ମୋହନ ସରକାରଙ୍କ ବଜେଟକୁ ବିରୋଧୀଙ୍କ କଟାକ୍ଷ; ଶୂନ୍ୟ ପାକଶାଳାରେ ଫୁଲ୍ ମେନୁ କହିଲେ ନବୀନ
୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ । ପ୍ରଥମ ଥର ପାଇଁ ରାଜ୍ୟର ବଜେଟ ୩ ଲକ୍ଷ କୋଟି ଅତିକ୍ରମ କଲା । ସେପଟେ ବଜେଟକୁ ନାପସନ୍ଦ କରିଛନ୍ତି ଉଭୟେ ବିଜେଡି ଏବଂ କଂଗ୍ରେସ।

Published : February 21, 2026 at 7:53 AM IST
ଭୁବନେଶ୍ବର: ଚଳିତ ବଜେଟକୁ କଟାକ୍ଷ କରିଛନ୍ତି ବିରୋଧୀ । ରାଜ୍ୟ ସରକାର ଗତକାଲି (ଶୁକ୍ରବାର) ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି, ଯାହାର ମୋଟ ଆକାର ୩.୧୦ ଲକ୍ଷ କୋଟି ଟଙ୍କା ରହିଛି । ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ବିତୀୟ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିବା ବେଳେ ପ୍ରଥମ ଥର ପାଇଁ ରାଜ୍ୟର ବଜେଟ ୩ ଲକ୍ଷ କୋଟି ଅତିକ୍ରମ କରିଛି । ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ସହ ବିଭିନ୍ନ ବର୍ଗକୁ ଗୁରୁତ୍ୱ ଦେଇ ରାଜ୍ୟର ସାମଗ୍ରିକ ବିକାଶ ଉପରେ ଫୋକସ ଦେଇଛନ୍ତି ରାଜ୍ୟ ସରକାର ।
ଏହି ବଜେଟକୁ ନାପସନ୍ଦ କରିଛନ୍ତି ବିରୋଧୀ ।ଏନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଟାକ୍ଷ କରିଥିବା ବେଳେ କଂଗ୍ରେସ କହିଛି ବଜେଟରେ କୌଣସି ନୂତନତ୍ଵ ନାହିଁ । ଉଭୟେ ବିଜେଡି ଏବଂ କଂଗ୍ରେସ ଏହି ବଜେଟକୁ ନିନ୍ଦା କରିଛନ୍ତି । ବଜେଟରେ ରାଜ୍ୟବାସୀଙ୍କ ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ସୁବିଧା ପ୍ରଦାନ କରାଯାଇନଥିବା ଅଭିଯୋଗ କରିଛନ୍ତି ।ଏହାସହ ବିରୋଧୀ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ଗତ ବର୍ଷର ବଜେଟର ବିନିଯୋଗ କରିବାରେ ବିଫଳ ହୋଇଛନ୍ତି ଏବଂ ଏହି ବଜେଟ ମଧ୍ୟ ସେହି ପରିସ୍ଥିତିକୁ ସୁଧାରିବାରେ ଅସମର୍ଥ ହୋଇଛି ।
ଆର୍ଥିକ ଶୃଙ୍ଖଳା:
• GSDPର ପ୍ରାୟ ୩% ରାଜସ୍ୱ ବଳକା ସୃଷ୍ଟି ଲକ୍ଷ୍ୟ।
• ୨୦୨୬-୨୭ରେ ବିତ୍ତୀୟ ନିଅଣ୍ଟ GSDPର ୩.୫% ମଧ୍ୟରେ ସୀମିତ।
ଗତବର୍ଷ ବିଜେପି ସରକାର ୨ଲକ୍ଷ ୯୬ ହଜାର କୋଟି ଟଙ୍କା ବଜେଟ ଆଣିଥିଲେ । ହେଲେ ପ୍ରାୟ ୧୧ ମାସ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ପ୍ରାୟ ୬୦ ପ୍ରତିଶତ ଖର୍ଚ୍ଚ କରି ପାରିନାହାନ୍ତି ରାଜ୍ୟ ସରକାର । ଆଉ ମାସକ ଭିତରେ କେମିତି 40 ଭାଗ ଅର୍ଥ ଖର୍ଚ୍ଚ କରିବେ ବୋଲି ପ୍ରଶ୍ନ ଉଠାଇଛି ବିରୋଧୀ କଂଗ୍ରେସ । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ କହିଛନ୍ତି,"ଚଳିତ ବଜେଟରେ କେବଳ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀଙ୍କ ଦୀର୍ଘ ଭାଷଣ ଥିଲା । ଯାହା ଓଡ଼ିଶାବାସୀଙ୍କ ପାଇଁ ନୈରାଶ୍ୟଜନକ । ବଜେଟ ଖର୍ଚ୍ଚ କରିପାରିବେ ନାହିଁ । ଋଣ ବଢ଼ାଇବାରେ ଲାଗିଛନ୍ତି । ସାମାଜିକ ନ୍ୟାୟ, ଆଦିବାସୀ ବିକାଶ ପାଇଁ ବଜେଟରେ କିଛି ନାହିଁ । ତେଣୁ କଂଗ୍ରେସ ଦଳ ଏହି ବଜେଟକୁ ବୟକଟ କରୁଛି ।"
ଇଟିଭି ଭାରତ, ଭୁବନେଶ୍ବର

