OCS-2024 ରେଜଲ୍ଟ ପ୍ରକାଶିତ: ବୁବୁନ ସାହୁ ଟପ୍ପର
ମୋଟ୍ 35 ହଜାର 165 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 200 କୃତକାର୍ଯ୍ୟ । ଯେଉଁଥିରେ ଅଛନ୍ତି 78 ଜଣ ମହିଳା ପ୍ରାର୍ଥୀ । ରିପୋର୍ଟ- ନାରାୟଣ ସାହୁ, ବିକାଶ ଦାସ

Published : May 26, 2026 at 7:07 PM IST
OAS RESULT DECLARED, କଟକ/ଭୁବନେଶ୍ବର : OPSC ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (OCS)-2024 ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ୍ 35 ହଜାର 165 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ 200 ଜଣ କୃତକାର୍ଯ୍ୟ ହୋଇଛନ୍ତି । ସମ୍ପୂର୍ଣ ଚୟନ ତାଲିକା ଓଡ଼ିଶା ଲୋକସେବା ଆୟୋଗର ୱେବସାଇଟ www.opsc.gov.in ରେ ଉପଲବ୍ଧ ହୋଇଥିବା ଓପିଏସି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।
OPSC ପରିଚାଳିତ OCS-2024 ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ବର୍ଷ ବୁବୁନ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଶୋଭନା ମହାନ୍ତି ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ଜିତାମିତ୍ର ସାହୁ । ସେହିପରି କନକ ଜୈନ ଚତୁର୍ଥ ସ୍ଥାନ, ପଞ୍ଚମ ସ୍ଥାନରେ ସଂଗ୍ରାମ ପ୍ରଧାନ, ଷଷ୍ଠ ସ୍ଥାନରେ ଅମନ ଗୋୟଲ, ସପ୍ତମ ସ୍ଥାନରେ ଶାନ୍ତନୁ କୁମାର ଶତପଥୀ, ଅଷ୍ଟମ ସ୍ଥାନରେ ନୀତେଶ କୁମାର ବାରିକ, ନବମ ସ୍ଥାନରେ ଶୀତଲ ପାତ୍ର ଓ ଈତିଶ୍ରୀ ଜେନା ଦଶମ ସ୍ଥାନ ହାସଲ କରିଛନ୍ତି ।
- ବୁବୁନ ସାହୁ- ପ୍ରଥମ
- ଶୋଭନା ମହାନ୍ତି- ଦ୍ବିତୀୟ
- ଜିତାମିତ୍ର ସାହୁ- ତୃତୀୟ
- କନକ ଜୈନ- ଚତୁର୍ଥ
- ସଂଗ୍ରାମ ପ୍ରଧାନ- ପଞ୍ଚମ
- ଅମନ ଗୋୟଲ- ଷଷ୍ଠ
- ଶାନ୍ତନୁ କୁମାର ଶତପଥୀ- ସପ୍ତମ
- ନୀତେଶ କୁମାର ବାରିକ- ଅଷ୍ଟମ
- ଶୀତଲ ପାତ୍ର- ନବମ
- ଈତିଶ୍ରୀ ଜେନା- ଦଶମ
ବୁବୁନ ସାହୁ ଟପ୍ପର
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ତୋଳଙ୍କପଡ଼ା ଗାଁର ବୁବୁନ ସାହୁ ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ଟପ୍ପର୍ ହୋଇ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଏକ ସାଧାରଣ ଚାଷୀ ପରିବାରରୁ ଆସିଥିବା ବୁବୁନୁ ନିଜ ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ବଳରେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ଏହି କୃତିତ୍ୱ ଅଞ୍ଚଳର ଯୁବପିଢ଼ୀ ପାଇଁ ପ୍ରେରଣାର ପ୍ରତୀକ ପାଲଟିଛି । ବୁବୁନୁ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର । ସେ ରେଭେନସା ବିଶ୍ୱବିଦ୍ୟାଳୟରୁ ଭୂତତ୍ତ୍ୱ (Geology)ରେ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ଧାନବାଦ ସ୍ଥିତ ଇଣ୍ଡିଆନ ସ୍କୁଲ ଅଫ୍ ମାଇନିଂରୁ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ପରେ ସେ ପୋଲିସ ବିଭାଗରେ ଯୋଗଦେଇ ଡିଏସପି ପଦବୀ ପାଇଁ ପୋଲିସ ଏକାଡେମୀରେ ପ୍ରଶିକ୍ଷଣ ନେଉଥିଲେ । ଏହା ସହିତ ସେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଦେଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କ ବାପା ଜଣେ ଚାଷୀ ଓ ମା’ ଜଣେ ଗୃହିଣୀ ।

ନିଜ ସଫଳତା ସମ୍ପର୍କରେ ପ୍ରତିକ୍ରିୟା ରଖି ବୁବୁନୁ କହିଛନ୍ତି, “ମୋର ନିଷ୍ଠାପୂର୍ଣ୍ଣ ପ୍ରୟାସ ଓ ବାପାମାଙ୍କର ଆଶୀର୍ବାଦ ଯୋଗୁଁ ମୁଁ ଏହି ଲକ୍ଷ୍ୟ ହାସଲ କରିପାରିଛି । ମୁଁ ଦିନକୁ ତିନି ଚାରି ଘଣ୍ଟା ପଢ଼ୁଥିଲି । ନିଜର ଦୃଢ ଇଛା ଶକ୍ତି ଏବଂ କଠିନ ପରିଶ୍ରମ ହିଁ ମୋର ସଫଳତାର ରହସ୍ୟ," ବୋଲି କହିଲେ ବୁବୁନ ।
କୃତକାର୍ଯ୍ୟ ହୋଇଥିବା 200 ପରୀକ୍ଷାର୍ଥୀଙ୍କ ମଧ୍ୟରେ 78 ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସେହିପରି ଚୟନ ତାଲିକାରେ ଅଣସଂରକ୍ଷିତ ବର୍ଗରେ 70 (30 ଜଣ ମହିଳା), ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗରେ 35 (11 ଜଣ ମହିଳା), ଅନୁସୂଚିତ ଜନଜାତି ବର୍ଗରେ 50 (21 ମହିଳା), ପୂର୍ବତନ ସାମରିକ ସେବା କର୍ମଚାରୀ ବର୍ଗରେ 4 ଏବଂ ଶାରୀରିକ ଅକ୍ଷମ ବର୍ଗରେ 3 ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।
ଚଳିତ ବର୍ଷ ମୋଟ୍ ୩୫ ହଜାର ୧୬୫ ପରୀକ୍ଷାର୍ଥୀ OCS-2024 ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ପ୍ରିଲିମ୍ ପରେ ୩୮୫ ଜଣ ଇଣ୍ଟରଭ୍ୟୁ ପାଇଁ କ୍ବାଲିଫାଏ କରିଥିଲେ । ଓଡ଼ିଶା ସିଭିଲ ସର୍ଭିସ ପାଇଁ ସମୁଦାୟ 85 ହଜାର 223 ଜଣ ପ୍ରାର୍ଥୀ ଆବେଦନ କରିଥିଲେ । ଏହାର ଲିଖିତ ପରୀକ୍ଷା ଚଳିତ ବର୍ଷ ଜାନୁଆରୀ 31 ତାରିଖ ଠାରୁ ଫେବୃଆରୀ 10 ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ପୂର୍ବରୁ ଏହି ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା ପ୍ରକ୍ରିୟା ଆରମ୍ଭରୁ ଫଳାଫଳ ପର୍ଯ୍ୟନ୍ତ 21ରୁ 22 ମାସ ଲାଗୁଥିଲା । ମାତ୍ର ଏଥର ୧୭ ମାସ ଭିତରେ ଫଳ ପ୍ରକାଶ ପାଇଛି । ଏହାଦ୍ୱରା ୟୁପିଏସସି ଦ୍ଵାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାର ବିଭିନ୍ନ ସୋପାନ ସହିତ ଓପିଏସସି ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର ତାଳମେଳ ରହିବ । ପୂର୍ବରୁ ଏହାର ତାଳମେଳ ରହୁ ନଥିଲା । ଏପରିକି ୟୁପିଏସସି ଯେତେବେଳେ ତାର ପ୍ରିଲିମନାରୀ ପରୀକ୍ଷା କରୁଥିଲା, ଓପିଏସସି ଲିଖିତ ମେନ୍ ପରୀକ୍ଷା କରିଥିଲା । ଫଳରେ ଅନେକ ପରୀକ୍ଷାର୍ଥୀ ଏହାଦ୍ୱରା ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ଇଟିଭି ଭାରତ, କଟକ/ଭୁବନେଶ୍ବର

