ETV Bharat / state

ଓଡ଼ିଶାରୁ ବାର୍ଷିକ ୨ ଲକ୍ଷ ଟନ୍ ଚିଙ୍ଗୁଡ଼ି ରପ୍ତାନୀ ଲକ୍ଷ୍ୟ: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ

ବଜେଟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପାଇଁ ୨୦୧୯ କୋଟି ଟଙ୍କା ଆବଣ୍ଟନ କରିଛନ୍ତି ସରକାର । ଚିଙ୍ଗୁଡ଼ି ମିଶନକୁ ପ୍ରାଧାନ୍ୟ, ଚିପିଲିମାରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ ।

Odisha shrimp mission
ଓଡ଼ିଶାରୁ ବାର୍ଷିକ ୨ ଲକ୍ଷ ଟନ ଚିଙ୍ଗୁଡ଼ି ରପ୍ତାନୀ ଲକ୍ଷ୍ୟ (ETV Bharat Odisha)
author img

By ETV Bharat Odisha Team

Published : February 22, 2026 at 3:20 PM IST

3 Min Read
Choose ETV Bharat

ଭୁବନେଶ୍ବର: ଚିଙ୍ଗୁଡ଼ି ମିଶନ ଉପରେ ବଜେଟରେ ଫୋକସ । ଓଡ଼ିଶାରୁ ବାର୍ଷିକ ୨ ଲକ୍ଷ ଟନ ଚିଙ୍ଗୁଡ଼ି ରପ୍ତାନୀ କରିବା ପାଇଁ ଲକ୍ଷ୍ୟ ରଖିଛି ମତ୍ସ୍ୟ ଓ ପ୍ରଣୀ ସମ୍ପଦ ବିଭାଗ । ୨୦୪୭ ସୁଦ୍ଧା କୃଷି ଜିଏସଡିପିର ୨୦ରୁ ୨୫% ଲକ୍ଷ୍ୟ ରଖି ନୀଳ ଅର୍ଥନୀତି ଢାଞ୍ଚା ଅଧୀନରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପାଇଁ ୨୦୧୯ କୋଟି ଟଙ୍କାର ଆବଣ୍ଟନ କରିଛନ୍ତି ରାଜ୍ୟ ସରକାର । ଏନେଇ ଗତକାଲି (ଶନିବାର) ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଓଡ଼ିଶାରୁ ବାର୍ଷିକ ୨ ଲକ୍ଷ ଟନ ଚିଙ୍ଗୁଡ଼ି ରପ୍ତାନୀ ଲକ୍ଷ୍ୟ (ETV Bharat Odisha)

ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପାଇଁ ୨୦୧୯ କୋଟି:

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି,"ଚଳିତ ବଜେଟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନକୁ ଗୁରୁତ୍ୱ ଦେଇଛନ୍ତି ସରକାର । ଏହାସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗକୁ ମଧ୍ୟ ପ୍ରଧାନ୍ୟ ଦେଇଛନ୍ତି ମୋହନ ସରକାର । ୨୦୪୭ ସୁଦ୍ଧା କୃଷି ଜିଏସଡିପିର ୨୦ରୁ ୨୫% ଲକ୍ଷ୍ୟ ରଖି ନୀଳ ଅର୍ଥନୀତି ଢାଞ୍ଚା ଅଧୀନରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପାଇଁ ୨୦୧୯ କୋଟି ଟଙ୍କାର ଆବଣ୍ଟନ ହୋଇଛି । ଚିଙ୍ଗୁଡ଼ି ଚାଷ, ଗଭୀର ସମୁଦ୍ର ମାଛ ଧରିବା, ଆଧୁନିକ ମାଛ ଧରା ବନ୍ଦର, ମାଛ ଅବତରଣ କେନ୍ଦ୍ର, ମଧୁର ଜଳ ମାଛ ଚାଷ କ୍ଲଷ୍ଟର, କଙ୍କଡ଼ା ଚାଷ ଏବଂ ରପ୍ତାନି-ସକ୍ଷମ ଭିଭିଭୂମିର ପ୍ରସାରକୁ ଗୁରୁତ୍ବ ଦିଆଯାଇଛି । ଓଡ଼ିଶା ଚିଙ୍ଗୁଡ଼ି ମିଶନ ୧୦,୦୦୦ ହେକ୍ଟରରୁ ଅଧିକ ଜମିରେ ପରିବେଶ ଅନୁକୂଳ ଜଳ ଚାଷକୁ ବିସ୍ତାର କରିବ ଏବଂ ଚିଙ୍ଗୁଡ଼ି ରପ୍ତାନୀକୁ ବାର୍ଷିକ ୨ ଲକ୍ଷ ଟନ୍‌ ବୃଦ୍ଧି କରିବ, ଫଳରେ ବାର୍ଷିକ ୧୨,୦୦୦ କୋଟି ଟଙ୍କା ଆୟ ହୋଇପାରିବ । ଏହି ଚିଙ୍ଗୁଡି ମିଶନ ଦ୍ଵାରା ନିଯୁକ୍ତି, ତାଲିମ ଏବଂ ବନ୍ଧିତ ଆୟ-ସୁଯୋଗ ମାଧ୍ୟମରେ ୨ ଲକ୍ଷରୁ ଅଧିକ ଚାଷୀଙ୍କୁ ଲାଭ ପହଞ୍ଚାଇବା ଲକ୍ଷ ତଥା ମୂଲ୍ୟ ବୃଦ୍ଧି,କଣ୍ଟେନର ଭିତ୍ତିକ ରପ୍ତାନି ନିମନ୍ତେ ସୁଯୋଗ ପ୍ରଦାନ କରିବା ପାଇଁ ଜଳ କୃଷି ଏବଂ ଚିଙ୍ଗୁଡ଼ି ରପ୍ତାନି ସେଲ୍‌ ପ୍ରତିଷ୍ଠା ହେବ ।"

