ETV Bharat / state

ଜନଗଣନା ପ୍ରାକ୍ ପରୀକ୍ଷଣ : 4 ସ୍ଥାନରେ ଗୃହ ଗଣନା ଓ ଗୃହ ତାଲିକା ସଂଗ୍ରହ ଆରମ୍ଭ

ନବରଙ୍ଗପୁର, ମୟୂରଭଞ୍ଜ, ଭୁବନେଶ୍ୱର ଓ କଟକରେ ଆରମ୍ଭ ହୋଇଥୁିବା ପ୍ରାକ୍ ପରୀକ୍ଷଣ ପ୍ରକ୍ରିୟା ଏମାସ ଶେଷ ପର୍ଯ୍ୟନ୍ତ ଚାଲିବ ।

Census Phase 1 Begins: House Listing and Housing Schedule Collection Starts in Four Locations, To Continue Till 30th
ଜନଗଣନା ପ୍ରଥମ ପର୍ଯ୍ୟାୟ: 4 ସ୍ଥାନରେ ଗୃହ ଗଣନା ଓ ଗୃହ ତାଲିକା ସଂଗ୍ରହ, 30 ଯାଏଁ ଚାଲିବ (Etv Bharat)
author img

By ETV Bharat Odisha Team

Published : November 18, 2025 at 10:18 AM IST

|

Updated : November 18, 2025 at 3:44 PM IST

2 Min Read
Choose ETV Bharat

Odisha Census Pre Test ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ୨୦୨୭ ଜାତୀୟ ଜନଗଣନା ପାଇଁ ୨୦୨୬ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ । ଏହା ପୂର୍ବରୁ ପ୍ରାକ ପରୀକ୍ଷଣ ଆରମ୍ଭ ହୋଇଛି । ଗତକାଲି (ନଭେମ୍ବର 17ରୁ) ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଚଳିତମାସ ଶେଷ (ନଭେମ୍ବର 30) ପର୍ଯ୍ୟନ୍ତ ଚାଲିବ । ଏଥିରେ ଗୃହ ତାଲିକା ଓ ଗୃହ ଗଣନା କରାଯିବ । ଏହି ସୂଚନା ଦେଇଛନ୍ତି ଓଡ଼ିଶାର ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ।

ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କ ସୂଚନା ଅନୁଯାୟୀ, ୨୦୨୭ ଫେବ୍ରୁଆରୀରୁ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା ହେବ । ଏହି ପର୍ଯ୍ୟାୟରେ ଆଉ ଗୃହ ତାଲିକା କିମ୍ବା ଗୃହ ଗଣନା ନକରି ପୂର୍ବରୁ ତାଲିକାରେ ଥିବା ଘରେ ରହୁଥିବା ଲୋକଙ୍କୁ ଜନଗଣନାରେ ସାମିଲ କରାଯିବ । ଚଳିତ ଥର ଜାତି ଜନଗଣନା କରାଯିବ । ଏ ବାବଦରେ କେନ୍ଦ୍ରରୁ ନିର୍ଦ୍ଦେଶ ଆସିଥିବା ସୂଚନା ଦିଆଯାଇଛି । ସମସ୍ତ ତଥ୍ୟ ଏଥର ଡିଜିଟାଲ ମାଧ୍ୟମରେ ସଂଗ୍ରହ କରାଯିବ । ଯାହା ସେନସସ ମ୍ୟାନେଜମେଣ୍ଟ ଆଣ୍ଡ ମନିଟରିଂ ସିଷ୍ଟମ ବା ସିଏମ୍ଏମ୍ ଏସରେ ରହିବ । ଯେଉଁ ଘରର ଜନଗଣନା ସରିବ, ତାହାର ଜିଓ ଟ୍ୟାଗିଂ ହୋଇଯିବ । ଫଳରେ ଡିଜିଟାଲ ମ୍ୟାପରୁ ଜିଓ ରେଫରେନ୍ସ ମିଳିବାରେ ସୁବିଧା ହେବ । ପୂର୍ବ ସମସ୍ତ ଜନଗଣନା ତୁଳନାରେ ଚଳିତଥର ଜନଗଣନା ତଥ୍ୟର ତୁରନ୍ତ ପ୍ରସାର କରାଯିବ । ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ତୁଲାଇବା ନେଇ କୃତ୍ରିମ ବୁଦ୍ଧିମତା ବା ଏଆଇ ବ୍ୟବହାର କରାଯିବ । "

