ETV Bharat / state

ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ; ବଢିବ କି ଭିକେ ପାଣ୍ଡିଆନଙ୍କ ଅଡ଼ୁଆ ?

ଓଡ଼ିଶା କ୍ରାଇମବ୍ରାଞ୍ଚ ପୂର୍ବତନ 5T ସଚିବ ଭିକେ ପାଣ୍ଡିଆନଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଆଗକୁ ବଢ଼ାଇବା ପାଇଁ ଅଭିଯୋଗକାରୀଙ୍କଠାରୁ ଡକ୍ୟୁମେଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ପ୍ରମାଣ ଲୋଡ଼ିଛି ।

VK Pandian
ଭିକେ ପାଣ୍ଡିଆନ (ETV Bharat)
author img

By ETV Bharat Odisha Team

Published : January 3, 2026 at 8:44 PM IST

3 Min Read
Choose ETV Bharat

Odisha CID Crime Branch ଭୁବନେଶ୍ବର: ବିଜେଡି ସରକାର ସମୟରେ ତତ୍କାଳୀନ 5T ସଚିବ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକଳାପର ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ବିଶେଷକରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କ ପାଇଁ ସରକାରୀ ପାଣ୍ଠିରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା ତା’ର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଅଭିଯୋଗ ଆଧାରରେ ଗୃହ ବିଭାଗର ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି । ତେବେ ଏହା କେବଳ ତଦନ୍ତ ଭିତରେ ସୀମିତ ରହୁଛି ନା ବାସ୍ତବରେ କିଛି କାର୍ଯ୍ୟାନୁଷ୍ଠାନ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

କ୍ରାଇମବ୍ରାଞ୍ଚ (ETV Bharat)

ପାଣ୍ଡିଆନଙ୍କ କାର୍ଯ୍ୟକଳାପର ଖୋଳତାଡ଼ ଆରମ୍ଭ:

ମୋହନ ସରକାରଙ୍କ ବଡ଼ ଆକ୍ସନ । ବିଜେଡି ସରକାର ସମୟରେ 5T ସଚିବ ଥିବା ଭିକେ ପାଣ୍ଡିଆନଙ୍କ ବିରୋଧରେ ଆରମ୍ଭ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ । ମୋହନ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ଜରିଆରେ ଭିକେ ପାଣ୍ଡିଆନଙ୍କୁ ସହଯୋଗ କରୁଥିବା ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଚାହୁଁଥିବା ଜଣାପଡ଼ିଛି । ମୋହନ ସରକାର ୨୦୨୪ ଜୁନ ମାସରେ କ୍ଷମତାସୀନ ହେବାର ପ୍ରାୟ ୨ ବର୍ଷ ପରେ ପାଣ୍ଡିଆନଙ୍କ ବିରୋଧରେ ଏହା ପ୍ରଥମ ଆକ୍ସନ । ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଅଭିଯୋଗ ଆଧାରରେ ଗୃହ ବିଭାଗର ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସରକାରୀ ପାଣ୍ଠିରେ ପାଣ୍ଡିଆନଙ୍କ ପାଇଁ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା ତା’ର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି ।

ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ଭିକେ ପାଣ୍ଡିଆନ । ନିର୍ବାଚନରେ ବିଜେଡିର ପରାଜୟ ପରେ ରାଜନୈତିକ ସନ୍ୟାସ ଘୋଷଣା କରିଛନ୍ତି ପାଣ୍ଡିଆନ । ବିଜେଡି ଭିତରେ ପାଣ୍ଡିଆନ ତୀବ୍ର ବିରୋଧର ସମ୍ମୁଖୀନ ହେଉଛନ୍ତି । ଆଉ ଏବେ ପାଣ୍ଡିଆନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ୨୦୨୪ ଫେବୃୟାରୀ ୮ ତାରିଖରେ ଗୃହ ସଚିବଙ୍କ ନିକଟରେ ଦାଖଲ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ ଜାରି ହୋଇଛି ।

ଅଭିଯୋଗକାରୀଙ୍କ ଅଭିଯୋଗ:

କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଡିଏସପି ସନ୍ତୋଷ କୁମାର ଗୌଡ଼ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ)ର ଧାରା ୯୪ ଅନ୍ତର୍ଗତ ୨୦୨୫ ଡିସେମ୍ବର ୧୫ ତାରିଖରେ ଏହି ନୋଟିସ ଜାରି କରିଛନ୍ତି । ପାଣ୍ଡିଆନଙ୍କ ବିରୋଧରେ ରହିଥିବା ଅଭିଯୋଗର ସତ୍ୟତା ପରଖିବା ପାଇଁ ଜାନୁଆରୀ ୬ ତାରିଖ ସୁଦ୍ଧା ସମସ୍ତ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ସ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ଦାଖଲ କରିବାକୁ ସୁରେନ୍ଦ୍ରଙ୍କୁ ଅନୁରୋଧ କରାଯାଇଛି । ସୁରେନ୍ଦ୍ର କହିଛନ୍ତି, "ପାଣ୍ଡିଆଙ୍କ ଦ୍ଵାରା ଓଡ଼ିଶା ରୁଲ୍ସ ଅଫ ବିଜନେସ- ୧୯୫୬' ର ଉଲ୍ଲଂଘନ ହୋଇଛି । ପାଣ୍ଡିଆନ 5T ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ସମୟରେ ବିଭିନ୍ନ ସଭା ଓ କାର୍ଯ୍ୟକ୍ରମରେ ବେଆଇନ ଭାବେ ସରକାରୀ କ୍ଷମତାର ଅପବ୍ୟବହାର କରିଥିଲେ । ପାଣ୍ଡିଆନ ସରକାରୀ ତହବିଲରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରି ହେଲିକପ୍ଟର ଗସ୍ତ କରିଥିଲେ ।"

