ଖରିଫ ଧାନ ସଂଗ୍ରହର ସିଏସଙ୍କ ସମୀକ୍ଷା; କୃଷକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ମଣ୍ଡି ସୁପରିଚାଳନା କରିବାକୁ ନିର୍ଦ୍ଦେଶ
ଧାନ ସଂଗ୍ରହ ପ୍ରକ୍ରିୟା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାର ଆଧୁନିକୀକରଣ କରାଯାଇଥିବା ସଂପର୍କରେ ମୁଖ୍ୟ ଶାସନ ସଚିବ ସନ୍ତୋଷ ବ୍ୟକ୍ତ କରିଛନ୍ତି ।


Published : January 4, 2026 at 11:14 PM IST
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗୀୟ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଚଳିତ ଖରିଫ ଧାନ ସଂଗ୍ରହ ସ୍ଥିତି ସହିତ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ବା ପିଡିଏସ କାର୍ଯ୍ୟକାରିତାର ସୁପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି ସର୍ବୋଚ୍ଚ ସଚିବ । ଚାଷୀଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମଣ୍ଡିଗୁଡିକୁ ସୁପରିଚାଳନା କରିବାକୁ ସେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଚଳିତ ୨୦୨୫-୨୬ ଧାନ କ୍ରୟ ଋତୁ ପାଇଁ ୧୯ ଲକ୍ଷ ୬୭ ହଜାର ୮୧୨ ଜଣ ଚାଷୀ ନାଁ ପଞ୍ଜୀକରଣ କରିଛନ୍ତି । ଖରିଫ ୨୦୨୫-୨୬ ପାଇଁ ମୋଟ ଧାନ ଚାଷ ଅଂଚଳ ୬୧ ଲକ୍ଷ ୬୭ ହଜାର ୪୧୪ ଏକର ପଂଜୀକୃତ ହୋଇଛି । ୨୦୨୪-୨୫ ରେ ୭୩. ୪୫ ଲକ୍ଷ ମେଟ୍ରିକ ଟନ ଖରିଫ ଏବଂ ୧୯. ୧୮ ଲକ୍ଷ ମେଟ୍ରିକ ଟନ ରବି ଧାନ ସଂଗ୍ରହ ହୋଇଥିଲା । ଚଳିତ ଜାନୁଆରୀ ୩ ତାରିଖ ସୁଦ୍ଧା ୧୮ଟି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମୟରେ ପ୍ରାୟ ୧୧ .୮୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ୨, ୭୧, ୩୧୮ ଜଣ ଚାଷୀ ୧୨.୦୫ ଲକ୍ଷ ମେଟ୍ରିକ ଟନ ଧାନ ବିକ୍ରୟ କରିଛନ୍ତି । ଧାନ ଅମଳ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ ପ୍ରସ୍ତୁତି ଜାରି ରହିଛି ।
ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀ ଧାନ ଯେପରି ସୁବିଧାରେ ବିକ୍ରୟ କରିପାରିବେ ସେଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରାଯାଇଛି । ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ସାଟେଲାଇଟ ଇମେଜରି ବ୍ୟବହାର ସହାୟକ ହୋଇଛି । ଚାଷୀଙ୍କୁ ବିଭିନ୍ନ ସୋସାଇଟି ସହିତ ସଂଯୁକ୍ତ, ଟୋକନ ବ୍ୟବସ୍ଥା, ଧାନର ଗୁଣାତ୍ମକତା ଯାଂଚ, ମିଲରଙ୍କ ଦ୍ୱାରା ଧାନ ଉଠାଇବା, ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପ୍ରେରଣ, ମିଲରଙ୍କ ଠାରୁ ନିର୍ଦ୍ଧାରିତ ସମ ପରିମାଣର ଚାଉଳ ସଂଗ୍ରହ ଏବଂ ବ୍ୟବସ୍ଥାର ସୁପରିଚାଳନା ସଂପର୍କରେ ମୁଖ୍ୟ ଶାସନ ସଚିବ ବିସ୍ତୃତ ଅନୁଧ୍ୟାନ କରିବା ସହିତ ବିଭିନ୍ନ ପରାମର୍ଶ ଦେଇଛନ୍ତି ।
