ETV Bharat / state

ଆୟୁର୍ବେଦିକ ଓ ହୋମିଓପାଥିକ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି, ୨୦୨୬ ଜାନୁଆରୀ ପହିଲାରୁ ଲାଗୁ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ କଲେଜରେ ପଢୁଥିବା ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମିଳୁଥିବା ଷ୍ଟାଇପେଣ୍ଡରେ ବୃଦ୍ଧି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Odisha CM Mohan Majhi (@MohanMOdisha)
author img

By ETV Bharat Odisha Team

Published : December 15, 2025 at 2:07 PM IST

2 Min Read
Choose ETV Bharat

ଭୁବନେଶ୍ବର: ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ ବୃଦ୍ଧି ହୋଇଛି । ୨୦୨୬ ଜାନୁଆରୀ ପହିଲାରୁ ଏହି ନିଷ୍ପତ୍ତି ଲାଗୁ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତିରେ ମୋହର ମାରିଛନ୍ତି । ନିଷ୍ପତ୍ତି ଅନୁଯାୟୀ ପିଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡରେ ୫୫ ପ୍ରତିଶତ ବୃଦ୍ଧି କରାଯାଇଛି । ପୂର୍ବରୁ ସେମାନଙ୍କ ମାସିକ ଷ୍ଟାଇପେଣ୍ଡ ୩୧ ହଜାର ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୪୮ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ୩୨ ହଜାରରୁ ୫୨ ହଜାରକୁ ବୃଦ୍ଧି ପାଇଛି । ଏହା ହେଉଛି ୬୨ ପ୍ରତିଶତ ବୃଦ୍ଧି । ତୃତୀୟ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଷ୍ଟାଇପେଣ୍ଡ ପରିମାଣ ମାସକୁ ୩୩ ହଜାରରୁ ୫୫ ହଜାରକୁ ବୃଦ୍ଧି ପାଇଛି ଏହି ବୃଦ୍ଧି ୬୭ ପ୍ରତିଶତ ।

ଉପକୃତ ହେବ ୧୨୦ ଜଣ ଛାତ୍ରଛାତ୍ରୀ:

ସେହିପରି ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର ହାଉସ ସର୍ଜନ ମାନଙ୍କ ଷ୍ଟାଇପେଣ୍ଡ ୧୭ ହଜାରରୁ ୩୦ ହଜାରକୁ ବୃଦ୍ଧି କରାଯାଇଛି । ଏହା ଆସନ୍ତା ବର୍ଷ ଅଗଷ୍ଟ ପହିଲାରୁ ଲାଗୁ ହେବ । ଏହା ଦ୍ବାରା ଉଭୟ ପାଠ୍ୟକ୍ରମରେ ପିଜି କରୁଥିବା ୧୨୦ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ । ଛାତ୍ରଛାତ୍ରୀମାନେ ଶିକ୍ଷା ଓ ରୋଗୀ ସେବାରେ ଅଧିକ ମନୋନିବେଶ କରି ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଓଡି଼ଶାରେ କେତୋଟି ଆୟୁର୍ବେଦିକ ହୋମିଓପାଥିକ କଲେଜ ଓ ହସ୍ପିଟାଲ ଅଛି?

ଓଡି଼ଶାରେ ୩ଟି ସରକାରୀ ଆୟୁର୍ବେଦିକ କଲେଜ, ୪ ଟି ସରକାରୀ ହୋମିଓପାଥିକ କଲେଜ, ୫ଟି ସରକାରୀ ଆୟୁର୍ବେଦିକ ଓ ୪ଟି ସରକାରୀ ହୋମିଓପାଥିକ ହସ୍ପିଟାଲ ଅଛି । ନୂତନ ପିଢିର ଡାକ୍ତର ତିଆରି ହେବା ସହିତ ରାଜ୍ୟ ଓ ରାଜ୍ୟ ବାହାରର ଅନେକ ରୋଗୀ ପ୍ରାକୃତିକ ଭାବରେ ଚିକିତ୍ସିତ ହେଉଛନ୍ତି । ଏହା ବ୍ଯତୀତ ବର୍ତ୍ତମାନ ୧ ହଜାର ୧୯୧ ଟି ଆୟୁଷ ଡିସ୍ପେନସାରୀ ଚାଲିଛି । ଯାହା ମଧ୍ୟରୁ ୬୨୦ ଟି ଆୟୁର୍ବେଦିକ, ୫୬୨ ଟି ହୋମିଓପାଥିକ ଓ ୯ ଟି ୟୁନାନି ଡିସ୍ପେନସାରୀ ଅଛି । ଏହି ସମସ୍ତ ଚିକିତ୍ସା କେନ୍ଦ୍ର ଗ୍ରାମ ଓ ଅନ୍ୟ ଅବହେଳିତ ଅଞ୍ଚଳରେ ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଛି ।



ଜାତୀୟ ଆୟୁଷ ମିଶନ ଅଧୀନରେ ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ବରରେ ୩ଟି ଇଣ୍ଟିଗ୍ରେଟେଡ ଆୟୁଷ ହସ୍ପିଟାଲ ନିର୍ମାଣ ହେଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ମୟୂରଭଞ୍ଜର ରାଇରଙ୍ଗପୁରରେ ନୂତନ ଆୟୁର୍ବେଦିକ କଲେଜ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୁଷ ଅଧିନରେ ଏକ ପଞ୍ଚକର୍ମ ୟୁନିଟ କାର୍ଯ୍ୟରତ । ବରଗଡ଼ ଓ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଦୁଇଟି ୟୁନିଟ ନିର୍ମାଣ କରାଯାଉଛି । ଅଧିକ ସ୍ବାସ୍ଥ୍ୟ ସୁବିଧା ପାଇଁ ଆଉ ୮ଟି ନୂତନ ପଞ୍ଚକର୍ମ କେନ୍ଦ୍ର, ବିଭିନ୍ନ ଜିଲ୍ଲା ଆୟୁର୍ବେଦିକ ମୁଖ୍ୟ କାର୍ଯ୍ୟାଳୟରେ ନିର୍ମାଣ କରାଯିବ ।

ଏହା ମଧ୍ୟ ପଢନ୍ତୁ-ମାମଲା ସଂଖ୍ୟା କମାଇବାକୁ ମଧ୍ୟସ୍ଥତା ଉତ୍ତମ ମାଧ୍ୟମ; ପ୍ରଧାନ ବିଚାରପତି

ଇଟିଭି ଭାରତ, ଭୁବନେଶ୍ବର