Odisha CID Crime Branch
କ୍ରାଇମବ୍ରାଞ୍ଚ ନୋଟିସ (Odisha Police)

ଭୁଲ କାମ କଲେ ଦଣ୍ଡ ମିଳେ:

ପାଣ୍ଡିଆନଙ୍କ ବାବଦରେ କ୍ରାଇମବ୍ରାଞ୍ଚର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, "ଭୁଲ କାମ କଲେ ଦଣ୍ଡ ମିଳେ । ଭୁଲ କାମ କଲେ ତଦନ୍ତର ସମ୍ମୁଖୀନ ହେବାକୁ ପଡେ । ଯିଏ ଯିଏ ଅତୀତରେ ଭୁଲ କାମ କରିଥିଲେ ବା କରୁଛନ୍ତି, ସେମାନଙ୍କୁ ଆଗାମୀ ଦିନରେ କେଉଁଠି ନା କେଉଁଠି ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିବ । ତେଣୁ ଭୁଲ କାମ କରିବା ବେଳେ ସେ ଜାଣିଥିଲେ ଏହା ଭୁଲ । ପାଣ୍ଡିଆନଙ୍କ ବିରୋଧରେ ତଦନ୍ତରେ କିଛି ବୈଚିତ୍ରତା ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...

ବାରୁଦ ଗଦାରେ ବିଜେଡି, ଆଗାମୀ ଦିନରେ ହୋଇପାରେ ଭୟଙ୍କର ବିସ୍ଫୋରଣ !

ପ୍ରତିଷ୍ଠା ଦିବସରେ ନବୀନଙ୍କ ପ୍ରତିଶ୍ରୁତି, '100 ବର୍ଷ ପର୍ଯ୍ୟନ୍ତ ଓଡି଼ଶାବାସୀଙ୍କ ସ୍ୱର ହୋଇ ରହିବ BJD'

ପ୍ରତିହିଂସା ପରାୟଣ ହୋଇ ନିନ୍ଦିତ କରିବା ପାଇଁ ଉଦ୍ୟମ: ବିଜେଡି

ପାଣ୍ଡିଆନଙ୍କୁ ନେଇ ଆରମ୍ଭ ହୋଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । ଗଣେଶ୍ୱର କହିଛନ୍ତି, "କ୍ରାଇମବ୍ରାଞ୍ଚ କାହିଁକି ସିବିଆଇ ତଦନ୍ତ ହେଉ । ସେଥିପାଇଁ ଭୟ ନାହିଁ । ପ୍ରତିହିଂସା ପରାୟଣ ହୋଇ କିମ୍ବା ଆକ୍ରୋଶମୂଳକ ଭାବେ ଜଣକୁ ସାଧାରଣରେ ନିନ୍ଦିତ କରିବା ପାଇଁ ତଦନ୍ତ କଲେ କିଛି ଲାଭ ହେବନାହିଁ । କୌଣସି ସଂସ୍ଥା ଦ୍ୱାରା ହେଲେ ଏହା ଏକ ହୀନ ଉଦ୍ୟମ ହେବ । ରାଜ୍ୟବାସୀ ଏହାକୁ ଭଲରେ ଗ୍ରହଣ କରିବେ ନାହିଁ । ହେଲିକେପ୍ଟରରେ ଉଡିବା ପାଇଁ ସରକାରୀ କର୍ମଚାରୀଙ୍କୁ ମନା ନାହିଁ । ସରକାରୀ ଅନୁମୋଦନ ନେଇ ସରକାରୀ କର୍ମଚାରୀ ସରକାରୀ କାମ ନିର୍ବାହ କରିବା ପାଇଁ ଥରେ ନୁହେଁ ବାରମ୍ବାର ହେଲିକପ୍ଟର ବାରମ୍ବାର ବ୍ୟବହାର କରିପାରିବେ । ଏଥିରେ ଅସୁବିଧା କିଛି ନାହିଁ । ସିବିଆଇ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତରେ କି ସତ ଆସୁଛି ଦେଖିବା । ସାହସ ଅଛି ଯଦି ସିବିଆଇ ତଦନ୍ତ କରନ୍ତୁ । କାହିଁକି ଏତେଦିନ ଡେରି କରୁଛନ୍ତି । ଯିଏ ବି କେହି ଚାହିଁବ ଅଭିଯୋଗ କରିପାରିବ । ହେଲେ ଏହା ପ୍ରମାଣିତ ହେବା ଦରକାର । ଲୋକେ ଗ୍ରହଣ କରିବେ ନାହିଁ । ଅଭିଯୋଗକାରୀ ସାଧାରଣରେ ନିନ୍ଦିତ ହେବେ ।"

ଇଟିଭି ଭାରତ, ଭୁବନେଶ୍ବର