯ୍ୟନଗର ଭଳି ଏକାଧିକ ଥାନାରେ ହାଜତରେ ଅକଥନୀୟ ନିର୍ଯାତନା ବୃଦ୍ଧି ପାଉଥିବାର ଘାଟଣା ସାମ୍ନାକୁ ଆସୁଛି ।"
ସେହିପରି କଂଗ୍ରେସ ମୁଖପାତ୍ର ମନୀଷା ଦାସ ପଟ୍ଟନାୟକ କହିଛନ୍ତି,"ରାଜ୍ୟରେ ଏକାଧିକ ଥାନାରେ ଥାର୍ଡ ଡିଗ୍ରୀ ପ୍ରସଙ୍ଗ ଏବେ ପୋଲିସର ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରୁଛି । ଜଣେ ଥାନାକୁ ଗଲେ ୨୪ ଘଣ୍ଟା ପରେ କୋର୍ଟ ଚାଲାଣ ହେବା କଥା କିନ୍ତୁ କାହିଁକି ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ରଖି ଅତ୍ୟାଚାର କରୁଛି ?"
କଂଗ୍ରେସ ପକ୍ଷରୁ ଦିଆଯାଇଥିବା ହାଜତ ମୃତ୍ୟୁର ବିବରଣୀ:
- 2021 -22 ମସିହାରେ ଗୋଟିଏ
- 2022-23 ମସିହାରେ ଗୋଟିଏ
- 23-24 ମସିହାରେ 2ଟି
- 2025-26 ମସିହାରେ 9ଟି
ସୂଚନା ଥାଉ କି, କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗଙ୍କ ରିପୋର୍ଟ ତଲବ ହୋଇଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ପୋଲିସ ପିଟିପିଟି ହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ମୃତକ ହେଲେ ସୁବଳିଆ ଗାଁର ସୁଶାନ୍ତ ସାହୁ ।
ମିଳିଥିବା ତଥ୍ୟ ଅନୁଯାୟୀ, ଏକ ପଥର ବ୍ଲାଷ୍ଟିଂ ମାମଲାରେ ସୁଶାନ୍ତଙ୍କୁ ଗତ ୨୫ ତାରିଖ ରାତିରେ କବିସୂର୍ଯ୍ୟନଗର ପୋଲିସ ଘରୁ ଉଠାଇ ନେଇଥିଲେ ।ରାତିରେ ଗୁରୁତର ଅବସ୍ଥାରେ ଦୁଇ ଜଣ କନେଷ୍ଟବଳ ତାଙ୍କୁ ଘରେ ଛାଡ଼ି ଦେଇଥିଲେ । ସେତେବେଳକୁ ସୁଶାନ୍ତ ଚେତାଶୂନ୍ୟ ଥିଲେ ଏବଂ ତାଙ୍କର ଅବସ୍ଥା ଅତି ଗୁରୁତର ଥିଲା । ଚିକିତ୍ସା ପାଇଁ ଘର ଲୋକେ ତାଙ୍କୁ ପ୍ରଥମେ ଆସ୍କା ଏବଂ ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ନେଇଥିଲେ । ସେଠାରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଏହି ହାଜତ ମୃତ୍ୟୁ ଅଭିଯୋଗକୁ ଦକ୍ଷିଣାଞ୍ଚଳ ଆଇଜି ଗୁରୁତ୍ୱର ସହ ନେଇଛନ୍ତି । ଏହାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଗଞ୍ଜାମ ଏସପି ହରିଶ ବି.ସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି କଟକ ବାରଙ୍ଗ ଥାନା ହାଜତରେ ଜଣେ ଯୁବକ ପୋଲିସର ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ ପରେ ସ୍ଥାନୀୟ ଜନସାଧାରଣ ରାସ୍ତା ରୋକ କରିଥିଲେ । ପରେ ଥାନା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । ପୋଲିସର ଥାର୍ଡ ଡିଗ୍ରୀ ଶିକାର ହୋଇଥିବା ଯୁବକ ଜଣକ ହେଲେ ରାକେଶ ବେହେରା । ବର୍ତ୍ତମାନ ତାଙ୍କର କଟକ ଏସିସିବି ମେଡିକାଲରେ ଚିକିତ୍ସା ଜାରି ରହିଛି ।
ଇଟିଭି ଭାରତ, ଭୁବନେଶ୍ବର