ଓଡ଼ିଶାରେ ଜନଗଣନା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପାଖାପାଖି ୩୫ ଲକ୍ଷ ଗଣନାକାରୀ, ସୁପରଭାଇଜର ଏବଂ ଅନ୍ୟ ଜନଗଣନା ଅଧିକାରୀ ନିୟୋଜିତ ହେବେ । ଜନଗଣନା ଅଧିକାରୀଙ୍କୁ ଏ ବାବଦରେ ତ୍ରିସ୍ତରୀୟ ପ୍ରଶିକ୍ଷଣ ଦିଅଯାଇଛି । ସାଇବର ସୁରକ୍ଷା ନେଇ ଉଚ୍ଚମାନର ପଦ୍ଧତି ଅବଲମ୍ବନ କରାଯିବ । ଜନଗଣନା ଅଧିକାରୀ ଲୋକଙ୍କ ଘରକୁ ଯିବା ବେଳେ ବୟସ, ଲିଙ୍ଗ, ବୈବାହିକ ସ୍ଥିତି, ପ୍ରଜନନ ସମ୍ବନ୍ଧୀୟ ତଥ୍ୟ, ପରିବାର ମୁଖିଆଙ୍କ ସହ ସମ୍ପର୍କ ଓ ପରିବାରର ଆକାର ବାବଦରେ ପଚାରିବେ । ଏହା ବ୍ୟତୀତ ଶିକ୍ଷା, ଅର୍ଥନୈତିକ କାର୍ଯ୍ୟକଳାପ, ଜନ୍ମସ୍ଥାନ, ଧର୍ମ, ଭାଷା, ଅକ୍ଷମତା ସ୍ଥିତି ବାବଦରେ ମଧ୍ୟ ବୁଝିବେ । ଜନଗଣନା ସଫଳ ହେବା ଦ୍ଵାରା ସରକାରଙ୍କ ବିଭିନ୍ନ ଯୋଜନା ଠିକ ଭାବେ କାର୍ଯ୍ୟକାରୀ କରିହେବ । ବିପର୍ଯ୍ୟୟ ମୁକାବିଲା ବେଳେ ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯାଇପାରିବ । ଅନୁସୂଚିତ ଜାତି, ଜନଜାତି, ଅନ୍ୟ ସମ୍ପ୍ରଦାୟ, ଦିବ୍ୟାଙ୍ଗ ସମେତ ଦୁର୍ବଳ ଗୋଷ୍ଠୀଙ୍କ କାର୍ଯ୍ୟକ୍ରମକୁ ସୁଦୃଢ କରିବ ।

ଉପ ଜନଗଣନା ନିର୍ଦ୍ଦେଶକ ହରଦ୍ଧନ କର୍ମୀ କହିଛନ୍ତି, "ଜନଗଣନା ପର୍ଯ୍ୟାୟରେ ଗୃହ ଗଣନା ଓ ଗୃହ ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମର ପ୍ରାକ ପରୀକ୍ଷଣ ବା Pre-Test ଜନଗଣନା ନିର୍ଦ୍ଦେଶାଳୟ ଓ ରାଜ୍ୟ ସରକାରଙ୍କ ମିଳିତ ସମନ୍ଵୟରେ ଓଡ଼ିଶାର ୪ ଟି ସ୍ଥାନରେ ଆରମ୍ଭ ହୋଇଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତହସିଲର ୨୦ଟି ରାଜସ୍ୱ ଗାଁ ଓ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ତହସିଲର ୪୪ଟି ରାଜସ୍ୱ ଗାଁ, ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୨ ଓ କଟକ ମହାନଗର ନିଗମ ୱାର୍ଡ ନମ୍ବର ୧୭ ନଭେମ୍ବର ୧୦ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ସମୟ ଅବଧି ମଧ୍ୟରେ ଗଣନାକାରୀ ଗୃହକୁ ପରିଦର୍ଶନ କରି ଗୃହରେ ନମ୍ବର ଦେବେ ଓ ଗୃହଗଣନା ତଥ୍ୟ ସଂଗ୍ରହ କରିବେ । ଗୃହର ଅବସ୍ଥା, ଗୃହରେ ଥିବା ସୁବିଧା ସୁଯୋଗ, ପରିବାର ଦ୍ଵାରା ବ୍ୟବହୃତ ଉପକରଣର ତଥ୍ୟ ସଂଗ୍ରହ କରିବେ । ଏହି କାର୍ଯକ୍ରମରେ ଜନଗଣନା ଅଧିକାରୀଙ୍କୁ ସହଯୋଗ କରିବାକୁ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ....

କେମିତି ହେବ 2027 ଜନଗଣନା, 2011 ଠାରୁ କାହିଁକି ଭିନ୍ନ, ଜାଣନ୍ତୁ

2027 ମାର୍ଚ୍ଚ ପହିଲାରୁ ଦେଶରେ ଜନଗଣନା; ଜାତିଭିତ୍ତିକ ଜନଗଣନାରେ ଆପଣଙ୍କୁ କେଉଁ ପ୍ରଶ୍ନ ପଚରାଯିବ ?

ଇଟିଭି ଭାରତ,ଭୁବନେଶ୍ବର

Last Updated : November 18, 2025 at 3:44 PM IST