ETV Bharat / state

ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା ପ୍ରସଙ୍ଗରେ ମୋହନଙ୍କୁ ନବୀନଙ୍କ ଚିଠି, ଅଭିଯୁକ୍ତଙ୍କୁ ଗିରଫ ସହ ଶିଶୁ କନ୍ୟାକୁ ଥଇଥାନ ଦାବି

ହିଞ୍ଜିଳିକାଟୁରେ ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି । ରିପୋର୍ଟ- ଭବାନୀ ଶଙ୍କର ଦାସ

LoP Naveen Patnaik writes a letter to CM Mohan Charan Majhi On Pregnant woman murdered in Hinjilicut
ହିଞ୍ଜିଳିକାଟୁରେ ଗର୍ଭବତୀ ମହିଳାଙ୍କୁ ହତ୍ୟା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା (ETV Bharat Odisha)
author img

By ETV Bharat Odisha Team

Published : May 6, 2026 at 4:09 PM IST

2 Min Read
Choose ETV Bharat

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଶିଶୁ କନ୍ୟା ସମ୍ମୁଖରେ ଗର୍ଭବତୀ ମହିଳାଙ୍କୁ ହତ୍ୟା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ହିଞ୍ଜିଳି ବିଧାୟକ ତଥା ବିରୋଧୀ ନେତା ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଲୋଡି ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ ଶିଶୁ କନ୍ୟାର ଥଇଥାନ ଦାବି କରିଛନ୍ତି ବିରୋଧୀ ଦଳ ନେତା ।

LoP Naveen Patnaik writes a letter to CM Mohan Charan Majhi On Pregnant woman murdered in Hinjilicut
ହିଞ୍ଜିଳିକାଟୁରେ ଗର୍ଭବତୀ ମହିଳାଙ୍କୁ ହତ୍ୟା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା (ETV Bharat Odisha)

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଗତକାଲି ଘଟିଛି ଏକ ହୃଦୟବିଦାରକ ସମ୍ବେଦନଶୀଳ ଘଟଣା । ପତ୍ନୀ ପରିଚୟ ଦାବିରେ ଶାଶୁ ଘର ଆଗରେ ବସିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ସ୍ୱାମୀଙ୍କ ନାବାଳକ ଭାଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ସ୍ପର୍ଶକାତର ଘଟଣାକୁ ନେଇ ରାଜନୈତିକ ମହଲରେ ମଧ୍ୟ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି । ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ଉଦବେଗ ପ୍ରକାଶ କରିଛନ୍ତି । ଘଟଣାରେ ହସ୍ତକ୍ଷେପ କରି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ନବୀନ ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠିରେ ଦର୍ଶାଇଛନ୍ତି," ମୁଁ ଦୁଃଖର ସହ ଜଣାଉଛି ଯେ ମୋ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଅନ୍ତର୍ଗତ ଖରିଡା ଗାଁରେ ଘଟିଛି ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ଜଣେ ଗର୍ଭବତୀ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ପତ୍ନୀ ଭାବେ ପରିଚୟ ପାଇଁ ନ୍ୟାୟ ଦାବିରେ ନିଜର ଶିଶୁ ସନ୍ତାନକୁ କୋଳରେ ଧରି ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଥିବା ସମୟରେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଭାଇ ହତ୍ୟା କରିଛନ୍ତି । ଏଥିସହ ଘଟଣା ସମୟରେ ମା’ର ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଦୁଥିବା ଦୃଶ୍ୟ ସମଗ୍ର ଓଡ଼ିଶାର ମନକୁ ଆଘାତ ଦେଇଛି ।"

ମୁଖ୍ୟମନ୍ତ୍ରୀ ରାଜ୍ୟର ଗୃହ ମନ୍ତ୍ରୀ ଦାୟିତ୍ୱରେ ବି ଥିବାରୁ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ବିରୋଧୀ ଦଳ ନେତା ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଅଭିଯୁକ୍ତମାନଙ୍କୁ ଗିରଫ ସହ କଠୋର ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ଘଟଣାର ମୂକସାକ୍ଷୀ ସାଜିଥିବା ୩ ବର୍ଷର ଶିଶୁଟିକୁ ରାଜ୍ୟ ସରକାର ତୁରନ୍ତ ଚିକିତ୍ସା, ଆର୍ଥିକ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇବାକୁ ନବୀନ ଦାବି କରିଛନ୍ତି । ଏହା ସହ ମହିଳା ଧାରଣାରେ ବସିଥିବା ସମୟରେ ପୋଲିସ ପକ୍ଷରୁ ପୂର୍ବରୁ କାହିଁକି ପ୍ରତିରୋଧମୂଳକ ପଦକ୍ଷେପ ନିଆଯାଇନଥିଲା, ସେନେଇ ମଧ୍ୟ ତଦନ୍ତ କରିବାକୁ ନବୀନ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ କଡ଼ା ପଦକ୍ଷେପ ନେବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ।

ସେହିପରି ବିଜେଡିର ସାଧାରଣ ସମ୍ପାଦିକା ରଞ୍ଜିତା ସାହୁ କହିଛନ୍ତି," ସ୍ପଷ୍ଟ ଦିବାଲୋକରେ ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଇଛି । ମହିଳାଙ୍କୁ ହତ୍ୟା କରିବା ପାଇଁ ପ୍ରେମିକଙ୍କ ଭାଇ ଧମକ ଦେଇଥିଲେ । ସୁରକ୍ଷା ଦେବା ପାଇଁ ମହିଳା ପୋଲିସ ପାଖରେ ନେହୁରା ହୋଇଥିଲେ । ହେଲେ ପୋଲିସ ମହିଳାଙ୍କ କଥା ଶୁଣିନଥିଲା । ଗଣମାଧ୍ୟମ ପ୍ରତିନିଧି ଗାଁ' ଛାଡିବାର 10 ମିନିଟ ମଧ୍ୟରେ ମହିଳାଙ୍କୁ ହତ୍ୟା କରାଯାଇଛି । ପୋଲିସ ଚାହିଁଥିଲେ, ଏହାକୁ ଏଡାଇ ଦିଆଯାଇପାରିଥାନ୍ତା । ପୋଲିସର ଅବହେଳା ଯୋଗୁଁ ଏହି ହତ୍ୟାକାଣ୍ଡ ହୋଇଛି । ପରିବାରର କେହି ନଥିବା ବେଳେ ମା' ଚାଲିଗଲା ପରେ ଶିଶୁର ଦାଇତ୍ୱ କିଏ ନେବ ? ସରକାର ଉକ୍ତ ଶିଶୁର ସଠିକ ଥଇଥାନ କରନ୍ତୁ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି ।"

ଏହା ମଧ୍ୟ ପଢନ୍ତୁ...ଶାଶୂ ଘର ଦୁଆରେ ବସି ନ୍ୟାୟ ମାଗୁଥିଲେ, ଗର୍ଭବତୀ ମହିଳାଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା

ଏହା ମଧ୍ୟ ପଢନ୍ତୁ...ଚାଲିଥିଲା ହାଟ, କାଳ ହୋଇ ଆସିଲା କାଳବୈଶାଖୀ: ଗଛ ପଡି 2 ମହିଳା ମୃତ

ଇଟିଭି ଭାରତ, ଭୁବନେଶ୍ବର