ଧାନ ସଂଗ୍ରହ ପ୍ରକ୍ରିୟାର ସୁବ୍ୟବସ୍ଥା ପାଇଁ ସିସିଟିଭି ତଦାରଖ ବ୍ୟବସ୍ଥା, ମଣ୍ଡି ନୋଟାଲ ଅଧିକାରୀଙ୍କ ପାଇଁ ମୋବାଇଲ ଆପ୍ଲିକେସନ୍ସ ସୁବିଧା, ମଣ୍ଡିରୁ ମିଲର୍ସ ଡିପୋ ପର୍ଯ୍ୟନ୍ତ ଧାନ ସଂଗ୍ରହ ପାଇଁ ନିୟୋଜିତ ଯାନର ଗତି ସଂପର୍କରେ ଅନ ଲାଇନ ଟ୍ରାକିଂ, କୌଣସି କାରଣରୁ ପ୍ରକ୍ରିୟାରେ ବିଳମ୍ବ ଦୃଷ୍ଟିକୁ ଆସିଲେ ତୁରନ୍ତ ସମାଧାନ ବ୍ୟବସ୍ଥା କରାଯାଉଥିବା ସଂପର୍କରେ ବୈଠକରେ ଆଲୋକପାତ କରାଯାଇଛି । ଏଥିପାଇଁ ଚବିଶ ଘଣ୍ଚିଆ କଲ ସେଣ୍ଟର, ଜରୁରୀ ଆବଶ୍ୟକତା ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ, ଫିଡ ବ୍ୟାକ ସେବା ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ସୂଚନା ଦିଆଯାଇଛି । ଧାନ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲାକୁ ୧୪୧୮ ମିଲର୍ସ ନିୟୋଜିତ ହୋଇଛନ୍ତି । ଧାନ ସଂଗ୍ରହ ପ୍ରକ୍ରିୟାରେ ଅଧିକ ଧାନ ସଂଗ୍ରହ ହେଉଥିବାରୁ ସେହି ଅନୁସାରେ ଚାଉଳକୁ ସଂଗ୍ରହ କରି ରଖିବା ପାଇଁ ସ୍ଥାନର ଅଭାବ ପୂରଣ କରିବାକୁ ଅଧିକ ସ୍ମାର୍ଟ ଗୋଦାମ ବ୍ୟବସ୍ଥା କରିବା ସଂପର୍କରେ ବୈଠକରେ ଆଲୋଚନା ହୋଇଛି ।
୨୬୦୦ ପ୍ରାଥମିକ କୃଷି ସମବାୟ ସମିତି, ୪୦୦ରୁ ଊର୍ଦ୍ଧ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ପାଣି ପଞ୍ଚାୟତ ସହଯୋଗରେ ପ୍ରାୟ ୪୦୦୦ ଧାନ ସଂଗ୍ରହ କେନ୍ଦ୍ର ଏହି ପ୍ରକ୍ରିୟାରେ ସାମିଲ ରହିଛନ୍ତି । ରାଜ୍ୟରେ ୬.୫ ଲକ୍ଷ ମେଟ୍ରିକ ଟନ କ୍ଷମତା ରଖୁଥିବା ୧୬୨ଟି ସରକାରୀ ଗୋଦାମ ବ୍ୟବହାର କରାଯାଉଛି । ସେହିପରି ସାରା ରାଜ୍ୟରେ ଖାଦ୍ୟଶସ୍ୟ ପରିବହନ ଓ ବଣ୍ଟନ ପାଇଁ ୧୧,୭୦୦ ରୁ ଅଧିକ ସୁଲଭ ଖାଉଟି ଦୋକାନ କାର୍ଯ୍ୟ କରୁଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ରାଜ୍ୟର ୩ କୋଟି ୨୭ ଲକ୍ଷ ୮୩ ହଜାର ୬୭୩ ଜଣ ହିତାଧିକାରୀଙ୍କୁ ରାସନ ଚାଉଳ ଯୋଗାଇ ଦିଆଯାଉଛି । ରାଜ୍ୟରେ ଖାଉଟି ସାମଗ୍ରୀ ବଣ୍ଟନ କରାଯାଉଥିବା ୯୬ ପ୍ରତିଶତ ହିତାଧିକାରୀଙ୍କର ଇ-କେଓ୍ୱାଇସି ଯାଂଚ କରାଯାଇଛି ।
ଧାନ ସଂଗ୍ରହ ପ୍ରକ୍ରିୟା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାର ଆଧୁନିକୀକରଣ କରାଯାଇଥିବା ସଂପର୍କରେ ମୁଖ୍ୟ ଶାସନ ସଚିବ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଚାଷୀଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମଣ୍ଡିଗୁଡିକରୁ ଠିକ ସମୟରେ ଧାନ ଉଠିବା, ମଣ୍ଡିରେ ସମସ୍ତ ପ୍ରକାର ସୁବିଧା ଯୋଗାଇବା, ଚାଷାମାନେ ଅସୁବିଧାର ସମ୍ମୁଖୀନ ନହୋଇ ପ୍ରାପ୍ୟ ସୁବିଧାରେ ପାଇବା ଏବଂ ସାମଗ୍ରିକ ବ୍ୟବସ୍ଥାର ସୁପରିଚାଳନା ପାଇଁ କଲ ସେଣ୍ଟର ତଥା କଣ୍ଟ୍ରୋଲ ରୁମ କାର୍ଯ୍ୟକାରିତା ନିୟମିତ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିଃ.ର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର

