ନୀତି ଆୟୋଗ ସିଇଓଙ୍କ ସହିତ ସିଏସଙ୍କ ବୈଠକ; ଦୀର୍ଘମିଆଦି ଉନ୍ନୟନ ଦୃଷ୍ଟିକୋଣ ସହିତ 6 ଦିଗକୁ ଗୁରୁତ୍ୱ
ନୀତି ଫ୍ରଣ୍ଟିଅର ଟେକ ହବ ମାଧ୍ୟମରେ ନୂତନ ପ୍ରଯୁକ୍ତି, ଗବେଷଣା ଓ ନବ ସୃଜନକୁ ସଂଯୋଜିତ କରି ଦେଶର ନିରନ୍ତର ପ୍ରଗତିକୁ ତ୍ୱରାନ୍ୱିତ କରିବା ସଂପର୍କରେ ଆଲୋଚନା ହୋଇଛି ।


Published : January 5, 2026 at 10:56 PM IST
NITI Aayog CEO B. V. R. Subrahmanyam ଭୁବନେଶ୍ୱର: ନୀତି ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବି.ଭି.ଆର ସୁବ୍ରମନ୍ୟମଙ୍କ ସହିତ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୈଠକ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟର ବିଭିନ୍ନ ବିଭାଗର ସଚିବଙ୍କ ଉପସ୍ଥିତିରେ ଏହି ବୈଠକ ଆଜି ଅନୁଷ୍ଠିତ ହୋଇଛି । ବୈଠକରେ ୬ ଟି ଦିଗ ଉପରେ ଗୁରୁତ୍ଵ ଦିଆଯାଇଛି । ରାଜ୍ୟ ତଥା ଦେଶର ଦୀର୍ଘମିଆଦି ଉନ୍ନୟନ ଦୃଷ୍ଟିକୋଣ ଏବଂ ଓଡ଼ିଶା ଭିଜନରେ ରହିଥିବା ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟାନୁଷ୍ଠାନ ସଂପର୍କିତ ଆଲୋଚନା ହୋଇଛି । ଜନଜାତି ସମୁଦାୟଙ୍କ ସଶକ୍ତିକରଣ ଏବଂ ଯୁବଶକ୍ତିଙ୍କ ପାଇଁ ଦକ୍ଷତାଭିତ୍ତିକ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯାଇଛି ।

ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ଲକ୍ଷ୍ୟ ରଖି ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ସଂପର୍କରେ ବୈଠକରେ ଆଲୋଚନା ହୋଇଛି । ରାଜ୍ୟ ତଥା ଦେଶର ଦୀର୍ଘମିଆଦି ଉନ୍ନୟନ ଦୃଷ୍ଟିକୋଣ, ଓଡ଼ିଶା ଭିଜନରେ ରହିଥିବା ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟାନୁଷ୍ଠାନ ସଂପର୍କିତ ଆଲୋଚନା ହୋଇଛି । ଓଡ଼ିଶା ଭିଜନ ଅନ୍ତର୍ଗତ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଆର୍ଥିକ ଅଞ୍ଚଳ ବା ବିସିପିପିଇଆରର ବିକାଶ ସମ୍ପର୍କରେ ଆଲୋଚନା କରାଯାଇଛି । ଏହି ଅଞ୍ଚଳକୁ ଏକ ସଂଯୁକ୍ତ ଆର୍ଥିକ ଓ ସହରୀକରଣ ବିକାଶ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ଏଥି ସମ୍ପର୍କିତ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।
ଜନଜାତି ସମୁଦାୟଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ପାଇଁ ଶାଳମଞ୍ଜି ଭଳି ବନଜାତ ଦ୍ରବ୍ୟର ମୁଲ୍ୟଯୁକ୍ତ ପ୍ରକ୍ରିୟାକରଣ ଉପରେ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଛି । ଯୁବଶକ୍ତିଙ୍କୁ ଆଧୁନିକ ଶିଳ୍ପ ଓ ସେବାଭିତ୍ତିକ କ୍ଷେତ୍ରରେ ଭବିଷ୍ୟତ ଆବଶ୍ୟକତା ପୂରଣ ପାଇଁ ବିଦ୍ୟାଳୟରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଦକ୍ଷତାଭିତ୍ତିକ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯାଇଛି । ଶକ୍ତି କ୍ଷେତ୍ରରେ ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ମାଧ୍ୟମରେ ସ୍ୱଚ୍ଛ ଓ ସୁସ୍ଥାୟୀ ଉର୍ଜା ବ୍ୟବହାର ପାଇଁ କାର୍ଯ୍ୟ ବ୍ୟବସ୍ଥା ତ୍ୱରାନ୍ୱିତ କରିବା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । କମ ଖର୍ଚ୍ଚରେ ଦୀର୍ଘ ସ୍ଥାୟୀ ଓ ସ୍ୱଚ୍ଛ ଉର୍ଜା ବ୍ୟବସ୍ଥାକୁ ଗ୍ରହଣ କରିବା ପାଇଁ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଛି । ପୂର୍ବରୁ ଏ ସଂପର୍କରେ ନୀତି ଆୟୋଗ ଏବଂ ଆଇଏସଇଜି ଫାଉଣ୍ଡେସନ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇ ତଦନୁସାରେ କାର୍ଯ୍ୟ ଜାରି ରହିଛି । ସେ ସଂପର୍କରେ ଫାଉଣ୍ଡେସନ ପକ୍ଷରୁ ପର୍ଯ୍ୟବେକ୍ଷଣ ଓ ପ୍ରସ୍ତାବ ଉପସ୍ଥାପନ କରାଯାଇଛି ।

ନୀତି ଫ୍ରଣ୍ଟିଅର ଟେକ ହବ ମାଧ୍ୟମରେ ନୂତନ ପ୍ରଯୁକ୍ତି, ଗବେଷଣା ଓ ନବ ସୃଜନକୁ ସଂଯୋଜିତ କରି ଦେଶର ନିରନ୍ତର ପ୍ରଗତିକୁ ତ୍ୱରାନ୍ୱିତ କରିବା ସଂପର୍କରେ ଆଲୋଚନା ହୋଇଛି । ଲିଭିଂ ଲ୍ୟାବ କାର୍ଯ୍ୟକ୍ରମ ଅନ୍ତର୍ଗତ ଗବେଷଣା ଓ ନବସୃଜନକୁ ଉତ୍ସାହିତ କରାଯାଇ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ମଧ୍ୟରେ ଅପପୁଷ୍ଟିର ନିରାକରଣ ଓ ପୋଷଣ ପାଇଁ ବ୍ୟବହାରିକ ଅନ୍ତର୍ଦୃଷ୍ଟି ଦ୍ୱାରା ବିଭିନ୍ନ ପ୍ରୟୋଗାତ୍ମକ ପଦକ୍ଷେପ ଉପରେ ଏକ ବିଶେଷ ଉପସ୍ଥାପନ କରାଯାଇଛି । ଯାହାକି ଆଗାମୀ ଦିନରେ କାର୍ଯ୍ୟକାରୀ ହେବ । ସୁଶାସନ ପାଇଁ ପ୍ରଯୁକ୍ତି ବିଦ୍ୟା, ଗବେଷଣା ଓ ନବ ସୃଜନକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବୈଠକରେ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ କରି ଓଡ଼ିଶାକୁ ଏକ ସୁସ୍ଥାୟୀ, ସମାବେଶୀ ଓ ନବସୃଜନ ଆଧାରରେ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ନେଇ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ ପାଇଛି ।

ନୀତି ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବି.ଭି.ଆର ସୁବ୍ରମନ୍ୟମ କହିଛନ୍ତି, "ଭୁବନେଶ୍ଵର - କଟକ - ପୁରୀ - ପାରାଦ୍ଵୀପକୁ ନେଇ ଇକୋନମିକ ରିଜିୟନକୁ ନେଇ ଆଲୋଚନା ହୋଇଛି । ଏହାର ଅଗ୍ରଗତି ସହ କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦିଆଯାଇଛି । ୨୦୩୬ ଓ ୨୦୪୭ ଭିଜନ କାର୍ଯ୍ୟକାରି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହେବ । ଏ ନେଇ ବିସ୍ତୃତ ଆଲୋଚନା ସହ ଆଦିବାସୀଙ୍କ ବିକାଶ ପାଇଁ ପ୍ରସ୍ତୁତ ସ୍ଵତନ୍ତ୍ର ପ୍ଲାନ ପ୍ରସ୍ତୁତ ହୋଇଛି । ଏଥିପାଇଁ "ସତ୍ୱା"କୁ ଦାୟିତ୍ବ ଦିଆଯାଇଛି । ସ୍କିଲିଂ ଓ ନିଯୁକ୍ତି ଉପରେ ବି ଗୁରୁତ୍ଵ ଦିଆଯାଇଛି । ପୂର୍ବରୁ ନୀତି ଆୟୋଗଙ୍କ ଏକ ଟିମ ବିଶ୍ଵ ଦକ୍ଷତା କେନ୍ଦ୍ର ଓ ଅନ୍ୟ କିଛି କଲେଜ ପରିଦର୍ଶନ କରିଛନ୍ତି । ନିଯୁକ୍ତି କିପରି ବଢିବ ସେ ନେଇ ଆଲୋଚନା ହୋଇଛି । ଅକ୍ଷୟ ଶକ୍ତି ଗ୍ରୀନ ଏନର୍ଜି ବୃଦ୍ଧି ପାଇଁ ନେଇ ବି ପ୍ରସ୍ତୁତ ହେବ ଯୋଜନା । ଏଥି ପାଇଁ ବି ଏକ କମିଟି ପ୍ରସ୍ତୁତ ହେବ ।"
ବୈଠକରେ ଓଡ଼ିଶା ସରକାରଙ୍କ ଅର୍ଥ, ଇଲେକ୍ଟ୍ରୋନିକ ଓ ଆଇଟି, ଶକ୍ତି, ଦକ୍ଷତା ବିକାଶ ଓ ବୈଷୟିକ ବିଦ୍ୟା, ଉଚ୍ଚ ଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ ତଥା ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା, ଗୃହ ନିର୍ମାଣ, ବାଣିଜ୍ୟ ଓ ପରିବହନ, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଯୋଜନା ଓ ସଂଯୋଜନ ଆଦି ବିଭାଗର ସଚିବ ଏବଂ ଅଧିକାରୀ ଉପସ୍ଥିତ ଥିଲେ । ସେହିପରି ବୈଠକରେ ନୀତି ଆୟୋଗର ଅନ୍ୟତମ ପଦସ୍ଥ ଅଧିକାରୀ ଏସ. କିଶୋର ଉପସ୍ଥିତ ଥିବା ବେଳେ ନୀତି ଆୟୋଗର ଅନ୍ୟ ଅଧିକାରୀ ଓ ବିଶେଷଜ୍ଞ ଭିସି ମାଧ୍ୟମରେ ଯୋଗ ଦେଇଛନ୍ତି ।
ଏହା ବି ପଢନ୍ତୁ- ବିଶ୍ୱର 4ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ହେଲା ଭାରତ, ପଛରେ ପଡିଲା ଜାପାନ
ଇଟିଭି ଭାରତ, ଭୁବନେଶ୍ୱର