ନିର୍ମାଣ ହେବ 150ଟି ଗଭୀର ସମୁଦ୍ର ମାଛ ଧରା ଜାହାଜ:

ସେ ଆହୁରି ମଧ୍ୟ କହିଛନ୍ତି," ଗଭୀର ସମୁଦ୍ର ମାଛ ଧରିବା ମିଶନ ପାଞ୍ଚ ବର୍ଷ ମଧ୍ଯରେ 150ଟି ନୂତନ ଗଭୀର ସମୁଦ୍ର ମାଛ ଧରା ଜାହାଜ ନିର୍ମାଣ ଏବଂ 500ଟି ଯାନ୍ତ୍ରିକ ଡଙ୍ଗାକୁ ଉନ୍ନ‌ତ କରାଯିବ । ଆଧୁନିକ ମାଛ ବଜାରର ବିକାଶ ସହିତ ପାରାଦୀପ, ଧାମରା, ଚାନ୍ଦିପୁର ଏବଂ ଅସ୍ତରଙ୍ଗରେ ବନ୍ଦର ଗୁଡ଼ିକର ଆଧୁନିକୀକରଣ ହେବ । ବାର୍ଷିକ 1 ଲକ୍ଷ ମେଟ୍ରିକ ଟନ୍ ସାମୁଦ୍ରିକ ମାଛ ଉତ୍ପାଦନ ବୃଦ୍ଧି ଆଶା କରାଯାଉଛି ଯାହା 10,000 ମତ୍ସ୍ୟଜୀବୀଙ୍କୁ ପ୍ରତ୍ୟକ୍ଷ ଭାବରେ ଏବଂ 1 ଲକ୍ଷ ଲୋକଙ୍କୁ ପରୋକ୍ଷ ଭାବରେ ଲାଭ ପହଞ୍ଚାଇବ । ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନେତୃତ୍ବରେ ବୈଜ୍ଞାନିକ ମାଛ ଚାଷ, ହାଚେରୀ ଏବଂ ଫିଙ୍ଗରଲିଙ୍ଗ ଯୋଗାଣ ନେଟୱାର୍କ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY) ଅଧୀନରେ 201 କୋଟି ଟଙ୍କା ଆବଣ୍ଟନ ହୋଇଛି । ମାଛ ଚାଷ ପାଇଁ ନୂତନ ପୋଖରୀ ଖନନ ଖୋଳା ଯୋଜନା କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (PMMSY) ଅଧୀନରେ 245 କୋଟି ଟଙ୍କା ପ୍ରସ୍ତାବିତ, ଯେଉଁଥିରେ ଅସ୍ତରଙ୍ଗ ମାଛ ଧରିବା ବନ୍ଦରର ଆଧୁନିକୀକରଣ ଏବଂ ଗୋପାଳପୁରରେ ଗଭୀର ସମୁଦ୍ର ମାଛ ଧରା ବନ୍ଦର ନିର୍ମାଣ ହେବ ।"

ଚିପିଲିମାରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ :
"ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ରାଜ୍ୟ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ୧୫୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପ୍ରାଣୀ ସମ୍ପଦ ବିକାଶ ଏବଂ କୃଷକଙ୍କୁ ସହାୟତା କରିବା ପାଇଁ ପ୍ରାଣୀ ସମୃଦ୍ଧି ଯୋଜନା ପାଇଁ ୧୮୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଠିକ୍ ସମୟରେ ନିଦାନ, ପ୍ରତିଷେଧକ ଏବଂ ପ୍ରାଣୀମାନଙ୍କର ଯନ୍ତ୍ର ନେବା ପାଇଁ ଗୋମାତା ଯୋଜନାରେ ୫୭ କୋଟି ଟଙ୍କା ବ୍ୟୟ କରାଯାଇଛି । ୨୪ ଘଣ୍ଟିଆ ଉନ୍ନତ ପ୍ରାଣୀ ଚିକିତ୍ସା ପାଇଁ ଫୁଲନଖରାରେ ହେବ (referral) ରେଫରାଲ ପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା ହେବ । ଚିକିତ୍ସାଳୟରେ ୧୦୦ ଇନଡୋର୍ ଏବଂ ୩୦୦ ଓପିଡି ପ୍ରାଣୀଙ୍କୁ ଚିକିତ୍ସା କରାଯାଇପାରିବ । ଚିପିଲିମାରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ । ଅସହାୟ ଓ ଜରାଗ୍ରସ୍ତ ପ୍ରାଣୀମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ୩୩ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। " ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ବାର୍ଷିକ ୧ ହଜାର ୭ ଶହ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ:

ସେ ଆହୁରି କହିଛନ୍ତି,"ଏହି ବଜେଟରେ ଉନ୍ନତ କିସମ, ଯାନ୍ତ୍ରିକ କୁକୁଡ଼ା ଫାର୍ମ, ପ୍ରାଣୀ ସମ୍ପଦ ସେବାକେନ୍ଦ୍ର, ପ୍ରାଣୀ ଚିକିତ୍ସା ପଲି କ୍ଲିନିକ, ଟିକା ଉତ୍ପାଦନ, ଦୁଗ୍ଧ ଉତ୍ପାଦନ ଏବଂ ମାଂସ ପ୍ରକ୍ରିୟାକରଣକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ୨୦୪୭ ସୁଦ୍ଧା ବାର୍ଷିକ ୧ହଜାର ୭ ଶହ କୋଟି ଅଣ୍ଡା, ଦିନକୁ ୨ ଶହ ୭୪ ଲକ୍ଷ ଲିଟର ଦୁଗ୍ଧ ଏବଂ ୮ ଲକ୍ଷ ମେଟ୍ରିକ ଟନ ମାଂସ ଉତ୍ପାଦନ ଲକ୍ଷ ରଖାଯାଇଛି । ଏହା ଦ୍ବାରା ଗ୍ରାମୀଣ ସମୃଦ୍ଧି ଏବଂ ପୁଷ୍ଟି ନିରାପତ୍ତାର ଏକ ମାଇଲ ଖୁଣ୍ଟ ସ୍ଥାପନ ହେବ । ଏ ବଜେଟ ହେଉଛି ଯୁଗାନ୍ତକାରୀ ବଜେଟ । ଏଥିରେ ରାଜ୍ୟର ପ୍ରତ୍ୟେକ ବର୍ଗକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଏହା ସବୁ ବର୍ଗକୁ ସୁହାଇବ । ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ୱପ୍ନକୁ ଏହା ପୂରଣ କରିବ । ଆମ ସରକାର ଭିତ୍ତିଭୂମି ଉନ୍ନତି ଉପରେ ବେଶ୍ ଗୁରୁତ୍ୱ ଦେଇଛନ୍ତି । "

ଏହା ମଧ୍ୟ ପଢନ୍ତୁ... ପୁଞ୍ଜି ଆକର୍ଷଣ ପାଇଁ ୩ ସୂତ୍ରୀ ଆକ୍ସନ ପ୍ଲାନ: ୪୪୨୦୦ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ

ଏହା ମଧ୍ୟ ପଢନ୍ତୁ...ବିରଳ ମୃତ୍ତିକା ସମ୍ପଦକୁ ଉପଯୋଗ କରିବ ଓଡ଼ିଶା, ବଜେଟରେ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ

ଏହା ମଧ୍ୟ ପଢନ୍ତୁ... ଓଡ଼ିଶା ବଜେଟ ଏପାଖ ସେପାଖ: ଡାଲଖାଇ ଯୋଜନାରେ ୨୨୦ କୋଟି, ରେୟାର ଆର୍ଥ ଓ ଫିଟ୍ ଓଡ଼ିଶା ମିଶନ ପାଇଁ ବ୍ୟୟ ବରାଦ

ଇଟିଭି ଭାରତ, ଭୁବନେଶ୍ବର